From Parking Argument to Triple Murder: ପାର୍କିଂ ବିବାଦରୁ ଟ୍ରିପଲ୍ ମର୍ଡର! ୨୨ ସେକେଣ୍ଡରେ ୫ ରାଉଣ୍ଡ ଫାୟାରିଂ, ଭିଡିଓ ଭାଇରାଲ୍

Oct 30, 2026 - 12:30
From Parking Argument to Triple Murder: ପାର୍କିଂ ବିବାଦରୁ ଟ୍ରିପଲ୍ ମର୍ଡର! ୨୨ ସେକେଣ୍ଡରେ ୫ ରାଉଣ୍ଡ ଫାୟାରିଂ, ଭିଡିଓ ଭାଇରାଲ୍

ଗାଡ଼ି ପାର୍କିଂକୁ ନେଇ ଆରମ୍ଭ ହୋଇଥିଲା ଯୁକ୍ତିତର୍କ।

ଆଉ ଏହି ସାମାନ୍ୟ ବିବାଦ ନେଇଗଲା ତିନି ତିନିଟି ଜୀବନ!

ଉତ୍ତରପ୍ରଦେଶର ଲକ୍ଷ୍ନୌରେ ତିୱାରୀ ପରିବାରର ତିନି ଜଣଙ୍କୁ ଗୁଳି କରି ହତ୍ୟା ଘଟଣାରେ ଏବେ ସାମ୍ନାକୁ ଆସିଛି ଛାତି ଥରାଇଦେବା ଭଳି ଏକ ଭିଡିଓ।

ମାତ୍ର ୨୨ ସେକେଣ୍ଡ ମଧ୍ୟରେ ଅଭିଯୁକ୍ତ ପାଞ୍ଚ ରାଉଣ୍ଡ ଗୁଳି ଚଳାଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି।

Advertisment ଅକ୍ଟୋବର ୨୬ ତାରିଖ ସକାଳ ପ୍ରାୟ ୧୦ଟା ୩୦ ମିନିଟ୍।

ଲକ୍ଷ୍ନୌର ସାଆଦତଗଞ୍ଜ ଅଞ୍ଚଳରେ ଏକ ଖାଲି ପ୍ଲଟ୍‌ରେ ଗାଡ଼ି ପାର୍କିଂକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ହୋଇଥିଲା।

ଏହି ସମୟରେ ୩୦ ବର୍ଷୀୟ ଅଭିଯୁକ୍ତ ଶୁକ୍ଳା ପିସ୍ତଲ ବାହାର କରି ଗୁଳି ଚଳାଇଥିବା ପୁଲିସ କହିଛି।

ଭାଇରାଲ୍ ଭିଡିଓ ଅନୁସାରେ, ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା ଅଭିଯୁକ୍ତ।

ଏହାପରେ ପିସ୍ତଲରେ ଗୁଳି ଭର୍ତ୍ତି କରି ପୁଣି ତିନି ରାଉଣ୍ଡ ଫାୟାରିଂ କରିଥିଲା।

ଘଟଣାସ୍ଥଳରେ ଲୋକଙ୍କ ଉପସ୍ଥିତିରେ ଏଭଳି ଗୁଳିମାଡ଼ ହୋଇଥିବା ଭିଡିଓରୁ ଜଣାପଡ଼ୁଛି।

Advertisment ଗୁଳିମାଡ଼ରେ ଶିବାଜୀ ତିୱାରୀ (୬୨), ଶିବେନ୍ଦ୍ର ତିୱାରୀ (୫୫) ଏବଂ ସୁୟଶ ତିୱାରୀ (୩୦) ଗୁରୁତର ହୋଇଥିଲେ।

ସେମାନଙ୍କୁ କିଙ୍ଗ୍ ଜର୍ଜ ମେଡିକାଲ୍ ୟୁନିଭର୍ସିଟି ଟ୍ରମା ସେଣ୍ଟରକୁ ନିଆଯାଇଥିଲା।

ହେଲେ ଚିକିତ୍ସାଧୀନ ଅବସ୍ଥାରେ ତିନି ଜଣଙ୍କର ମୃତ୍ୟୁ ହୋଇଥିଲା।

ଘଟଣା ପରେ ପୁଲିସ ଅଭିଯୁକ୍ତକୁ ଘଟଣାସ୍ଥଳରୁ ଅଟକ ରଖି ପରେ ଗିରଫ କରିଥିଲା।

ତା'ଠାରୁ ଗୁଳିମାଡ଼ରେ ବ୍ୟବହୃତ ପିସ୍ତଲ ଏବଂ ଚାରିଟି ଖାଲି କାର୍ଟ୍ରିଜ୍ ଜବତ ହୋଇଥିବା ପୁଲିସ କହିଛି।

ଅଭିଯୁକ୍ତ ପୂର୍ବରୁ ମର୍ଚାଣ୍ଟ ନେଭିରେ ନାଭିଗେସନ୍ ଅଫିସର ଭାବେ କାମ କରୁଥିଲା।

ଏହି ଘଟଣାକୁ ନେଇ ମୃତକଙ୍କ ପରିବାରର ଅଭିଯୋଗ ଆଧାରରେ ହତ୍ୟା ଓ ଦଙ୍ଗା ସମେତ ବିଭିନ୍ନ ଅଭିଯୋଗରେ ମାମଲା ରୁଜୁ ହୋଇଛି।

ମାମଲାରେ ଆଠ ଜଣଙ୍କ ନାଁ ରହିଛି।

ଅନ୍ୟପଟେ, ଘଟଣାର ଗମ୍ଭୀରତାକୁ ଦେଖି ସାଆଦତଗଞ୍ଜ ଥାନା ଅଧିକାରୀ ସନ୍ତୋଷ କୁମାର ଆର୍ଯ୍ୟ ଏବଂ କାଶ୍ମୀରୀ ମୋହଲ୍ଲା ଆଉଟ୍‌ପୋଷ୍ଟ ଇନ୍‌ଚାର୍ଜ ଅଜୟ କୁମାର ଚୌରାସିଆଙ୍କୁ ନିଲମ୍ବିତ କରାଯାଇଛି।

ମୃତକଙ୍କ ମଧ୍ୟରୁ ଜଣେ ଲକ୍ଷ୍ନୌରେ RSSର ଜିଲ୍ଲାସ୍ତରୀୟ ପଦାଧିକାରୀ ଥିବା ଜଣାପଡ଼ିଛି।

ପରିବାରକୁ ନ୍ୟାୟ ଦେବା ଦାବିରେ ସମ୍ପର୍କୀୟ ଓ ସମର୍ଥକମାନେ ପ୍ରତିବାଦ କରିଛନ୍ତି।

ଏବେ ସାମ୍ନାକୁ ଆସିଥିବା ୨୨ ସେକେଣ୍ଡର ଭିଡିଓ ଏହି ଘଟଣାକୁ ନେଇ ପୁଣି ଚର୍ଚ୍ଚା ବଢ଼ାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।