ମୁମ୍ବାଇରେ ଭାରତ-ଆମେରିକା ବୈଠକ, ଜୟଶଙ୍କର-ରୁବିଓ ଆଲୋଚନା
ନନ୍ଦିଘୋଷ ବ୍ୟୁରୋ : ଆଜି ମୁମ୍ଵାଇରେ ଆମେରିକା ଓ ଭାରତ ମଧ୍ୟରେ ଏକ ବଡ଼ ବୈଠକ ହେବ। ଦୁଇ ଦେଶର ବୈଦେଶିକ ମନ୍ତ୍ରୀସ୍ତରୀୟ ଆଲୋଚନା ହେବ। ମୁକ୍ତ ବାଣିଜ୍ୟ ଚୁକ୍ତି ନେଇ ଏସ୍ ଜୟଶଙ୍କର ଓ ମାର୍କୋ ରୁବିଓଙ୍କ ମଧ୍ୟରେ ହେବ ଆଲୋଚନା। ତା ପୂର୍ବରୁ ମାର୍କୋ ରୁବିଓ କହିଛନ୍ତି, ବାଣିଜ୍ୟ ଚୁକ୍ତି ଚୂଡ଼ାନ୍ତ ଖୁବ ନିକଟତର। ରୁଷିଆର ତେଲ ଉପରେ କଟକଣା, ବିଶ୍ୱକୁ ଶକ୍ତି ଯୋଗାଣ, ତେଲ ଦାମ୍ ଓ ଏବଂ ଜାତୀୟ ସୁରକ୍ଷା ସମ୍ପର୍କିତ ବିଭିନ୍ନ ଦିଗକୁ ଆମେରିକା ବିଚାରକୁ ନେଉଥିବା ସେ କହିଛନ୍ତି। ରୁଷିଆର ତେଲ ଉପରେ କଟକଣାକୁ କିଛି ମାତ୍ରାରେ କୋହଳ କରିଛି ଆମେରିକା। ଏହାକୁ ନେଇ ମାର୍କୋ କହିଛନ୍ତି, ବିଶ୍ୱସ୍ତରରେ ଶକ୍ତି ଯୋଗାଣ ଓ ଦାମ ବୃଦ୍ଧି ଉପରେ ଏହାର ପ୍ରଭାବକୁ ଦେଖିବାକୁ ପଡୁଛି। ରୁବିଓଙ୍କ ଅନୁଯାୟୀ, ଜାତୀୟ ସୁରକ୍ଷା ସମ୍ପର୍କିତ ନିଷ୍ପତ୍ତି ନେବାବେଳେ ଆମେରିକା ବିଭିନ୍ନ ଦିଗକୁ ବିଚାର କରିଥାଏ। କେତେକ ଦେଶ ପାଇଁ ବିକଳ୍ପ ଉତ୍ସରୁ ଶକ୍ତି ହାସଲ କରିବା କଷ୍ଟକର ହୋଇଥିବାରୁ ଭୌଗୋଳିକ ପରିସ୍ଥିତିକୁ ମଧ୍ୟ ଗୁରୁତ୍ୱ ଦିଆଯାଏ। ଏହି ପରିସ୍ଥିତିରେ ବିଦେଶ ନୀତିରେ ଏକ ବାହାନା ଭାବେ ନୁହେଁ, ବରଂ ଅନ୍ୟାନ୍ୟ ଦିଗ ସହ ସନ୍ତୁଳନ ରଖି ବିଚାର କରିବା ଆବଶ୍ୟକ ବୋଲି ସେ କହିଛନ୍ତି। ଭାରତ ସହ ଚାଲିଥିବା ବାଣିଜ୍ୟ ଆଲୋଚନାକୁ ମଧ୍ୟ ଏହି ବ୍ୟାପକ ବିଚାର ସହ ଯୋଡ଼ିଛନ୍ତି ରୁବିଓ।
ଭାରତ ଓ ଆମେରିକା ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବା ପାଇଁ ଆଲୋଚନା ଜାରି ରହିଛି। କିଛି ଦିନ ତଳେ ଭାରତର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ କହିଥିଲେ ଯେ, ଭାରତ-ଆମେରିକା ବାଣିଜ୍ୟ ଚୁକ୍ତିର ପ୍ରଥମ ପର୍ଯ୍ୟାୟ ଚୂଡ଼ାନ୍ତ ହୋଇଛି ଏବଂ ବର୍ତ୍ତମାନ ଏହାର ଆଇନଗତ ଦସ୍ତାବିଜ ପ୍ରସ୍ତୁତି ଚାଲିଛି। ଗତ ଫେବୃଆରୀରେ ଉଭୟ ଦେଶ ଏକ ଅନ୍ତରୀଣ ବାଣିଜ୍ୟ ଚୁକ୍ତି ପାଇଁ ପ୍ରାରମ୍ଭିକ ଘୋଷଣା କରିଥିଲେ। କିନ୍ତୁ ଦୀର୍ଘ ଆଲୋଚନା ଯୋଗୁଁ ଏହା ଏଯାଏଁ କାର୍ଯ୍ୟକାରୀ ହୋଇପାରିନାହିଁ। ବାଣିଜ୍ୟ ଚୁକ୍ତିକୁ ଛାଡ଼ି ଜୟଶଙ୍କର ଓ ରୁବିଓଙ୍କ ମଧ୍ଯରେ ଶକ୍ତି, ବାଣିଜ୍ୟ ଓ ପ୍ରତିରକ୍ଷା ଉପରେ ଆଲୋଚନା ବି ହେବ। ଉଭୟ ଦେଶ ବାଣିଜ୍ୟ ଆଲୋଚନାକୁ ଆଗକୁ ବଢ଼ାଇବା ସହ ଦ୍ୱିପାକ୍ଷିକ ସମ୍ପର୍କର ଅନ୍ୟାନ୍ୟ କ୍ଷେତ୍ରରେ ସହଯୋଗକୁ ଅଧିକ ମଜବୁତ କରିବାକୁ ଉଦ୍ୟମ କରୁଛନ୍ତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।