Hope and the Sky: ଆଶା ଓ ଆକାଶ: ସ୍ଥାପତ୍ୟର ରାଜ୍ୟରେ ବଙ୍ଗୀୟ କାରିଗରଙ୍କ ଆଧିପତ୍ୟ
ଜାନକୀଶ ବଡ଼ପଣ୍ଡା
ସୁନ୍ଦର ମୂର୍ତ୍ତି, ମେଢ଼, ପୂଜାମଣ୍ଡପ ଓ ଆକର୍ଷଣୀୟ ତୋରଣ ନିର୍ମାଣ ମାଧ୍ୟମରେ କଳା, କାରିଗରି ଓ ସୃଜନଶୀଳତା ପ୍ରକାଶ ପାଏ। ପାର୍ବଣରେ ବ୍ୟବସାୟ ବଢ଼େ, ପର୍ଯ୍ୟଟନର ବିକାଶ ଘଟେ, ନିଯୁକ୍ତି ସୁଯୋଗ ମିଳେ ଏବଂ ଅର୍ଥନୈତିକ ଗତିଶୀଳତା ବୃଦ୍ଧି ପାଏ। ଆମ ରାଜ୍ୟରେ ବର୍ଷ ସାରା ଶ୍ରୀଗଣେଶ, ଦୁର୍ଗା, ଗଜଲକ୍ଷ୍ମୀ, କାଳୀ, କାର୍ତ୍ତିକେଶ୍ବର, ସରସ୍ବତୀ ପୂଜା ସମେତ ବିଭିନ୍ନ ଦେବଦେବୀଙ୍କ ମୂର୍ତ୍ତି ନିର୍ମାଣ କରାଯାଇ ମଣ୍ଡପ, ତୋରଣ ନିର୍ମାଣ ଇତ୍ୟାଦିରେ ବିପୁଳ ଅର୍ଥ ଖର୍ଚ୍ଚ କରାଯାଉଛି। ଚଳିତ ବର୍ଷ କେବଳ କଟକରେ ୧୦୫ଟି ଦୁର୍ଗାମୂର୍ତ୍ତି, ୭୧ଟି ହରପାର୍ବତୀ ସମେତ ସମୁଦାୟ ୧୭୬ଟି ଏବଂ ଭୁବନେଶ୍ବରରେ ସମୁଦାୟ ୧୯୫ ସ୍ଥାନରେ ଶାରଦୀୟ ଦୁର୍ଗୋତ୍ସବ ପାଳିତ ହୋଇଯାଇଛି, ଯେଉଁଥିରେ ଖର୍ଚ୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା। ୨୦୧୮ ମସିହାରେ ସମଗ୍ର ରାଜ୍ୟରେ ୨୬୦୦ଟି ମଣ୍ଡପରେ ଦୁର୍ଗାପୂଜା କରାଯାଇଥିଲା। ଚଳିତ ବର୍ଷ ଯଦି ସର୍ବନିମ୍ନ ସେତିକି ସଂଖ୍ୟକ ପୂଜା ମଣ୍ଡପରେ ଦୁର୍ଗାପୂଜା ହୋଇଥାଏ, ଖର୍ଚ୍ଚ ପରିମାଣ ପ୍ରାୟ ୫ ହଜାର କୋଟି ଟଙ୍କା ଛୁଇଁଥିବ। ମୂର୍ତ୍ତି, ମେଢ଼, ମଣ୍ଡପ ଓ ତୋରଣ ନିର୍ମାଣ କରିଥିବା କାରିଗରଙ୍କୁ ଯଦି ଏହାର ମାତ୍ର ୫ ପ୍ରତିଶତ ପାଉଣା ମିଳିଥିବ, ତାହାର ପରିମାଣ ହେବ ୨୫୦ କୋଟି ଟଙ୍କା। ଏହି ହିସାବରୁ, କେବଳ ଓଡ଼ିଶାରେ ବିଭିନ୍ନ ପୂଜା, ପାର୍ବଣରେ କରାଯାଉଥିବା ଖର୍ଚ୍ଚ ପରିମାଣ ଅନୁମାନ କରାଯାଇପାରେ। ପରିତାପର ବିଷୟ ଯେ ମୂର୍ତ୍ତି, ଆଧୁନିକ ମଣ୍ଡପ, ତୋରଣ ନିର୍ମାଣରେ ବଙ୍ଗୀୟ କାରିଗରଙ୍କ ଆଧିପତ୍ୟ ରହି ଆସୁଛି, ଯାହାର ଲାଭ ଆମ ରାଜ୍ୟର କାରିଗରମାନେ ପାଉନାହାନ୍ତି।
ଦୁର୍ଗାପୂଜା ପ୍ରସ୍ତୁତିରେ ବଙ୍ଗୀୟ କାରିଗରମାନଙ୍କର ବିଶେଷ ଚାହିଦା ରହିଛି। କାଠ, ବାଉଁଶ, ଦଉଡ଼ି ଓ କପଡ଼ା ଭଳି ପରିବେଶ ଅନୁକୂଳ ସାମଗ୍ରୀ ବ୍ୟବହାର କରି ସେମାନେ ଚମତ୍କାର ସ୍ଥାପତ୍ୟ କୀର୍ତ୍ତି ସୃଷ୍ଟି କରିବାରେ ପାରଙ୍ଗମ। ଭୁବନେଶ୍ବରର ଗୋଟିଏ ପୂଜା ମଣ୍ଡପରେ ଅଯୋଧ୍ୟାର ରାମମନ୍ଦିର ଓ ଅକ୍ଷରଧାମ ମନ୍ଦିରର ସ୍ଥାପତ୍ୟ ଶୈଳୀର ସମନ୍ୱୟ କରାଯାଇ ଏକ ଜଟିଳ ସ୍ଥାପତ୍ୟ ନକ୍ସାକୁ ବାସ୍ତବ ରୂପ ଦେଇଥିଲା ପଶ୍ଚିମବଙ୍ଗରୁ ଆସିଥିବା ୩୫ ଜଣ ଦକ୍ଷ ଓ ଅଭିଜ୍ଞ କାରିଗରଙ୍କ ଏକ ଦଳ।
ପଶ୍ଚିମବଙ୍ଗର କୁମାରଟୁଲି ଓ କୃଷ୍ଣନଗର ଅଞ୍ଚଳରେ ମୂର୍ତ୍ତି ନିର୍ମାଣ ପରମ୍ପରା ବିଶ୍ବ ପ୍ରସିଦ୍ଧ, ଯେପରି କଟକର ତାରକସି କାମ। ବଙ୍ଗୀୟ କାରିଗରମାନେ ଓଡ଼ିଶା ସମେତ ଦେଶର ବିଭିନ୍ନ ଅଞ୍ଚଳକୁ ମୂର୍ତ୍ତି ଗଢ଼ିବାକୁ ଯିବାବେଳେ ହୁଗୁଳି ନଦୀର ଶଯ୍ୟାରୁ ସଂଗୃହୀତ ଅତ୍ୟନ୍ତ ନମନୀୟ ଗଙ୍ଗାମାଟି, ଝୋଟରୁ ପ୍ରସ୍ତୁତ ନକଲି କେଶ ଏବଂ ସୋଲରୁ ତିଆରି ପାରମ୍ପରିକ ଅଳଙ୍କାର ସାଙ୍ଗରେ ନେଇଥାଆନ୍ତି। ସେଠାରେ ସେମାନେ ସ୍ଥାନୀୟ କାରିଗରଙ୍କ ସହ ମିଶି କାମ କରନ୍ତି। କାଠ କାମ, ରୁପା କାମ ଓ ସ୍ଥାନୀୟ ପରମ୍ପରା ଅନୁଯାୟୀ ଜରି କାମରେ ଓଡ଼ିଆ କାରିଗରମାନେ ପାରଦର୍ଶିତା ପ୍ରଦର୍ଶନ କଲାବେଳେ, ବଙ୍ଗୀୟ କାରିଗରମାନେ ମାଟିରେ ଜୀବନ୍ତ ଓ ବାସ୍ତବଧର୍ମୀ ମୂର୍ତ୍ତି ଗଢ଼ିବା ଏବଂ ବିଶାଳ ପୂଜାମଣ୍ଡପର ମୂଳ ଢାଞ୍ଚା ନିର୍ମାଣରେ ବିଶେଷ ଦକ୍ଷତା ଦେଖାନ୍ତି। ସେମାନଙ୍କଠାରୁ କାମ ଶିଖିଥିବା ଓଡ଼ିଆ କାରିଗରମାନେ ଓଡ଼ିଶାର ବିଭିନ୍ନ ସ୍ଥାନରେ ନିଜର କଳାନୈପୁଣ୍ୟ ଦେଖାଇ ପ୍ରଶଂସା ପାଆନ୍ତି।
ପାରମ୍ପରିକ ଶୈଳୀକୁ ଅକ୍ଷୁଣ୍ଣ ରଖି ଦୁର୍ଗାମୂର୍ତ୍ତି ନିର୍ମାଣ ଓ ପୂଜାମଣ୍ଡପ ସାଜସଜ୍ଜା କ୍ଷେତ୍ରରେ ଆଧୁନିକତା ଆଣିବା ପାଇଁ କାରିଗର ଓ କଳାକାରମାନଙ୍କ ବୃତ୍ତିଗତ ଦକ୍ଷତା ବୃଦ୍ଧି ଅତ୍ୟାବଶ୍ୟକ; ଯେଉଁଥିପାଇଁ ପଶ୍ଚିମବଙ୍ଗରେ ସୁଯୋଗ ସୃଷ୍ଟି କରାଯାଇଛି। ସେଠାରେ ଆନୁଷ୍ଠାନିକ ପ୍ରତିଷ୍ଠାନ, କାରିଗର ସଂଘ ଏବଂ ସରକାରୀ ପ୍ରଶିକ୍ଷଣ କେନ୍ଦ୍ରଗୁଡ଼ିକ ତାଲିମଦାତା, ମୁଖ୍ୟକାରିଗର ତଥା କାରିଗରଙ୍କ ଦକ୍ଷତା ବିକାଶ ପାଇଁ ସୁସଂଗଠିତ ବ୍ୟବସ୍ଥା କରିଛନ୍ତି। ଉତ୍ତର କୋଲକାତାସ୍ଥିତ କୁମାରଟୁଲିରେ ସମନ୍ୱିତ କାରିଗର ଓ ସାଂସ୍କୃତିକ ଐତିହ୍ୟ କେନ୍ଦ୍ର ରହିଛି, ଯେଉଁଠାରେ ପଶ୍ଚିମବଙ୍ଗ ସରକାର, କୋଲକାତା ମେଟ୍ରୋପଲିଟାନ୍ ଡେଭଲପମେଣ୍ଟ ଅଥରିଟି ମାଧ୍ୟମରେ ଏକ ସମନ୍ୱିତ ପ୍ରଶିକ୍ଷଣ କେନ୍ଦ୍ର ବିକଶିତ କରାଯାଇଛି। ଫଳରେ, ପାରମ୍ପରିକ କଳାକୁ ଆଧୁନିକ ବିଶ୍ୱବଜାର ସହ ଯୋଡ଼ାଯାଇ ପାରିଛି।
ପୂଜାମଣ୍ଡପର ସ୍ଥାପତ୍ୟ, ରଙ୍ଗିନ କପଡ଼ାରେ ସାଜସଜ୍ଜା ଓ ସ୍ଥାନର ସୌନ୍ଦର୍ଯ୍ୟବର୍ଦ୍ଧନ କ୍ଷେତ୍ରରେ କୋଲକାତା ଡେକୋରେଟର୍ସ ୟୁନିଅନ ବ୍ୟାବହାରିକ ଓ ସ୍ୱଳ୍ପକାଳୀନ ଧନ୍ଦାମୂଳକ ପ୍ରଶିକ୍ଷଣ କର୍ମଶାଳା ଆୟୋଜନ କରି ଆସୁଛି। ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସୁଥିବା ବାହ୍ୟ-ସାଜସଜ୍ଜା କର୍ମୀ ଓ ଦୃଶ୍ୟକଳା କର୍ମୀମାନଙ୍କୁ ଢାଞ୍ଚା ନିର୍ମାଣ, ବର୍ଷା-ବାତ୍ୟା-ଅଗ୍ନି-ପ୍ରତିରୋଧକ ସାମଗ୍ରୀର ବ୍ୟବହାର କରି ବିଷୟଭିତ୍ତିକ ମଣ୍ଡପର ରୂପରେଖା ପ୍ରସ୍ତୁତି ବିଷୟରେ ତାଲିମ ଦିଆଯାଏ। ସରକାରୀ କ୍ଷୁଦ୍ର, ଲଘୁ ଓ ମଧ୍ୟମ ଉଦ୍ୟୋଗ ଏବଂ ବୟନଶିଳ୍ପ ବିଭାଗ ୟୁନେସ୍କୋ ସହଯୋଗରେ ଗ୍ରାମୀଣ କଳାକାରଙ୍କ ପାଇଁ ଦକ୍ଷତା ବିକାଶ ଓ ଉଦ୍ୟୋଗୀକରଣ କର୍ମଶାଳା ପରିଚାଳନା କରନ୍ତି। ଆଧୁନିକ ବିଷୟଭିତ୍ତିକ ଦୁର୍ଗାପୂଜାର ରୂପରେଖା ପ୍ରସ୍ତୁତ କରିବାକୁ ଆଗ୍ରହୀ ଉଚ୍ଚସ୍ତରୀୟ କଳାକାରମାନେ କୋଲକାତାର ସରକାରୀ କଲେଜ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ ବା ଅବନୀନ୍ଦ୍ରନାଥ ଟାଗୋର ଇନ୍ଷ୍ଟିଚ୍ୟୁଟ ଅଫ ଆର୍ଟ ଆଣ୍ଡ କ୍ରାଫ୍ଟ୍ସ ଭଳି ଘରୋଇ ପ୍ରତିଷ୍ଠାନରେ ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇଥାଆନ୍ତି। ଏଠାରେ କଳା ଓ ସ୍ଥାପତ୍ୟର ସୈଦ୍ଧାନ୍ତିକ ଆଧାର, ନିର୍ଦ୍ଦିଷ୍ଟ ମାପ ଅନୁଯାୟୀ ନକ୍ସା ଅଙ୍କନ, ଫାଇବର ଗ୍ଲାସ ଓ ପ୍ଲାଷ୍ଟର ଅଫ ପ୍ୟାରିସର ଛାଞ୍ଚ ଭଳି ଆଧୁନିକ ସାମଗ୍ରୀର ବ୍ୟବହାର ଉପରେ ଆଧୁନିକତମ ଜ୍ଞାନ ଉପଲବ୍ଧ।
ଆମ ରାଜ୍ୟରେ ବିଷୟଭିତ୍ତିକ ପୂଜାମଣ୍ଡପ ଓ ତୋରଣର ସ୍ଥାପତ୍ୟ ନକ୍ସା ପ୍ରସ୍ତୁତି ଓ ନିର୍ମାଣ କାର୍ଯ୍ୟ ବିଭିନ୍ନ ପ୍ରକାର କାରିଗରଙ୍କ ସମନ୍ୱିତ ଉଦ୍ୟମରେ ସମ୍ପନ୍ନ ହୋଇଥାଏ। ଏଥିରେ ସ୍ଥାନୀୟ ପୂଜା କମିଟି, ଅଭିଜ୍ଞ ନିର୍ମାଣକାରୀ ଓ କାରିଗର, ମଣ୍ଡପ ସାଜସଜ୍ଜାକାରୀ, ପ୍ରଶିକ୍ଷିତ ସ୍ଥପତି ଓ ଢାଞ୍ଚାନିର୍ମାଣ ଇଞ୍ଜିନିଅରମାନେ ସାମିଲ ହୋଇଥାଆନ୍ତି। ପୂଜା କମିଟିର କାମ ହେଲା- ପୂଜା ମଣ୍ଡପର ମୂଳ ବିଷୟବସ୍ତୁ, ପ୍ରକଳ୍ପର ପରିସର ଓ ବଜେଟ ନିର୍ଦ୍ଧାରଣ ଏବଂ ସୃଜନଶୀଳ ଦଳମାନଙ୍କୁ ନିଯୁକ୍ତି ପ୍ରଦାନ। ପାରମ୍ପରିକ କାରିଗର ଓ ସ୍ୱତନ୍ତ୍ର ପୂଜାମଣ୍ଡପ ନିର୍ମାଣକାରୀମାନେ ପ୍ରାୟତଃ ପଶ୍ଚିମବଙ୍ଗ, ବିହାର ଓ ଓଡ଼ିଶାର। ଏମାନେ ଚିତ୍ରକରଙ୍କ କଳ୍ପନାକୁ ବାସ୍ତବ ରୂପ ଦିଅନ୍ତି। ବାଉଁଶ, କାଠ, ଦଉଡ଼ି ଓ ଲୁହା ବା ଇସ୍ପାତ ବ୍ୟବହାର କରି ସେମାନେ ଏକାଧିକ ମହଲା ବିଶିଷ୍ଟ ଓଜନିଆ ମଣ୍ଡପର ଢାଞ୍ଚା, ତୋରଣ ନିର୍ମାଣ କରନ୍ତି। ଆଜିକାଲି ବୃତ୍ତିଗତ ସ୍ଥପତିମାନଙ୍କ ସହଯୋଗ ନିଆଯାଉଛି, ଯେଉଁମାନେ ଅସ୍ଥାୟୀ ସ୍ଥାପତ୍ୟର ନୂତନ ପରୀକ୍ଷାନିରୀକ୍ଷା, ଦର୍ଶକଙ୍କ ଯାତାୟାତ ପାଇଁ ସୁବିଧାଜନକ ସ୍ଥାନ ବିନ୍ୟାସ ଏବଂ ସୁରକ୍ଷା ବ୍ୟବସ୍ଥାକୁ ସମନ୍ୱିତ କରି ନକ୍ସା ପ୍ରଦାନ କରୁଛନ୍ତି। ଏହି ନୂତନତ୍ବକୁ ଠିକ୍ ଭାବେ ବୁଝି, ତାହାର ରୂପାୟନ କରିବା ପାଇଁ ଆମ ଓଡ଼ିଶାରେ ନା ଅଛି ଆନୁଷ୍ଠାନିକ ତାଲିମ ବ୍ୟବସ୍ଥା ନା ଅଧିକାଂଶ କାରିଗରଙ୍କ ପାଖରେ ନିଷ୍ଠାପର ଶିକ୍ଷାଗ୍ରହଣର ମାନସିକତା।
ଓଡ଼ିଶାରେ ଦୁର୍ଗାମୂର୍ତ୍ତି ଓ ପୂଜାମଣ୍ଡପ ନିର୍ମାଣ ବିଷୟରେ କାରିଗରଙ୍କୁ କୌଶଳଗତ ତାଲିମ ଦେବାପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ନାହିଁ। ମାଟି କିମ୍ବା ଫାଇବର ଗ୍ଲାସରେ ସ୍ଥାପତ୍ୟ-ବ୍ୟାକରଣ ଅନୁମୋଦିତ ମୂର୍ତ୍ତି ଗଠନ, ଚକ୍ଷୁଦାନ କୌଶଳ ଏବଂ ଦୁର୍ଗାପୂଜା ମଣ୍ଡପ ଓ ତୋରଣ ନିର୍ମାଣ ଶିକ୍ଷାଦାନ କରିବାପାଇଁ ଉତ୍ସର୍ଗୀକୃତ ଅନୁଷ୍ଠାନ ନାହିଁ। କେବଳ ପାରମ୍ପରିକ, ଅଣ-ଆନୁଷ୍ଠାନିକ, ଗୁରୁ-ଶିଷ୍ୟ ପରମ୍ପରା ଭିତ୍ତିରେ ଓଡ଼ିଶାର କଳାକୁଶଳୀ କାରିଗରମାନେ ଅଭିଜ୍ଞ କାରିଗରଙ୍କ ଅଧୀନରେ କାମ କରି ଏସବୁ ଶିଖିବା ସହିତ ଦକ୍ଷତା ହାସଲ କରିଥାଆନ୍ତି। ଜି.ଆଇ. ଟ୍ୟାଗପ୍ରାପ୍ତ କଟକ ରୁପା ତାରକସି କାମ ଉପରେ ଅନୁଷ୍ଠାନିକ ଶିକ୍ଷା ଦେବାକୁ ବ୍ୟବସ୍ଥା ଥିଲାବେଳେ, ମୂର୍ତ୍ତି ଓ ମଣ୍ଡପ ନିର୍ମାଣ ସମ୍ବନ୍ଧିତ ବୃତ୍ତିଗତ ଶିକ୍ଷା ଦେବାକୁ ସମନ୍ବିତ ବ୍ୟବସ୍ଥା କରାଯାଇନାହିଁ। ବଂଶାନୁକ୍ରମେ ମୂର୍ତ୍ତି ନିର୍ମାଣ କରିଆସୁଥିବା ଓଡ଼ିଶାର ଦକ୍ଷ କାରିଗରମାନଙ୍କର ଶିକ୍ଷାଦୀକ୍ଷା ତଥା କୌଶଳ ତାଲିମ କମ୍ ଥିବାରୁ ସେମାନେ ଆଧୁନିକ ଚିତ୍ରଶିଳ୍ପୀ, ଗ୍ରାଫିକ ଡିଜାଇନର ଓ ବୈଷୟିକ ଜ୍ଞାନର ସହଯୋଗ ନେବାକୁ ପ୍ରାୟତଃ ଅସମର୍ଥ। ଭାଇଚାରା ସହର କଟକରେ ମୁସଲିମ ସମ୍ପ୍ରଦାୟର ପ୍ରଖ୍ୟାତ ଜାହିର୍ ପରିବାର ପାରମ୍ପରିକ ଭାବେ ସୁନ୍ଦର ଜରିମେଢ଼ ତିଆରି କରନ୍ତି, ଯାହାଙ୍କଠାରୁ ମେଢ଼ କାରିଗରମାନେ ଆନୁଷ୍ଠାନିକ ତାଲିମ ନେଇପାରନ୍ତେ। ସେହିପରି ଶାମୁକା ଓ ଶଙ୍ଖ ବ୍ୟବହାର କରିବାରେ ନିପୁଣ ବଙ୍ଗୀୟ କାରିଗରଙ୍କଠାରୁ ଓଡ଼ିଶାର ମେଢ଼ କାରିଗର ତାଲିମ ନେଇପାରନ୍ତେ।
ଦିନକୁ ଦିନ ଦୁର୍ଗାପୂଜା କମିଟିମାନଙ୍କର ବଜେଟ ପରିମାଣ ବଢୁଛି ଏବଂ ସେମାନେ ନିଆରା ତଥା ଆକର୍ଷଣୀୟ ଢଙ୍ଗରେ ମୂର୍ତ୍ତି, ପୂଜାମଣ୍ଡପ, ତୋରଣ, ଆଲୋକସଜ୍ଜା, ମନୋରଞ୍ଜନ କାର୍ଯ୍ୟକ୍ରମ କରୁଛନ୍ତି। ଓଡ଼ିଶା ସରକାର ୫୦ ବର୍ଷରୁ ଅଧିକ ପୁରୁଣା ଦୁର୍ଗାପୂଜା ସମିତିମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେଉଛନ୍ତି, ଅଥଚ ଆନୁଷ୍ଠାନିକ ତାଲିମ ଓ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରି ନିୟମିତ କର୍ମଶାଳା ଆୟୋଜନ କରୁନାହାନ୍ତି। ଆଜିକାଲି ପାର୍ବଣ ପ୍ରତିଯୋଗିତାମୂଳକ ତଥା ବୈଷୟିକ କୌଶଳ ସମୃଦ୍ଧ ହେଉଛି। ଅଥଚ ଆମର କାରଗରମାନେ ସମାନୁପାତିକ ଭାବେ ନିଜକୁ ବିବର୍ତ୍ତିତ କରିପାରୁ ନାହାନ୍ତି। ପୂଜା କମିଟିମାନେ ଓଡ଼ିଶାର କାରିଗରଙ୍କ ସୃଜନାତ୍ମକ କଳା ସହିତ ଆଧୁନିକତମ ଚିତ୍ରଶିଳ୍ପ ଓ ତୋରଣ-ମଣ୍ଡପ ନିର୍ମାଣରେ ବିଜ୍ଞାନ ପ୍ରୟୋଗ କରିବାକୁ ସଂକଳ୍ପ ନେଇ ସମନ୍ବିତ ଉଦ୍ୟମ କରିବାକୁ ସାହସ କରିବା ଦରକାର।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୮୨୯୯୦୩୭
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।