Station Bazaar Puja Committee: ଷ୍ଟେସନ ବଜାର ପୂଜା କମିଟି: ଜୀବନର ସଂଘର୍ଷ କାହାଣୀ କହିବ ତୋରଣ
ଅଗ୍ରପୂଜ୍ୟ ଗଜାନନଙ୍କ ଧରାବତରଣରୁ ଆରମ୍ଭ ହୋଇଛି ପାର୍ବଣ ଋତୁ। ଓଁକାରର ପ୍ରଣବ ଧ୍ବନି, ନଦୀପଠାରେ ଧବଳ କାଶତଣ୍ଡୀର ଶୋଭା ମା’ଙ୍କ ଆଗମନର ବାର୍ତ୍ତା ଦେଲାଣି। ମାଆଙ୍କୁ ସ୍ବାଗତ କରିବା ପାଇଁ ରାଜଧାନୀର ବିଭିନ୍ନ ପୂଜାମଣ୍ଡପରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି। ବିଭିନ୍ନ ପୂଜାମଣ୍ଡପର ସାଜସଜ୍ଜା ଓ ପ୍ରସ୍ତୁତିକୁ ନେଇ ‘ସମ୍ବାଦ’ର ସ୍ବତନ୍ତ୍ର ଉପସ୍ଥାପନା।
ଭୁବନେଶ୍ୱର,୩/୧୦ (ଇମିସ): ଜୀବନରେ ସଂଘର୍ଷ ହେଉଛି ଏକ ଅନ୍ତହୀନ ଗଭୀର ଯାତ୍ରା। ଯେଉଁଠି ସମସ୍ତେ ନିଜର ସ୍ୱପ୍ନ ଓ ବାସ୍ତବତା ମଧ୍ୟରେ ପ୍ରତିଦିନ ସଂଗ୍ରାମ କରିଥାନ୍ତି। ଚଳିତ ବର୍ଷ ମଣିଷ ଜୀବନର ଏହି ଜଟିଳତାକୁ ପ୍ରକାଶ କରିବ ଷ୍ଟେସନ ବଜାର ପୂଜା ତୋରଣ। ପ୍ରତି ବର୍ଷ ଭକ୍ତଙ୍କୁ କିଛି ନୂଆ ଅନୁଭୂତି ସହିତ ସାମାଜିକ ବାର୍ତ୍ତା ପ୍ରଦାନ କରୁଥିବା ଷ୍ଟେସନ ବଜାର ପୂଜା କମିଟି ଚଳିତ ବର୍ଷ ଜୀବନର ପ୍ରତିଛବିକୁ ଦର୍ଶାଇବ।
ତୋରଣର ଭିତରେ ପାର୍ଶ୍ୱରେ ବିଭିନ୍ନ ବୃତ୍ତିର ପ୍ରତିଛବି ସହିତ କଳାକାରମାନଙ୍କ କଷ୍ଟ, ପ୍ରଶଂସା ଓ ନିନ୍ଦା ଦର୍ଶାଇଥିବା କାହାଣୀ ପ୍ରତିଫଳିତ ହେବ। ଏଥିପାଇଁ ତୋରଣ ମଧ୍ୟରେ ଏକ ସ୍ୱତନ୍ତ୍ର ମଞ୍ଚ ମଧ୍ୟ ପ୍ରସ୍ତୁତ କରାଯିବ। ସେହିପରି ବାହାର ପାର୍ଶ୍ୱ ମା’ଙ୍କ ଶକ୍ତି ସ୍ୱରୂପିଣୀ ରୂପକୁ ପ୍ରଦର୍ଶିତ କରିବ। ଏଥିରେ ମା’ ଦୁର୍ଗା, ମା’ କାଳୀ ଓ ମହାକାଳଙ୍କ ରୂପ ଦର୍ଶାଯିବ। ଏହି ତୋରଣର ଚଉଡ଼ା ପାଖାପାଖି ୧୨୦ ଫୁଟ୍ ରହିଥିବା ବେଳେ ଉଚ୍ଚତା ପାଖାପାଖି ୩୫ ଫୁଟ ରହିବ। ୬ମାସ ହେଲାଣି ଏହି ତୋରଣର କାମ ଚାଲିଛି। ଚଳିତ ବର୍ଷ ମା’ଙ୍କ ମୂର୍ତ୍ତିର ଉଚ୍ଚତା ୧୨ ଫୁଟ ରହିଥିବା ବେଳେ ମେଢ଼ର ଉଚ୍ଚତା ୧୬ ଫୁଟ ରହିଛି। ମା’ଙ୍କୁ ଉଭୟ ସୁନା ଓ ରୁପା ଅଳଙ୍କାରରେ ସଜ୍ଜିତ କରାଯିବ।
ପାର୍ଶ୍ୱ ଦେବଦେବୀଙ୍କୁ ମଧ୍ୟ ଅଳଙ୍କାରରେ ଭୂଷିତ କରାଯିବ। ମା’ଙ୍କ ନିକଟରେ ରସଗୋଲା, ଦହି ପଖାଳ, ଲଡ଼ୁ ଆଦି ଭୋଗ କରାଯିବ। ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ୧୦୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ନିୟୋଜିତ ହେଉଛନ୍ତି। ଏପରିକି ୨୦ଜଣ ମହିଳା ସ୍ୱେଚ୍ଛାସେବୀ ମଧ୍ୟ ରହିବେ। ସେହିପରି ପାଖାପାଖି ୪୦ଟି ସିସି କ୍ୟାମେରା ଲଗାଯିବ। ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗମାନଙ୍କ ପାଇଁ ସ୍ୱତନ୍ତ୍ର ଦର୍ଶନ ସହିତ ହ୍ୱିଲ୍ଚେୟାରର ବ୍ୟବସ୍ଥା କରାଯାଉଛି। ପାର୍କିଂ ପାଇଁ ମଧ୍ୟ ସ୍ୱତନ୍ତ୍ର ସ୍ଥାନ ନିର୍ଦ୍ଧାରଣ ହୋଇଛି। ସେହିପରି ଭକ୍ତଙ୍କ ମନୋରଞ୍ଜନ ପାଇଁ ସାଂସ୍କୃତିକ ସନ୍ଧ୍ୟା ଓ ମେଲୋଡି କରାଯିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।