ୟୁପିଆଇ ଶୁଣାଣି : କେନ୍ଦ୍ରକୁ ଜବାବ

Sep 28, 2026 - 16:44
ୟୁପିଆଇ ଶୁଣାଣି : କେନ୍ଦ୍ରକୁ ଜବାବ

ନନ୍ଦିଘୋଷ ବ୍ୟୁରୋ : ଅକ୍ଟୋବର ୧୫ ତାରିଖରୁ ୨୦୦୦ ଟଙ୍କା ଓ ତଦୁର୍ଦ୍ଧ୍ବ ୟୁପିଆଇ କାରବାର ଉପରେ ଦାୟର ଏକ ରିଟ ପିଟିସନର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି । ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ, ଜଷ୍ଟିସ ଜୟମାଲା ବାଗଚି ଓ ଜଷ୍ଟିସ ଭି.ମୋହନାଙ୍କ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ସତ୍ୟପାଠ ଦାଖଲ କରିବାକୁ ଆଦେଶ ଦେଇଛନ୍ତି । ଆଇନଜୀବୀ ଅଞ୍ଜନ ଦତ୍ତଙ୍କ ଦ୍ବାରା ଦାୟର ରିଟ ପିଟିସନର ଶୁଣାଣି କରି ସୁପ୍ରିମକୋର୍ଟଙ୍କ ତିନିଜଣିଆ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି କେଉଁ ଆଧାରରେ ସେପ୍ଟେମ୍ବର ୧୪ ଓ ୧୫ ତାରିଖରେ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ବ୍ୟବସାୟୀଙ୍କ ଉପରେ ଏହି ଚାର୍ଜ ଲଗାଇବାକୁ ଘୋଷଣା କଲେ ? ଏହାର ଉତ୍ତର ରଖନ୍ତୁ କେନ୍ଦ୍ର ସରକାର। ମାମଲାର ଶୁଣାଣି ବେଳେ କେନ୍ଦ୍ର ସରକାରଙ୍କ ଅତିରିକ୍ତ ସଲିସିଟର ଜେନେରାଲ ଏନ. ଭେଙ୍କଟରମଣ ଜବାବ ରଖି କହିଥିଲେ ୯୬ ପ୍ରତିଶତ କାରବାରରେ ଏହି ବ୍ୟବସ୍ଥା ଲାଗିବନି । କିନ୍ତୁ ଅତ୍ୟାଶ୍ୟକ ସେବା ପାଇଁ ୨୦୦୦ ଟଙ୍କା କିମ୍ବା ତାଠାରୁ ଅଧିକ କାରାବାର ଉପରେ ମାତ୍ର ୫ ଟଙ୍କା ଲାଗିବ । ଏହା କୌଣସି ଟିକସ କିମ୍ବା ଫି ନୁହେଁ । ଅତିରିକ୍ତ ସଲିସିଟର ଜେନେରାଲଙ୍କ ପକ୍ଷ ଶୁଣିବା ପରେ ଜଷ୍ଟିସ ଜୟମାଲା ବାଗଚି କହିଥିଲେ ଯାହା ଆପଣ କହୁଛନ୍ତି ତାକୁ ସତ୍ୟପାଠ ଜରିଆରେ ଦାଖଲ କରନ୍ତୁ । ଅତିରିକ୍ତ ସଲିସିଟର ଜେନେରାଲ କୋର୍ଟଙ୍କୁ କହିଛନ୍ତି ଏହି ଅର୍ଥ କେନ୍ଦ୍ର ସରକାର ନେଉନାହାନ୍ତି । ଏହା ସମ୍ପୂର୍ଣ୍ଣ ଭାବେ ଡିଜିଟାଲ ପେମେଣ୍ଟ ସୁବିଧା ଯୋଗାଉଥିବା ସଂସ୍ଥା ଓ ବ୍ୟାଙ୍କ ଖର୍ଚ୍ଚ ଭରଣା ପାଇଁ ଉପଯୋଗ କରାଯିବ । ଡେବିଟ ଓ କ୍ରେଡିଟ କାର୍ଡ କାରବାର ଉପରେ ଫି’ ଲାଗୁଛି । କିନ୍ତୁ ୟୁପିଆଇ କାରବାର ଉପରେ ଏବେ ଫି ଲାଗୁ ନାହିଁ । ସୂଚାରୁରୂପେ ୟୁପିଆଇ ଡିଜିଟାଲ କାରବାର ଚାଲିବା ପାଇଁ କେନ୍ଦ୍ର ସରକାର ଏହି ବ୍ୟବସ୍ଥା କରିଛନ୍ତି । ଜଷ୍ଟିସ ବାଗଚି କହିଥିଲେ ଆୟକର ଆଇନ ଧାରା ୨୯୬-SU ଅନୁଯାୟୀ ଗ୍ରାହକଙ୍କୁ ବୈଦ୍ୟୁତିକ ମାଧ୍ୟମରେ ଟଙ୍କା ନେଣଦେଣ ପାଇଁ ବ୍ୟବସ୍ଥା ରହିଛି । ତାହେଲେ ଏହି ଆଇନର ବ୍ୟବସ୍ଥା କଣ ହେବ ? ଏ ନେଇ କେନ୍ଦ୍ର ସରକାରଙ୍କ ସମେତ ଆରବିଆଇ ଓ ୟୁପିଆଇ କାରବାର ସୁବିଧା ଯୋଗାଉଥିବା NPCIକୁ ମଧ୍ୟ ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଆବେଦନକାରୀ ନିଜ ଆବେଦନରେ ଦର୍ଶାଇଛନ୍ତି ୟୁପିଆଇ କାରବାର ଉପରେ କେନ୍ଦ୍ର ସରକାରଙ୍କ MDR ବ୍ୟବସ୍ଥା ପରୋକ୍ଷରେ ଗ୍ରାହକଙ୍କୁ ଅଧିକ ମହଙ୍ଗା ବଜାରର ଶିକାର କରିବ। ଏହି ଫି ବ୍ୟବସ୍ଥା ଲାଗୁହେଲେ ବ୍ୟବସାୟୀ ଏହି ଆର୍ଥିକ ବୋଝକୁ ବାଧ୍ୟ ହୋଇ ଗ୍ରାହକଙ୍କ ଉପରେ ଲଦିବେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।