Election: ବାଣୀବିହାର ରଣକ୍ଷେତ୍ର: ଉଡ଼ିଲା ଚେୟାର, ପ୍ଲାଷ୍ଟିକ୍ ପାଇପ୍ରେ ପିଟାପିଟି, ୭ରୁ ଅଧିକ ଆହତ
"ଭୁବନେଶ୍ବର: ବାଣୀବିହାର କ୍ୟାମ୍ପସ୍ରେ ଆଜି ବି ନିର୍ବାଚନୀ ହିଂସା ଦେଖିବାକୁ ମିଳିଥିଲା ଏବଂ "ମୁଁ କାହିଁକି ପ୍ରାର୍ଥୀ ହୋଇଛି" ସଭା ପାଲଟିଥିଲା ରଣକ୍ଷେତ୍ର।
ଫଳରେ ଦୀକ୍ଷାନ୍ତ ହଲ୍ ଥରହର ହୋଇଉଠିଥିଲା।
ବିସିଜେଡି ଓ ଏବିଭିପି ସମର୍ଥକମାନଙ୍କ ଭିତରେ କଥା କଟାକଟିରୁ ଆରମ୍ଭ ହୋଇଥିବା ଉତ୍ତେଜନା ଶେଷରେ ହାତାହାତି ଯାଏଁ ଯାଇଥିଲା।
ପୁଲିସ ଉପସ୍ଥିତି କିଛି ଫରକ ପଡ଼ିନଥିଲା।
ସଭାସ୍ଥଳରେ ପଡ଼ିଥିବା ଚେୟାରଗୁଡ଼ିକୁ ଉଠାଇ ଉତ୍ତ୍ୟକ୍ତ ଛାତ୍ରମାନେ ପରସ୍ପର ଉପରକୁ ଫୋପାଡ଼ିଥିଲେ ଏବଂ ପତାକା ବ୍ୟାନର ଲାଗିଥିବା ପ୍ଲାଷ୍ଟିକ୍ ବାଡ଼ିରେ ପିଟାପିଟି ହୋଇଥିଲେ।
ଠେଲାପେଲା, ଧସ୍ତାଧସ୍ତି, ବିଧାଗୋଇଠା ଓ ମୁଥ ମରାମରିରେ ୭ରୁ ଅଧିକ ଛାତ୍ର ଆହତ ହୋଇଥିଲେ।
ଏଥିପାଇଁ ସଭାକାର୍ଯ୍ୟ ପ୍ରାୟ ୨ ଘଣ୍ଟା ବିଳମ୍ବିତ ହୋଇଥିଲା।
ନିଜେ ସିପି ଓ ଡିସିପି ଘଟଣାସ୍ଥଳକୁ ଆସି ଅଣଛାତ୍ରମାନଙ୍କୁ ବାହାର କରିବା ପରେ ଗଣ୍ଡଗୋଳ ଥମିଥିଲା।
Advertisment ପୂର୍ବାହ୍ଣ ପାଖାପାଖି ୧୧ଟାରେ ଏବିଭିପି ସମର୍ଥିତ ପ୍ରାର୍ଥୀ ଓ ସମର୍ଥକମାନେ ସେଣ୍ଟ୍ରାଲ୍ କ୍ୟାଣ୍ଟିନ୍ରୁ ଶୋଭାଯାତ୍ରାରେ ବାହାରି ଦୀକ୍ଷାନ୍ତ ହଲ୍ ମୁହାଁ ହୋଇଥିଲେ।
ପରେ ପରେ ବିସିଜେଡି ସମର୍ଥିତ ପ୍ରାର୍ଥୀ ଓ ସମର୍ଥକମାନେ ମଧ୍ୟ ଶୋଭାଯାତ୍ରାରେ ବାହାରି ଦୀକ୍ଷାନ୍ତ ହଲ୍କୁ ଯାଇଥିଲେ।
ଦୀକ୍ଷାନ୍ତ ହଲ୍ ଦୁଆରେ ୨ପକ୍ଷଙ୍କ ମଧ୍ୟରେ କୌଣସି କାରଣକୁ ନେଇ କଥା କଟାକଟି ହୋଇଥିଲା।
ପୁଲିସ ଉପସ୍ଥିତିରେ ମଧ୍ୟ ସେମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।
ବେଶ୍ ସୁନ୍ଦର ଭାବେ ସଜ୍ଜିତ ହୋଇଥିବା ଦୀକ୍ଷାନ୍ତ ହଲ୍ ଏହି ଗଣ୍ଡଗୋଳ ଯୋଗୁଁ ଏକପ୍ରକାର ଛିନିଛତ୍ର ହୋଇଯାଇଥିଲା।
ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଞ୍ଚ ଉପରେ ଅସହାୟ ହୋଇପଡ଼ିଥିଲେ।
ପୁଲିସ ଉଭୟ ଗୋଷ୍ଠୀଙ୍କୁ ବୁଝାଇବା ପାଇଁ ଉଦ୍ୟମ କରି ନାକେଦମ୍ ହେଲା ସିନା ଗଣ୍ଡଗୋଳ ଥମିଲା ନାହିଁ।
ଖବର ପାଇ ଡିସିପି ବିବେକ ସର୍ବଣା ଏମ୍.
ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବା ସହ ଅଣଛାତ୍ରମାନଙ୍କୁ ବାହାରକୁ ଚାଲିଯିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ପରେପରେ ପୁଲିସ କମିସନର ସୁରେଶ ଦେବଦତ୍ତ ସିଂ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ।
ଏହି ଅବସରରେ ଛାତ୍ର ବିଜେଡି ପକ୍ଷରୁ ଧାରଣା ଦିଆଯାଇଥିଲା।
୨ଘଣ୍ଟା କାଳ କସରତ କରିବା ପରେ ପୁଲିସ ଅଣଛାତ୍ରଙ୍କୁ ହଲ୍ରୁ ତଡ଼ିବାରେ ସମର୍ଥ ହୋଇଥିଲା ଏବଂ ସାଢ଼େ ୧ଟାରେ ସଭା ଆରମ୍ଭ ହୋଇଥିଲା।
ଆସନ୍ତାକାଲି ଅର୍ଥାତ୍ ଗୁରୁବାର ଦିନ ମତଦାନ ହେବ।
ତେଣୁ ପୁଲିସ ଓ ବିଶ୍ବବିଦ୍ୟାଳୟ କର୍ତୃପକ୍ଷଙ୍କ ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ କରାଯାଇଛି।
ଏଥିପାଇଁ ଆଜି ରାଜଧାନୀର କ୍ୟାମ୍ପସଗୁଡ଼ିକରେ ପୁଲିସ୍ ବଳ ଫ୍ଲାଗମାର୍ଚ୍ଚ କରିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।