Educational institutions: ଶିକ୍ଷାନୁଷ୍ଠାନ ନିକଟରେ ପାନ ଦୋକାନ ରହିବନି: ନିଶାମୁକ୍ତ ଓଡ଼ିଶା ପାଇଁ ଜୋରଦାର୍ ହେବ ଚଢ଼ଉ
ଭୁବନେଶ୍ୱର: ରାଜ୍ୟରେ ନିଶା ଦ୍ରବ୍ୟର ଚାହିଦା କମାଇବା, ନିଶାମୁକ୍ତି କେନ୍ଦ୍ରଗୁଡ଼ିକର ସୁଦୃଢ଼ୀକରଣ କରିବା, ଯୁବପିଢ଼ିଙ୍କୁ ନିଶାଠାରୁ ଦୂରେଇବାକୁ ଅଧିକରୁ ଅଧିକ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକ୍ରମରେ ଯୋଡ଼ିବା, ସମସ୍ତ ଶିକ୍ଷାନୁଷ୍ଠାନ କ୍ୟାମ୍ପସକୁ ନିଶାମୁକ୍ତ କରିବା। ଏହି ଲକ୍ଷ୍ୟ ନେଇ ନିଶାମୁକ୍ତ ସମାଜ ଗଠନ ଦିଗରେ ଚାଲିଥିବା ବିଭିନ୍ନ ପଦକ୍ଷେପ ଓ ଅଭିଯାନକୁ ଅଧିକ ସୁଦୃଢ଼ କରିବାକୁ ମୁଖ୍ୟ ସଚିବ ଅନୁ ଗର୍ଗ ନିର୍ଦ୍ଦେଶ ଦେଇଛନ୍ତି। ଆଜି ଲୋକସେବା ଭବନରେ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ବସିଥିବା ୮ମ ରାଜ୍ୟସ୍ତରୀୟ ନାର୍କୋ କୋଅର୍ଡିନେସନ୍ ସେଣ୍ଟର (ଏନ୍ସିଓଆର୍ଡି)ର ଏକ ସମୀକ୍ଷା ବୈଠକରେ ନିଶାମୁକ୍ତ ଓଡ଼ିଶା ଗଠନ ପାଇଁ ରଣନୀତି ପ୍ରସ୍ତୁତ ହୋଇଛି। ଯୁବପିଢ଼ି ଯେପରି ନିଶା ଠାରୁ ଦୂରରେ ରହିବେ ସେଥିପାଇଁ ସେମାନଙ୍କ ପାଇଁ ଜିଲ୍ଲାସ୍ତରରେ ବାର୍ଷିକ କ୍ରୀଡ଼ା କ୍ୟାଲେଣ୍ଡର ପ୍ରସ୍ତୁତ ହେବ। ସମ୍ବେଦନଶୀଳ ଜିଲ୍ଲାଗୁଡ଼ିକରେ ଅଧିକ କ୍ରୀଡ଼ା ଓ ସୃଜନଶୀଳ କାର୍ଯ୍ୟକ୍ରମକୁ ପ୍ରୋତ୍ସାହନ ଦିଆଯିବ। ଏହାସହ କୁହାଯାଇଛି କୌଣସି ଶିକ୍ଷାନୁଷ୍ଠାନ ନିକଟରେ ପାନ ଦୋକାନ ରହିବନି। ଏନେଇ ଚଢ଼ାଉ ଜୋରଦାର କରାଯିବ।
ବୈଠକରେ ନିଶା ଠାରୁ ଲୋକଙ୍କୁ ଦୂରେଇବା ପାଇଁ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ସହ ନିୟମିତ ଯାଞ୍ଚ ଓ ଅଚାନକ ଚଢ଼ାଉ ଓ ତଦାରଖ କରିବାକୁ କୁହାଯାଇଛି। ସେହିପରି ନିଶା ଦ୍ରବ୍ୟର ଅବୈଧ ଚାଷ ରୋକିବା ପାଇଁ ପ୍ରଭାବିତ ଅଞ୍ଚଳରେ ନିରନ୍ତର ସଚେତନତା ସୃଷ୍ଟି ସହ ଚାଷୀମାନଙ୍କୁ ବିକଳ୍ପ ଚାଷ ଓ ଜୀବିକାର ସୁଯୋଗ ପ୍ରଦାନ ଉପରେ ଗୁରୁତ୍ୱ ଦିଆଯାଇଛି। ଏଥିପାଇଁ ଗ୍ରାମସ୍ତରରେ ସଚେତନତା କାର୍ଯ୍ୟକ୍ରମ, କର୍ମଶାଳା ଓ ବିକଳ୍ପ ଚାଷ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ।
ବୈଠକରେ ଏସ୍ଟିଏଫ୍ ଏବଂ ନାର୍କୋ କୋର୍ଡିନେସନ ସେଣ୍ଟର ପକ୍ଷରୁ କୁହାଯାଇଛି ଯେ ଅଗଷ୍ଟ ୧୬ରୁ ୩୧ ପର୍ଯ୍ୟନ୍ତ ଆୟୋଜିତ ବିଶେଷ ଅଭିଯାନରେ ୧,୭୫୧ଟି ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ପ୍ରାୟ ୨,୬୭,୯୦୦ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଛି। ନିଶାଦ୍ରବ୍ୟର ଅବୈଧ କାରବାର ରୋକିବା ଦିଗରେ ମଧ୍ୟ ରାଜ୍ୟରେ ନିରନ୍ତର କାର୍ଯ୍ୟାନୁଷ୍ଠାନ ଜାରି ରହିଛି। ରାଜ୍ୟସ୍ତରୀୟ ଅଭିଯାନରେ ୬ଟି ଆନ୍ତଃରାଜ୍ୟ ନିଶାଦ୍ରବ୍ୟ ସିଣ୍ଡିକେଟ୍ ଚିହ୍ନଟ କରାଯାଇ ନିଶାଦ୍ରବ୍ୟର ଅବୈଧ କାରବାର ବିରୋଧରେ ପଦକ୍ଷେପ ନିଆଯାଇଛି। ରାଜ୍ୟର ୨୨ଟି ବ୍ଲକ୍ର ୮୦ଟି ହଟ୍ସ୍ପଟ୍ ଗ୍ରାମପଞ୍ଚାୟତ ଅଧୀନ ୧୯୮ଟି ଗ୍ରାମରେ ଏନ୍ଡିପିଏସ୍ ଆଇନ ସମ୍ପର୍କରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଚାଲିଛି। ଉପଗ୍ରହ ଚିତ୍ର ଏବଂ ରିମୋଟ୍ ସେନ୍ସିଂ ପ୍ରଯୁକ୍ତି ବ୍ୟବହାର କରି ବେଆଇନ ଗଞ୍ଜେଇ ଚାଷ ଉପରେ ନଜର ରଖାଯାଉଛି। ବୈଠକରେ ବିଦେଶୀ ନାଗରିକଙ୍କ ସମ୍ପର୍କିତ ବିଚାରାଧୀନ ମାମଲାର ସମୀକ୍ଷା, ଦୋଷ ମୁକ୍ତି ରାୟ ବିରୋଧରେ ଅପିଲ୍ ଏବଂ ‘ଇମିଗ୍ରେସନ୍ ଓ ଫରେନର୍ସ ଆକ୍ଟ, ୨୦୨୫’ର କାର୍ଯ୍ୟାନ୍ୱୟନ ସଂପର୍କରେ ଆଲୋଚନା କରାଯାଇଥିଲା।
ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ହେମନ୍ତ ଶର୍ମା, ଡିଜିପି ବିନୟତୋଷ ମିଶ୍ର, ଏସ୍ଟିଏଫ୍ ଆଇଜି ହିମାଂଶୁ ଲାଲ, ଏସ୍ଟିଏଫ୍ ଡିଆଇଜି କେ.ଭି ସିଂହଙ୍କ ସମେତ ବିଭିନ୍ନ ବିଭାଗର ସଚିବ, ଡିଡିଜି, ଏନ୍ସିବିର ଅଧିକାରୀ, ଓଡିଶା ମେରିଟାଇମ ବୋର୍ଡର ମୁଖ୍ୟ, ନୌସେନା ଏବଂ ସିଆଇଏସ୍ଏଫ୍ର ଅଧିକାରୀଙ୍କ ସମେତ ଭୁବନେଶ୍ୱର ବିମାନବନ୍ଦର, ପୂର୍ବତଟ ରେଳପଥ, ପାରାଦୀପ ବନ୍ଦର ଆଦିର ପ୍ରବର୍ତ୍ତନ ଶାଖାରେ କାର୍ଯ୍ୟରତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।