El Nino: ଏଲ୍‌ନିନୋ ଓ ଉତ୍ତପ୍ତ ସମୁଦ୍ର ୨୦୨୭ରେ ବଢ଼ାଇପାରେ ଜଳବାୟୁ ସଙ୍କଟ

Oct 09, 2026 - 19:11
El Nino: ଏଲ୍‌ନିନୋ ଓ ଉତ୍ତପ୍ତ ସମୁଦ୍ର ୨୦୨୭ରେ ବଢ଼ାଇପାରେ ଜଳବାୟୁ ସଙ୍କଟ

"ଜେନେଭା: ୨୦୨୭ରେ ପୃଥିବୀର ଜଳବାୟୁ ଉପରେ ଏଲ୍‌ନିନୋ ଓ ସମୁଦ୍ରର ଅସ୍ୱାଭାବିକ ଉତ୍ତାପର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

ପ୍ରଶାନ୍ତ ମହାସାଗରରେ ଏଲ୍‌ନିନୋ ଶକ୍ତିଶାଳୀ ହେଉଥିବାବେଳେ ବିଶ୍ୱର ସମୁଦ୍ରଗୁଡ଼ିକର ତାପମାତ୍ରା ମଧ୍ୟ ରେକର୍ଡ ସ୍ତରରେ ରହିଛି।

ଏହା ଫଳରେ ବିଭିନ୍ନ ଅଞ୍ଚଳରେ ଅତ୍ୟଧିକ ଗରମ, ମରୁଡ଼ି ଓ ପ୍ରବଳ ବର୍ଷା ଭଳି ପାଣିପାଗ ପରିସ୍ଥିତି ସୃଷ୍ଟି ହୋଇପାରେ ବୋଲି ବୈଜ୍ଞାନିକମାନେ ସତର୍କ କରାଇଛନ୍ତି।Advertisment ବିଶ୍ୱ ପାଣିପାଗ ସଂଗଠନ (ଡବ୍ଲ୍ୟୁଏମ୍‌ଓ) ଗୁରୁବାର ଜାରି କରିଥିବା ଆକଳନ ଅନୁଯାୟୀ, ଏଲ୍‌ନିନୋ ଡିସେମ୍ବର ୨୦୨୬ ବେଳକୁ ଶିଖରରେ ପହଞ୍ଚିପାରେ।

ଏହା ୨୦୨୭ ଫେବ୍ରୁଆରି ଯାଏ ଜାରି ରହିବାର ପ୍ରାୟ ୧୦୦ ପ୍ରତିଶତ ସମ୍ଭାବନା ରହିଛି।

ଏହା ୧୯୫୦ ପରଠାରୁ ସବୁଠାରୁ ଶକ୍ତିଶାଳୀ ଏଲ୍‌ନିନୋ ଘଟଣାଗୁଡ଼ିକ ମଧ୍ୟରୁ ଗୋଟିଏ ହୋଇପାରେ।

ଅନ୍ୟପକ୍ଷରେ ଆମେରିକାର ଜାତୀୟ ସାମୁଦ୍ରିକ ଓ ବାୟୁମଣ୍ଡଳୀୟ ପ୍ରଶାସନ (ଏନ୍‌ଓଏଏ) ମଧ୍ୟ ୨୦୨୭ ମାର୍ଚ୍ଚ ଯାଏ ଏହା ଶକ୍ତିଶାଳୀ ରହିବାର ଅଧିକ ସମ୍ଭାବନା ଦର୍ଶାଇଛି।

ସୂଚନାଯୋଗ୍ୟ, ପ୍ରଶାନ୍ତ ମହାସାଗରର ମଧ୍ୟଭାଗ ଓ ପୂର୍ବ ଭାଗରେ ଭୂମଧ୍ୟରେଖା ନିକଟସ୍ଥ ସମୁଦ୍ରଜଳ ଅସ୍ୱାଭାବିକ ଭାବେ ଉତ୍ତପ୍ତ ହେବାକୁ ଏଲ୍‌ନିନୋ କୁହାଯାଏ।

ଏହା ସମୁଦ୍ର ଓ ବାୟୁମଣ୍ଡଳର ସ୍ୱାଭାବିକ ପ୍ରବାହକୁ ପ୍ରଭାବିତ କରି ବିଶ୍ୱର ବିଭିନ୍ନ ଅଞ୍ଚଳରେ ବର୍ଷା ଓ ତାପମାତ୍ରାର ଧାରା ବଦଳାଇଦିଏ।

ଡବ୍ଲ୍ୟୁଏମ୍‌ଓର ଆକଳନ ଅନୁଯାୟୀ, ୨୦୨୬ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ପ୍ରଶାନ୍ତ ମହାସାଗରର ଏହି ଅଞ୍ଚଳର ସମୁଦ୍ରପୃଷ୍ଠ ତାପମାତ୍ରା ସ୍ୱାଭାବିକଠାରୁ ପ୍ରାୟ ୩.୭ ଡିଗ୍ରି ସେଲ୍‌ସିୟସ୍‌ ଅଧିକ ହୋଇପାରେ।

ଏହା ପୂର୍ବରୁ ରେକର୍ଡ ହୋଇଥିବା ତାପମାତ୍ରା ବୃଦ୍ଧିଠାରୁ ମଧ୍ୟ ଅଧିକ।

ଜୀବାଶ୍ମ ଇନ୍ଧନ ଜାଳିବା ଓ ଜଙ୍ଗଲ ନଷ୍ଟ ହେବା ଯୋଗୁଁ ବାୟୁମଣ୍ଡଳରେ ବଢ଼ୁଥିବା ଗ୍ରିନ୍‌ହାଉସ୍‌ ଗ୍ୟାସ୍‌ ପୃଥିବୀର ଅତିରିକ୍ତ ଉତ୍ତାପକୁ ଅଟକାଇ ରଖୁଛି।

ସମୁଦ୍ର ଏହି ଉତ୍ତାପର ବଡ଼ ଅଂଶ ଶୋଷଣ କରୁଥିବାରୁ ଏହାର ତାପମାତ୍ରା ବଢ଼ୁଛି।

ଉତ୍ତପ୍ତ ବାୟୁ ଅଧିକ ଜଳୀୟବାଷ୍ପ ଧାରଣ କରିପାରୁଥିବାରୁ ଅନୁକୂଳ ପରିସ୍ଥିତିରେ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ମଧ୍ୟ ବଢ଼େ।

ଭାରତରେ ଏଲ୍‌ନିନୋ ମୌସୁମୀ ବର୍ଷାକୁ ପ୍ରଭାବିତ କରିପାରେ।

El Nino: "ଗଡ୍‌ଜିଲା"ଠାରୁ ମାତ୍ର ୦.୦୨ ଡିଗ୍ରି ସେଲ୍‌ସିୟସ୍‌ ଦୂରରେ ଏଲ୍‌ନିନୋ ତେବେ ଏହାର ପ୍ରଭାବ କେତେ ହେବ, ତାହା ଭାରତ ମହାସାଗରର ତାପମାତ୍ରା ଓ ଅନ୍ୟ ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରିବ।

ଡବ୍ଲ୍ୟୁଏମ୍‌ଓ ଅକ୍ଟୋବର-ଡିସେମ୍ବର ୨୦୨୬ ମଧ୍ୟରେ ଭାରତୀୟ ଉପମହାଦେଶର କେତେକ ଅଞ୍ଚଳରେ ସ୍ୱାଭାବିକଠାରୁ କମ୍‌ ବର୍ଷାର ସମ୍ଭାବନା ଦର୍ଶାଇଛି।

ଏହା ସତ୍ତ୍ୱେ ୨୦୨୭ରେ କେଉଁ ଅଞ୍ଚଳରେ କେତେ ବର୍ଷା ହେବ କିମ୍ବା କେଉଁଠି ଅତ୍ୟଧିକ ଗରମ ପଡ଼ିବ, ତାହା ଏବେଠାରୁ ନିଶ୍ଚିତ ଭାବେ କହିବା ସମ୍ଭବ ନୁହେଁ।

ବୈଜ୍ଞାନିକମାନେ ସମୁଦ୍ର ସ୍ରୋତ ଓ ଉପଗ୍ରହ ତଥ୍ୟର ଅଧ୍ୟୟନ ମାଧ୍ୟମରେ ଜଳବାୟୁ ପୂର୍ବାନୁମାନକୁ ଅଧିକ ସଠିକ୍‌ କରିବାକୁ ଉଦ୍ୟମ କରୁଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।