ଛାତ୍ର ସଂସଦ ନିର୍ବାଚନ: ସରକାରଙ୍କୁ ଏକ୍ସପୋଜ୍ କଲା ବିଜେଡି !

Oct 12, 2026 - 17:39
ଛାତ୍ର ସଂସଦ ନିର୍ବାଚନ: ସରକାରଙ୍କୁ ଏକ୍ସପୋଜ୍ କଲା ବିଜେଡି !

ନନ୍ଦିଘୋଷ ବ୍ୟୁରୋ: ଛାତ୍ର ସଂସଦ ନିର୍ବାଚନକୁ ନେଇ ଏବେ ମୁଣ୍ଡ ଟେକିଛି ବିବାଦ । ନିର୍ବାଚନ ତାରିଖ ଘୋଷଣା ହେବା ପରଠାରୁ ଗୋଟେ ପରେ ଗୋଟେ କଲେଜର ବିଶୃଙ୍ଖଳାର ଖବର ସାମ୍ନାକୁ ଆସୁଛି ।  ଯେଉଁଠି ବିସିଜେଡି ଛାତ୍ରଙ୍କର ବିଜୟ ସୁନିଶ୍ଚିତ ବୋଲି ଜଣାପଡୁଛି, ସେଠାରେ ଉଦ୍ଦେଶ୍ୟମୂଳକ ଭାବେ ନିର୍ବାଚନକୁ ବନ୍ଦ କରି ଦିଆଯାଉଛି  । ଆଉ ଏବେ ଏହାକୁ ନେଇ ସରକାରଙ୍କ ଉପରେ ବର୍ଷିଛି ବିଜେଡି ।

ଦୁଇବର୍ଷ ପ୍ରସ୍ତୁତି ପରେ ବି ସରକାର ଛାତ୍ର ସଂସଦ ନିର୍ବାଚନ କରିପାରୁ ନଥିଲେ । ପ୍ରଶ୍ନ ଉଠିବାପରେ ହଠାତ କି ପ୍ରସ୍ତୁତି ଆସିଲା ଯେ, ନିର୍ବାଚନ ହେଉଛି । ରମାଦେବୀ ମହାବିଦ୍ୟାଳୟର ଆସୋସିଏଟ ପ୍ରଫେସର ଡକ୍ଟର ସଂଜୟ ରାଉଳ ନିର୍ବାଚନରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ କେଳେଙ୍କାରୀ କରିଥିବା ଅଭିଯୋଗ କରିଛନ୍ତି ଛାତ୍ର ବିଜେଡି ସଭାପତି ଇପ୍ସିତା ସାହୁ । ଯାହାର ଫୋନ ଅଡିଓ ରେକର୍ଡ଼ିଂ ଏବେ ଭାଇରାଲ ହେଉଛି । ଇପ୍ସିତା ସାହୁ କହିଛନ୍ତି,  ମହିଳାଙ୍କୁ ସୁରକ୍ଷା ଦେଇ ପାରୁ ନାହାନ୍ତି ସରକାର । ହେଲେ ନିଜ ଇମେଜ୍ ବଞ୍ଚାଇବାକୁ ରମାଦେବୀ ଜିତିବାକୁ ଚାହୁଁଛନ୍ତି । ଲିଙ୍ଗଡୋ କମିସନ କୁଆଡେ ଗଲା ? ମୁଖ୍ୟମନ୍ତ୍ରୀ ବାରମ୍ବାର ରମାଦେବୀ ପରି ଅନେକ କଲେଜକୁ ଫୋନ କରୁଛନ୍ତି । ଏବିଭିପିକୁ ଜିତାଇବାକୁ ପ୍ରଶାସନ ଓ ସରକାରୀ କଳ ବ୍ୟବହାର ହେଉଛି ।

ତେବେ କେବଳ ରମାଦେବୀ ନୁହେଁ ବରଂ ନୟାଗଡରେ ବି ସମାନ ପରିସ୍ଥିତି ।  ନୟାଗଡ଼ କଲେଜରେ ନାମାଙ୍କନ ଦାଖଲ ସରିଥିଲା । ହେଲେ ନିର୍ବାଚନ ବନ୍ଦ କରିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଆସିଲା । ସବୁ ୧୯ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ଜିତିଗଲେ ।  ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟରେ whatsaap ଗ୍ରୁପରେ ପ୍ରଫେସରମାନେ ଏବିଭିପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଛନ୍ତି । ସେହିପରି FM କଲେଜରେ ବିଧାୟକ କେମିତି ପ୍ରଚାର କଲେ ? ଗତକାଲି ହଠାତ ପିପିଲିରେ ଏବିଭିପି ପ୍ରାର୍ଥୀକୁ ବିଜେପି ଯୁବ ମୋର୍ଚ୍ଚା ହଇଜାକ କରି ନେଇଥିଲେ । ସେ ପ୍ରାର୍ଥୀ ବିଜେବି କଲେଜରେ ନାମାଙ୍କନ କରିଛନ୍ତି । ଏହା କିପରି ଛାତ୍ର ସଂସଦ ନିର୍ବାଚନ ବୋଲି ପ୍ରଶ୍ନ କରିଛନ୍ତି ଛାତ୍ର ବିଜେଡି ସଭାପତି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।