ଠିକାଦାରୀ ଲାଇସେନସ ନକଲି । କାମ ପାଇଥିଲେ ଅସଲି,ଶାଳକ ନାଁରେ ଲାଇସେନସ
ନନ୍ଦିଘୋଷ ବ୍ୟୁରୋ : ଠିକାଦାରୀ ଲାଇସେନସ ନକଲି…କାମ ପାଇଥିଲେ ଅସଲି…ଶାଳକ ନାଁରେ ଲାଇସେନସ…ନବୀକରଣ ହୋଇନଥିବା ଲାଇସେନସକୁ ଜାଲ କରି ଭିଣୋଇ ହାତେଇଥିଲେ ବଲାଙ୍ଗୀର ଲୋୟର ସୁକତେଲ କଲୋନୀ ନିର୍ମାଣ କାମ…ଏବେ କଥା ଧରାପଡ଼ିବା ପରେ ତରବରିଆ ଭାବେ ଟେଣ୍ଡରକୁ ବାତିଲ କରି ସରକାର ସମ୍ପୃକ୍ତ ଠିକା ସଂସ୍ଥାକୁ କଳାତାଲିକାଭୁକ୍ତ କରିଛନ୍ତି।…ଅଭିଷେକ କେଡ଼ିଆଙ୍କ ନାମରେ ଠିକାଦାରୀ ଲାଇସେନସ। ହେଲେ ଲାଇସେନସ ଅବଧି ସରିଯାଇଛି। ଚଞ୍ଚକତା କରି ଅବୈଧ ଲାଇସେନସରେ ଟେଣ୍ଡର ପକାଇଥିଲେ ଅଭିଷେକଙ୍କ ଭିଣୋଇ ସୌରଭ ଅଗ୍ରୱାଲ। ଗତ ମେ ୩୦ ତାରିଖରେ ରାଜ୍ଯ ସରକାର କପିଲବାହାଲରେ ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ପ୍ରଭାବିତ କୁମିଆପାଲି ଗ୍ରାମବାସୀଙ୍କ ପାଇଁ କଲୋନି ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ କରିଥିଲେ। ଜିଲ୍ଲା ଠିକାଦାରୀ ସଂଘର ସଂକଳ୍ପକୁ ଉଲଂଘନ କରି ଅଭିଷେକଙ୍କ ଭିଣୋଇ ଅତି କମ ଦରରେ ଟେଣ୍ଡର ପକାଇଲେ। ଆଉ ଟେଣ୍ଡର ପାଇବାଲେ ସଫଳ ହେଲେ। ଏ ନେଇ ଜିଲ୍ଲା ଠିକାଦାରୀ ସଂଘ ପକ୍ଷରୁ ଅଭିଯୋଗ ହେବାରୁ ଅଭିଷେକଙ୍କ ଲାଇସେନସ ଜାଲ ହୋଇଥିବା ଜଣାପଡ଼ିଥିଲା। ପରେ ଲୋୟର ସୁକତେଲ ମୁଖ୍ଯ ନିର୍ମାଣ ଯନ୍ତ୍ରୀ ନକଲି ଲାଇସେନସରେ ଠିକା ହାତେଇଥିବା ଠିକାଦାରଙ୍କ ବିରୋଧ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛନ୍ତି। ଅନ୍ଯପଟେ ଠିକାଦାର ସଂଘ ଅଭିଯୋଗ କରିଛି ଲାଇସେନସ ରଖିଥିବା ଠିକାଦାର ଅଭିଷେକ କେଡ଼ିଆ ଏକ ଆଇଟି କମ୍ପାନିରେ ଚାକିରି କରୁଛନ୍ତି।…
ଲାଇସେନସ ଜାଲିଆତି ଘଟଣାରେ ସମ୍ପୃକ୍ତ ଠକାଦାରୀ ସଂସ୍ଥାକୁ ୩ବର୍ଷ ପାଇଁ କଳାତାଲିକୁ ଭୁକ୍ତ କରାଯାଇଛି। ଏ ନେଇ ଥାନାରେ ଏତଲା ଦିଆଯିବ ବୋଲି ସୂଚନା ଦେଇଛନ୍ତି ମୁଖ୍ଯ ନିର୍ମାଣ ଯନ୍ତ୍ରୀ। ଏହି ଅଭିଯୋଗକୁ ନନ୍ଦିଘୋଷ ଟିଭି ପକ୍ଷରୁ ଫୋନଯୋଗେ ଅଭିଷେକ କେଡ଼ିଆଙ୍କୁ ଯୋଗାଯୋଗ କରାଯାଇଥିଲା। ଅଭିଷେକଙ୍କ କହିବା କଥା ସେ ତାଙ୍କ ଲାଇସେନସ ଫର୍ମ ପୂରଣ କଲାବେଳେ କିଛି ତ୍ରୁଟି ଥିଲା। ପରବର୍ତ୍ତୀ ଅବସ୍ଥାରେ ସେ ତାକୁ ସଂଶୋଧନ କରି ଆବେଦନ କରିଥିଲେ। ତାଙ୍କ ପାଖରେ ଏବେ ବୈଧ ଲାଇସେନସ ଥିବା କହିଛନ୍ତି। ଏଠି ପ୍ରଶ୍ନ ଉଠୁଛି ସମ୍ପୃକ୍ତ ଟେଣ୍ଡର ପାଇବା ବେଳେ ଅଭିଷେକଙ୍କ ଲାଇସେନସ ବୈଥ ଥିଲା କି ନାହିଁ। ଯଦି ନଥିଲା, ଶାଳକ ନାଁରେ ଥିବା ଲାଇସେନସ ବଳରେ ଭିଣୋଇ ସରକାରୀ ଟେଣ୍ଡର ପାଇଲେ କେମିତି? ଲାଇସେନସ ବୈଧ ନଥିଲା ବୋଲି ସର୍ବୋଚ୍ଚ ଯନ୍ତ୍ରୀ ଯାଞ୍ଚ କରିଥିଲେ। ଯାଞ୍ଚ ପରେ ଅଭିଷେକଙ୍କୁ ଚଳିତ ମାସ ୮ ତାରିଖରେ କଳାତାଲିକାଭୁକ୍ତ କରାଯାଇଥିବା ମୁଖ୍ଯ ନିର୍ମାଣ ଯନ୍ତ୍ରୀ ସ୍ପଷ୍ଟ କରିଛନ୍ତି।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।