FIR: ସୁପ୍ରିୟା ଶ୍ରୀନେତ ଓ ନେହା ସିଂହ ରାଠୋରଙ୍କ ବିରୋଧରେ ଏଫ୍‌ଆଇଆର୍‌

Aug 18, 2026 - 20:08
FIR: ସୁପ୍ରିୟା ଶ୍ରୀନେତ ଓ ନେହା ସିଂହ ରାଠୋରଙ୍କ ବିରୋଧରେ ଏଫ୍‌ଆଇଆର୍‌

"ରାୟପୁର: ସ୍ବାଧୀନତା ଦିବସରେ ଜାତୀୟ ପତାକା ବଦଳରେ ବିଜେପିର ଦଳୀୟ ପତାକା ଉଡ଼ାଯାଇଥିବା ଦାବି କରି ସୋସିଆଲ ମିଡିଆରେ ଏକ ଭିଡିଓ ପ୍ରସାରଣ ଘଟଣାକୁ ନେଇ କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ଓ ସୋସିଆଲ ମିଡିଆ ଇନ୍‌ଫ୍ଲୁଏନ୍ସର ନେହା ସିଂହ ରାଠୋରଙ୍କ ବିରୋଧରେ ଛତିଶଗଡ଼ ପୁଲିସ ଏଫ୍‌ଆଇଆର୍‌ ରୁଜୁ କରିଛି।

ମଙ୍ଗଳବାର ରାୟପୁରର ସିଭିଲ୍‌ ଲାଇନ୍ସ ଥାନାରେ ଏହି ମାମଲା ରୁଜୁ ହୋଇଛି।

ଏଥିରେ "ଜେନ୍‌ ଜେଡ୍‌ ଅଫ୍‌ ଇଣ୍ଡିଆ" ନାମକ ଏକ "ଏକ୍ସ" ଆକାଉଣ୍ଟକୁ ମଧ୍ୟ ଅଭିଯୁକ୍ତ କରାଯାଇଛି।Advertisment ବିଜେପି ମୁଖପାତ୍ର ଉଜ୍ଜ୍ବଳ ଦୀପକଙ୍କ ଅଭିଯୋଗ ଆଧାରରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୩୬(୪), ୩୫୩(୨) ଓ ୧୯୬ ଅନୁସାରେ ମାମଲା ରୁଜୁ ହୋଇଥିବା ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି।

ରାଜନୈତିକ ମତଭେଦ ସୃଷ୍ଟି କରିବା ଓ ଲୋକଙ୍କ ମଧ୍ୟରେ ଭ୍ରମ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଭୁଲ୍‌ ତଥ୍ୟ ସହ ଭିଡିଓ ପ୍ରଚାର କରାଯାଇଥିବା ଅଭିଯୋଗ ହୋଇଛି।

ମାମଲାର ତଦନ୍ତ ଏବେ ଧମତରୀ ପୁଲିସକୁ ହସ୍ତାନ୍ତର କରାଯାଇଛି।

Independence Day: ସୁନ୍ଦରଗଡ଼ରେ ଜାତୀୟ ପତାକା ଉଡ଼ାଇଲେ ଉପମୁଖ୍ୟମନ୍ତ୍ରୀ ଏହି ବିବାଦର ମୂଳରେ ରହିଛି ବିଜେପିର ବରିଷ୍ଠ ବିଧାୟକ ତଥା ପୂର୍ବତନ ରାଜ୍ୟ ମନ୍ତ୍ରୀ ଅଜୟ ଚନ୍ଦ୍ରାକରଙ୍କ ଏକ ଭିଡିଓ।

ଧମତରୀ ଜିଲ୍ଲାର କୁରୁଦରେ ସେ ବିଜେପିର ଦଳୀୟ ପତାକା ଉଡ଼ାଉଥିବା ଦୃଶ୍ୟ ଭିଡିଓରେ ରହିଛି।

ଏହା ଅଗଷ୍ଟ ୧୫ ସ୍ବାଧୀନତା ଦିବସର ଭିଡିଓ ବୋଲି ଦାବି କରି ଏହାକୁ ସୋସିଆଲ ମିଡିଆରେ ପ୍ରଚାର କରାଯାଇଥିଲା।

ସୁପ୍ରିୟା ଶ୍ରୀନେତ ଓ ନେହା ରାଠୋର ମଧ୍ୟ ନିଜ ଆକାଉଣ୍ଟରେ ଏହାକୁ ସେୟାର କରି ବିଜେପି ଜାତୀୟ ପତାକାକୁ ଅସମ୍ମାନ କରିଥିବା ଅଭିଯୋଗ କରିଥିଲେ।

ତେବେ ପରେ ଏହି ଭିଡିଓ ସ୍ବାଧୀନତା ଦିବସର ନୁହେଁ ବୋଲି ସ୍ପଷ୍ଟ ହୋଇଥିଲା।

କୁରୁଦରେ ମାର୍ଚ୍ଚ ୨୨ରେ ଆୟୋଜିତ ବିଜେପିର ଏକ ପ୍ରଶିକ୍ଷଣ ଶିବିରରେ ଏହି ଭିଡିଓ ରେକର୍ଡ ହୋଇଥିଲା।

ସେଠାରେ ଦଳୀୟ କାର୍ଯ୍ୟକ୍ରମ ଅନୁସାରେ ବିଜେପିର ପତାକା ଉଡ଼ାଯାଇଥିଲା ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ଅଜୟ ଚନ୍ଦ୍ରାକର ମଧ୍ୟ ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ସେ କହିଛନ୍ତି ଯେ ଅଗଷ୍ଟ ୧୫ରେ ଧମତରୀର ଏକଲବ୍ୟ ସ୍ପୋର୍ଟସ୍‌ ଗ୍ରାଉଣ୍ଡରେ ଆୟୋଜିତ ସରକାରୀ କାର୍ଯ୍ୟକ୍ରମରେ ସେ ପ୍ରଶାସନିକ ନିୟମ ଅନୁସାରେ ଜାତୀୟ ପତାକା ଉଡ଼ାଇଥିଲେ।

ଏବେ ପୁଲିସ ଭିଡିଓର ମୂଳ ଉତ୍ସ ଯାଞ୍ଚ କରୁଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।