ଜେନ୍-ଜି ଭାେଟରଙ୍କ ଉପରେ ନଜର: କ୍ୟାମ୍ପସରେ ରାଜନୈତିକ ଉଷ୍ମତା

Oct 12, 2026 - 19:47
ଜେନ୍-ଜି ଭାେଟରଙ୍କ ଉପରେ ନଜର: କ୍ୟାମ୍ପସରେ ରାଜନୈତିକ ଉଷ୍ମତା

ଭୁବନେଶ୍ୱର: ରାଜ୍ୟର ଅଧିକାଂଶ କଲେଜରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା ବେଳେ, ଯେଉଁଠି ନିର୍ବାଚନ ହେଉଛି ସେଠି ହିଂସାକାଣ୍ଡ ଦେଖିବାକୁ ମିଳୁଛି। ଏହି ସବୁ ଭିତରେ ଛାତ୍ର ସଂସଦ ନିର୍ବାଚନରେ କାହାକୁ ମିଳିବ ଫାଇଦା, ତାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି। ‘ଜେନ୍-ଜି’ ବା ଯୁବ ବର୍ଗଙ୍କ ଭୋଟ୍ କାହା ସପକ୍ଷରେ ରହିବ, ତାକୁ ନେଇ ଭବିଷ୍ୟତବାଣୀ ଆରମ୍ଭ ହୋଇଯାଇଛି।

ବିଜୁ ଜନତା ଦଳ କହିଛି ଯେ, ଜେନ୍-ଜି ମାନେ ଦେଶର ଭବିଷ୍ୟତ ଗଢ଼ିବେ। କଣ ଠିକ୍ ଏବଂ କଣ ଭୁଲ୍ ସେସବୁ ସେମାନେ ଭଲ ଭାବରେ ଜାଣୁଛନ୍ତି। ବିଜେଡି ସବୁବେଳେ ଛାତ୍ରଛାତ୍ରୀଙ୍କ ସ୍ୱର ହୋଇଛି ଏବଂ ଆଗକୁ ମଧ୍ୟ ରହିବ। ଏହି ପ୍ରସଙ୍ଗରେ ବିଜେଡି ଉପସଭାପତି ଚିରଞ୍ଜୀବ ବିଶ୍ୱାଳ କହିଛନ୍ତି ଯେ, ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନରେ ଏହି ଯୁବ ବର୍ଗ ବା ଜେନ୍-ଜି ମାନେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ।

ସେପଟେ ଛାତ୍ର ସଂସଦ ନିର୍ବାଚନକୁ ନେଇ ଶାସକ ଦଳକୁ କଡ଼ା ସମାଲୋଚନା କରିଛି କଂଗ୍ରେସ। କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଅରବିନ୍ଦ ଦାସ ଅଭିଯୋଗ କରିଛନ୍ତି ଯେ, ସରକାର ଏବେ ବ୍ୟାକ୍‌ଫୁଟ୍‌ରେ ଥିବାରୁ ବିଭିନ୍ନ ଫନ୍ଦି-ଫିକର କରି ଛାତ୍ର ସଂସଦ ନିର୍ବାଚନ ଜିତିବାକୁ ପ୍ରୟାସ କରୁଛନ୍ତି। ଏହାସହ ବିଜେପି ଶାସନରେ କୌଣସି କାର୍ଯ୍ୟ ଶୃଙ୍ଖଳାର ସହ ହୋଇପାରୁ ନାହିଁ ବୋଲି ସେ ଦାବି କରିଛନ୍ତି।

ଅନ୍ୟପଟେ କଂଗ୍ରେସର ଅଭିଯୋଗର ଜବାବ ଦେଇଛି ବିଜେପି। ବିଜେପି ବିଧାୟକ ଅଶୋକ ମହାନ୍ତି କହିଛନ୍ତି ଯେ, କ୍ୟାମ୍ପସରେ ଘଟୁଥିବା ହିଂସାକୁ ସରକାର କେବେବି ଗ୍ରହଣ କରିବେ ନାହିଁ ଏବଂ ଶୃଙ୍ଖଳା ରକ୍ଷା ପାଇଁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି।

ଏହି ସମ୍ପୂର୍ଣ୍ଣ ପ୍ରସଙ୍ଗରେ ବିଜେଡି ସଂସଦୀୟ ଦଳ ନେତା ମାନସ ମଙ୍ଗରାଜ ସୋସିଆଲ ମିଡିଆରେ ପୋଷ୍ଟ୍ କରି କହିଛନ୍ତି ଯେ, କଲେଜ କ୍ୟାମ୍ପସଗୁଡ଼ିକରେ ନିର୍ବାଚନ ପ୍ରକ୍ରିୟା ଚାଲିଛି। ତେଣୁ ରାଜ୍ୟ ସରକାର ଶାନ୍ତିପୂର୍ଣ୍ଣ, ସ୍ୱଚ୍ଛ ଓ ହିଂସାମୁକ୍ତ ନିର୍ବାଚନ କରାଇବା ପାଇଁ ଉପଯୁକ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ସୁନିଶ୍ଚିତ କରିବା ଦରକାର।

ଆଗାମୀ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ, ଏହାର ଫଳାଫଳକୁ ନେଇ ନିଜର ରାଜନୈତିକ ଶକ୍ତି ପ୍ରଦର୍ଶନ କରିବାକୁ ଉଭୟ ଶାସକ ଓ ବିରୋଧୀ ଦଳ ଚେଷ୍ଟା କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।