Balasore: ଅସୁରକ୍ଷିତ ବାଲେଶ୍ବରର ଉତ୍ତର ସୀମାନ୍ତ: ଚୋରାଚାଲାଣର ଭୂସ୍ବର୍ଗ ପାଲଟିଛି ୫ ଥାନାଞ୍ଚଳ
ଜଳେଶ୍ବର (ସତ୍ୟବ୍ରତ ପ୍ରଧାନ): ବାଲେଶ୍ବର ଜିଲ୍ଲାର ଉତ୍ତର ସୀମାନ୍ତ ଦେଇ ଚୋରାଚାଲାଣ ବଢ଼ୁଛି। ନିକଟରେ ଭୋଗରାଇ ବ୍ଲକ୍ ରଣକୋଠା ପିଆର୍ଏଫ୍ ସଂରକ୍ଷିତ ଜଙ୍ଗଲରୁ ୫ଟି ଓରାଂଉଟାନ୍ ଉଦ୍ଧାର ଘଟଣା ତା’ର ଏକ ଜ୍ବଳନ୍ତ ଉଦାହରଣ। ଫଳରେ ସୀମାନ୍ତର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଛି।
Durga puja: ୭୨ ଦେବୀପୀଠକୁ ଯିବ ଦଶହରା ନିମନ୍ତ୍ରଣ; ଆଜ୍ଞାମାଳ ଗ୍ରହଣ କଲେ ଦଶହରା ପୂଜା କମିଟି ଅଧ୍ୟକ୍ଷ
ବାଲେଶ୍ବରର ଉତ୍ତର ସୀମାନ୍ତରେ ତାଳସାରୀ ସାମୁଦ୍ରିକ ଥାନା ସହ ଭୋଗରାଇ, କମର୍ଦ୍ଦା, ଜଳେଶ୍ବର ଓ ରାଇବଣିଆ ଥାନା ରହିଛି। ଏହି ଥାନାଗୁଡ଼ିକର ବିସ୍ତୃତ ଅଞ୍ଚଳ ପଶ୍ଚିମବଙ୍ଗ ସୀମାକୁ ଲାଗିଥିବା ବେଳେ ଦୁଇ ରାଜ୍ୟ ମଧ୍ୟରେ ଯାତାୟାତ ପାଇଁ ରେଳପଥ ସହ ଏକାଧିକ ସଡ଼କପଥ ଓ ଗଳାବାଟ ରହିଛି। ଯାହା ଚୋରାଚାଲାଣକାରୀଙ୍କୁ ସୁହାଉଛି। ଏହାସହ ୫ ଥାନା ଅଞ୍ଚଳର ଏକ ବଡ଼ ଅଂଶ ସମୁଦ୍ରତଟ ଓ ସୁବର୍ଣ୍ଣରେଖା ନଦୀତଟକୁ ଲାଗିଛି। ଫଳରେ ଜଳପଥ ଦେଇ ମଧ୍ୟ ଅବୈଧ ସାମଗ୍ରୀ ଚାଲାଣ ଚାଲିଥିବା ଆଶଙ୍କା କରାଯାଉଛି। କାରଣ ଅତୀତରେ ଜଳପଥ ଦେଇ ଏକାଧିକ ଚୋରା କାରବାର ଧରାପଡ଼ିଛି। ସୀମାନ୍ତରେ ନିଶା କାରବାର ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି।
ପଶ୍ଚିମବଙ୍ଗରୁ ବ୍ରାଉନ୍ସୁଗାର ଓଡ଼ିଶାକୁ ଆସୁଥିବା ବେଳେ ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଗଞ୍ଜେଇ ଚାଲାଣ କରାଯାଉଛି। ସେହିପରି ଟିକସ ଫାଙ୍କି ବିଭିନ୍ନ ନିତ୍ୟବ୍ୟବହାର୍ଯ୍ୟ ସାମଗ୍ରୀ ଦୁଇ ରାଜ୍ୟ ମଧ୍ୟରେ ଚାଲାଣ ଚାଲିଛି। ଏହାଛଡ଼ା ବାଲି, ପଥର ଓ ମୋରମ୍ ଭଳି ଲଘୁ ଖଣିଜ ସମ୍ପଦ ସହ ଜଙ୍ଗଲରୁ କାଠ ଚୋରି କରି ପଶ୍ଚିମବଙ୍ଗକୁ ଚାଲାଣ ହେଉଛି। ନଜର ରଖାଯାଇ ପାରୁ ନଥିବାରୁ କେଉଁ ରାସ୍ତା ଏବଂ କେଉଁ ସମୟରେ ଏମିତି କାରବାର ହେଉଛି, ତାହା ଜାଣିବା ସହ ରୋକିବା କଷ୍ଟକର ହୋଇପଡ଼ୁଛି। ଚୋରାଚାଲାଣ ରୋକିବା ପାଇଁ ପୁଲିସ ସହ ରାଜସ୍ବ, ଖଣି, ବାଣିଜ୍ୟକର, ପରିବହନ ଓ ବନ ବିଭାଗ ପକ୍ଷରୁ ଏନ୍ଫୋର୍ସମେଣ୍ଟ ବ୍ୟବସ୍ଥା ରହିଛି। ତଥାପି କାରବାର ଉପରେ ଅଙ୍କୁଶ ଲଗାଯାଇପାରୁନି। ଫଳରେ ସରକାର ବିପୁଳ ରାଜସ୍ବ ହରାଉଛନ୍ତି।
Vaccination: ବିନା ଅନୁମତିରେ ବୈଠକରେ ଅନୁପସ୍ଥିତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍
ଉତ୍ତର ସୀମାନ୍ତର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଧାନସଭାରେ ମଧ୍ୟ ପ୍ରଶ୍ନ ଉଠିଛି। ଦୁଇଦିନ ତଳେ ଜଳେଶ୍ବର ବିଧାୟକ ଅଶ୍ୱିନୀ କୁମାର ପାତ୍ରଙ୍କ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଥିଲେ ଯେ ନିଶାଦ୍ରବ୍ୟ, ମାରଣାସ୍ତ୍ର ଓ ଅନ୍ୟ ଆପତ୍ତିଜନକ ସାମଗ୍ରୀର ଚୋରାଚାଲାଣ ରୋକିବା ସହ ଆଇନଶୃଙ୍ଖଳା ଭଙ୍ଗ କରୁଥିବା ଅନୁପ୍ରବେଶକାରୀଙ୍କ ବିରୋଧରେ ଦୃଢ଼ ପଦକ୍ଷେପ ନେବା ପାଇଁ ପୁଲିସ, ସୁରକ୍ଷା ବଳ ଓ ଗୁଇନ୍ଦା ଅଧିକାରୀଙ୍କୁ ନିୟୋଜିତ କରାଯାଇଛି।
ନିୟମିତ ପାଟ୍ରୋଲିଂ ଓ ଯାଞ୍ଚ ମଧ୍ୟ କରାଯାଉଛି। ଯଦି ଏତେ ବ୍ୟବସ୍ଥା ହୋଇଛି, ତେବେ ବ୍ରାଉନ୍ସୁଗାର ଓଡ଼ିଶାକୁ ଆସୁଛି କିପରି? ଗଞ୍ଜେଇ ପଶ୍ଚିମବଙ୍ଗକୁ ଯାଉଛି କିପରି? ବିଦେଶୀ ବନ୍ୟପ୍ରାଣୀ ଚୋରାଚାଲାଣକାରୀମାନେ ଓଡ଼ିଶାକୁ ଟ୍ରାଞ୍ଜିଟ୍ ରୁଟ୍ ଭାବେ ବ୍ୟବହାର କରିବାର ସୁଯୋଗ ପାଉଛନ୍ତି କେମିତି? ଏପରି ଅନେକ ପ୍ରଶ୍ନ ଉଠୁଛି। ଯାହାର ସମାଧାନ କରିବାକୁ ହେଲେ ଚୋରାଚାଲାଣ ପଛରେ ଥିବା ନେଟ୍ୱର୍କର ଚିହ୍ନଟ ସହ ଉତ୍ତର ସୀମାନ୍ତର ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଆବଶ୍ୟକ ବୋଲି ବିଭିନ୍ନ ମହଲରେ ମତ ପ୍ରକାଶ ପାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।