Editorial: ବିବାଦର ବ୍ୟବଚ୍ଛେଦ
"ସଂପ୍ରତି ସ୍ଥିତି ଯେଉଁ ମୋଡ଼ ନେଉଛି, ତହିଁରୁ ସ୍ପଷ୍ଟ ଯେ ବିବାଦର ଅବସାନ ଶୀଘ୍ର ହୋଇ ନ ପାରେ!
ଏଭଳି ସ୍ଥଳେ ସର୍ବାଧିକ ଜରୁରି ହେଉଛି ନିର୍ବାଚନ କମିସନ ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପୁନର୍ବାର ଫେରାଇ ଆଣିବା, ଯହିଁରେ ହୁଏତ ସର୍ବୋଚ୍ଚ ଅଦାଲତଙ୍କ ଭୂମିକା ନିର୍ଣ୍ଣାୟକ ହେବ।Advertisment Electricity consumers: ବିଦ୍ୟୁତ୍ ଉପଭୋକ୍ତାଙ୍କୁ ଲୁଟ ପାଇଁ ଚକ୍ରାନ୍ତ: ଟାଟାକୁ ହସ୍ତାନ୍ତର ଆର୍ଥିକ ବିବରଣୀରେ ଗୋଳମାଳ ଗଲା ବୁଧବାର ଦିନ ଇଂରେଜୀ ଦୈନିକ "ଦ ଇଣ୍ଡିଆନ ଏକ୍ସପ୍ରେସ"ରେ ଏକ ଖବର ପ୍ରଥମ ପୃଷ୍ଠାରେ ବିସ୍ତୃତ ଭାବେ ପ୍ରକାଶିତ ହୋଇ ସମଗ୍ର ଦେଶରେ ଏକ ବିସ୍ଫୋରକ ଚାଞ୍ଚଲ୍ୟ ସୃଷ୍ଟି କରିଛି, ଯହିଁରୁ ଜଣା ପଡ଼ିଛି ଯେ ଗଲା ଦଶ ମାସ ଭିତରେ ନିର୍ବାଚନ କମିସନ ଦ୍ବାରା ନିଆଯାଇଥିବା ଅନେକ ନିଷ୍ପତ୍ତି କେବଳ ମୁଖ୍ୟ ନିର୍ବାଚନ କମିସନରଙ୍କ "ଏକକ" ଲଘୁମତ ବଳରେ କାର୍ଯ୍ୟକାରୀ ହୋଇଥିଲା, ଏବଂ ଅନ୍ୟ ଦୁଇ ସଦସ୍ୟଙ୍କ "ଅସ୍ବୀକୃତି"ର "ବହୁମତ" ଦୟନୀୟ ଭାବେ ଅକାମି ହୋଇଯାଇଥିଲା।
ବର୍ତ୍ତମାନ, ପାଠକପାଠିକାମାନେ, ଅବଶ୍ୟ ଅବଗତ ହୋଇଯିବେଣି ଯେ ଭାରତୀୟ ସାଧାରଣତନ୍ତ୍ରର ଏକ ଅତ୍ୟନ୍ତ ମହତ୍ତ୍ବପୂର୍ଣ୍ଣ ସାଂବିଧାନିକ ଅନୁଷ୍ଠାନ ନିର୍ବାଚନ କମିସନ ଦ୍ବାରା କୌଣସି ନିଷ୍ପତ୍ତି ନିଆଗଲା ବେଳେ, ତାହାର ତିନି ଜଣ ଯାକ ସଦସ୍ୟ "ସହମତ" ହେବା ଆବଶ୍ୟକ ନତୁବା "ବହୁମତ" ଆଧାରରେ ତାହା ଗୃହୀତ ହୋଇପାରେ।
ଏଭଳି ନ ହେଲେ ଯେ କୌଣସି ନିଷ୍ପତ୍ତି ଆଇନତଃ ଅଚଳ ବୋଲି ପରିଗଣିତ ହେବ।
କହିବା ଅନାବଶ୍ୟକ ଯେ ଇଂରେଜୀ ଦୈନିକଟିରେ ଯେଉଁ "ଦଶ ମାସ" ବିଷୟର ଅବତାରଣା କରାଯାଇଛି, ତାହା ହେଉଛି ଦେଶବ୍ୟାପୀ ଚାଲିଥିବା "ଏସ.ଆଇ.ଆର." ପ୍ରକ୍ରିୟାର ଅବଧି, ଯାହା ପ୍ରାରମ୍ଭରୁ ହିଁ ତୀବ୍ର ଭାବେ ବିବାଦୀୟ ହୋଇ ରହିଛି ଏବଂ ଏହାକୁ ଘେନି ଅନେକ ମାମଲା ସର୍ବୋଚ୍ଚ ଅଦାଲତରେ ବିଚାରାଧୀନ ମଧ୍ୟ ରହିଛି।
ଏଭଳି ସ୍ଥଳେ କଥା ହେଲା, ଯଦି ପ୍ରକାଶିତ ସମ୍ବାଦଟି ସତ, ତେବେ ସଂପୂର୍ଣ୍ଣ "ଏସ.ଆଇ.ଆର." ପ୍ରକରଣ ଅନିଶ୍ଚିତତାର ବଳୟ ମଧ୍ୟକୁ ଚାଲି ଯାଇଛି; କେବଳ ସେତିକି ନୁହେଁ, ଯାହା ସମସ୍ତଙ୍କୁ ହତବାକ୍ କରିଛି, ତାହା ହେଲା ଗଣତନ୍ତ୍ରର ଆଧାର ଶିଳା ଭାବେ ପରିଚିତ ଏହି ମର୍ଯ୍ୟାଦାବନ୍ତ ସାଂବିଧାନିକ ଅନୁଷ୍ଠାନ ଦ୍ବାରା ନାଗରିକମାନଙ୍କ ନାକ ତଳୁ ଗଣତନ୍ତ୍ର ଅପହରଣର ପ୍ରଚ୍ଛନ୍ନ ଉଦ୍ୟମ।ପ୍ରକାଶିତ ଖବର ଅନୁଯାୟୀ ନିର୍ବାଚନ କମିସନର ଦୁଇ ସଦସ୍ୟଙ୍କ ମତକୁ ଗଲା ଦଶ ମାସ ଭିତରେ ମୁଖ୍ୟ ନିର୍ବାଚନ କମିସନର ଚଉଦ ଥର ଅଗ୍ରାହ୍ୟ କରିଛନ୍ତି; ଏପରିକି ଗୋଟିଏ ଦିନ ଚାରି ଥର ଏଭଳି ଘଟିଛି।
ତହିଁରେ ଉଲ୍ଲିଖିତ ଅଛି ଯେ ଭୋଟର ଭାବେ ପଞ୍ଜୀକୃତ ହେବା ସକାଶେ ଉଦ୍ଦିଷ୍ଟ ଫର୍ମ-୬ରେ ନୂଅା କରି ସଂଯୋଜିତ କରାଯାଇଥିବା ଏକ ବିନ୍ଦୁକୁ ଦୁଇ ସଦସ୍ୟ ବିରୋଧ କରିଥିଲେ ହେଁ ତାହା ଉପରୋକ୍ତ ଫର୍ମରେ ସ୍ଥାନ ପାଇଛି, ଯହିଁରେ ପଞ୍ଜୀକୃତ ହେବାକୁ ଆଶାୟୀ ଭୋଟରଙ୍କୁ ତାଙ୍କ ବାପା, ମା"ଙ୍କ ଭୋଟର ପରିଚୟ ପତ୍ରର ପ୍ରମାଣ ଦାଖଲ କରିବାକୁ କୁହାଯାଇଛି।
ସେମାନଙ୍କ ମତରେ ଏହି ସର୍ତ୍ତ ଘୋର ସମସ୍ୟାଜନକ।
ସେହିଭଳି ଯେଉଁ ଦ୍ବିତୀୟ ଗୁରୁତର ବିଷୟ ପ୍ରତି ସେମାନେ ଲିଖିତ ଭାବେ ଅଭିଯୋଗ କରିଥିବା କଥା କୁହାଯାଉଛି ତାହା ହେଲା "ଇସିଆଇନେଟ୍" ପୋର୍ଟାଲରେ ସ୍ବଚ୍ଛନ୍ଦରେ ପ୍ରବେଶ କରିବାର ଅଧିକାର ତୃଣମୂଳ ସ୍ତରରେ ଭୋଟର ତାଲିକା ଯାଞ୍ଚ କରୁଥିବା "ଇ.ଆର୍.ଓ."ଙ୍କୁ ମିଳି ନ ଥିଲା, ଯାହା ଫଳରେ ସେମାନେ ଅନେକ ଯୋଗ୍ୟ ଭୋଟରଙ୍କୁ ତାଲିକାଭୁକ୍ତ କରିବାକୁ ଚାହିଁଥିଲେ ମଧ୍ୟ କରି ପାରି ନ ଥିଲେ।
ବରଂ, ଏକ ସନ୍ଦିଗ୍ଧ ସଫ୍ଟୱେର ଦ୍ବାରା ପରିଚାଳିତ ପୋର୍ଟାଲରୁ, "ଇ.ଆର୍.ଓ."ମାନଙ୍କ ଅଗୋଚରରେ ଅସଂଖ୍ୟ ଭୋଟରଙ୍କ ନାମ କଟିଯାଉଥିଲା।
ଚଳିତ "ଏସ.ଆଇ.ଆର."ର କ୍ଷୌରରେ ୩୦ଟି ରାଜ୍ୟରେ ୧୩ କୋଟି ଭୋଟର ସେମାନଙ୍କ ମୌଳିକ ଗଣତାନ୍ତ୍ରିକ ଅଧିକାର ହରାଇଛନ୍ତି।
ତେବେ, ଏହି ସଂଦର୍ଭରେ "ଏସ.ଆଇ.ଆର."ରେ ହୋଇଥିବା ତ୍ରୁଟି ବିଚ୍ୟୁତି ନେଇ ସନ୍ଦେହ ଓ ବିବାଦ ଘନୀଭୂତ ହୋଇଥିବା ବେଳେ ଯାହା ଅଧିକ ଗର୍ହିତ, ତାହା ହେଲା ଆଇନକୁ ପଦାନତ କରି ଅଗଣତାନ୍ତ୍ରିକ ଉପାୟରେ କାର୍ଯ୍ୟ କରିବାର ଅଭିସନ୍ଧି ଓ ପ୍ରବଣତା, ଯେଉଁ କାରଣରୁ ନିର୍ବାଚନ କମିସନର ଗରିମା ଭୂଲୁଣ୍ଠିତ ହେବା ସହିତ ମୁଖ୍ୟ ନିର୍ବାଚନ କମିସନର ଦୋଷଦୁଷ୍ଟ ହୋଇ ପଡ଼ିଛନ୍ତି।
ତେବେ, ଏହି ଘଟଣାରେ ଯାହା ଆଶାର ରଜତ ଶୁଭ୍ର କିରଣ ଭଳି ଦିଶିଥାଏ, ତାହା ହେଲା "ଦ ଇଣ୍ଡିଆନ ଏକ୍ସପ୍ରେସ" ଭଳି ଏକ ସମ୍ବାଦପତ୍ର ଦ୍ବାରା ପ୍ରକାଶ୍ୟ ହେବା।
କାରଣ, "ଏସ.ଆଇ.ଆର." ଆରମ୍ଭ ହେବା ଦିନଠାରୁ ବିରୋଧୀ ଦଳଙ୍କ ପକ୍ଷରୁ ହେଉଥିବା ତୁହାକୁ ତୁହା ସପ୍ରମାଣ ଅଭିଯୋଗ ପରେ ଏକ ଧାରଣା ଜନ୍ମିବାରେ ଲାଗିଥିଲା ଯେ ନିର୍ବାଚନ କମିସନ ସତେ ଯେମିତି ସରକାରଙ୍କ ହାତର କ୍ରୀଡ଼ନକ ଭଳି କାର୍ଯ୍ୟ କରୁଛନ୍ତି!
ଏବଂ ଏଭଳି ସ୍ଥଳେ ମୁଖ୍ୟସ୍ରୋତୀୟ ଗଣମାଧ୍ୟମଗୁଡ଼ିକ ମଧ୍ୟରୁ ଅଧିକାଂଶ "କୋଳାଶ୍ରିତ" ହୋଇଯାଇଥିବାରୁ ନିର୍ବାଚନ କମିସନଙ୍କ କେତେକ ବିବାଦୀୟ କାର୍ଯ୍ୟକଳାପ ବା "ଏସ.ଆଇ.ଆର."ର ଗୁରୁତର ପ୍ରଭାବ ବିଷୟକୁ ନେଇ ପ୍ରାୟତଃ ଶୀତଳ ନିରବତା ଅବଲମ୍ବନ କରୁଥିଲେ ହେଁ "ଦ ଇଣ୍ଡିଆନ ଏକ୍ସପ୍ରେସ"ର ସାହସ ଭାରତୀୟ ଗଣତନ୍ତ୍ରର ମୂଲ୍ୟବୋଧକୁ ପ୍ରତିଷ୍ଠା କରିଥାଏ, ଯାହା ଭାରତୀୟଙ୍କ "ଡି.ଏନ.ଏ."ରେ ବିଦ୍ୟମାନ ବୋଲି ସର୍ବତ୍ର କୁହାଯାଇଥାଏ।
ସେମିତି, ନିର୍ବାଚନ କମିସନର ଦୁଇ ସଦସ୍ୟ ସେମାନଙ୍କ ବିରୋଧକୁ ସର୍ବ ସମକ୍ଷରେ ପ୍ରକଟ କରି ନ ଥିଲେ ହେଁ ସେ ସବୁକୁ ଲିପିବଦ୍ଧ କରି ରଖିବାରେ ଯେଉଁ ବିବେକର ଚିତ୍ର ପରିଦୃଷ୍ଟ ହୋଇଛି, ତାହାକୁ ମଧ୍ୟ ଆଶାର କିରଣ ଭାବେ ଅଭିହିତ କରାଯାଇପାରେ; କାରଣ ଏହାର ମୂଳରେ ନିଶ୍ଚିତ ଭାବେ ଥିବ ଗଣତନ୍ତ୍ର ପ୍ରତି ସମ୍ମାନବୋଧ, ଯହିଁରେ ଗଣତନ୍ତ୍ରର କଣ୍ଠରୋଧ ବରଦାସ୍ତଯୋଗ୍ୟ ହୋଇ ନ ଥିବ।
ଅବଶ୍ୟ, କେତେକ ପର୍ଯ୍ୟବେକ୍ଷକ କହିଥାଆନ୍ତି ଯେ ପ୍ରକାଶ୍ୟ ପ୍ରତିବାଦ ନ କରିବା ମଧ୍ୟ ଦୋଷାବହ।
କାରଣ କୌଣସି ସୂତ୍ରରୁ ଲିକ୍ ହୋଇ ନ ଥିଲେ ଏହି ଜଘନ୍ୟ ବିଚ୍ୟୁତି ଆଦୌ ଲୋକଲୋଚନକୁ ଆସ ନ ନଥାନ୍ତା।
ହୁଏତ, ଏହି ପ୍ରଚ୍ଛନ୍ନ ପ୍ରତିବାଦଗୁଡ଼ିକ ସରକାରୀ ଫାଇଲ ତଳେ ସତ୍ତା ହରାନ୍ତା।
ତେଣୁ, ଏଭଳି ପର୍ଯ୍ୟବେକ୍ଷକଙ୍କ ମତରେ ଉପରୋକ୍ତ ଦୁଇ ସଦସ୍ୟଙ୍କୁ ମଧ୍ୟ ପାପର ଭାଗିଦାର ହେବାକୁ ପଡ଼ିବ।
ସଂପ୍ରତି ସ୍ଥିତି ଯେଉଁ ମୋଡ଼ ନେଉଛି, ତହିଁରୁ ସ୍ପଷ୍ଟ ଯେ ବିବାଦର ଅବସାନ ଶୀଘ୍ର ହୋଇ ନ ପାରେ!
ଏଭଳି ସ୍ଥଳେ ସର୍ବାଧିକ ଜରୁରି ହେଉଛି ନିର୍ବାଚନ କମିସନ ପ୍ରତି ଜନସାଧାରଣଙ୍କ ଆସ୍ଥାକୁ ପୁନର୍ବାର ଫେରାଇ ଆଣିବା, ଯହିଁରେ ହୁଏତ ସର୍ବୋଚ୍ଚ ଅଦାଲତଙ୍କ ଭୂମିକା ନିର୍ଣ୍ଣାୟକ ହେବ।
Old friendship: ପୁରୁଣା ବନ୍ଧୁତାକୁ ପୁଣି ଯୋଡ଼ିବାର ୫ଟି ସୂତ୍ରବ ପ୍ରତିବାଦ କରି ନ ପାରି କେହି କେହି କାହିଁକି ଚୁପ୍ ରହନ୍ତି, ତାହା ଏକ ବିତର୍କିତ ପ୍ରଶ୍ନ!
ଏହା ପଛରେ ଥାଏ କି ପ୍ରତି-ଆକ୍ରମଣକୁ ସାମନା ନ ପାରିବାର ଆଶଙ୍କା ନା ପଦ ଓ ସୁବିଧା ଆଦି ହରାଇବାର ଭୟ ନା ମୁଖ ଲଜ୍ଜା?
୧୯୮୮ ମସିହାରେ, "ସାଟାନିକ ଭର୍ସେସ୍" ପ୍ରକାଶିତ ହୋଇ ଘୋର ବିବାଦୀୟ ହେବା ପରେ ଇରାନର ଶାସକ ଆୟୋତୋଲ୍ଲା ଖୋମିନିଙ୍କ ଦ୍ବାରା ସଲମାନ ରସଦିଙ୍କ ଉପରେ ମୃତ୍ୟୁ ଦଣ୍ଡର ଫତୱା ଜାରି କରାଯାଇଥିଲା।
ସୁତରାଂ, ପ୍ରାଣ ବଞ୍ଚାଇବା ଲାଗି ରସଦି ଅଭେଦ୍ୟ ଆତ୍ମଗୋପନକୁ ଅପସରିଗଲେ।
ସେହି ସମୟରେ ମୁଷ୍ଟିମେୟ ସମାଲୋଚକ "ସାହିତ୍ୟିକର ସାହସ" ପ୍ରସଙ୍ଗ ଉଠାଇ ରସଦିଙ୍କୁ ପ୍ରଶ୍ନ କରିଥିଲେ- "ଲେଖିଛ ଯଦି ସାମନା କର; ପରିଣାମକୁ ଡରି ଲୁଚିଛ କାହିଁକି?" ଅଜ୍ଞାତବାସରୁ ରସଦିଙ୍କ ଠାରୁ ଏହି ପ୍ରଶ୍ନର ଯେଉଁ ଧାଡ଼ିକିଆ ଉତ୍ତର ବାହାରକୁ ଆସିଥିଲା, ତାହା ଥିଲା "ସାହିତ୍ୟିକ ସୈନିକ ନୁହେଁ"; ଅର୍ଥାତ୍ ସୈନିକ ଭଳି ସାହିତ୍ୟିକ ସମ୍ମୁଖ ଯୁଦ୍ଧରେ ଅବତୀର୍ଣ୍ଣ ହୋଇପାରିବ ନାହିଁ।
କିନ୍ତୁ, ତା" ପରେ ପ୍ରକାଶିତ ତାଙ୍କ ପ୍ରଥମ ପୁସ୍ତକ "ହାରୁନ ଏଣ୍ଡ ଦ ସି ଅଫ୍ ଷ୍ଟୋରିଜ" ଦେଖାଇଲା ଯେ ରସଦିଙ୍କ ମଧ୍ୟ ସାହସ ଅଛି, କାରଣ ତହିଁରେ ସର୍ଜନଶୀଳ ମନୁଷ୍ୟର ମୁକ୍ତ ଅଭିବ୍ୟକ୍ତିକୁ କଣ୍ଠରୋଧ କରିବାର ଉଦ୍ୟମକୁ ପରିହାସ କରାଯାଇଥିଲା।
ଯାହା ସେ ସୈନିକ ଭଳି ପ୍ରକାଶ୍ୟରେ କରିପାରି ନ ଥିଲେ, ତାହା ସେ ବୋଧହୁଏ ତାଙ୍କ ଲେଖାରେ କଲେ!
ଲେଖାର କିମିଆଟି ସେଇଠି।
ଯାହା ଅନେକ ସମୟରେ ବିଭିନ୍ନ କାରଣରୁ ମୁହଁରେ କୁହା ଯାଇ ନ ପାରେ, ଲେଖାରେ ବ୍ୟକ୍ତ କରିଦିଆଯାଏ; ଡାଏରିରେ ବା ନୋଟବୁକରେ ବା ଫାଇଲରେ!
ଏମିତି ଅନେକ ଗୋପନ ଫାଇଲ ପରେ ଉନ୍ମୋଚିତ ହୋଇ ଅତୀତର କଙ୍କାଳଗୁଡ଼ିକୁ ଉଜାଗର କରିଛି।
ବୋଧହୁଏ, ଯେଉଁମାନେ ସୈନିକ ହୋଇ ପାରନ୍ତି ନାହିଁ, ସେମାନେ ଲଢ଼ିବା ଲାଗି ଏଭଳି ପଥ ବାଛି ନିଅନ୍ତି।
ନିର୍ବାଚନ କମିସନର ଦୁଇ ସଦସ୍ୟଙ୍କୁ ଆମେ ସେଭଳି ଆଲୋକରେ ଦେଖି ପାରିବା କି?"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।