Fresh Low-Pressure May Bring More Rain To Odisha: ସେପ୍ଟେମ୍ବର ୧୯ରେ ଲଘୁଚାପ, ପୁଣି ବର୍ଷାରେ ଭିଜିବ ଓଡ଼ିଶା

Sep 16, 2026 - 19:44
Fresh Low-Pressure May Bring More Rain To Odisha: ସେପ୍ଟେମ୍ବର ୧୯ରେ ଲଘୁଚାପ, ପୁଣି ବର୍ଷାରେ ଭିଜିବ ଓଡ଼ିଶା

ପୁଣି ବର୍ଷାରେ ଭିଜିବ ଓଡ଼ିଶା, ପୁଣି ଏକ ନୂଆ ପାଣିପାଗ ପ୍ରଣାଳୀକୁ ନେଇ ବଢ଼ିଲା ଚିନ୍ତା। ଉତ୍ତର ଥାଇଲାଣ୍ଡ ଉପରେ ସୃଷ୍ଟି ହେଲା ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ୧୯ ତାରିଖ ସନ୍ଧ୍ୟା ସୁଦ୍ଧା ଉତ୍ତର ଆଣ୍ଡାମାନ ସାଗରରେ ଦାନା ବାନ୍ଧିବ ଲଘୁଚାପ କ୍ଷେତ୍ର। ଏହାପରେ ଧୀରେ ଧୀରେ ଅଧିକ ଘନୀଭୂତ ହୋଇ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରିବ। ପରବର୍ତ୍ତୀ ୩ରୁ ୪ ଦିନରେ ଅର୍ଥାତ ୨୨-୨୩ ତାରିଖ ବେଳକୁ ମୁହାଁଇବ ଓଡ଼ିଶା। ଦକ୍ଷିଣ ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଅଗ୍ରସର ହେବ ଲଘୁଚାପ। ଏହାର ପ୍ରଭାବରେ ଆଗାମୀ କିଛି ଦିନ ଓଡ଼ିଶାରେ ବର୍ଷା ଜାରି ରହିବ। ଆସନ୍ତା ୨୪ ଘଣ୍ଟା ପାଇଁ ୨୨ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ହୋଇଛି। 

ସେପଟେ ଘୂର୍ଣ୍ଣିବଳୟ, ଲଘୁଚାପ ଓ ବର୍ଷା ଚେତାବନୀ ଭିତରେ ବାତ୍ୟା ଖବରକୁ ନେଇ ବଢିଛି ଚର୍ଚ୍ଚା। ଭାରତୀୟ ପାଣିପାଗ ବିଭାଗ ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ଆରବ ସାଗର କିମ୍ବା ବଙ୍ଗୋପସାଗରରେ ବାତ୍ୟାର କୌଣସି ପୂର୍ବାନୁମାନ ନାହିଁ ବୋଲି ସ୍ପଷ୍ଟ କରିଛି। ଅନ୍ୟପଟେ କିଛି ମଡେଲ୍ ସାଇକ୍ଲୋନ୍ ପୂର୍ବାନୁମାନ କରୁଛନ୍ତି। ପାଣିପାଗ ବିଜ୍ଞାନୀ ସୁରେନ୍ଦ୍ର ନାଥ ପଶୁପାଳଙ୍କ ମତରେ, ଆସନ୍ତା ସେପ୍ଟେମ୍ବର ଶେଷ ସପ୍ତାହରେ ବଙ୍ଗୋପସାଗରରେ ବାତ୍ୟା ସୃଷ୍ଟି ହେବାର ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ବିଶ୍ୱସ୍ତରୀୟ ପାଣିପାଗ ମଡେଲର ଆକଳନ ଅନୁସାରେ, ସେପ୍ଟେମ୍ବର ୨୩ରୁ ୨୬ ଭିତରେ ବାତ୍ୟା ସମ୍ଭାବନା ରହିଛି। କିନ୍ତୁ ଏବେଠୁ ଆକଳନ କରିବା ମୁସ୍କିଲ। ଅନ୍ୟପଟେ ପାଞ୍ଜିରେ ଗ୍ରହ-ନକ୍ଷତ୍ରର ଚଳନ ଆଧାରରେ ଆଗାମୀ ଦିନରେ ଓଡ଼ିଶା ଉପକୂଳରେ ପ୍ରବଳ ବର୍ଷା ହେବାନେଇ ଉଲ୍ଲେଖ ରହିଛି। ତେଣୁ ଚଳିତମାସ ଶେଷ ଓ ଅକ୍ଟୋବରରେ ବାତ୍ୟା ସମ୍ଭାବନା ଥିବା ଦାବି କରିଛନ୍ତି ପାଞ୍ଜିକାର ହରିଶଙ୍କର ମିଶ୍ର।

ସେପ୍ଟେମ୍ବର ଶେଷ ଭାଗ ଦକ୍ଷିଣ-ପଶ୍ଚିମ ମୌସୁମୀର ପ୍ରତ୍ୟାବର୍ତ୍ତନ ସମୟ। ଏତିକିବେଳେ ଅନୁକୂଳ ପରିସ୍ଥିତି ଏକାଠି ହେଲେ ବଙ୍ଗୋପସାଗରରେ ଲଘୁଚାପ ପ୍ରଣାଳୀ ଶକ୍ତିଶାଳୀ ହୋଇପାରେ। ଅଧିକ ସାମୁଦ୍ରିକ ଉଷ୍ଣତା ବାତ୍ୟାକୁ ଆବଶ୍ୟକ ବଳ ଦେଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।