Gold Smuggling Racket: ସୁନା ସ୍ମଗଲିଂର ସେଫ୍ ଜୋନ୍ NH-୧୬ ! କୋଲକାତାରୁ ହାଇଦ୍ରାବାଦ ଭାୟା ଓଡ଼ିଶା, ୯ କୋଟିର ସୁନା ଜବତ

Oct 11, 2026 - 20:23
Gold Smuggling Racket: ସୁନା ସ୍ମଗଲିଂର ସେଫ୍ ଜୋନ୍ NH-୧୬ ! କୋଲକାତାରୁ ହାଇଦ୍ରାବାଦ ଭାୟା ଓଡ଼ିଶା, ୯ କୋଟିର ସୁନା ଜବତ

ବାଂଲାଦେଶରୁ ପଶ୍ଚିମବଙ୍ଗ, ସେଠୁ ଓଡ଼ିଶା ଦେଇ ଦକ୍ଷିଣ ଭାରତ। ଏଭଳି ଚାଲିଛି ଚୋରା ସୁନା ଚାଲାଣର ନେଟୱର୍କ। ଗତକାଲି ଏମିତି ଏକ ଗୋଲ୍ଡ ସ୍ମଗଲିଂ ରାକେଟର ପର୍ଦ୍ଦାଫାସ୍ କରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ। କୋଲକାତାରୁ ଓଡ଼ିଶା ଦେଇ ହାଇଦ୍ରାବାଦ ଯାଉଥିବା ଏକ କାରରୁ ବିଶାଖାପାଟଣା ନିକଟରେ ଜବତ ହୋଇଛି ପ୍ରାୟ ୯ କୋଟି ଟଙ୍କା ମୂଲ୍ୟର ଚୋରା ସୁନା। ଏହି ମାମଲାରେ ୨ ଜଣଙ୍କୁ ଗିରଫ କରି ଅଧିକ ଖୋଳତାଡ଼ ଚଳାଇଛି DRI। ବରିଷ୍ଠ ପୋଲିସ ଅଧିକାରୀ ଓ ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ସୁନା ଉପରେ ଆମଦାନୀ ଶୁଳ୍କ ବଢିବା ପରେ ଏହାର ଚୋରା ଚାଲାଣ ବଢିଛି।

ଚୋରା ସୁନା ଚାଲାଣ ନେଟୱର୍କର ଏକ ରାକେଟକୁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ବା DRI ଧରିବା ପରେ ଏହି ରହସ୍ୟ ସାମ୍ନାକୁ ଆସିଛି। DRIର ସୂଚନା ମୁତାବକ, ଦୁଇଜଣ ଯାତ୍ରୀ ଏକ କାର୍ ଯୋଗେ କୋଲକାତାରୁ ହାଇଦ୍ରାବାଦ ଅଭିମୁଖେ ଚୋରା ସୁନା ନେଇ ଯାଉଥିଲେ। କାରକୁ ପିଛା କରି ବିଶାଖାପାଟଣା ନିକଟରେ ଧରିଥିଲା ଡିଆରଆଇ। 

ଗାଡ଼ିକୁ ଯାଞ୍ଚ କରିବା ପରେ ସାମ୍ନା ସହଯାତ୍ରୀଙ୍କ ସିଟର ଗୋଡ଼ ରଖିବା ସ୍ଥାନରେ ସ୍ୱତନ୍ତ୍ର ଭାବେ ନିର୍ମିତ ଏକ ସିକ୍ରେଟ୍ ଚାମ୍ବର ଠାବ କରାଯାଇଥିଲା। ଏହି ଚାମ୍ବରରେ ୩ଟି ପ୍ୟାକେଟରେ ରଖାଯାଇଥିବା ୨୪ କ୍ୟାରେଟର ବିଦେଶୀ ସୁନା। ଯାହାର ଓଜନ ୫ କିଲୋ ୮୩୨.୯୦ ଗ୍ରାମ। ଆଉ ବଜାର ମୂଲ୍ୟ ପ୍ରାୟ ୮ କୋଟି ୯୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି। ସୂଚନା ଅନୁସାରେ, ଏ ସୁନା ବାଂଲାଦେଶରୁ ପଶ୍ଚିମବଙ୍ଗ ଦେଇ ଭାରତକୁ ଆସିଛି। ପରେ ଏହାକୁ ସଡ଼କ ପଥରେ ଓଡ଼ିଶା ଦେଇ ହାଇଦ୍ରାବାଦ ନିଆଯାଉଥିବା ସଂପୃକ୍ତ ବ୍ୟକ୍ତିମାନେ ସ୍ୱୀକାର କରିଛନ୍ତି।

ପୂର୍ବତନ ପୋଲିସ ଅଧିକାରୀଙ୍କ କହିବା ଅନୁସାରେ, ଭାରତରେ ଏବେ ବହୁଳ ପରିମାଣର ଚୋରା ସୁନା ଚାଲାଣ ହେଉଛି। ଦର୍ ଉଚ୍ଚା ରହିଥିବାରୁ ଚୋରାରେ ସୁନା ଆଣି ଅଧିକ ମୁନାଫା କମାଉଛନ୍ତି ମାଫିଆ। ତଥ୍ୟ କହୁଛି, ସ୍ଥଳ ପଥ ଦେଇ ସବୁଠୁ ଅଧିକ ୫୫ ପ୍ରତିଶତ ଚୋରା ସୁନା ଚାଲାଣ ହେଉଛି। ସେହିପରି ଆକାଶ ପଥରେ ୩୬ ପ୍ରତିଶତ ଓ ଜଳପଥରେ ପ୍ରାୟ ୯ ପ୍ରତିଶତ ଚୋରା ସୁନା ମାର୍କେଟକୁ ପ୍ରବେଶ କରୁଛି। 

ସୂଚନା ଅନୁଯାୟୀ ୨୦୨୪ରେ ୭୦୦ କେଜି, ୨୦୨୫ରେ ୪୦୬ କେଜି ଚୋରା ସୁନା ଜବତ ହୋଇଥିଲା। ଚଳିତ ବର୍ଷ ଏଯାଏଁ ୫୪୫ କେଜି ସୁନା ବିଭିନ୍ନ ରାଜ୍ୟରୁ ଜବତ ହୋଇସାରିଲାଣି। କଡ଼ା ସୁରକ୍ଷା ଦୃଷ୍ଟିରୁ ଆକାଶ ଓ ଜଳପଥ ଅପେକ୍ଷା ସଡ଼କ ପଥରେ ଏହି ସ୍ମଗଲିଂ ରାକେଟ୍ ଅଧିକ ସକ୍ରିୟ। NH-16 କୋଲକାତାକୁ ଓଡ଼ିଶା ଦେଇ ସିଧା ଚେନ୍ନାଇ ସହ ଯୋଡୁଛି। ଏହି ରାସ୍ତାରେ ଦୈନିକ ହଜାର ହଜାର ଗାଡ଼ି ଚାଲୁଥିବାରୁ ଚେକିଂରୁ ବର୍ତ୍ତିବା ସହଜ। 

ସେହିପରି ଓଡ଼ିଶାର ଉପକୂଳବର୍ତ୍ତୀ ଅଞ୍ଚଳ ଓ ଗ୍ରାମାଞ୍ଚଳରେ ଅନେକ ସଂଯୋଗକାରୀ ରାସ୍ତା ରହିଛି। ଏନଏଚରେ ଚେକିଂ ଖବର ପାଇଲେ ସ୍ମଗଲର୍ ସହଜରେ ରୁଟ୍ ବଦଳାଇ ସ୍ଥାନୀୟ ରାସ୍ତାରେ ଖସି ଯାଇପାରିବେ। ତେଣୁ ବାଂଲାଦେଶରୁ ଚୋରାରେ ଆସୁଥିବା ସୁନାକୁ ଦକ୍ଷିଣୀ ବଜାରରେ ପହଞ୍ଚାଇବା ପାଇଁ ଓଡ଼ିଶା ସେମାନଙ୍କ ପାଇଁ ସେଫ ୱେ ପାଲଟିଛି।

କାହିଁକି ବଢୁଛି ଗୋଲ୍ଡ ସ୍ମଗଲିଂ ? ଅର୍ଥନୀତି ବିଶେଷଜ୍ଞଙ୍କ ମତରେ ସୁନା ଉପରେ ଆମଦାନୀ ଶୁଳ୍କ ବଢିବା ପରେ ଚାଲାଣକାରୀ ଅଧିକ ଆକ୍ଟିଭ୍ ହୋଇ ଯାଇଛନ୍ତି। ଟିକସ ବଞ୍ଚାଇବା ସହ ମାର୍କେଟରୁ ଅଧିକ ଅର୍ଥ ପାଇବା ଆଶାରେ ଏଭଳି ଚୋରାଚାଲାଣ କରୁଛନ୍ତି। ଦକ୍ଷିଣ ରାଜ୍ୟଗୁଡିକରେ ସୁନାର ଚାହିଦା ବେଶ୍ ଅଧିକ ଥିବା ବେଳେ ଓଡ଼ିଶା ଦେଇ ଅଧିକରୁ ଅଧିକ ଚାଲାଣ ହେଉଥିବା ଜଣାପଡିଛି। 

ନିକଟ ଅତୀତରେ DRI ପକ୍ଷରୁ ସାରା ଦେଶରେ ଚୋରା ସୁନା କାରବାର ନେଇ ଚଢାଉ କରାଯାଇଥିଲା। ଯେଉଁଥିରେ ୨୭ କେଜି ଚୋରା ବିଦେଶୀ ସୁନା ଜବତ କରାଯାଇଥିବା ବେଳେ ୧୨ ଜଣଙ୍କୁ ଗିରଫ କରାଯାଇଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।