Global Tourism Map: ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଓଡ଼ିଶାକୁ ନୂଆ ପରିଚୟ ଦେବା ଲକ୍ଷ୍ୟ: ମୁଖ୍ୟମନ୍ତ୍ରୀ
ଚନ୍ଦ୍ରଶେଖରପୁର: ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରକୁ ବିଶ୍ୱସ୍ତରରେ ଏକ ନୂତନ ପରିଚୟ ପ୍ରଦାନ କରିବା ଏବଂ ବ୍ୟାପକ ପୁଞ୍ଜିନିବେଶକୁ ଆକୃଷ୍ଟ କରିବାର ମହତ୍ତ୍ୱପୂର୍ଣ୍ଣ ଲକ୍ଷ୍ୟ ନେଇ ଆଜି ‘ଓଡ଼ିଶା ଟ୍ରାଭେଲ ବଜାର’ର ସପ୍ତମ ସଂସ୍କରଣ ଆନୁଷ୍ଠାନିକ ଭାବେ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍ଘାଟନ କରିଛନ୍ତି। ଦେଶବିଦେଶରୁ ଆସିଥିବା ନିବେଶକ, ଆତିଥେୟତା ବ୍ରାଣ୍ଡ ଓ ପର୍ଯ୍ୟଟନ ସହଯୋଗୀମାନେ ଓଡ଼ିଶାର ଅସୀମ ସମ୍ଭାବନାକୁ ଉପଯୋଗ କରି ପୁଞ୍ଜିନିବେଶ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡ଼ିଶାକୁ ପର୍ଯ୍ୟଟକଙ୍କ ପାଇଁ ଏକ ଆଦର୍ଶ ଓ ସ୍ୱର୍ଗ ଭାବେ ଗଢ଼ିତୋଳିବାକୁ ସମସ୍ତଙ୍କୁ ଆହ୍ୱାନ ଜଣାଇଛନ୍ତି। ରାଜ୍ୟର ପର୍ଯ୍ୟଟନ କ୍ଷେତ୍ରର ଦ୍ରୁତ ବିକାଶ ପାଇଁ ସରକାର ଅତ୍ୟାଧୁନିକ ନୀତି ଅନୁଯାୟୀ ତାରକା ହୋଟେଲଗୁଡ଼ିକ ପାଇଁ କୋଠରି ସଂଖ୍ୟା ସର୍ବନିମ୍ନ ୫୦ରୁ ହ୍ରାସ କରାଯାଇ ୧୦ କରାଯାଇଥିବାବେଳେ ପୁଞ୍ଜି ସବ୍ସିଡି ସୀମାକୁ ୨୦ କୋଟି ଟଙ୍କାରୁ ବୃଦ୍ଧି କରାଯାଇ ସର୍ବାଧିକ ୧୨୦ କୋଟି ଟଙ୍କା ପର୍ଯ୍ୟନ୍ତ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିପରି ଗୁଣାତ୍ମକ ମୌଳିକ ଭିତ୍ତିଭୂମି ନିର୍ମାଣ ନିମନ୍ତେ ୨୦୨୬ରୁ ୨୦୩୧ ମଧ୍ୟରେ ୧,୫୦୦ କୋଟି ଟଙ୍କାର ବଜେଟ୍ ଏବଂ ୫,୫୦୦ ଏକର ପରିମିତ ବିଶାଳ ଲ୍ୟାଣ୍ଡ ବ୍ୟାଙ୍କକୁ ମଞ୍ଜୁରି ଦିଆଯାଇଛି ବୋଲି ସେ କହିଛନ୍ତି।
ଓଡ଼ିଶା ଟ୍ରାଭେଲ୍ ବଜାର ୨୦୨୬ ଆରମ୍ଭ
ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି ଯେ ଓଡ଼ିଶା କେବଳ ଗୋଟିଏ ଗନ୍ତବ୍ୟସ୍ଥଳ ନୁହେଁ, ଓଡ଼ିଶା ନିଜେ ଏକ ବିଶ୍ୱ ଅନୁଭୂତି। ଆମର ବୌଦ୍ଧ ଐତିହ୍ୟ, ହସ୍ତତନ୍ତ, ଐତିହ୍ୟସ୍ଥଳୀ, ବିଶାଳ ଚିଲିକା ଏବଂ ଇକୋ ଟୁରିଜ୍ମ ଏହାର ପ୍ରମାଣ। କାର୍ଯ୍ୟକ୍ରମରେ ଯୋଗଦେଇ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ କପିଲ୍ ଦେବ କହିଛନ୍ତି, ଯେକୌଣସି ଦେଶ ନିଜର କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନଙ୍କ ଜରିଆରେ ବିଶ୍ୱରେ ପରିଚିତ ହୋଇଥାଏ ଏବଂ ଆଜି ଆମ ଦେଶ କ୍ରୀଡ଼ା କ୍ଷେତ୍ରରେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି। ଏସୀୟ କ୍ରୀଡ଼ା ତଥା ଅଲିମ୍ପିକ୍ସରେ ଆମର ଆଥ୍ଲେଟ୍ମାନେ ପଦକ ହାସଲ କରି ଦେଶ ପାଇଁ ଗୌରବ ଆଣୁଛନ୍ତି ବୋଲି ସେ ପ୍ରକାଶ କରିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଏକାଧିକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ, ପୋର୍ଟାଲ ଏବଂ ଏକ ସ୍ୱତନ୍ତ୍ର କଫି ଟେବୁଲ୍ ବୁକ୍ ‘ପିଠା, ମିଠା, ପଣା’କୁ ଲୋକାର୍ପିତ କରିଛନ୍ତି। ଏହା ସହ ରାଜ୍ୟ ପର୍ଯ୍ୟଟନର ପ୍ରଚାର ପ୍ରସାର ପାଇଁ ନୂତନ ‘ଓଡ଼ିଶା ଟୁରିଜ୍ମ ପୋର୍ଟାଲ୍’ ଏବଂ ନିବେଶକଙ୍କ ସୁବିଧା ପାଇଁ ‘ଓଡ଼ିଶା ଟୁରିଜ୍ମ ଇନ୍ଭେଷ୍ଟମେଣ୍ଟ ଇନ୍ସେଣ୍ଟିଭ୍ ମ୍ୟାନେଜମେଣ୍ଟ ସିଷ୍ଟମ’ର ୱେବ୍ ଆପ୍ଲିକେସନ୍ ମଧ୍ୟ ଶୁଭାରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଆଗାମୀ ‘ପୁରୀ କୋଷ୍ଟାଲ ମାରାଥନ୍’ର ଜର୍ସିକୁ ମଧ୍ୟ ଉନ୍ମୋଚନ କରାଯାଇଥିଲା। ଏହି ଅବସରରେ ମୁଖ୍ୟ ସଚିବ ଅନୁ ଗର୍ଗ, ପର୍ଯ୍ୟଟନ ବିଭାଗ କମିସନର ତଥା ସଚିବ ବଲ୍ୱନ୍ତ ସିଂହ, ପର୍ଯ୍ୟଟନ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ସିଫା ଜାତୀୟ ପର୍ଯ୍ୟଟନ କମିଟିର କୋ ଚେୟାରମ୍ୟାନ୍ ଜେକେ ମହାନ୍ତି, ସେଲିବ୍ରିଟି ଓଡ଼ିଆ କ୍ବିଜିନ୍ ବ୍ରାଣ୍ଡ ଆମ୍ବାସାଡର୍ ରଣବୀର ବ୍ରାର୍ ଏବଂ ଏସୀୟ କ୍ରୀଡ଼ା ପୋଲ୍ ଭଲ୍ଟ ଜାତୀୟ ରେକର୍ଡଧାରୀ ବରଣିକା ଏଲାଙ୍ଗୋଭାନ୍ ପ୍ରମୁଖ ଯୋଗଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।