Editorial: ସଶକ୍ତୀକରଣର ସ୍ବରୂପ
"ଲକ୍ଷ୍ମୀଧର ମିଶ୍ର ୧୯୪୦ ସାଲର କଥା।
ଓଡ଼ିଶାର ଲବ୍ଧପ୍ରତିଷ୍ଠ ଔପନ୍ୟାସିକ ତଥା ଜ୍ଞାନପୀଠ ପୁରସ୍କାର ବିଜେତା ଗୋପୀନାଥ ମହାନ୍ତି ତାଙ୍କ ଆତ୍ମଜୀବନୀରେ ତାଲୁକ ମାଜିଷ୍ଟ୍ରେଟ ଭାବେ କୋରାପୁଟର (୧୯୪୦-୪୪) ଅନୁଭୂତି କଥା ଲେଖିଛନ୍ତି।
ଏହି ସମୟରେ ଗୋଟିଏ ମାମଲା ବିଚାର ପାଇଁ ତାଙ୍କ ପାଖକୁ ଆସିଲା।
କଥାଟି ଥିଲା ଏହିଭଳି: ପୁଲିସ ବିଭାଗର ଜଣେ କନିଷ୍ଠ ଅଧିକାରୀ ଗୋଟିଏ ବସ୍ତା ପିଆଜ ତାଙ୍କ ଘର ପାଇଁ ନେଲାବେଳେ ବସ୍ଷ୍ଟାଣ୍ଡରୁ ଘର ପର୍ଯ୍ୟନ୍ତ ବୋହି ନେବା ପାଇଁ ସେ ଜଣେ ଆଦିବାସୀ ଲୋକକୁ ଲଗାଇଲେ।
ଲୋକଟି କାମ ସାରି ଫେରିବା ବେଳେ ରାସ୍ତାରୁ ଖସି ତଳେ ପଡ଼ିଥିବା କିଛି ପିଆଜ ଦେଖି ଗୋଟେଇ ନେଇ ସେ ଚାଲିଯିବାକୁ ଉଦ୍ୟତ ହେଲା ବେଳକୁ ତାହା ଦେଖିପାରି ପୁଲିସ ଅଧିକାରୀ ଜଣକ ତାକୁ ଗିରଫ କଲେ ଓ ହାତକଡ଼ା ପିନ୍ଧାଇ ପୁଲିସ ହାଜତକୁ ପଠାଇ ଦେଲେ।
ଅଭିଯୁକ୍ତଙ୍କ ନାଁରେ ଭାରତୀୟ ପିଙ୍ଗଳ କୋଡ୍ର ୩୭୯ ଧାରା ଅନୁଯାୟୀ ଚୋରି ମକଦ୍ଦମା ଦାଏର କରାଗଲା ଓ ତାଙ୍କୁ ତାଲୁକ ମାଜିଷ୍ଟ୍ରେଟଙ୍କ ଅଦାଲତରେ ପେସ କରାଗଲା।
ଅଭିଯୁକ୍ତ ମାଜିଷ୍ଟ୍ରେଟଙ୍କ ସାମ୍ନାରେ ଶପଥ ନେଇ କହିଲେ ଯେ ସେ ନିର୍ଦ୍ଦୋଷ।
ଏଣେ ଆରୋପକାରୀ ଶପଥ ନେଇ ତାଙ୍କ ବୟାନରେ କହିଲେ ଯେ ଅଭିଯୁକ୍ତ ମିଥ୍ୟା କହୁଛନ୍ତି।
ତେବେ, ସାକ୍ଷୀମାନଙ୍କୁ ଜେରା କଲା ପରେ ମାଜିଷ୍ଟ୍ରେଟ ଅଭିଯୁକ୍ତଙ୍କୁ ମୁକ୍ତ କରିବା ସହ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ଯେ ଅଭିଯୁକ୍ତ ଜଣେ ଗରିବ ଭୂମିହୀନ ଆଦିବାସୀ।
ତାଙ୍କ କାର୍ଯ୍ୟରେ କୌଣସି ଦୁରଭିସନ୍ଧି ବା ଅପରାଧସୂଚକ ଉଦ୍ଦେଶ୍ୟ ନଥିଲା।
ଅତି ମାମୁଲି ଧରଣର ଦୋଷ ଲାଗି ଭାରତୀୟ ପିଙ୍ଗଲ କୋଡ୍ର ଧାରା ୩୭୯ ଅନୁସାରେ ମାମଲା କରିବା ଏକ ଅବିବେକୀ କାମ।
ଜଣେ ସରଳ ଆଦିବାସୀଙ୍କ ବିରୋଧରେ ଏଭଳି ଏକ ତୁଚ୍ଛ ମାମଲା ଦାଏର କରି ଅଧିକାରୀ ଜଣକ ନିଜର ପଦମର୍ଯ୍ୟାଦାର ଅବମାନନା କରିଛନ୍ତି।
ତାହା ଥିଲା ବ୍ରିଟିସ ଶାସନ କାଳ।
ସେ ସମୟର ଦାରିଦ୍ର୍ୟ ଏତେ ଉତ୍କଟ ଥିଲା ଯେ ଛିଣ୍ଡା ଅଖାରୁ ପଡ଼ିଯାଇଥିବା ପିଆଜ ଗୋଟାଇବାକୁ ଜଣେ ବ୍ୟକ୍ତି ବାଧ୍ୟ ହୋଇଥିଲେ।
ଏଇଠି ଆସେ ସଶକ୍ତୀକରଣର ସଂଦର୍ଭ।
ଏହି ଲେଖକ ରାଷ୍ଟ୍ରୀୟ ସାକ୍ଷରତା ମିସନର ମହାନିର୍ଦ୍ଦେଶକ ଓ କେନ୍ଦ୍ର ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟରେ ସଂଯୁକ୍ତ ସଚିବ ଭାବେ, ସ୍ବାଧୀନତା ଲାଭର ଚାରି ଦଶନ୍ଧି ପରେ ଅର୍ଥାତ୍ ୧୯୮୮ରୁ ୧୯୯୩ ମସିହା ମଧ୍ୟରେ ରାଷ୍ଟ୍ରର ପ୍ରମୁଖ ରାଜ୍ୟମାନ ଗସ୍ତ କରିବା ସମୟରେ ଅଗଣିତ ନିରକ୍ଷର ବ୍ୟକ୍ତିଙ୍କ ସହ କଥା ହୋଇଥିଲେ, ଯେଉଁମାନଙ୍କ ନିରକ୍ଷରତା ପାଇଁ ସେମାନେ ଦାୟୀ ନୁହନ୍ତି।
ସେମାନଙ୍କ ଭିତରୁ ଅନେକ ସ୍କୁଲ ଯାଇ, ପାଠ ପଢ଼ି ବ୍ୟକ୍ତିଗତ ଜୀବନରେ ଉତ୍ତରୋତ୍ତର ଉନ୍ନତି କରିବା ପାଇଁ ଇଚ୍ଛୁକ ଥିଲେ ମଧ୍ୟ ଦାରିଦ୍ର୍ୟ ଯୋଗୁଁ ତହିଁରୁ ବଞ୍ଚିତ ହୋଇଥିଲେ।
ଏହି ଅନୁଭୂତିରୁ ସଂକଳ୍ପ ନିଆଯାଇଥିଲା ଯେ ଶିକ୍ଷା ଲାଭ ଲାଗି ଆଗ୍ରହୀ କୌଣସି ବ୍ୟକ୍ତି ଯେମିତି ଦାରିଦ୍ର୍ୟ ସକାଶେ ସେଥିରୁ ବଞ୍ଚିତ ନ ହୁଅନ୍ତି।
ଏଭଳି ସଂକଳ୍ପ ହେଉଛି "ସଶକ୍ତୀକରଣ"ର ଭିତ୍ତିଭୂମି।
Advertisment ଆମ ସମାଜରେ ଯେଉଁ ବର୍ଗକୁ ସଶକ୍ତୀକରଣର ସର୍ବାଧିକ ଆବଶ୍ୟକତା ରହିଛି, ସେମାନେ ହେଉଛନ୍ତି ମହିଳା।
ଏମାନେ ଏକ ବିଶେଷ ବଞ୍ଚିତ ବର୍ଗ, ଯଦିଓ ଏମାନଙ୍କ ସଂଖ୍ୟା ଜନସଂଖ୍ୟାର ଅର୍ଧେକ।
ମହିଳାମାନଙ୍କ ଦୁର୍ଭାଗ୍ୟ ହେଲା ଯେ ଦେଶ ଓ ସମାଜର ଉନ୍ନତିରେ ସେମାନଙ୍କ ଅବଦାନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ସୁଦ୍ଧା ତାହାକୁ ରୁଢ଼ିବାଦୀ ଓ ପୁରୁଷତାନ୍ତ୍ରିକ ସମାଜ ହେୟ ଦୃଷ୍ଟିରେ ଦେଖିଥାଏ।
ଯେଉଁ ମହିଳାମାନେ ଆଜି ଶୀର୍ଷ ସ୍ଥାନରେ ଉପନୀତ, ସେମାନେ ସମସ୍ତେ ପ୍ରାୟତଃ ବିଭିନ୍ନ ପ୍ରତିକୂଳତାର ସମ୍ମୁଖୀନ ହୋଇଥାଆନ୍ତି।
ତେଣୁ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ସୁଯୋଗ ଓ ପ୍ରତ୍ୟୟ ଯୋଗାଇବା ହେଉଛି ସେମାନଙ୍କ ସଶକ୍ତୀକରଣର ମାର୍ଗ।
ସଶକ୍ତୀକରଣ ସବୁ କ୍ଷେତ୍ରରେ ସମସ୍ତଙ୍କ ଲାଗି ପ୍ରାସଙ୍ଗିକ।
ଭୂମିହୀନଙ୍କୁ ଭୂମି, ଗୃହହୀନଙ୍କୁ ବାସଗୃହ, ନିରକ୍ଷରଙ୍କୁ ସାକ୍ଷର କରିବା, ଚାଷୀଙ୍କ ଲାଗି ସାର ଓ ବିହନ ଆଦି ଉପଲବ୍ଧ କରାଇବାଠାରୁ ନେଇ ଦୁଃଖୀକୁ ସାନ୍ତ୍ବନା ପ୍ରଦାନ, ପୀଡ଼ିତର ପୀଡ଼ା ମୋଚନର ଉଦ୍ୟମ ଆଦି ପର୍ଯ୍ୟନ୍ତ ସବୁ କିଛିରେ ସଶକ୍ତୀକରଣର ଉଦ୍ଦେଶ୍ୟ ନିହିତ ଥାଏ।
ଏଥିରେ ସରକାରଙ୍କର ତ ଭୂମିକା ନିଶ୍ଚିତ ଭାବେ ଥାଏ, କିନ୍ତୁ ବୈୟକ୍ତିକ ସ୍ତରରେ ମଧ୍ୟ ଅନେକ ବ୍ୟକ୍ତି ଦାୟିତ୍ବ ନିର୍ବାହ କରିଥାଆନ୍ତି।
କୌଣସି ଜଣେ ଗ୍ରାମୀଣ ବାଳକ ବା ବାଳିକାଙ୍କୁ ଆବିଷ୍କାର କରି ଉଚ୍ଚକୋଟୀର ଖେଳାଳିରେ ପରିଣତ କରିବା ବା କୌଣସି ପିଲାର ପ୍ରତିଭାକୁ ଚିହ୍ନି ତାଲିମ ଦେଇ ତାକୁ ଗାୟକ ବା ଗାୟିକାରେ ପରିଣତ କରିବାରେ ବ୍ୟକ୍ତିବିଶେଷଙ୍କ ଭୂମିକା ବିଷୟରେ ଆମେମାନେ ଶୁଣିଥାଉଁ।
ଏମାନେ ସମସ୍ତେ ସଶକ୍ତୀକରଣର ସୂତ୍ରଧର।
ଏହି ଭଳି ଲୋକେ ବୁଝନ୍ତି ଯେ ନାକରିକମାନେ ସଶକ୍ତ ହେଲେ ରାଷ୍ଟ୍ର ମଧ୍ୟ ଶକ୍ତିଶାଳୀ ଓ ସ୍ବାବଲମ୍ବୀ ହେବ।ସଶକ୍ତୀକରଣର ପ୍ରାରମ୍ଭ ପ୍ରଥମେ ପରିବାରରେ ହେବା ଉଚିତ।
ଏହି କ୍ରମରେ ଶିଶୁମାନଙ୍କର ସଶକ୍ତୀକରଣ ହେଉଛି ପରିବାରର ଗୁରୁଜନମାନଙ୍କ ପ୍ରଥମ ଦାୟିତ୍ବ।
ଏହାର ମୂଳାଧାର ହେଉଛି ସ୍ନେହ, ପ୍ରେମ ଓ ଆଦର-ଯତ୍ନ।
ପିଲାମାନେ କୌତୂହଳପ୍ରବଣ, ଅନୁସନ୍ଧିତ୍ସୁ।
ସେମାନଙ୍କ ପ୍ରଶ୍ନକୁ ଧୈର୍ଯ୍ୟର ସହିତ ଶୁଣି ଉତ୍ତର ଦେବା ହେଉଛି ଗୁରୁଜନମାନଙ୍କ ପ୍ରଥମ କର୍ତ୍ତବ୍ୟ।
ଏଥିରୁ ଶିଶୁର ନୂଆ ଜ୍ଞାନ ବଢ଼େ, ଶିଶୁମାନେ ଜିଜ୍ଞାସୁ ହୋଇ ଉଠନ୍ତି।
ଅନେକ ପିତାମାତା ବିରକ୍ତ ହୋଇ କୁତୂହଳୀ ଶିଶୁମାନଙ୍କୁ ଚୁପ୍ କରାଇ ଦିଅନ୍ତି!
କିଛି ବାପାମା" ଭାବନ୍ତି ଯେ ଭଲ ପୋଷାକ ବା ଖାଦ୍ୟ ବା ପିଲା ଚାହୁଁଥିବା ଖେଳଣା ଆଦି ଧରାଇ ଦେବା ହେଉଛି ଉତ୍ତମ ଲାଳନପାଳନର ସଂକେତ।
କିନ୍ତୁ ବିଜ୍ଞ ପିତାମାତାମାନେ ବୁଝନ୍ତି ଯେ ଶିଶୁକୁ ସଶକ୍ତ କରିବାକୁ ହେଲେ ତାଙ୍କ ଅନୁସନ୍ଧିତ୍ସାକୁ ବଳବତ୍ତର କରି ରଖିବାକୁ ହୁଏ, ନୂଆ ନୂଆ ଉଦ୍ଭାବନ ଲାଗି ଶିଶୁକୁ ପ୍ରୋତ୍ସାହିତ କରିବାକୁ ହୁଏ।
ଏଭଳି ବାପାମା"ମାନେ ପରିବାରରେ ଶିଶୁ ସଶକ୍ତୀକରଣର ମୂଳଦୁଆ ପକାନ୍ତି।
ତା" ପରେ ଶିଶୁମାନେ ବିଦ୍ୟାଳୟକୁ ଗଲେ ଶିକ୍ଷକମାନଙ୍କ ଭୂମିକା ଆରମ୍ଭ ହୁଏ।
ସ୍କୁଲରେ ଶିକ୍ଷକମାନଙ୍କର କାର୍ଯ୍ୟ ନିର୍ଦ୍ଦିଷ୍ଟ ନିର୍ଘଣ୍ଟ ଆଧାରିତ।
କିନ୍ତୁ ଉତ୍କୃଷ୍ଟ ଶିକ୍ଷକମାନେ ସେହି ନିର୍ଘଣ୍ଟକୁ ମହତ୍ତ୍ବ ନ ଦେଇ ଛାତ୍ର ବା ଛାତ୍ରୀଙ୍କୁ ଉତ୍ତମ ଓ ଦାୟିତ୍ବବାନ୍ ନାଗରିକ ଭାବେ ଗଢ଼ିବାକୁ ଚାହିଁ ଥାଆନ୍ତି।
ଏହା ଦ୍ବାରା ବଢୁଥିବା ପିଲା ମନରେ କଳ୍ପନାର ଉଡ଼ାଣ ସକାଶେ ସେମାନେ ଇନ୍ଧନ ଭରି ଦିଅନ୍ତି।
ଏହା ଫଳରେ ଶିଶୁର କ୍ରମ ଉତ୍ତରଣର ଯାତ୍ରା ଅବ୍ୟାହତ ରହେ।
ଅନେକ ଶିକ୍ଷକ କିନ୍ତୁ ଭାବନ୍ତି ଯେ କଠୋର ଦଣ୍ଡ ଦେଇ ପିଲାଙ୍କୁ ଶାସନ କରିବା ହେଉଛି ଶିକ୍ଷକର କର୍ତ୍ତବ୍ୟ।
ପ୍ରଥମ କଥା ତ ଶିକ୍ଷାୟତନରେ ହିଂସାର କୌଣସି ସ୍ଥାନ ନ ଥାଏ।
ଦ୍ବିତୀୟ କଥା ହେଲା ଏହି କାରଣରୁ ଅନେକ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡ଼ନ୍ତି, ପିଲାମାନଙ୍କ ମନରେ ଶିକ୍ଷା ପ୍ରତି ଆଗ୍ରହ ମରିଯାଏ, କେହି କେହି ଭୟାଳୁ ଓ ଆତ୍ମବିଶ୍ବାସହୀନ ହୋଇ ବଢ଼ନ୍ତି।
ତେଣୁ ବିଦ୍ୟାଳୟ ସ୍ତରରେ ସଶକ୍ତୀକରଣର ଭୂମିକା ପ୍ରତି ଶିକ୍ଷକମାନେ ସଚେତନ ହେବା ଜରୁରି।
ଆମ ସମାଜରେ ଯେଉଁ ବର୍ଗକୁ ସଶକ୍ତୀକରଣର ସର୍ବାଧିକ ଆବଶ୍ୟକତା ରହିଛି, ସେମାନେ ହେଉଛନ୍ତି ମହିଳା।
ଏମାନେ ଏକ ବିଶେଷ ବଞ୍ଚିତ ବର୍ଗ, ଯଦିଓ ଏମାନଙ୍କ ସଂଖ୍ୟା ଜନସଂଖ୍ୟାର ଅର୍ଧେକ।
ମହିଳାମାନଙ୍କ ଦୁର୍ଭାଗ୍ୟ ହେଲା ଯେ ଦେଶ ଓ ସମାଜର ଉନ୍ନତିରେ ସେମାନଙ୍କ ଅବଦାନ ସର୍ବାଧିକ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ସୁଦ୍ଧା ତାହାକୁ ରୁଢ଼ିବାଦୀ ଓ ପୁରୁଷତାନ୍ତ୍ରିକ ସମାଜ ହେୟ ଦୃଷ୍ଟିରେ ଦେଖିଥାଏ।
ଯେଉଁ ମହିଳାମାନେ ଆଜି ଶୀର୍ଷ ସ୍ଥାନରେ ଉପନୀତ, ସେମାନେ ସମସ୍ତେ ପ୍ରାୟତଃ ବିଭିନ୍ନ ପ୍ରତିକୂଳତାର ସମ୍ମୁଖୀନ ହୋଇଥାଆନ୍ତି।
ତେଣୁ ସେମାନଙ୍କୁ ଆଗକୁ ବଢ଼ିବା ଲାଗି ସୁଯୋଗ ଓ ପ୍ରତ୍ୟୟ ଯୋଗାଇବା ହେଉଛି ସେମାନଙ୍କ ସଶକ୍ତୀକରଣର ମାର୍ଗ।
ଶିକ୍ଷା ଓ ସଚେତନତା ହେତୁ ମହିଳାମାନେ ସଶକ୍ତ ହେବାରେ ଲାଗିଛନ୍ତି।
ତେବେ ଦରିଦ୍ର ଓ ବଞ୍ଚିତ ବର୍ଗର ମହିଳାମାନଙ୍କ ଲାଗି ସଶକ୍ତୀକରଣର ବାଟ ହେଉଛି ସଂଘବଦ୍ଧ ହେବା।
ମହିଳାମାନେ ସଂଘବଦ୍ଧ ହେଲେ ମଦ ବିକ୍ରିକୁ ବିରୋଧ କରିବାଠାରୁ ନେଇ ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ଆର୍ଥିକ ଭାବେ ସ୍ବାବଲମ୍ବୀ ହେବା ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସଫଳ ହୋଇ ପାରନ୍ତି।
କୌଣସି ମନୁଷ୍ୟକୁ ଇତର ବୋଲି ବିଚାର ନ କରି ତା" ମଧ୍ୟରେ ବିଶ୍ୱ ମାନବର ସନ୍ଧାନ କଲେ, ବିଶ୍ୱପ୍ରାଣତା ଅନୁଭବ କଲେ ଯାଇ ଦୁର୍ବଳକୁ ବଳ ଦେବାର ଆଗ୍ରହ ଓ ସ୍ଫୃହା ଜାଗିଥାଏ।
ଉପନିଷଦର ବାଣୀ କହିଥାଏ, ଅୟଂ ନିଜଃ ପରୋ ବେତି ଗଣନା ଲଘୁଚେତସାମ୍।ଉଦାରଚରିତାନାଂ ତୁ ବସୁଧୈବ କୁଟୁମ୍ବକମ୍॥ଅର୍ଥାତ୍, ଏହା ମୋର ଓ ତାହା ତୁମର- ଏ ପ୍ରକାର ଭାବନା ସଂକୀର୍ଣ୍ଣମନା ମନୁଷ୍ୟଙ୍କର।
ଯେଉଁମାନେ ସହୃଦୟ ଓ ଉଦାର ମନୋଭାବପୂର୍ଣ୍ଣ, ସେମାନଙ୍କ ପାଇଁ ସମଗ୍ର ପୃଥିବୀ ଏକ ପରିବାର ପରି।
ଏହାକୁ ଆଜିର ସଂଦର୍ଭରେ ରଖି ବିଚାର କଲେ ଏକ ଭେଦଭାବ ରହିତ ପୃଥିବୀର ଦୃଶ୍ୟ ଆଗକୁ ଆସିଥାଏ।
ସେଠି ପ୍ରତ୍ୟେକ ପରସ୍ପରକୁ ବଳ ବା ଅବଲମ୍ବନ ଦେବାରେ ବ୍ରତୀ ରହନ୍ତି।
ଏଥିରେ ସଶକ୍ତୀକରଣ ସାର୍ବଜନୀନ ହୋଇଥାଏ ଏବଂ ମାନବ ସମାଜର ବିକାଶ ସ୍ବତଃସ୍ଫୂର୍ତ୍ତ ଓ ସ୍ବାଭାବିକ ହୋଇଥାଏ।(ମତାମତ ଲେଖକଙ୍କ ନିଜସ୍ବ)ମୋ: ୯୫୬୦୨୦୨୩୫୨"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।