ଆବେଦନ କରି ବି ମିଳୁନି ଭତ୍ତା, ପ୍ରଶାସନ ଦୁଆରେ ଦୌଡ଼ି ଦୌଡ଼ି ନୟାନ୍ତ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ

Sep 27, 2026 - 17:42
ଆବେଦନ କରି ବି ମିଳୁନି ଭତ୍ତା, ପ୍ରଶାସନ ଦୁଆରେ ଦୌଡ଼ି ଦୌଡ଼ି ନୟାନ୍ତ ବୃଦ୍ଧବୃଦ୍ଧା ଓ ଦିବ୍ୟାଙ୍ଗ

ନନ୍ଦିଘୋଷ ବ୍ୟୁରୋ : ନିୟମ ଅନୁଯାଇ ଯୋଗ୍ୟ ହିତାଧିକାରୀ ଭାବେ ଆବେଦନ କଲେ । ଭତ୍ତା ପାଇବାକୁ ନାନା ଆଶା ବାନ୍ଧିଲେ । ହେଲେ ହାତକୁ ଆସୁନି ଟଙ୍କା । ପ୍ରଶାସନର ପିଣ୍ଡାକୁ ଦୌଡି ଦୌଡି ନୟାନ୍ତ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ । ଗଜପତି ଜିଲ୍ଲାରେ ଏବେ ଭତ୍ତାକୁ ଅପେକ୍ଷା କରିଛନ୍ତି ୪୫୫ ଜଣ ଯୋଗ୍ୟ ହିତାଧିକାରୀ । ଜିଲ୍ଲାରେ ୮୦ ବର୍ଷରୁ ଅଧିକ ବୟସର ୨୧୯ ଜଣ, ଏବଂ ୮୦ ପ୍ରତିଶତରୁ ଉର୍ଦ୍ଧ ଦିବ୍ୟାଙ୍ଗ ବର୍ଗର ୨୩୬ ଜଣ ରହିଛନ୍ତି । ଗୋସାଣି ବ୍ଲକରେ ୧୩୩, ଗୁମ୍ମାରେ ୬୫, କାଶୀନଗରରେ ୫୧ ଏବଂ ମୋହନା ରେ ୬୬ ଜଣ ଭତ୍ତା ଅପେକ୍ଷାରେ ଅଛନ୍ତି। ସେହିପରି ନୂଆଗଡ଼ାରେ ୧୮, ରାୟଗଡ଼ାରେ ୫, ଆର୍.ଉଦୟଗିରିରେ ୧୪, କାଶୀନଗର ଏନଏସୀ ରେ ୧୦ ଏବଂ ପାରଳାଖେମୁଣ୍ଡି ଅର୍ବାନରେ ୯୩ ଜଣ ରହିଛନ୍ତି । ସମସ୍ତେ ଭତ୍ତା ପାଇବାକୁ ଆବେଦନ କରିଛନ୍ତି । ହେଲେ ପ୍ରଶାସନିକ ଉଦାସିନତା ଯୋଗୁ ଏହା ଫାଇଲରେ ହିଁ ଅଟକି ରହିଥିବା ଅଭିଯୋଗ ହୋଇଛି ।

ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ ଟାର୍ଗେଟ୍ ଆସିନାହିଁ । ଟାର୍ଗେଟ୍ ଆସିବା ପରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଭତ୍ତା ଟଙ୍କା ପ୍ରଦାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହା ଯାଉଛି । ହେଲେ ଅପେକ୍ଷାର ସୀମା କେତେଦିନ ବୋଲି ଜିଲ୍ଲା ବିଜେଡି ସଭାପତି ପ୍ରଦୀପ ନାୟକ ଏବଂ ଓଡିଶା କଂଗ୍ରେସ ପ୍ରଦେଶ କମିଟିର ରାଜ୍ୟ ସମ୍ପାଦିକା ଯଶମିନ ଶେଖ ସରକାରଙ୍କୁ ପ୍ରଶ୍ନ କରିଛନ୍ତି ।

ଜୀବନ ଜିଇଁବାକୁ ଅର୍ଥର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ହେଲେ ହାତଗୋଡ ଚଳୁନଥିବା ଏବଂ କାମ କରିବାକୁ ବୟସ ଅନୁମତି ଦେଉନଥିବା ବେଳେ ଏ ଅସହାୟଙ୍କ ପାଇଁ ଭତ୍ତା ପ୍ରଦାନ ପାଇଁ ସରକାରୀ ନିୟମ ରହିଛି । ହେଲେ ପ୍ରଶାସନର ଆନ୍ତରିକତା ଅଭାବ ଯୋଗୁ ସମସ୍ତେ ଏବେ ସମସ୍ୟାରେ ।

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।