ଖାଦ୍ୟରେ ଅପମିଶ୍ରଣ, ମାନବସମ୍ବଳ ଅଭାବରେ ଯାଞ୍ଚ ବ୍ୟବସ୍ଥା ଦୁର୍ବଳ
ନନ୍ଦିଘୋଷ ବ୍ୟୁରୋ : ଖାଦ୍ୟରେ ବିଷ, ସବୁଥିରେ ଅପମିଶ୍ରଣ। କେଉଁଟା ଅସଲି, କେଉଁଟା ନକଲି ଜାଣିବା କଷ୍ଟ। ଅପମିଶ୍ରଣ ରୋକିବାରେ ଖାଦ୍ୟ ନିରାପତ୍ତା ବିଭାଗର କାର୍ଯ୍ୟାନୁଷ୍ଠାନ ଯଥେଷ୍ଟ ହୋଇପାରୁନଥିବା ବେଳେ ମାନବସମ୍ବଳ ଅଭାବକୁ ଦାୟୀ କରିଛି ବିଭାଗ। ଗଞ୍ଜାମ ଜିଲ୍ଲାରେ ଖାଦ୍ୟ ସୁରକ୍ଷା ଦାୟିତ୍ୱକୁ ଦୁଇଟି ଡିଭିଜନରେ ବିଭକ୍ତ କରାଯାଇଛି। ବିଭିନ୍ନ ବ୍ଲକରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଖାଦ୍ୟ ନିରାପତ୍ତା ବିଭାଗ କାର୍ଯ୍ୟ କରୁଥିବା ବେଳେ ବ୍ରହ୍ମପୁର ପାଇଁ ବିଏମ୍ସିର ଖାଦ୍ୟ ନିରାପତ୍ତା ବିଭାଗ ଯାଞ୍ଚ ଦାୟିତ୍ୱ ତୁଲାଉଛି। ଉପଖଣ୍ଡ ଅନୁଯାୟୀ ଖାଦ୍ୟ ନିରାପତ୍ତା ଅଧିକାରୀ ନିୟୋଜିତ ହୋଇଛନ୍ତି। ଭଞ୍ଜନଗରରେ ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀ ଥିବା ବେଳେ ଗଞ୍ଜାମର ଅଧିକାରୀଙ୍କୁ ଛତ୍ରପୁରର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏହାସହ ଅନ୍ୟ ୩ ଜଣ ଏମ୍ଟିଏସ୍ ନିୟୋଜିତ ଅଛନ୍ତି। ଅର୍ଥାତ୍ ମାତ୍ର ୫ ଜଣଙ୍କୁ ନେଇ ସାରା ଜିଲ୍ଲାରେ ଯାଞ୍ଚ ଅଭିଯାନ ଚାଲୁଥିବାରୁ ଅପମିଶ୍ରଣ ରୋକିବା କେତେ କଷ୍ଟକର, ତାହା ସ୍ପଷ୍ଟ ହେଉଛି। ଗତ ପ୍ରାୟ ୧୫ ଦିନ ଧରି ଜିଲ୍ଲାରେ ଚାଲିଥିବା ଧରପଗଡ଼ ଅଭିଯାନରେ ୩୦ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ୨୦୦ କିଲୋରୁ ଅଧିକ ଖାଦ୍ୟ ନଷ୍ଟ କରାଯାଇଛି। କିଛି ଖାଦ୍ୟ ନମୁନା ସଂଗ୍ରହ କରି ଲ୍ୟାବ୍କୁ ପଠାଯାଇଛି। ଚଢ଼ଉ ସମୟରେ ଭେଜାଲ୍ ପନିର୍ ମଧ୍ୟ ଜବତ ହୋଇଛି। ଏହି ପନିର୍ ଆଙ୍କୁଶପୁର, କନିଷି, ମାଣିକପୁର ଓ କୁକୁଡ଼ାଖଣ୍ଡି ଭଳି ଅଞ୍ଚଳରୁ ଆସୁଥିବା ଜଣାପଡ଼ିଛି। ତେବେ ମାନବସମ୍ବଳ ଓ ସମନ୍ୱୟର ଅଭାବ ଯୋଗୁଁ ଧରପଗଡ଼ ଅଭିଯାନ ଆଶାନୁରୂପ ସଫଳ ହୋଇପାରୁନାହିଁ।
ସେହିପରି ବ୍ରହ୍ମପୁର ମହାନଗର ନିଗମର ଖାଦ୍ୟ ନିରାପତ୍ତା ଟିମ୍ରେ ଜଣେ ଖାଦ୍ୟ ନିରାପତ୍ତା ଅଧିକାରୀଙ୍କ ସମେତ ମୋଟ ୩ ଜଣ ଅଧିକାରୀ ରହିଛନ୍ତି। ସେମାନେ ସହରରେ ଖାଦ୍ୟ ସୁରକ୍ଷା ଯାଞ୍ଚ କରୁଛନ୍ତି। ଏଯାଏଁ ସହରର ୧୦୦ରୁ ଅଧିକ ଦୋକାନରେ ଚଢ଼ଉ କରାଯାଇ ୬୦୦ କିଲୋରୁ ଅଧିକ ପନିର୍ ନଷ୍ଟ କରାଯାଇଛି। ୧୯ଟି ଦୋକାନକୁ ନୋଟିସ୍ ଜାରି କରାଯିବା ସହ ମୋଟ ୫୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଛି। ତେବେ ବିଭାଗର କାର୍ଯ୍ୟାନୁଷ୍ଠାନ କେବଳ ଚଢ଼ଉ, ଖାଦ୍ୟ ନଷ୍ଟ ଓ ନୋଟିସ୍ ଜାରି ମଧ୍ୟରେ ସୀମିତ ରହିଥିବା ଅଭିଯୋଗ ହେଉଛି। ଖାଦ୍ୟ ଅପମିଶ୍ରଣର ମୂଳୋତ୍ପାଟନ ପାଇଁ ପ୍ରଶାସନ ଓ ସମ୍ପୃକ୍ତ ବିଭାଗ ପକ୍ଷରୁ ଅଧିକ କଡ଼ା ପଦକ୍ଷେପ ସହ ଆବଶ୍ୟକ ମାନବସମ୍ବଳ ପୂରଣ କରିବା ଦିଗରେ ପଦକ୍ଷେପ ନେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।