Editorial: ସନାତନର ସ୍ବଗତୋକ୍ତି: ମଶା, ମୂଷାଙ୍କ ରାଜନୀତି
"ଦାଶ ବେନହୁର ରାଜନୀତି କହିଲେ ଦେଶନୀତି।
ଦେଶର ଭଲମନ୍ଦ ପାଇଁ ଯେତେସବୁ ବିଚାର, ଆଲୋଚନା, ଆନ୍ଦୋଳନ, ସବୁ ରାଜନୀତିର ଅଂଶ।
ସେ ବିଚାର ବା ଦେଶଭାବନା ସହ ନାଗରିକସମୂହ ଯେତେ ଯୋଡ଼ି ହେବେ ସେତେ ଗଣତନ୍ତ୍ର ସୁଦୃଢ଼ ହେବ।
ସେଇଥିପାଇଁ କହାଯାଏ, ଗଣତନ୍ତ୍ର ବ୍ୟବସ୍ଥାରେ ସମାଜର ସବୁଠାରୁ ତଳିଆ ବ୍ୟକ୍ତିଟିର ମଧ୍ୟ ମତ ବାଣ୍ଟିବାର ଅଧିକାର ଅଛି।
ଭାବିବା ଉଚିତ ନୁହେଁ ଯେ ନିର୍ବାଚନ ଲଢ଼ିବା, କ୍ଷମତା ହାସଲ କରିବା ବା କୌଣସି ଦଳରେ ସାମିଲ ହେବା ହିଁ କେବଳ ରାଜନୀତି।Advertisment Jalchand jewellers: ଲାଲ୍ଚନ୍ଦ୍ର ପାର୍ବଣ ଭେଟି: "ଆପଣଙ୍କ ଟଙ୍କାରେ ଅଧିକ ସୁନା" ଜଙ୍ଗଲ କହିଲେ ବାଘ, ଭାଲୁ, ହାତୀ ନୁହନ୍ତି କି ଗଛଲତା ନୁହନ୍ତି।
ଠେକୁଆ, ଗୋଧି, ସାପ, ମୂଷା, ଘାସ, ଗୁଳ୍ମ ଆଦି ସବୁକୁ ନେଇ ଜଙ୍ଗଲ।
ତାହାକୁ ଗଢ଼ିବାରେ ସମସ୍ତଙ୍କର ଭୂମିକା ଅଛି। ସନ୍ତୁଳନ ବିଗିଡ଼ିଗଲେ ଜଙ୍ଗଲ ଆଉ ଜଙ୍ଗଲ ହୋଇ ରହେନାହିଁ।
ଗଛ ହଟିଗଲେ ଚେର ଉଭେଇଯାଏ।
ଚେର ନ ରହିଲେ ତଳର ପାଣିକୁ କିଏ ଉପରକୁ ଟାଣିବ?
ଅତଏବ ଝରଣାର ଯେ କୁଳୁକୁଳୁ ନାଦ ତା"ର ଅସଲ ସ୍ରଷ୍ଟା ହେଉଛନ୍ତି ଗଛଲତା।ପଶୁ, ପକ୍ଷୀ, କୀଟ, ପତଙ୍ଗ, ବୃକ୍ଷଲତା ସଭିଏଁ ଅରଣ୍ୟର ମତଦାତା।
ସାପ, କେଙ୍କଟ, ମୂଷା, ବିରୁଡ଼ି, ମଶା ସମସ୍ତେ।
ମଣିଷ ସମାଜ କହିଲେ ସାରା ମଣିଷକୁଳ।
ରାଜୁଡ଼ା ଶାସନ କଥା ଅଲଗା।
ଗଣତନ୍ତ୍ରରେ କୌଣସି ଗୋଟିଏ ସମୂହକୁ ଅଣଦେଖା ବା ନିର୍ଯାତିତ କରିବା ଅର୍ଥ ସାମାଜିକ ସନ୍ତୁଳନକୁ ବିଗାଡ଼ିଦେବା।
ଜଙ୍ଗଲରେ ହାତୀଠାରୁ ଆରମ୍ଭ କରି ମଶା, ମୂଷା ରହିବା ଭଳି ମଣିଷ ସମାଜରେ ଧନୀ, ନିର୍ଧନ, ଶିଶୁ, ବୃଦ୍ଧ, ସାକ୍ଷର, ନିରକ୍ଷର, ଶିକ୍ଷିତ, ଅଶିକ୍ଷିତ, ବୁଦ୍ଧିଆ, ନିର୍ବୁଦ୍ଧିଆ ସମସ୍ତେ ରହିବେ।ରାଜନୀତିର ମୂଳକଥାଟି ଅଛି ପ୍ରଶ୍ନ ଏବଂ ଉତ୍ତରରେ।
ପ୍ରଶ୍ନ ନ ରହିଲେ ଗଣତନ୍ତ୍ର ରହିବ ନାହିଁ।
ପୁଣି ପ୍ରଶ୍ନର ଉତ୍ତର ନ ରହିଲେ ଗଣତନ୍ତ୍ର ଭୁଶୁଡ଼ି ଯିବାକୁ ବାଧ୍ୟ।
ଗୋଟିଏ ଦେଶର ଗଣତନ୍ତ୍ର ତା"ର ନ୍ୟାୟପୂର୍ଣ୍ଣ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଯୋଗୁଁ ବଞ୍ଚିରହେ।
ଏ ପ୍ରଶ୍ନୋତ୍ତର ମୁହଁର କଥା ନୁହେଁ, ମୂଳତଃ କାର୍ଯ୍ୟର।
ଯେଉଁଠି ପ୍ରଶ୍ନକୁ ବନ୍ଦ କରିବାର ମସୁଧା ହୁଏ ସେଠାରେ ସାମରିକତନ୍ତ୍ର, ସ୍ବେଚ୍ଛାତନ୍ତ୍ର, ଧନୀତନ୍ତ୍ର, ଗୋଷ୍ଠୀତନ୍ତ୍ର ଭଳି ଅବସ୍ଥା ଉପୁଜେ।ଏ କଥା କହିଲାବେଳେ ଗୋଟିଏ ଜଣାଶୁଣା ପିଲାଙ୍କ ଗୀତ ମନେପଡୁଛି। "ବିଚାର ବିଗିଡ଼ିଗଲା"। ""ଧାରା ଶିରାବଣ ମାସ ଶେଷ ରବିବାର / ନିଧିବୁଢ଼ା ବାଡ଼ିପଟେ ପଡ଼ିଛି ବିଚାର।"" ଲେଖକ- ଦିଗମ୍ବର ରଥ।
କ"ଣ ବିଷୟବସ୍ତୁ?
ନିଧିବୁଢ଼ାର ଭୁଲ୍ କଥାଗୁଡ଼ିକ ହିଁ ମଶା, ମାଛି, ମୂଷା ମିଳିତ ଭାବରେ ଆଲୋଚନା କରିଛନ୍ତି।
ବୁଢ଼ା ଧୂଅଁା ବା ପ୍ରତିଶେଧକର ବ୍ୟବସ୍ଥା କରେନି।
ମଶାରି ଟାଙ୍ଗେନା।
ଘର ଚାରିପଟୁ ପଚା, ସଢ଼ା, ଖାତ, ଖମା ସଫା କରେନା।
ଉଷୁମ ଉପଯୁକ୍ତ ଖାଦ୍ୟ ଖାଏନା କି ଖାଦ୍ୟରୁ ମାଛି ଘଉଡ଼ାଏନା।
ତେଣୁ ମଶା, ମାଛି, ମୂଷା ବିଚାର କରିଛନ୍ତି ବୁଢ଼ାର ଜୀବନ ନେବେ।ଏଠାରେ ବ୍ୟବସ୍ଥାର ନାମ ନିଧିବୁଢ଼ା।
ବ୍ୟବସ୍ଥା ଭିତରେ ଅବ୍ୟବସ୍ଥାର ଛବି ଫୁଟିଉଠିଛି ମଶା, ମୂଷାଙ୍କ ମାଧ୍ୟମରେ।
ଲେଖକ ଗୀତଟିକୁ ଲେଖିଲାବେଳେ ଅସରପାଙ୍କ କଥା ଭୁଲିଯାଇଛନ୍ତି ନିଶ୍ଚୟ।
ମଶା, ମାଛି, ମୂଷା ଗୀତଟିରେ ଯେଉଁ କଥାସବୁ ଉଠାଇଛନ୍ତି ସେ ସବୁ ପ୍ରଶ୍ନ।
ନିଧିବୁଢ଼ା ପ୍ରଶ୍ନଗୁଡ଼ିକୁ ଶୁଣିପାରି ସେଗୁଡ଼ିକର ଉତ୍ତର ରଖିଛନ୍ତି।
ଫଳରେ ସମାଧାନ ଅାସିଛି।
ବ୍ୟବସ୍ଥା ସୁରକ୍ଷିତ ହୋଇଛି।ତେଣୁ ବୁଝିନେବା ଆବଶ୍ୟକ ଯେ ବ୍ୟବସ୍ଥା ଦେହ ହେଉ କି ଘର, ଗାଅଁା ହେଉ କି ଦେଶ ତା"ର ସୁରକ୍ଷା ସକାଶେ ଉଭୟ ଭିତରେ ଓ ବାହାରେ ଉଠୁଥିବା ସମସ୍ତ ପ୍ରଶ୍ନର ଉତ୍ତର ରଖିବା ପ୍ରଶାସନର ଅସଲ କାମ।
ଅତ୍ୟଧିକ ଗ୍ରୀଷ୍ମ ହେଲେ ତଳର ପବନ ଉପରକୁ ଉଠିଯାଏ।
ପବନର ସେ ଶୂନ୍ୟସ୍ଥାନ ପୂରଣ ପାଇଁ ଚାରିଆଡୁ ଥଣ୍ଡା ପବନ ଧାଇଁଆସେ ଓ ଝଡ଼ତୋଫାନ ସୃଷ୍ଟିକରେ।
ତେଣୁ ଯେଉଁଠି ପ୍ରକୃତି ଏ ସନ୍ତୁଳନ ବିଗାଡ଼େ ନାହିଁ ସେଠାରେ ଝଡ଼ର ପ୍ରକୋପ କମ୍ ହୁଏ।
ସେମିତି ସମାଜରେ ବି ବିଭିନ୍ନ କାରଣରୁ ନାନା ଉତ୍ତେଜନା ପ୍ରକାଶ ପାଏ।
ଝଡ଼ ଉଠେ।
ଘରଦ୍ବାର ଭାଙ୍ଗେ।
ଅକଳନ କ୍ଷୟକ୍ଷତି ହୁଏ।
ସବୁ ମାଡ଼ ପଡ଼େ ସମୂହ ଉପରେ।
ତେଣୁ ଝଡ଼ ଉଠିବା ପୂର୍ବରୁ ତା"ର ପ୍ରଶମନ ଲାଗି ବାଟ କରିବା ବୁଦ୍ଧିମାନର କାମ।
ସେଇକଥା କରିଥିଲା ନିଧିପୁରର ନିଧିବୁଢ଼ା।ଯେଉଁଠି ଅନୁତ୍ତରିତ ପ୍ରଶ୍ନଗୁଡ଼ିକ ଜମି ରହି ପ୍ରଳୟ ସୃଷ୍ଟି କରେ ସେଠାରେ ସମାଧାନ ଖୋଜିଲାବେଳକୁ ଲେଡ଼ିଗୁଡ଼ କହୁଣିକୁ ବୋହିଯାଇଥାଏ।ଏ ସଂକ୍ରାନ୍ତରେ ଇଂରେଜୀ କବି ରବର୍ଟ ସାଭଦେଙ୍କ "ଗଡ୍ସ ଜଜ୍ମେଣ୍ଟ ଅନ୍ ଏ ଉଇକେଡ୍ ବିସପ୍" କବିତାଟି ମନେପଡୁଛି।
ଦଶମ ଶତାବ୍ଦୀର କଥା।
ଜର୍ମାନୀର ମେଞ୍ଜ୍ସ୍ଥିତ କାଥ୍ଲିକ୍ ଗୀର୍ଜାର ମୁଖ୍ୟ ଧର୍ମଯାଜକ ଥାଆନ୍ତି ବିସପ୍ ହାଟ୍ଟୋ-ଦ୍ବିତୀୟ।
ଗୀର୍ଜା ଅଧୀନରେ ସବୁ ଜମିବାଡ଼ି।
ପ୍ରଚୁର ଧାନ ଅମଳ ହୁଏ।
ହାଟ୍ଟୋ ମହାଶୟ ଇତିମଧ୍ୟରେ ପାଖରେ ବୋହିଯାଉଥିବା ନଦୀର ଏକ ଟାପୁରେ ତୋଳିଥାନ୍ତି ସେଣ୍ଟଜର୍ଜ ନାମକ ଏକ ବିଶାଳ ଚର୍ଚ୍ଚ।
ସେଇ ଭିତରେ ସୁଉଚ୍ଚ ଅମାର-ଧାନ ଭଣ୍ଡାରର ଅଭେଦ୍ୟ ଦୁର୍ଗ।
ଖ୍ରୀଷ୍ଟାବ୍ଦ ୯୭୪ରେ ଦୁର୍ଭିକ୍ଷ ପଡ଼ିଲା।
ଖାଦ୍ୟ ଅଭାବରୁ ଲୋକେ ପୋକମାଛି ପରି ମଲେ।
ବିସପ୍ ଆପଣେ ଚୁପ୍ଚାପ୍ ବସି ରହିଲେ।
ଆଗରୁ ଅବିଚାରିତ ବେଠି ଖଟାଇ, କର ଆଦାୟ କରି ସେ ଲୋକଙ୍କୁ ଲହୁଲୁହାଣ କରିଦେଇଥାନ୍ତି।
ଏବେ ଗୋଟେ ଉପାୟ ପାଞ୍ଚି ଲୋକଙ୍କୁ ଖାଇବାକୁ ଦେବେ ବୋଲି ଗୋଟେ ଅମାର ଭିତରେ ପୂରାଇ ସବୁଆଡ଼ ବନ୍ଦ କରିଦେଲେ।
ଭୃତ୍ୟଙ୍କୁ କହିଲେ ନିଅଁା ଲଗେଇଦିଅ।
ନାରୀ, ପୁରୁଷ, ପିଲା, ବୁଢ଼ା ସମସ୍ତେ ଜଳିପୋଡ଼ି ମଲେ।
ନିଅଁା ଜଳୁଥିବା ବେଳେ ଟାପରା କରି କହିଲେ, ଦେଖ ଶସ୍ୟଖିଆ ମୂଷାଗୁଡ଼ାକ କେମିତି ଜଳିପୋଡ଼ି ମରୁଛନ୍ତି।କାହାଣୀ ଏତିକିରେ ସରିନାହିଁ।
କ୍ରୂର ବିସପ୍ ହାଟ୍ଟୋ ନିଜ ଦୁର୍ଗ ଭିତରେ ସୁରକ୍ଷିତ ଥାଆନ୍ତି।
ହଠାତ୍ କାହୁଁ ଲକ୍ଷ ଲକ୍ଷ ସଂଖ୍ୟାରେ ମାଡ଼ିଆସିଲେ ଅସଂଖ୍ୟ ମୂଷା।
ସବୁ ଖାଇଗଲେ।
ଅମାର, ମଣିଷ, ଧାନ, ଘର, ଦ୍ବାର ଏବଂ ଖୋଦ୍ ବିସପ୍ଙ୍କୁ।ବିସପ୍ ହାଟ୍ଟୋ ନିଜେ ଏକ ବ୍ୟବସ୍ଥା।
ଏଠି ତାଙ୍କର ବଡ଼ ଭୁଲ୍ ହେଲା ଯେ ସେ ପ୍ରଶ୍ନର ଠିକ୍ ଉତ୍ତର ରଖି ନ ଥିଲେ।
ଶାସନ କହିଲେ ପ୍ରଶ୍ନୋତ୍ତର।
ଯିଏ ପ୍ରଶ୍ନ ହିଁ ବୁଝିପାରେନା କି ତା"ର ପ୍ରତିକାରର ବାଟ ଜାଣେନା ସେ ଶାସକ ହେବ କେମିତି?
ପ୍ରଶ୍ନର ଯଥାଯଥ ଉତ୍ତର ଏବଂ ତା"ର ଚତୁର ସମାଧାନ କାଳେକାଳେ ପ୍ରଶାସନିକ ସଫଳତାର ଚାବିକାଠି ଭାବରେ ପ୍ରମାଣିତ ହୋଇଛି।ଆଗରୁ ସ୍କୁଲମାନଙ୍କରେ ଇଂରେଜୀ ସାହିତ୍ୟପାଠ ପାଇଁ ଗୋଟିଏ କବିତା ଚଳୁଥିଲା- "ଦ ପାଏଡ୍ ପାଇପର୍ ଅଫ୍ ହାମେଲିନ୍"।
ଲେଖକ ହେଉଛନ୍ତି ରବର୍ଟ ବ୍ରାଉନିଂ।
୧୮୪୨ର ଏ କବିତାଟି ପୁଣି ସେଇ ମୂଷାମାନଙ୍କୁ ନେଇ।
ଜର୍ମାନୀର ଲୋକକଥା ଉପରେ ଆଧାରିତ ଗୋଟିଏ ସହରରେ ଏକଦା ମୂଷାମାନେ ପ୍ରବଳ ହୋଇଛନ୍ତି।
କେଡ଼େ ସୁନ୍ଦର ଲେଖିଛନ୍ତି କବି- ""ମୂଷାଦଳ।
କୁକୁରଙ୍କ ସହ ଲଢ଼ିଲେ, ବିଲେଇଙ୍କୁ ଖାଇଲେ, ଝୁଲଣାରେ ଝୁଲୁଥିବା ଶିଶୁଙ୍କୁ ସୁଦ୍ଧା ଝୁଣିପକେଇଲେ।
ଘରେ ପଶି ଦହି, କ୍ଷୀର, ଛେନା ଖାଇଗଲେ, ରୋଷେଇଘରେ ଥିବା କଢ଼େଇ, ଡଙ୍କିରୁ ମଧ୍ୟ ସବୁ ଅଣ, ତିଅଣ ଚାଟିଦେଲେ।""କ"ଣ ଥିଲା ବାଟ?
କେମିତି ପାରିହେବ ଏ ମୂଷା ପଲକୁ? "ବିସପ୍ ହାଟ୍ଟୋ" ବିଷୟକ କବିତାରେ ସମାଧାନ ଥିଲେ ମୂଷାଦଳ ମାତ୍ର ଏଠାରେ ମୂଷାମାନେ ତ ନିଜେ ସମସ୍ୟା!
କ"ଣ କରାଯିବ?
Horoscope 2026 September 04: ଜାଣନ୍ତୁ ଆଜିର ରାଶିଫଳ...
ଶେଷକୁ ନଗରପାଳ ନିମନ୍ତ୍ରଣ କରି ଆଣିଲେ ଜଣେ ବେଣୁବାଦକଙ୍କୁ।
ବହୁବର୍ଣ୍ଣା ପୋଷାକ ପିନ୍ଧିଥିବା ରଙ୍ଗିଲା ବେଣୁବାଦକ, "ପାଏଡ୍ ପାଇପର୍"।
ପ୍ରଚୁର ସ୍ବର୍ଣ୍ଣମୁଦ୍ରା ମିନିମୟରେ ସେ ସହରକୁ ମୂଷାମୁକ୍ତ କରିବାର ପ୍ରତିଶ୍ରୁତି ଦେଲେ।
ସେଇଆ ହେଲା।
ବେଣୁବାଦକ ନିଜର ବାଦ୍ୟନଳୀଟିକୁ ଫୁଙ୍କି ଫୁଙ୍କି ସମୁଦ୍ରରେ ପଶିଲେ।
ତାଙ୍କ ପଛେ ପଛେ ମୂଷା।
କଳା, ଧଳା, ପାଉଁଶିଆ ସମସ୍ତେ।
ଅଜସ୍ର।
ଅବିଶ୍ବାସ୍ୟ।
ମୂଷା ସମସ୍ୟା ହଟିଲା ମାତ୍ର ନଗରପାଳ ଦେଇଥିବା କଥା ରଖିଲେ ନାହିଁ।ଫଳରେ ବେଣୁବାଦକ ପ୍ରତିଶୋଧ ନେଇଛନ୍ତି।
ବେଣୁ ବଜାଇ ଆକର୍ଷିତ କରିନେଇଛନ୍ତି ସହରର ଶିଶୁ-କିଶୋର ସମସ୍ତଙ୍କୁ।
ଅପ୍ରତିରୋଧ୍ୟ ସେ ଆକର୍ଷଣ।
ଗୋଟିଏ ଗୁମ୍ଫାରେ ସମସ୍ତେ ପଶିଛନ୍ତି।
ତା"ପରେ ସବୁ ଅଦୃଶ୍ୟ।
ସର୍ବନାଶ।ତ୍ରୟୋଦଶ ଶତାବ୍ଦୀର ଏଇ ଲୋକକାହାଣୀଟିର ଅନୁଶୀଳନ ନାନା ଭାବରେ କରାଯାଇଛି।
ମୂଷାମାନେ ପ୍ଲେଗ୍ ରୋଗର ବାହକ।
ତେଣେ ପିଲାମାନେ ଆଗାମୀର ଭବିଷ୍ୟତ।
ରଙ୍ଗିଲା ପୋଷାକପିନ୍ଧା ବେଣୁବାଦକଙ୍କ ଭୂମିକାକୁ ନେଇ ନାନା ରାଜନୈତିକ, ସାମାଜିକ, ଧାର୍ମିକ ବିଶ୍ଳେଷଣ କରିଛନ୍ତି ବ୍ୟାଖ୍ୟାକାରୀମାନେ।
ମାତ୍ର ସତକଥାଟି ହେଲା କୌଣସି ପ୍ରଶ୍ନର ଉତ୍ତର ଯେ ସୁଚିନ୍ତିତ ଭାବରେ ଦିଆଯିବା ଆବଶ୍ୟକ ତାହା ହିଁ ଅସଲ ରାଜନୀତି।ଭାରତବର୍ଷର ଜଣେ ଅଦ୍ବିତୀୟ ରାଜନେତା ଆମ ଓଡ଼ିଶାର ମାନନୀୟ ରବି ରାୟଙ୍କ ଆତ୍ମଜୀବନୀ "ଅନ୍ବେଷାର ଆକାଶ" କହେ, ""ବ୍ରିଟିଶ ସରକାର କହୁଥିଲେ ଯେ ୧୯୪୨ରେ ହୋଇଥିବା "ଭାରତଛାଡ଼ ଆନ୍ଦୋଳନ" ଏକ "ଛାତ୍ର ଆନ୍ଦୋଳନ"।
ସେତେବେଳେ ସିନ୍ଧ୍ ପ୍ରଦେଶର ଜଣେ ଛାତ୍ର "ହେମୁ କଲ୍ୟାଣୀ" ସହିଦ ହୋଇଥାନ୍ତି।
ଓଡ଼ିଶା ଜାତୀୟ କଂଗ୍ରେସ ନେତାମାନେ ଜେଲ୍ରେ ଥିଲେ।
ସେମାନେ ୧୯୪୫ରେ ଜେଲ୍ରୁ ଖଲାସ ହୁଅନ୍ତେ ଏଠି ଛାତ୍ର ଆନ୍ଦୋଳନ ଆରମ୍ଭ ହୋଇଗଲା।"" ଭାରତଛାଡ଼ ଆନ୍ଦୋଳନରେ ଏ ଚିତ୍ର ତାତ୍ପର୍ଯ୍ୟପୂର୍ଣ୍ଣ।
ଛାତ୍ରମାନେ ଆଗରେ।ଗୋଟିଏ ଦେଶର ପରିଚାଳନା ବ୍ୟବସ୍ଥାରେ ଯୁବଗୋଷ୍ଠୀ ମତଦାତା ହେବା ପୂର୍ବରୁ ସୁଦ୍ଧା ଗଣମତ ସୃଷ୍ଟି କରିବାରେ ଭୂମିକା ନିର୍ବାହ କରନ୍ତି।
ସେମାନଙ୍କୁ ନୂଅା ନଁା ଦେଇ ଆଲ୍ଫା, ଗାମା, ଜେଡ୍ କହିଦେଲେ ତାହା ଅସଲ କଥାଟିକୁ ବୁଝାଏ ନାହିଁ।
ସେମାନେ ସମୂହର ଅଂଶ।
ମଶା, ମୂଷା, ଅସରପା, ବିରୁଡ଼ିଙ୍କ କ୍ଷମତା ଆକଳନ କରିବା ସହଜ ନୁହେଁ।
ସମାଧାନ ତ ଅଛି ମାତ୍ର "ପାଏଡ୍ ପାଇପର୍"କୁ ଡାକି ଉତ୍ତର ଖୋଜିଲା ଭଳି ଉତ୍ତରର ପ୍ରକୃତ ପ୍ରତିଶ୍ରୁତି ପାଳନ କରିବା ଆବଶ୍ୟକ।
ନିଧିବୁଢ଼ା ହୋଇ ଅକଥାଗୁଡ଼ିକୁ ହଟେଇବା ଦରକାର।
ବିସପ୍ ହାଟ୍ଟୋ ସାଜିଲେ ପରିଣତି ଯେ ଭୟଙ୍କର ହୁଏ ତା"ର ଉଦାହରଣ ଅନେକ।ମଶା, ମୂଷା, ଅସରପା ସବୁ ଆମ ବ୍ୟବସ୍ଥାରେ ଅଛନ୍ତି।
ସେମାନଙ୍କୁ ନେଇ ସମସ୍ୟା ଅଛି।ତା"ର ସମାଧାନ ବି ଅଛି।
ଖୋଜି ପାଇଲେ ହେଲା।(ମତାମତ ଲେଖକଙ୍କ ନିଜସ୍ବ)dashbenhur.53@gmail.com"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।