ବୈଧ ଅଗ୍ନିଶମ ଲାଇସେନ୍ସ ନଥିଲେ ମିଳିବ ଦଣ୍ଡ !

Oct 16, 2026 - 18:50
ବୈଧ ଅଗ୍ନିଶମ ଲାଇସେନ୍ସ ନଥିଲେ ମିଳିବ ଦଣ୍ଡ !

ନନ୍ଦିଘୋଷ ବ୍ୟୁରୋ: ବିନା ଫାୟାର ସେଫ୍ଟି ଲାଇସେନ୍ସରେ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଇବା ଏଥର ପଡିବ ମହଙ୍ଗା । ବୈଧ ଅଗ୍ନିଶମ ଲାଇସେନ୍ସ ନଥିଲେ କାର୍ଯ୍ୟାନୁଷ୍ଠାନ । ୪ ହଜାର ୬ ଶହ ୫ ପ୍ରତିଷ୍ଠାନରେ କଡ଼ାକଡ଼ି ଯାଞ୍ଚ । ଖିଲାପି ୩ ହଜାର ୪ ଶହ ୪ ସଂସ୍ଥାକୁ ନୋଟିସ । ୨ଶହ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଓଡିଶାକୁ ୨୦୩୬ ସୁଦ୍ଧା ବିକଶିତ ତଥା ସମୃଦ୍ଧ ରାଜ୍ୟରେ ପରିଣତ ପାଇଁ ସୁରକ୍ଷିତ ଓଡିଶା, ବିକଶିତ ଓଡିଶା ନାଁ ରେ ଚାଲିଥିଲା ଅଭିଯାନ । ସେହି ଅଧୀନରେ ରାଜ୍ୟର ବିଭିନ୍ନ ଆବାସିକ ପ୍ରତିଷ୍ଠାନ, ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବ୍ୟବସାୟିକ ହବ୍ ଓ ଶିଳ୍ପାଞ୍ଚଳରେ ହୋଇଛି କଡାକଡି ଯାଞ୍ଚ । ବଢୁଥିବା ସହରିକରଣ ସହିତ ଉଚ୍ଚ ଅଟ୍ଟାଳିକାରେ ଜନସାଧାରଣଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଇଛି । ବୈଧ ଲାଇସେନ୍ସ, ଅଗ୍ନି ସୁରକ୍ଷା ନିୟମ, ଆବଶ୍ୟକୀୟ ମାନଦଣ୍ଡର ଯାଞ୍ଚ କରାଯାଇଛି । ଅନୁମୋଦିତ ସ୍ୱତନ୍ତ୍ର ନକ୍ସାର ବ୍ୟତିକ୍ରମ କରିଥିବା ୨ ଶହ ପ୍ରତିଷ୍ଠାନକୁ ନୋଟିସ ସହ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଛି । ଲାଇସେନ୍ସ ଆବଶ୍ୟକ କରୁଥିବା ସମସ୍ତ ପ୍ରତିଷ୍ଠାନର ଏକ ନିର୍ଭରଯୋଗ୍ୟ ଡାଟା ବେସ୍ ପ୍ରସ୍ତୁତ କରାଯାଇଛି । ଜରୁରୀକାଳୀନ ପରିସ୍ଥିତିରେ ଉଦ୍ଧାର କାର୍ଯ୍ୟକୁ ତ୍ୱରିତ କରିବା ପାଇଁ ଥ୍ରୀଡି ମ୍ୟାପ ଡାଟାବେସ୍ ପ୍ରସ୍ତୁତ କରାଯାଇଛି ।

ଅଗ୍ନିଶମ ବିଭାଗ ପକ୍ଷରୁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ ଖୋଲାଯାଇଛି । ଫାୟାର ସେଫ୍ଟି ସାର୍ଟିଫିକେଟ, ସୁପାରିଶ କିମ୍ବା ଏନଓସି ପାଇଁ 9237046977 ରେ ସାଧାରଣ ଲୋକେ ଏସଏମଏସ୍ କରିପାରିବେ । ସେପଟେ ଆଗାମୀ ଦୁର୍ଗାପୂଜା ଓ ଦଶହରାକୁ ସୁରକ୍ଷିତ ତଥା ଶାନ୍ତିଶୃଙ୍ଖଳାପୂର୍ଣ୍ଣ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରାଜ୍ୟର ସମସ୍ତ ପୂଜା ମଣ୍ଡପ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଅଗ୍ନି ନିରାପତ୍ତା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ଜରୁରୀକାଳୀନ ପରିସ୍ଥିତିର ମୁକାବିଲା ପାଇଁ ଦମକଳ ଗାଡ଼ି, ୫ ହଜାର କର୍ମଚାରୀ ଏବଂ ୨୪ ଘଣ୍ଟିଆ କଣ୍ଟ୍ରୋଲ୍ ରୁମ୍ ନିୟୋଜିତ କରାଯାଇଛି ।

ଅଗ୍ନି ସୁରକ୍ଷା ନିୟମାବଳୀର କଡା ପାଳନ ପାଇଁ ଗତ ସେପ୍ଟେମ୍ବର ୧୫ ତାରିଖରୁ ଆରମ୍ଭ ହୋଇଥିଲା ଏହି ସ୍ୱତନ୍ତ୍ର ଅଭିଯାନ । ଆଗକୁ ମଧ୍ୟ ସରପ୍ରାଇଜ୍ ଚେକିଂ ଆରମ୍ଭ ହେବ ବୋଲି ସୂଚନା ଦେଇଛି ଅଗ୍ନିଶମ ବିଭାଗ  ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।