ବିଜୟା ଦଶମୀରେ ନିଆରା ବଳଦ ଯାତ୍ରା

Oct 21, 2026 - 17:35
ବିଜୟା ଦଶମୀରେ ନିଆରା ବଳଦ ଯାତ୍ରା

ଆନନ୍ଦପୁର: ବିଜୟା ଦଶମୀରେ ନିଆରା ବଳଦ ଯାତ୍ରା। କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ କେଶଦୁରାପାଳ ଗାଁରେ ବେଶ ଧୂମଧାମରେ ପାଳିତ ହୋଇଛି। ବଳଦଙ୍କୁ ସଜାଯାଇ ଶୋଭାଯାତ୍ରାରେ ବିଭିନ୍ନ ଗାଁ ପରିକ୍ରମା କରି କେଶଦୁରାପାଳ ବାଲିଯାତ୍ରା ପଡ଼ିଆକୁ ନିଆଯାଇଥାଏ । ସେଠାରେ ବିଭିନ୍ନ ଗାଁରୁ ଆସିଥିବା ବଳଦ ମାନଙ୍କ ମଧ୍ୟରେ ସୁନ୍ଦର ପ୍ରତିଯୋଗିତା ହୋଇଥାଏ। ଏହି ପ୍ରତିଯୋଗିତାରେ ଭାଗ ନେବା ପାଇଁ ବଳଦଙ୍କୁ ସକାଳୁ ଗାଧୋଇ ସୁନ୍ଦର ଭାବରେ ସଜାଯାଇ ବାହାର କରାଯାଏ ।ପିଠିରେ କୁଟା ଏବଂ ଝୋଟ ଅଖାରେ  ତିଆରି ଗାଣ୍ଡୁଆ ତା ଉପରେ ସୁସଜିତ ପଲ୍ହାଣ ପକାଯାଏ। ଦେହରେ ଘଣ୍ଟ ଏବଂ  ଘୁଙ୍ଗୁର ବାନ୍ଧି ଶିଙ୍ଗରେ ମୟୂର ପୁଛ, ମୁହଁରେ ମୁହଁଖାର ଆଦି ଲଗା ଯାଏ। ଗାଁ ମଝିରେ ପୂଜା କରାଯାଇ ବାଜା ବଜାଇ ବିଭିନ୍ନ ଗ୍ରାମ ପରିକ୍ରମା କରାଯାଏ।

କାହିଁ କେଉଁ ଆଦିମ କାଳରୁ ଏଠାରେ ବଳଦ ଶୋଭାଯାତ୍ରା ହୋଇଆସୁଛି । ସାଧାରଣତଃ ବଳଦ ମାନେ ଚାଷ କାର୍ଯ୍ୟ ଓ ବେପାର ବଣିଜରେ ସାହାଯ୍ୟ କରିଥାନ୍ତି । ତେଣୁ ବିଜୟା ଦଶମୀ ଦିନରୁ ଗ୍ରାମବାସୀ ବେପାରର ଶୁଭ ଆରମ୍ଭ କରିଥାନ୍ତି ।ଏହା ପୂର୍ବରୁ ବଳଦ ମାନଙ୍କୁ ସଜାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା ସହ ରାବଣ ପୋଡି ଉତ୍ସବ ଅନୁଷ୍ଠିତ ହୋଇଥିଲା। ଏହି ବଳଦ ଶୋଭାଯାତ୍ରାରେ କେଶଦୁରାପାଳର ବିଭିନ୍ନ ସାହି ସମେତ ମଙ୍ଗଳପୁର ଗାଁରୁ ବଳଦ ଯୋଗଦେଇଥିଲେ। ଯାହାକୁ ଦେଖିବାକୁ ଲୋକଙ୍କ ଭିଡ଼ ଜମିଥିଲା।

ବିଶ୍ବାସ ରହିଛି, ଏହି ବଳଦ ଶୋଭାଯାତ୍ରା ଦ୍ଵାରା ମା ମଙ୍ଗଳା ଖୁସି ହୁଅନ୍ତି । ବେପାର ବଣିଜ ଭଲ ହେବା ସହ ଚାଷବାଷ ଭଲ ହୋଇଥାଏ ।….

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।