ଆଜି ନବରାତ୍ରର ଦ୍ୱିତୀୟ ଦିନ, ଜାଣନ୍ତୁ ବ୍ରହ୍ମଚାରିଣୀ ବେଶ ପଛର ମାହାତ୍ମ୍ୟ

Oct 12, 2026 - 17:18
ଆଜି ନବରାତ୍ରର ଦ୍ୱିତୀୟ ଦିନ, ଜାଣନ୍ତୁ ବ୍ରହ୍ମଚାରିଣୀ ବେଶ ପଛର ମାହାତ୍ମ୍ୟ

ନନ୍ଦିଘୋଷ ବ୍ୟୁରୋ: ଆଜି ନବରାତ୍ରର ଦ୍ୱିତୀୟ ଦିନ । ବ୍ରହ୍ମଚାରିଣୀ ବେଶରେ ପୂଜା ପାଉଛନ୍ତି ଜଗତ ଜନନୀ ମାଆ ଦୁର୍ଗା । ଧାର୍ମିକ ବିଶ୍ୱାସ ଅନୁଯାୟୀ, ମାଆଙ୍କୁ ଏହି ବେଶରେ ପୂଜା କରିବା ଦ୍ବାରା ଶୁଭ ଫଳପ୍ରାପ୍ତି ହୋଇଥାଏ । ବ୍ରହ୍ମଚାରିଣୀଙ୍କୁ ଜ୍ଞାନ ଓ ତ୍ୟାଗର ଦେବୀ ବୋଲି କୁହାଯାଇଥାଏ ।

କାହିଁକି ପାଇଲେ ବ୍ରହ୍ମଚାରିଣୀ ନାମ ?

ମାତା ପାର୍ବତୀ ଶିବଙ୍କୁ ସ୍ବାମୀ ରୂପରେ ପାଇବା ଲାଗି କଠୋର ତପସ୍ୟା କରିଥିଲେ। ଏହି କାରଣରୁ ସେ ‘ବ୍ରହ୍ମଚାରିଣୀ’ ନାମରେ ନାମିତ ହୋଇଥିଲେ। ନବରାତ୍ରର ଦ୍ୱିତୀୟ ଦିନରେ ମା’ ଦୁର୍ଗା ବ୍ରହ୍ମଚାରିଣୀଙ୍କ ରୂପରେ ଭକ୍ତଙ୍କୁ ଦର୍ଶନ ଦେଇଥାଆନ୍ତି । ଏହି ରୂପରେ ମାଆଙ୍କ ପୂଜା ଓ ଉପାସନା କରିବା ଦ୍ବାରା ସମସ୍ତ ଦୁଃଖ, ଦୁର୍ଦ୍ଦଶା ଦୂର ହୋଇଥାଏ ବୋଲି ବିଶ୍ବାସ ରହିଛି । ଛାତ୍ରଛାତ୍ରୀ ମାନେ ବ୍ରହ୍ମଚାରିଣୀଙ୍କ ଉପାସନା କଲେ ବିଦ୍ୟା ଲାଭ ସହ ସଫଳତା ଲାଭ କରିଥାଆନ୍ତି ।

ମାଆ ବ୍ରହ୍ମଚାରିଣୀଙ୍କ ପୌରାଣିକ କଥା…

ପୂରାଣ ଅନୁଯାୟୀ, ଦେବୀ ପାର୍ବତୀ ଦକ୍ଷ ପ୍ରଜାପତିଙ୍କ ଘରେ ବ୍ରହ୍ମଚାରିଣୀ ରୂପରେ ଜନ୍ମ ନେଇଥିଲେ। ଭଗବାନ ଶିବକୁ ପ୍ରସନ୍ନ କରିବା ପାଇଁ ସେ ତପସ୍ୟା କରିବା ଲାଗି କଠୋର ପ୍ରତିଜ୍ଞା କରିଥିଲେ । ମାଆ ପାର୍ବତୀଙ୍କ ଏହି ତପସ୍ୟା ହଜାର ହଜାର ବର୍ଷ ଧରି ଚାଲିଥିଲା । ଝଡ଼, ତୋଫାନ, ଖରା କି ବର୍ଷା ତାଙ୍କର ଏହି ତପସ୍ୟାକୁ ଭଙ୍ଗ କରିପାରିନଥିଲା । କୁହାଯାଏ, ହଜାର ହଜାର ବର୍ଷ ଧରି ଚାଲିଥିବା ଏହି ତପସ୍ୟା ସମୟରେ ମାତା ବ୍ରହ୍ମଚାରିଣୀ କେବଳ ଫଳ, ଫୁଲ ଓ ବେଲପତ୍ର ଖାଇ ବଞ୍ଚିଥିଲେ। କଠୋର ତପସ୍ୟା ପରେ ମଧ୍ୟ ଭଗବାନ ଶିବ ପ୍ରସନ୍ନ ହୋଇନଥିଲେ । ପରବର୍ତ୍ତୀ ସମୟରେ ମାତା ପାର୍ବତୀ ବିନା ଜଳ ଓ ଭୋଜନରେ ତପସ୍ୟା ଆରମ୍ଭ କରିଥିଲେ । ବ୍ରହ୍ମଚାରିଣୀଙ୍କ ଏହି କଠୋର ତପସ୍ୟା ବଳରେ ପ୍ରସନ୍ନ ହୋଇ ସୃଷ୍ଟିକର୍ତ୍ତା ବ୍ରହ୍ମା ତାଙ୍କୁ ଏକ ବରଦାନ ଦେଇ କହିଥିଲେ, ଏହିପରି କଠୋର ତପସ୍ୟା ଆଗରୁ କେହି ମଧ୍ୟ କରିନାହାନ୍ତି ।  ତୁମର ମନୋକାମନା ନିଶ୍ଚିତ ପୂର୍ଣ୍ଣ ହେବ। ଭଗବାନ ଶିବ ତମକୁ ସ୍ବାମୀ ରୂପରେ ନିଶ୍ଚିତ ପ୍ରାପ୍ତ ହେବେ ।

ମା ବ୍ରହ୍ମଚାରିଣୀଙ୍କ ପୂଜାବିଧି…

ନବରାତ୍ରୀର ଦ୍ବିତୀୟ ଦିନରେ ମାଆ ବ୍ରହ୍ମଚାରିଣୀଙ୍କୁ ହଳଦିଆ ଓ ଧଳା ରଙ୍ଗର ବସ୍ତ୍ର ପ୍ରଦାନ କରି ପୂଜା କରନ୍ତୁ । ଏହି ଦିନରେ ଦେବୀଙ୍କୁ ଧଳା ରଙ୍ଗର ବସ୍ତୁ ସମର୍ପିତ କଲେ ଭାଗ୍ୟଦୋୟ ହେବା ସହ ଶୁଭଫଳ ମିଳିଥାଏ । ବ୍ରହ୍ମଚାରିଣୀଙ୍କୁ ମିଶ୍ରି, ଚିନି ବା ପଞ୍ଚାମୃତର ଭୋଗ ଲଗାଇ ପାରିବେ। ପୂଜା ସମୟରେ ମାଆଙ୍କ ମନ୍ତ୍ର ଜାପ କରନ୍ତୁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।