Engineer’s Alleged Escape Plan Fails: ଗାଡ଼ି ବଦଳାଇ ଖସିବାକୁ ଯୋଜନା, ଶେଷରେ ଭିଜିଲାନ୍ସ ଜାଲରେ ଯନ୍ତ୍ରୀ
ଲାଞ୍ଚ ନେଇ ଖସିଯିବାକୁ ଚାଲିଥିଲା ମାଷ୍ଟରପ୍ଲାନ୍ ... ବାରମ୍ବାର ବଦଳୁଥିଲା ଗାଡ଼ି, ବଦଳୁଥିଲା ଲୋକେସନ୍ ... ହେଲେ ଭିଜିଲାନ୍ସ ଆଖିରୁ ବର୍ତ୍ତିବା ହେଲା ମୁସ୍କିଲ୍ । ରାତିସାରା ଚାଲିଲା ଲୁଚକାଳି ଖେଳ। ଶେଷରେ ଭିଜିଲାନ୍ସ ଜାଲରେ ଫସିଲେ ଜଳସମ୍ପଦ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ୍ ଦାସ। ବାବୁଙ୍କ ପ୍ରତିଟି ଗତିବିଧି ଉପରେ ରହିଥିଲା ଭିଜିଲାନ୍ସର ନଜର। ମୋବାଇଲ୍ ଟ୍ରାକିଂରୁ ଡେଲଟା ଆଇବିରେ ଏକ ଭୋଜିରେ ଥିବା ଜଣାପଡ଼ିବା ପରେ ସାଧା ପୋଷାକରେ ପହଞ୍ଚି ଯାଇଥିଲେ ଭିଜିଲାନ୍ସ ଅଧିକାରୀ।
ଚାଲିଥିଲା ନଜର ରଖିବାର ଅପରେସନ୍ । ଭୋଜି ସରିଲା... ଆରମ୍ଭ ହେଲା ପରବର୍ତ୍ତୀ ଚାଲ୍ । ଅନ୍ୟ ଜଣେ ଠିକାଦାରଙ୍କୁ ଭେଟିବାକୁ ଯାଉଥିବା ବେଳେ ଏଜି ଛକ ନିକଟରେ ଯନ୍ତ୍ରୀଙ୍କ ଗାଡ଼ିକୁ ଅଟକାଇଥିଲା ଭିଜିଲାନ୍ସ। ଆଉ ଗାଡ଼ିରୁ ମିଳିଥିଲା ୭ ଲକ୍ଷ ୩୮ ହଜାର ଟଙ୍କା। ସେପଟେ, ଟ୍ରାଇଡେଣ୍ଟ ଗାଲାକ୍ସି ଆପାର୍ଟମେଣ୍ଟରେ ପୂର୍ବରୁ ଛକି ରହିଥିଲା ଭିଜିଲାନ୍ସର ଆଉ ଏକ ଟିମ୍ ।
ଘରେ ଚଢ଼ାଉ କରି ଜବତ କରିଥିଲା ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା। ମୋଟ୍ ୨୧ ଲକ୍ଷ ୯୮ ହଜାର ଟଙ୍କା ଜବତ ହୋଇଥିଲା। ଲାଞ୍ଚ ନେଇ ଖସିଯିବାର ସବୁ ଚାଲ୍ ଫେଲ୍ । ରାତିସାରା ଚାଲିଥିବା ମାଉସ୍ -କ୍ୟାଟ୍ ଗେମ୍ ରେ ଶେଷରେ ବାଜି ମାରିଲା ଭିଜିଲାନ୍ସ। ଘଟଣାରେ ତଦନ୍ତକୁ ଆହୁରି ଜୋରଦାର କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।