Economics Nobel 2026: ମାନ୍ଦାବସ୍ଥା ନିୟନ୍ତ୍ରଣରେ ସହାୟକ ହେବ ଗବେଷଣା, ଦୁଇ ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ନୋବେଲ

Oct 12, 2026 - 17:02
Economics Nobel 2026: ମାନ୍ଦାବସ୍ଥା ନିୟନ୍ତ୍ରଣରେ ସହାୟକ ହେବ ଗବେଷଣା, ଦୁଇ ଆମେରିକୀୟ ଅର୍ଥନୀତିଜ୍ଞଙ୍କୁ ନୋବେଲ

ଅର୍ଥନୀତିରେ ୨ ଜଣଙ୍କୁ ନୋବେଲ୍ । ରବର୍ଟ ଇ. ହଲ୍ ଓ ମାଇକେଲ୍ ଉଡଫୋର୍ଡଙ୍କୁ ୨୦୨୬ ଅର୍ଥଶାସ୍ତ୍ର ନୋବେଲ ପୁରସ୍କାର ପ୍ରଦାନ କରାଯିବ । ଷ୍ଟକହୋମ୍ ସ୍ଥିତ ରୟାଲ ସ୍ୱିଡିଶ୍ ଏକାଡେମୀ ଅଫ୍ ସାଇନ୍ସେସ୍ ପକ୍ଷରୁ ଏହି ଘୋଷଣା କରାଯାଇଛି। ଉଭୟ ଅର୍ଥଶାସ୍ତ୍ରୀଙ୍କୁ ମାଇକ୍ରୋଇକୋନୋମିକ ଫାଉଣ୍ଡେସନ୍ସ ଅଫ୍ ମାକ୍ରୋଇକୋନୋମିକ ଷ୍ଟାବିଲାଇଜେସନ ବା ସମଷ୍ଟିଗତ ଅର୍ଥନୈତିକ ସ୍ଥିରତାର ସୂକ୍ଷ୍ମ ମୂଳଦୁଆ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଯୋଗଦାନ ପାଇଁ ଏହି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯିବ। ସେମାନଙ୍କର ମଡେଲଗୁଡ଼ିକ କେନ୍ଦ୍ରୀୟ ବ୍ୟାଙ୍କ ଏବଂ ସରକାରମାନଙ୍କୁ ଆର୍ଥିକ ମାନ୍ଦାବସ୍ଥା ନିୟନ୍ତ୍ରଣ କରିବାରେ ଏବଂ ବଜାର ପ୍ରତି ଜନସାଧାରଣଙ୍କ ଆଶା ଓ ଆଶଙ୍କାକୁ ସଠିକ୍ ଦିଗଦର୍ଶନ ଦେବାରେ ସାହାଯ୍ୟ କରିଛି।

ଏହି ପୁରସ୍କାରର ମୂଲ୍ୟ ୧ କୋଟି ୨୦ ଲକ୍ଷ ସ୍ୱିଡିଶ୍ କ୍ରୋନା (ପ୍ରାୟ ୧.୨ ନିୟୁତ ଆମେରିକୀୟ ଡଲାର)। ଚଳିତ ବର୍ଷ ଘୋଷଣା ହେବାକୁ ଥିବା ନୋବେଲ ପୁରସ୍କାରଗୁଡ଼ିକ ମଧ୍ୟରେ ଏହା ଶେଷ ପୁରସ୍କାର।
ରବର୍ଟ ଇ. ହଲ୍‌ଙ୍କ ଜନ୍ମ ୧୯୪୩ ମସିହାରେ ଆମେରିକାର ପାଲୋ ଆଲ୍‌ଟୋରେ ହୋଇଥିଲା। ସେ ଷ୍ଟାନଫୋର୍ଡ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର। ସେହିପରି ମାଇକେଲ୍‌ ଉଡ୍‌ଫୋର୍ଡଙ୍କ ଜନ୍ମ ୧୯୫୫ ମସିହାରେ ଆମେରିକାର ଚିକୋପିରେ ହୋଇଥିଲା। ସେ କଲମ୍ବିଆ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର।

ଅର୍ଥନୀତି କିପରି ପରିବର୍ତ୍ତନକୁ ସାମ୍ନା କରେ ଏବଂ ଅର୍ଥନୈତିକ ସ୍ଥିରତା ଆଣିବା ପାଇଁ ନୀତି ନିର୍ଦ୍ଧାରକମାନେ କିପରି ପଦକ୍ଷେପ ନେଇପାରିବେ, ସେ ସମ୍ପର୍କିତ ଅର୍ଥନୈତିକ ସିଦ୍ଧାନ୍ତ ଉପରେ ସେମାନଙ୍କ ଗବେଷଣାକୁ ସ୍ୱୀକୃତି ଦିଆଯାଇ ଏହି ପୁରସ୍କାର ପ୍ରଦାନ କରାଯାଇଛି।

ଆମେରିକାର ଏହି ଦୁଇ ଅର୍ଥନୀତିଜ୍ଞଙ୍କ ଅବଦାନ ବିଷୟରେ ଉଲ୍ଲେଖ କରି ନୋବେଲ ପୁରସ୍କାର କମିଟି କହିଛି, ସ୍ଥିରତା ଆଣିବା ପାଇଁ ଗ୍ରହଣ କରାଯାଉଥିବା ନୀତିକୁ ପୁନର୍ଜୀବିତ କରିବା ଲାଗି ଅର୍ଥନୈତିକ ମଡେଲ୍‌ଗୁଡ଼ିକୁ କିପରି ନୂଆ ରୂପ ଦିଆଯାଇପାରିବ, ତାହା ସେମାନେ ଦେଖାଇଥିଲେ। ମୁଦ୍ରାସ୍ଫୀତି, ଉତ୍ପାଦନ ଓ ଉପଭୋଗ ଭଳି ବ୍ୟାପକ ଅର୍ଥନୈତିକ ଉପାଦାନଗୁଡ଼ିକ ମଧ୍ୟରେ ଥିବା ପରିସଂଖ୍ୟାନଭିତ୍ତିକ ସମ୍ପର୍କ ଉପରେ ମଡେଲ୍‌ ଆଧାରିତ କରିବା ପରିବର୍ତ୍ତେ, ସେମାନେ ଏହାର ମୂଳଦୁଆକୁ କ୍ଷୁଦ୍ର ଅର୍ଥନୀତି (ମାଇକ୍ରୋଇକୋନୋମିକ୍ସ) ସହ ଯୋଡିଥିଲେ।

ଅର୍ଥନୀତି ପାଇଁ ଦିଆଯାଉଥିବା ଏହି ପୁରସ୍କାରର ଆନୁଷ୍ଠାନିକ ନାମ ହେଉଛି ‘ଆଲ୍‌ଫ୍ରେଡ୍‌ ନୋବେଲ୍‌ଙ୍କ ସ୍ମୃତିରେ ଅର୍ଥନୈତିକ ବିଜ୍ଞାନରେ ବ୍ୟାଙ୍କ ଅଫ୍‌ ସ୍ୱିଡେନ୍‌ ପୁରସ୍କାର’। ୧୯୬୮ ମସିହାରେ ସ୍ୱିଡେନ୍‌ର କେନ୍ଦ୍ରୀୟ ବ୍ୟାଙ୍କ ଏହି ପୁରସ୍କାର ପ୍ରତିଷ୍ଠା କରିଥିଲା। ୧୯ଶ ଶତାବ୍ଦୀର ସ୍ୱିଡିଶ୍‌ ବ୍ୟବସାୟୀ ଓ ରସାୟନବିଜ୍ଞାନୀ ଆଲ୍‌ଫ୍ରେଡ୍‌ ନୋବେଲ୍‌ ଡିନାମାଇଟ୍‌ ଉଦ୍ଭାବନ କରିଥିଲେ ଏବଂ ପାଞ୍ଚଟି ନୋବେଲ ପୁରସ୍କାର ପ୍ରତିଷ୍ଠା କରିଥିଲେ। ତାଙ୍କ ସ୍ମୃତିରେ ଏହି ପୁରସ୍କାର ଆରମ୍ଭ କରାଯାଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।