କୋଟିଆ ସୁରକ୍ଷା: ସରକାରଙ୍କ ଉପରେ ବର୍ଷିଲା ବିଜେଡି
ନନ୍ଦିଘୋଷ ବ୍ୟୁରୋ: କମିଟିରେ କୋଟିଆ ସୁରକ୍ଷା । ନବୀନଙ୍କ ଚିଠି ପରେ ବର୍ଷିଲା ବିଜେଡି। ସରକାରଙ୍କ ନିରବତାକୁ ନେଇ ଉଠିଲା ପ୍ରଶ୍ନ । କଂଗ୍ରେସ କହିଲା କ୍ଷମତା ପାଇଁ ମାଟି ବଳି ।…କୋଟିଆକୁ ନେଇ ଗତକାଲି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଚିଠି ଲେଖିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । କୋଟିଆକୁ ନେଇ ରାଜସ୍ବମନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ କମିଟିର ରିପୋର୍ଟ କୁଆଡ଼େ ଗଲା ବୋଲି ବିଜେଡି ବିଧାୟକ ଅରୁଣ ସାହୁ ପ୍ରଶ୍ନ କରିଛନ୍ତି । ଆନ୍ଧ୍ରପ୍ରଦେଶ ସରକାର କୋଟିଆରେ ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗ ଉଠାଉଥିବା ବେଳେ ଓଡ଼ିଶା ସରକାରଙ୍କ ନିରବତାକୁ ନେଇ ପ୍ରଶ୍ନ ଉଠିଛି । ବିଜେଡି କହିଛି କେନ୍ଦ୍ରରେ ବିଜେପି, ଓଡ଼ିଶାରେ ବିଜେପି ଏବଂ ଆନ୍ଧ୍ରରେ ଟିଡିପି ସହ ବିଜେପିର ମେଣ୍ଟ । ଟିଡିପି ଓହରିଗଲେ ସଙ୍କଟରେ ପଡ଼ିବ ବିଜେପି ସରକାର। ତିନି ରାଜ୍ୟରେ ଅନୁକୂଳ ରାଜନୈତିକ ସମୀକରଣ ସତ୍ତ୍ୱେ କୋଟିଆ ସମସ୍ୟାର ସମାଧାନ ହେଉନି କାହିଁକି ବୋଲି ପ୍ରଶ୍ନ କରିଛନ୍ତି ବିଧାୟକ ଅରୁଣ ସାହୁ । ଓଡ଼ିଆ ଅସ୍ମିତା ବଡ଼ ନା ଦଳୀୟ ସ୍ୱାର୍ଥ ? ଏହି ପ୍ରଶ୍ନ ଉଠାଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେଡି। କୋଟିଆର ସୁରକ୍ଷା ପାଇଁ ସରକାର କେବେ ଠୋସ୍ ପଦକ୍ଷେପ ନେବେ, ତାହା ସ୍ପଷ୍ଟ କରନ୍ତୁ । କେନ୍ଦ୍ରରେ ସରକାର ବଞ୍ଚାଇବା ପାଇଁ ଆନ୍ଧ୍ର ପାଖରେ ଆତ୍ମସମର୍ପଣ କରିଛି ଓଡିଶା ସରକାର ବୋଲି ବିଜେଡି ଅଭିଯୋଗ କରିଛି । କୋଟିଆ ହେଉଛି ଓଡ଼ିଆ ଅସ୍ମିତାର ଗୋଟିଏ ଉଦାହରଣ । ଅଢେଇ ବର୍ଷରେ ଓଡ଼ିଆ ଅସ୍ମିତାକୁ କେତେ ବିଜେପି ସରକାର ବଞ୍ଚାଇଛନ୍ତି ତାହା କୋଟିଆ ପ୍ରସଙ୍ଗରେ ସ୍ପଷ୍ଟ ବୋଲି ବିଜେଡି କହିଛି ।
କୋଟିଆରେ ଆନ୍ଧ୍ର ନିର୍ବାଚନ କରୁଥିବା ବେଳେ ଓଡିଶା ସରକାର ନିରବଦଷ୍ଟା ସାଜିବାକୁ ନେଇ ବର୍ଷିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । କ୍ଷମତା ପାଇଁ ବିଜେପି ମାଟିକୁ ବିକ୍ରି କରିଦେଲା ବୋଲି କଂଗ୍ରେସ କହିଛି । ଯେଉଁ ସରକାର ନିଜ ମାଟିକୁ ବଞ୍ଚାଇପାରୁନାହିଁ ସେ ଓଡିଶାବାସୀଙ୍କ ପାଇଁ କଣ କରିବ । ବିଜେପି ସରକାର ରାଜ୍ୟରେ ରବର ଷ୍ଟାମ୍ପ ହୋଇ ଚାଲିଛି ବୋଲି କଂଗ୍ରେସ କହିଛି । ରାଜସ୍ବ ମନ୍ତ୍ରୀ ଓ ଆଇନ ମନ୍ତ୍ରୀ କାହିଁକି ତୁରନ୍ତ କୋଟିଆ ଯାଉନାହାନ୍ତି। ନବୀନ ପଟ୍ଟନାୟକ ଯାହା କହିଛନ୍ତି ଠିକ କହିଛନ୍ତି । ଟିଡିପି ଯଦି ବିଜେପି ଠାରୁ ସମର୍ଥନ କାଢିନେବ ତେବେ ବିଜେପି ସରକାର କେନ୍ଦ୍ରରେ ଭାଙ୍ଗିଯିବ ବୋଲି କହିଛନ୍ତି କଂଗ୍ରେସ । ସେପଟେ ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସର ଅଭିଯୋଗ ଉପରେ ଜବାବ ରଖିଛି ଶାସକ ଦଳ ।
କୋଟିଆରେ ଥିବା ଖଣି ସମ୍ପଦ ଉପରେ ଆନ୍ଧ୍ର ସରକାର ଆଖି ପଡିଛି । ଆନ୍ଧ୍ର ଓଡ଼ିଶାରେ ଅନୁପ୍ରବେଶ କରୁଛି । ଓଡିଶା ସରକାରଙ୍କ ଅସମ୍ଭବ ନିରବତା ନେଇ ପୂରା ଓଡିଶାରେ ଉଠିଛି ପ୍ରତିବାଦର ସ୍ବର। ବିଜେପିକୁ ବିରୋଧୀଙ୍କ ପ୍ରଶ୍ନ, ଓଡ଼ିଆ ଅସ୍ମିତା କଣ ନିଜ ମାଟି ଅନ୍ୟ ରାଜ୍ୟକୁ ଟେକିଦେବା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।