13 OCTOBER 2026

Welcome!

Unlock your personalized experience.
Sign Up

Governor of Odisha: ବ୍ରଜମୋହନ ଓଡ଼ିଶା ରାଜ୍ୟପାଳ: ବଦଳିଲେ ଆଉ ୫ ରାଜ୍ୟପାଳ

Oct 13, 2026 - 03:33
Governor of Odisha: ବ୍ରଜମୋହନ ଓଡ଼ିଶା ରାଜ୍ୟପାଳ: ବଦଳିଲେ ଆଉ ୫ ରାଜ୍ୟପାଳ
ଭୁବନେଶ୍ବର: ଓଡ଼ିଶାର ରାଜ୍ୟପାଳ ବଦଳିଛନ୍ତି। ହରିବାବୁ କମ୍ଭମପାଟିଙ୍କ ସ୍ଥାନରେ ଝାଡ଼ଖଣ୍ଡର ବିଜେପି ନେତା ବ୍ରଜମୋହନ ରାମଙ୍କୁ ନୂଆ ରାଜ୍ୟପାଳ ଭାବେ ନିଯୁକ୍ତି ଦିଆଯାଇଛି। ଏ ନେଇ ଆଜି ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ଜାରି ହୋଇଛି। ଶ୍ରୀ କମ୍ଭମପାଟିଙ୍କର କାର୍ଯ୍ୟକାଳ ଦୁଇ ବର୍ଷ ନ ପୂରୁଣୁ ତାଙ୍କୁ ଅତର୍କିତ ଭାବେ ବଦଳାଯିବା ବେଶ୍‌ ଚର୍ଚ୍ଚାର ବିଷୟ ହୋଇଛି। ବିଜେପି ସରକାର କ୍ଷମତାକୁ ଆସିଲା ପରେ ଦୁଇ ଦୁଇ ଥର ରାଜ୍ୟପାଳ ବଦଳିଲେଣି। ୧୯୫୮ ମସିହାରେ ଜନ୍ମିତ ବ୍ରଜମୋହନ ରାମ ଝାଡ଼ଖଣ୍ଡରେ ଜଣେ ଦଳିତ ନେତା ଭାବେ ବେଶ୍‌ ପରିଚିତ। ୧୯୯୬ରୁ ୨୦୦୪ ମଧ୍ୟରେ ସେ ତିନି ଥର ଲୋକସଭାକୁ ପ୍ରତିନିଧିତ୍ବ କରିଛନ୍ତି। ଏହା ପୂର୍ବରୁ ସେ ବିହାର ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଝାଡ଼ଖଣ୍ଡରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚା ଦାୟିତ୍ବରେ ସେ ରହିଥିଲେ। 
ବର୍ତ୍ତମାନର ରାଜ୍ୟପାଳ ଶ୍ରୀ କମ୍ଭମପାଟି ୨୦୨୫ ଜାନୁଆରି ୩ ତାରିଖରେ କାର୍ଯ୍ୟରେ ଯୋଗ ଦେଇଥିଲେ। ତାଙ୍କ ସମୟରେ ଲୋକଭବନରେ ଅନେକ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଥିଲା। ଏହା ବାଦ୍ ନିଜେ ରାଜ୍ୟପାଳ ବିଭିନ୍ନ ବିଭାଗର କାମର ଅଗ୍ରଗତି ନିୟମିତ ବ୍ୟବଧାନରେ ସମୀକ୍ଷା କରୁଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କୁ ହଠାତ୍‌ ଓଡ଼ିଶାରୁ ଅବ୍ୟାହତି ଦିଆଗଲା, ତାହା ରହସ୍ୟମୟ ହୋଇପଡ଼ିଛି। ତାଙ୍କୁ ଅନ୍ୟତ୍ର କୌଣସି ଦାୟିତ୍ବ ମଧ୍ୟ ଦିଆଯାଇ ନାହିଁ।  ସୂଚନାଯୋଗ୍ୟ ଯେ ଝାଡ଼ଖଣ୍ଡର ବିଜେପି ନେତା ରଘୁବର ଦାସ ୨୦୨୩ ଅକ୍ଟୋବର ୩୧ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବେ ଯୋଗ ଦେଇଥିଲେ। ବିଜେପି ସରକାର କ୍ଷମତାକୁ ଆସିବାର ୬ ମାସରେ ତାଙ୍କୁ ଏଠାରୁ ହଟାଯାଇଥିଲା। ତାଙ୍କ ପୁଅ ଜଣେ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବାରେ ଘଟଣାରେ ସେ ବିବାଦୀୟ ହୋଇପଡ଼ିଥିଲେ।
ଆର୍ଲେକରଙ୍କୁ ମିଳିଲା ତାମିଲନାଡ଼ୁ ଦାୟିତ୍ବ 
ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬ ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତ କରିଛନ୍ତି। ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ବ୍ରଜମୋହନ ରାମ ଓଡ଼ିଶାର ରାଜ୍ୟପାଳ ନିଯୁକ୍ତ ହୋଇଛନ୍ତି। ସେହିଭଳି କର୍ଣ୍ଣାଟକ, କେରଳମ୍‌, ତାମିଲନାଡ଼ୁ, ସିକିମ୍‌ ଓ ଉତ୍ତରାଖଣ୍ଡରେ ନୂଆ ରାଜ୍ୟପାଳ ନିଯୁକ୍ତ କରାଯାଇଛି। ଡ. ସୁଧା ଯାଦବ କର୍ଣ୍ଣାଟକ ରାଜ୍ୟପାଳ ହୋଇଛନ୍ତି। ଥାୱରଚାନ୍ଦ ଗେହଲଟଙ୍କ ସ୍ଥାନରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି। ଭିଏସ୍‌ ରମାଦେବୀଙ୍କ ପରେ ଡ. ଯାଦବ କର୍ଣ୍ଣାଟକର ଦ୍ବିତୀୟ ମହିଳା ରାଜ୍ୟପାଳ ହୋଇଛନ୍ତି। ମଧ୍ୟପ୍ରଦେଶର ପୂର୍ବତନ ଲୋକସଭା ସାଂସଦ ଡ. ଧଲ ସିଂହ ବିସେନଙ୍କୁ ଉତ୍ତରାଖଣ୍ଡ ରାଜ୍ୟପାଳ କରାଯାଇଛି। ଅବସରପ୍ରାପ୍ତ ଲେଫ୍ଟନାଣ୍ଟ ଜେନେରାଲ ଗୁରମିତ ସିଂହଙ୍କ ସ୍ଥାନରେ ସେ ନୂଆ ନିଯୁକ୍ତି ପାଇଛନ୍ତି। ଦୁଷ୍ୟନ୍ତ ଗୌତମଙ୍କୁ ସିକିମ ରାଜ୍ୟପାଳ ଭାବେ ନିଯୁକ୍ତ କରାଯାଇଛି। ଅନ୍ୟପକ୍ଷେ ସିକିମ ରାଜ୍ୟପାଳ ଥିବା ଓମ୍‌ ପ୍ରକାଶ ମାଥୁରଙ୍କୁ କେରଳମ୍‌ର ନୂଆ ରାଜ୍ୟପାଳ କରାଯାଇଛି। କେରଳମ୍‌ର ରାଜ୍ୟପାଳ ଥିବା ରା‌ଜେନ୍ଦ୍ର ବିଶ୍ବନାଥ ଆର୍ଲେକରଙ୍କୁ ତାମିଲନାଡ଼ୁ ରାଜ୍ୟପାଳ କରାଯାଇଛି। ଉଲ୍ଲେଖଯୋଗ୍ୟ, ଆର୍‌ ଏନ୍‌ ରବିଙ୍କୁ ପଶ୍ଚିମବଙ୍ଗର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିବା ପରେ ଗତ ମାର୍ଚ୍ଚ ମାସରୁ ଆ‌ର୍ଲେକର ତାମିଲନାଡ଼ୁର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।