Editorial: ଆଶାର ଗବାକ୍ଷ: ପାପ ଓ ପ୍ରାୟଶ୍ଚିତ୍ତ
"ଗୌରଚନ୍ଦ୍ର ତ୍ରିପାଠୀ ଯୁଦ୍ଧର ପଞ୍ଚଦଶ ଦିନ।
ଦ୍ରୋଣାଚାର୍ଯ୍ୟ ଅପରାଜେୟ ଭାବେ ସୈନ୍ୟ ସଂହାର କରି ଚାଲିଛନ୍ତି।
ହାତରେ ଅସ୍ତ୍ର ଥିବା ପର୍ଯ୍ୟନ୍ତ ତାଙ୍କୁ ପରାସ୍ତ କରିବା ପାଣ୍ଡବଙ୍କ ପାଇଁ ଅସମ୍ଭବ ଥିଲା।
ସେଥିପାଇଁ ଭୀମ ଅଶ୍ୱତ୍ଥାମା ନାମକ ଏକ ହାତୀକୁ ବଧ କରି ଘୋଷଣା କଲେ, “ଅଶ୍ୱତ୍ଥାମା ମରିଗଲା।” ଦ୍ରୋଣ ଯେତେବେଳେ ଯୁଧିଷ୍ଠିରଙ୍କୁ ପଚାରିଲେ, “ମୋ ପୁଅ ମରିଛି କି?”, ଯୁଧିଷ୍ଠିର ଉତ୍ତର ଦେଲେ, “ଅଶ୍ୱତ୍ଥାମା ହତଃ”- ଅଶ୍ୱତ୍ଥାମା ମରିଛି; ଆଉ ଧୀର ସ୍ୱରରେ ଯୋଡ଼ିଲେ, “ନରୋ ବା କୁଞ୍ଜରୋ ବା”- ମଣିଷ କି ହାତୀ।
ଶଙ୍ଖ ଓ ନାଗରା ଶବ୍ଦରେ ତାଙ୍କର ଶେଷ ପଦ ଶୁଭିଲା ନାହିଁ।
ପୁତ୍ରଶୋକରେ ଦ୍ରୋଣ ଅସ୍ତ୍ର ତ୍ୟାଗ କଲେ ଏବଂ ନିହତ ହେଲେ।ମହାଭାରତର ଏହି ଉପାଖ୍ୟାନ ମନରେ ଏକ ନୈତିକ ଦ୍ବନ୍ଦ୍ବ ସୃଷ୍ଟି କରେ- ଯଦି ମିଥ୍ୟା କହିବା ପାପ, ତେବେ ଯୁଧିଷ୍ଠିର ପାପୀ କି?
ଯଦି ସେ ପାପୀ ନୁହନ୍ତି, ତେବେ ପାପର ସୀମାରେଖା କେଉଁଠି?
ଏହାର ଉତ୍ତର ଖୋଜିବାକୁ ଗଲେ ଜଣାପଡ଼େ, ପାପର ଅର୍ଥ ସବୁ ସଭ୍ୟତା ଓ ଧର୍ମ ପରମ୍ପରାରେ ସମାନ ନୁହେଁ।
ଇହୁଦୀ ଓ ଖ୍ରୀଷ୍ଟୀୟ ପରମ୍ପରାରେ ପାପ ହେଉଛି ଈଶ୍ୱରଙ୍କ ଇଚ୍ଛା ଓ ନୈତିକ ନିୟମର ଉଲ୍ଲଂଘନ।
ଗ୍ରୀକ୍ ଚିନ୍ତନରେ ଏହାକୁ ଅଜ୍ଞାନତା, ଅବିବେକ ଓ ସଦ୍ଗୁଣରୁ ବିଚ୍ୟୁତି ଭାବେ ଦେଖାଯାଇଛି।
ସନାତନ ଦର୍ଶନରେ ପାପ ହେଉଛି ଅବିଦ୍ୟା, ଅହଂକାର ଓ ଆସକ୍ତିର ପରିଣାମ।
ଏହା ଏପରି ଏକ ଅବସ୍ଥା ଯେଉଁଥିରେ କାମ, କ୍ରୋଧ ଓ ଲୋଭ ମଣିଷକୁ ବିବେକହୀନ କରିଦିଏ।
ଶାସ୍ତ୍ର ମତରେ, ପାପ ବାହ୍ୟ କାର୍ଯ୍ୟରେ ପ୍ରକାଶ ପାଇବା ବହୁ ପୂର୍ବରୁ ମନ ଭିତରେ ଚିନ୍ତା, ଆସକ୍ତି ଓ ଇଚ୍ଛା ରୂପେ ଜନ୍ମ ନେଇ ସାରିଥାଏ।
ଭଗବଦ୍ଗୀତାରେ ମଧ୍ୟ ବିଷୟ-ଚିନ୍ତନରୁ ଆସକ୍ତି, ଆସକ୍ତିରୁ କାମନା, କାମନାରୁ କ୍ରୋଧ ଏବଂ ଶେଷରେ ବିବେକହାନି ପର୍ଯ୍ୟନ୍ତ ଏହି ନୈତିକ ଅଧଃପତନର ଶୃଙ୍ଖଳାକୁ ଦର୍ଶାଯାଇଛି।Advertisment Conference: ୨୩ରୁ ଓଡ଼ିଶାରେ ଆୟୋଜନ ହେବ "ସହରୀ ଗତିଶୀଳତା ଭାରତ ସମ୍ମିଳନୀ ତେବେ ଆଜିର ଜୀବନରେ ପାପବୋଧକୁ ଆମେ କେଉଁଠି ଖୋଜିବା?
ପାପ କ"ଣ କେବଳ ଚୋରି, ହତ୍ୟା, ମିଥ୍ୟା ଓ ଠକେଇର ନାମ?
ନିଜ ପରିବାର ପ୍ରତି କର୍ତ୍ତବ୍ୟ ଭୁଲିଯିବା, ଅନ୍ୟର ଦୁଃଖ ଦେଖି ଉଦାସୀନ ରହିବା, ଆମ ଆଖି ସାମ୍ନାରେ ଅନ୍ୟାୟ ଘଟୁଥିବା ବେଳେ ନିରବ ରହିବା- ଏସବୁକୁ କ"ଣ କହିବା?
ଆଜିର ପାପର ରୂପ ହୁଏତ ଏଇଠି ଲୁଚିଛି।
କେବଳ ବ୍ୟକ୍ତିଗତ ଅସଙ୍ଗତି ନୁହେଁ, ଅଶାନ୍ତ ପାରିବାରିକ ପରିବେଶ, ସମାଜରେ ପ୍ରେମ ଓ ମୈତ୍ରୀର ଅବକ୍ଷୟ, ଘୃଣାର ସୁନିୟୋଜିତ ପ୍ରସାର, ଅର୍ଥନୈତିକ ଅସମାନତା, ହିଂସାର ପ୍ରୋତ୍ସାହନ ଓ ଜାତି-ଧର୍ମ-ବର୍ଣ୍ଣକୁ ନେଇ ବୈଷମ୍ୟ ସୃଷ୍ଟି କରିବା- ଏସବୁ ହେଉଛି ପାପର ଆଧୁନିକ ରୂପ।
ପରିବାର, ସମାଜ, ଶାସକ ଓ ପ୍ରଶାସକ ଭାବେ ନିଜ କର୍ତ୍ତବ୍ୟରୁ ବିଚ୍ୟୁତ ହେବା ମଧ୍ୟ ପାପ।
ଅନ୍ୟାୟ କରିବା ଯେତିକି ପାପ, ଅନ୍ୟାୟ ଦେଖି ନିରବ ରହିବା ମଧ୍ୟ ସେତିକି ପାପ।ପ୍ରଶ୍ନ ଉଠେ ପାପରୁ ମୁକ୍ତିର ପଥ ଅଛି କି?
ଏ ପ୍ରସଙ୍ଗରେ ଜନ୍ ଏ.
ସେଡ୍ଙ୍କ ଉକ୍ତି ମନେ ପଡ଼େ- “ପାପର ଛାୟା ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ ଆମ ସହ ରହିଥାଏ।” ଏହି ଛାୟାରୁ ନିବୃତ୍ତ ରହିବା ପାଇଁ ହିଁ ଧର୍ମଶାସ୍ତ୍ରରେ ବିଧାନ ଅଛି।
ଗରୁଡ଼ ପୁରାଣ ଓ ଭାଗବତ ପୁରାଣରେ ଯମ ଓ କୁମ୍ଭୀପାକ ନର୍କର ବିଭତ୍ସ ବର୍ଣ୍ଣନା ମାଧ୍ୟମରେ ପାପର ଭୟାବହ ପରିଣାମକୁ ଦେଖାଇ ମଣିଷକୁ ସଚେତନ କରାଯାଇଛି।
ତଥାପି ପାପର କାହାଣୀ କେବଳ ଭୟ, ଶାସ୍ତି ଓ ଅପରାଧବୋଧର ଗାଥା ନୁହେଁ; ଏହା ପରିବର୍ତ୍ତନର କାହାଣୀ ମଧ୍ୟ ହୋଇପାରେ।
ଦସ୍ୟୁ ରତ୍ନାକରରୁ ମହର୍ଷି ବାଲ୍ମୀକି ହେବାର ପାରମ୍ପରିକ କାହାଣୀ ତା"ର ଅଦ୍ଭୁତ ଉଦାହରଣ।
ଏହି ପରିବର୍ତ୍ତନର ମୂଳରେ ଅଛି ପ୍ରାୟଶ୍ଚିତ୍ତ ବା ନିଜ ଭୁଲ୍ ସ୍ୱୀକାର କରି ନିଜକୁ ବଦଳାଇବାର ପ୍ରକ୍ରିୟା।
କିନ୍ତୁ ଏହି ପରିବର୍ତ୍ତନ ସହଜ ନୁହେଁ।
କାରଣ ପ୍ରାୟଶ୍ଚିତ୍ତ କେବଳ ବାହ୍ୟ ଆଚରଣରେ ନୁହେଁ, ଅନ୍ତରର ପରିବର୍ତ୍ତନରେ ହିଁ ସାର୍ଥକ ହୁଏ।
ଭୁଲ୍କୁ ସ୍ୱୀକାର କରିବା, ତା" ପାଇଁ ପଶ୍ଚାତ୍ତାପ କରିବା, ଉତ୍ତରଦାୟିତ୍ୱ ଗ୍ରହଣ କରିବା, ଭୁଲ୍ ସୁଧାରିବା ଓ ନିଜକୁ ନୂଆ ଭାବେ ଗଢ଼ିବା ହିଁ ପ୍ରକୃତ ପ୍ରାୟଶ୍ଚିତ୍ତ।
ଭଗବଦ୍ଗୀତା ମତରେ ସମସ୍ତ ଧର୍ମର ଆଶ୍ରୟ ଛାଡ଼ି କେବଳ ଭଗବାନଙ୍କ ଶରଣାପନ୍ନ ହେଲେ ସମସ୍ତ ପାପରୁ ମୁକ୍ତି ମିଳେ।
ଖ୍ରୀଷ୍ଟ ପରମ୍ପରାରେ ମଧ୍ୟ ବିଶ୍ୱାସ ଅଛି- ସ୍ୱୀକାରୋକ୍ତି ଓ ପଶ୍ଚାତ୍ତାପ କ୍ଷମା ଓ ମୁକ୍ତିର ପଥ ଖୋଲିଦିଏ।
ଭାଷା ଭିନ୍ନ ହେଲେ ବି ଉଭୟ ପରମ୍ପରା ମଣିଷକୁ ନିଜ ଭୁଲ୍ର ଅନ୍ଧକାରରୁ ଆଲୋକର ମାର୍ଗ ଦେଖାଏ।
Delhi Security: ଦିଲ୍ଲୀରେ ବ୍ୟାପକ ଅର୍ଦ୍ଧସାମରିକ ବାହିନୀ ଓ ପୁଲିସ ଫୋର୍ସ ମୁତୟନ ପାପ ଓ ପୁଣ୍ୟର ଯୁଦ୍ଧ ମନ ଭିତରେ ହିଁ ଲଢ଼ାଯାଏ।
ସେକ୍ସପିଅରଙ୍କ "ମାକବେଥ" ତା"ର ଏକ ମର୍ମସ୍ପର୍ଶୀ ଚିତ୍ର।
ରାଜା ଡଙ୍କାନଙ୍କ ହତ୍ୟା ପରେ ଅପରାଧବୋଧରେ ବିଦୀର୍ଣ୍ଣ ମାକବେଥ ପଚାରନ୍ତି- “ସମୁଦ୍ରର ସମସ୍ତ ଜଳ କ"ଣ ମୋ ହାତରୁ ଏହି ରକ୍ତକୁ ଧୋଇ ପାରିବ?” ଏଠାରେ ରକ୍ତ ହେଉଛି ବିବେକରେ ଲାଗିଥିବା ଦାଗର ପ୍ରତୀକ।
ସେଥିପାଇଁ କେବଳ ଶହେ ଗଙ୍ଗାବୁଡ଼ କିମ୍ବା ହଜାର ତୀର୍ଥଯାତ୍ରାରେ ପାପ ଧୋଇଯାଏ ନାହିଁ।
ମଣିଷ ଭିତରେ ବିବେକବୋଧ ଜାଗ୍ରତ ହେଲେ ହିଁ ପ୍ରକୃତ ପ୍ରାୟଶ୍ଚିତ୍ତ ହୁଏ।
ତେଣୁ ଚାଲନ୍ତୁ ମାନବ ସେବାକୁ ପ୍ରାଥମିକତା ଦେଇ ସମାଜର ଜୀବନ୍ତ ଦେବତାମାନଙ୍କ ଦୁଃଖ ଲାଘବ କରିବାରେ ଉତ୍ସର୍ଗୀକୃତ ହେବା, ପ୍ରତ୍ୟେକ ହୃଦୟରେ ଦୟା, କ୍ଷମା ଓ କରୁଣାର ପୁନର୍ଜାଗରଣର ସଂକଳ୍ପ ନେବା।
ଏହା ହିଁ ମଣିଷପଣିଆ ଫେରି ପାଇବାର ଆଶା ଏବଂ ସମସ୍ତ ପାପରୁ ପ୍ରାୟଶ୍ଚିତ୍ତର ସୁନିଶ୍ଚିତ ମାର୍ଗ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୯୩୭୦୪୨୫୨୭"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।