Fertilizer Quality Under Scanner: ସାରର ମାନକୁ ନେଇ ଚାଷୀଙ୍କ ସନ୍ଦେହ, ରିପୋର୍ଟରେ ସାମ୍ନାକୁ ଆସିଲା ସତ

Sep 20, 2026 - 20:32
Fertilizer Quality Under Scanner: ସାରର ମାନକୁ ନେଇ ଚାଷୀଙ୍କ ସନ୍ଦେହ, ରିପୋର୍ଟରେ ସାମ୍ନାକୁ ଆସିଲା ସତ

ନଜର ପକାନ୍ତୁ ଅଗଷ୍ଟ ୧୭ ତାରିଖରେ ନୀଳଗିରିରୁ ଆସିଥିବା ଲ୍ୟାବ୍ ରିପୋର୍ଟ ଉପରେ। ଯେଉଁଥିରେ DAP, ପଟାସ ଓ ୟୁରିଆର ସାର ପରୀକ୍ଷା କରାଯାଇଥିଲା। ରିପୋର୍ଟରେ DAP ଓ ୟୁରିଆର ମାନ ନିର୍ଦ୍ଧାରିତ ମାନକ ଅନୁସାରେ ନଥିବା ଦର୍ଶାଯାଇଛି। ଏପଟେ ଖଇରାର ବର୍ତ୍ତନା ସେବା ସମବାୟ ସମିତିର ରିପୋର୍ଟରେ DAP ସାରକୁ ନନ୍ ଷ୍ଟାଣ୍ଡାର୍ଡ ବୋଲି ଦର୍ଶାଯାଇଛି। ଏଥିସହ ସାରରେ ଜଳୀୟ ଅଂଶ ଅଧିକ ଥିବା ସହ ଦାନାର ଆକାରରେ ମଧ୍ୟ ପରିବର୍ତ୍ତନ ଥିବା ଦର୍ଶାଯାଇଛି। ଚାଷୀଙ୍କ ଅଭିଯୋଗ ପ୍ରାୟ ମାସେ ପୂର୍ବରୁ ସମବାୟ ସମିତିରୁ ସାର କିଣିଥିଲୁ। ଜମିରେ ଆଶାନୁରୂପ ଅମଳ ନହେବାରୁ ସନ୍ଦେହ ଉପୁଜିଥିଲା। ତେବେ ଖୋଲା ବଜାରରୁ ସାର କିଣିଥିବା ଚାଷୀଙ୍କ  ଭଳ ଫସଲ ହେବା ପରେ ଆହୁରି ବଢ଼ିଥିଲା ସନ୍ଦେହ। ନକଲି ସାର ଅଭିଯୋଗର ଗୁମର ଫିଟାଇଛି ଲ୍ୟାବ୍ ରିପୋର୍ଟ। 

ଏବେ ପ୍ରଶ୍ନ ଉଠିଛି ସାର କେଉଁଠୁ ଆସିଥିଲା ? ଏଭଳି ସାର ଚାଷୀଙ୍କ ପାଖରେ କେମିତି ପହଞ୍ଚିଲା ? ବ୍ୟବହାର ପୂର୍ବରୁ ଗୁଣବତ୍ତା କାହିଁକି ଯାଞ୍ଚ ହୋଇନଥିଲା ? ଚାଷୀଙ୍କ ହାତକୁ ଯିବା ପୂର୍ବରୁ କ୍ବାଲିଟି କଣ୍ଟ୍ରୋଲ କେତୋଟି ପର୍ଯ୍ୟାୟ ରହିଛି ? ସମିତିର କହିବା କଥା, ସାର ମାର୍କଫେଡରୁ ଆସିଛି। ମାର୍କଫେଡରୁ ସମିତି, ସମିତିରୁ ଚାଷୀ। ଏହି ପୂରା ଚେନରେ ଗୁଣବତ୍ତା ଯାଞ୍ଚରେ କେଉଁଠି ରହିଲା ତ୍ରୁଟି ? ନକଲି ସାର ବ୍ୟବହାର କରିଥିବା ଚାଷୀଙ୍କ କ୍ଷତି ଭରଣା କରିବ କିଏ ? 

ସାର କିଣାରେ ଏତେ ବଡ଼ ପ୍ରତାରଣାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଅନ୍ନଦାତା। ବାଲେଶ୍ୱର ଜିଲ୍ଲାର ନୀଳଗିରି ଓ ଖଇରା ଅଞ୍ଚଳରୁ ଆସିଥିଲା ନକଲି ସାର ବିକ୍ରି ଅଭିଯୋଗର ଖବର ପୂର୍ବରୁ ଓଟିଭିରେ ପ୍ରସାରଣ ହୋଇଥିଲା। ବାଲେଶ୍ବର ଜିଲ୍ଲାରେ ପ୍ରାୟ ୬୦ ହଜାର ୫୯୦ ମେଟ୍ରିକ୍ ଟନ୍ ସାର ଆବଶ୍ୟକତା ରହିଛି। ୧୪୩ଟି ସମବାୟ ସମିତିରେ ବିକ୍ରି ହେଉଛି ସାର। ମାର୍କଫେଡ୍ ୪୯ଟି ଘରୋଇ କମ୍ପାନୀଠାରୁ ସାର କିଣି ଚାଷୀଙ୍କୁ ଯୋଗାଉଛି। ନୀଳଗିରି ଘଟଣାରେ କୃଷି ବିଭାଗ ସମିତି ନାଁରେ ଥାନାରେ ମାମଲା କରିଛି। ଆଉ ଖଇରାରେ ଉପାଦାନ ଠିକ୍ ଥିଲେ ବି ଅଧିକ ଜଳୀୟ ଅଂଶ ଓ ଦାନାର ଆକାରକୁ ନେଇ ସାର ନନ୍-ଷ୍ଟାଣ୍ଡାର୍ଡ ଆସିଛି। ତେଣୁ ଚାଷୀଙ୍କୁ ଏହି ସାର ବ୍ୟବହାର ନକରିବାକୁ ପରାମର୍ଶ ଦେଇଛି କୃଷି ବିଭାଗ।

ସମବାୟ ସମିତି ଆଙ୍ଗୁଠି ଦେଖାଉଛି ମାର୍କଫେଡ୍ ଆଡ଼କୁ। ଆଉ ସରକାରୀ ରିପୋର୍ଟ ସାରକୁ ଦେଉଛି ନନ ଷ୍ଟାଣ୍ଡାର୍ଡ ସାର୍ଟିଫିକେଟ୍। ଏହି ବ୍ୟବସ୍ଥାର ଗୋଲକଧନ୍ଦା ଭିତରେ ଚାଷୀ ଏବେ ବଳି ପଡୁଛି। ତ୍ରୁଟି କେଉଁଠି? ସାର ପ୍ରସ୍ତୁତ କରୁଥିବା କମ୍ପାନୀ, ମାର୍ଫେଡ୍ ନା ସମିତିର ଅସାଧୁ କର୍ମଚାରୀ ଏଥିରେ ସଂପୃକ୍ତ ? ଉତ୍ତର ଅପେକ୍ଷାରେ ଚାଷୀ। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।