Illegal sand transport: ବେଧଡ଼କ ବାଲି ଚାଲାଣ; ବିନା ଟିପିରେ ଚାଲିଛି ଶହ ଶହ ଟ୍ରକ୍‌

Sep 24, 2026 - 23:42
Illegal sand transport: ବେଧଡ଼କ ବାଲି ଚାଲାଣ; ବିନା ଟିପିରେ ଚାଲିଛି ଶହ ଶହ ଟ୍ରକ୍‌

"ତାଳଚେର (ବିକାଶ ଚନ୍ଦ୍ର ସାହୁ): ଅନୁଗୁଳ ଜିଲ୍ଲା ତାଳଚେର ଦାଶନାଳୀ ବାଲିଖଣିରୁ ବିନା ଟ୍ରାନ୍‌ଜିଟ୍‌ ପାସ୍‌ (ଟିପି)ରେ ବାଲି ଚାଲାଣ ହେଉଥିବା ଅଭିଯୋଗ ‌ହେଉଛି।

ମାତ୍ର ୩ ଦିନ ମଧ୍ୟରେ ୨୫୦ ଟ୍ରକ୍‌ରୁ ଅଧିକ ବାଲି ଚାଲାଣ ହୋଇଥିବା ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଜୋର୍‌ ଧରିଛି।

ଏତେ ବିପୁଳ ପରିମାଣର ବାଲି ଚାଲାଣ ହେଉଥିବା ବେଳେ ଖଣି ବିଭାଗର ଭୂମିକା ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି।Advertisment ସୂଚନା ଅନୁସାରେ, ଦାଶନାଳୀ ବାଲିଖଣିରୁ ପ୍ରତିଦିନ ବହୁ ସଂଖ୍ୟକ ଟ୍ରକ୍‌ରେ ବାଲି ଭରତପୁର କୋଇଲା ଖଣିକୁ ଚାଲାଣ ହେଉଛି।

ବାଲି ଉତ୍ତୋଳନ ଓ ପରିବହନ ପାଇଁ ଆବଶ୍ୟକ ଟ୍ରାନ୍‌ଜିଟ୍‌ ପାସ୍‌ ରହିବା ନିୟମ ଥିବା ସତ୍ତ୍ୱେ ଏଠାରେ ବିନା ଟିପିରେ ବାଲି ଚାଲାଣ ହେଉଥିବା ଅଭିଯୋଗ ହେଉଛି।

ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁସାରେ, ଗତ ୩ ଦିନ ମଧ୍ୟରେ ଦାଶନାଳୀ ବାଲିଖଣିରୁ ୨୫୦ ଟ୍ରକ୍‌ରୁ ଅଧିକ ବାଲି ଚାଲାଣ ହୋଇଛି।

ଏହି ଚାଲାଣ ସମୟରେ ଟ୍ରକ୍‌ଗୁଡ଼ିକରେ ବୈଧ ଟ୍ରାନ୍‌ଜିଟ୍‌ ପାସ୍‌ ନଥିବା ଜଣାପଡ଼ିଛି।

ତାଳଚେର ଡିଡିଏମ୍‌ଓଙ୍କ କାର୍ଯ୍ୟାଳୟ ପକ୍ଷରୁ ପତ୍ର ୧୧୪୯/୨୬ରେ ନିର୍ଦେଶ ରହିଛି ଯେ, ଚଳିତବର୍ଷ ଜୁନ୍‌ ୧୫ ତାରିଖ ଠାରୁ ଅକ୍ଟୋବର ୧୫ତାରିଖ ପର୍ଯ୍ୟନ୍ତ ନଦୀରୁ ବାଲି ଉଠାଣ ହୋଇ ପାରିବନାହିଁ।

ଏପରିକି କୌଣସି ଖଣି ସତ୍ତ୍ବାଧିକାରୀ ନଦୀପଠାରେ ବାଲି ଗଚ୍ଛିତ କରି ରଖି ପାରିବେନାହିଁ।

କିନ୍ତୁ, ଦାଶନାଳୀ ବାଲି ଖଣି ସତ୍ତ୍ବାଧିକାରୀ କିଭଳି ହଜାର ହଜାର ଟ୍ରକ୍‌ ବାଲି ଗଚ୍ଛିତ କରି ରଖିଛନ୍ତି ତାହା ମଧ୍ୟ ପ୍ରଶ୍ନ ଉଠିଛି।

କେବଳ ସେତିକି ନୁହେଁ, ଏଡି ଷ୍ଟକ୍‌ ବାଲି ଗତ ୨୦ ତାରିଖ ଠାରୁ ଆଜି ପର୍ଯ୍ୟନ୍ତ ରାତିରେ ଭରତପୁର କୋଇଲା ଖଣିକୁ କିଭଳି ଭାବେ ବିନା ଟ୍ରାନ୍‌ଜିଟ୍‌ ପାସ୍‌ରେ ପରିବହନ ହେଉଥିବା ବେଳେ ନିୟମିତ ଯାଞ୍ଚ ବ୍ୟବସ୍ଥା କରାଯାଉ ନଥିବାକୁ ନେଇ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି।

Sand Smuggling: ଝାଡ଼ଖଣ୍ଡକୁ ବେଆଇନ୍ ବାଲି ଚାଲାଣ; ମାଫିଆଙ୍କ ଉପରେ ପୁଲିସର ଚଢ଼ାଉ ବାଲି ଚାଲାଣ ପାଇଁ ଟ୍ରାନ୍‌ଜିଟ୍‌ ପାସ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଦଲିଲ ରହିଛି।

ଏଥିରେ ବାଲିର ଉତ୍ସ, ପରିମାଣ ଓ ପରିବହନ ସମ୍ପର୍କିତ ତଥ୍ୟ ରହିଥାଏ।

ବିନା ଟିପିରେ ବାଲି ପରିବହନ ହେଲେ ଏହାର ବୈଧତା ଯାଞ୍ଚ କରିବା କଷ୍ଟକର ହୋଇପଡ଼େ।

ଏପରିସ୍ଥଳେ ବେଆଇନ ବାଲି ଉତ୍ତୋଳନ ଓ ଚାଲାଣକୁ ପ୍ରୋତ୍ସାହନ ମିଳିବା ସହ ସରକାରଙ୍କ ରାଜସ୍ୱ ହାନି ହେଉଛି।

ଦାଶନାଳୀ ବାଲିଖଣିରୁ ରାତିରେ ବାଲି ଚାଲାଣ ହେଉଥିବା ବେଳେ ଖଣି ବିଭାଗ କାହିଁକି ଏ ଦିଗରେ ଦୃଷ୍ଟି ଦେଉନାହିଁ, ତାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ବଢ଼ୁଛି।

ଏପରିକି ଦାଶନାଳୀ ଅଞ୍ଚଳରବାସୀ କହିବା ମୁତାବକ, ରାତିରେ ବିନା ଟିପିରେ ବାଲି ଚାଲାଣ ହେଉଥିବାରୁ ଖଣି ଅଧିକାରୀଙ୍କୁ ଅଭିଯୋଗ କରିଛନ୍ତି।

ହେଲେ, କେହି କର୍ଣ୍ଣପାତ କରୁନଥିବା ଜଣାପଡ଼ିଛି।

ବାଲି ଚାଲାଣରେ ନିୟମ ଉଲ୍ଲଙ୍ଘନ ହେଲେ ସରକାରଙ୍କ ରାଜସ୍ୱ ଆଦାୟରେ କ୍ଷତି ହେବା ସହିତ ନଦୀଶଯ୍ୟାର ପ୍ରାକୃତିକ ସନ୍ତୁଳନ ନଷ୍ଟ ହେବା, ଜଳସ୍ତର ପ୍ରଭାବିତ ହେବା ଓ ପରିବେଶ ଉପରେ କୁପ୍ରଭାବ ପଡ଼ୁଥିବା ଅଭିଯୋଗ ହେଉଛି।

ଏନେଇ ତାଳଚେର ବାଲି ଖଣି ଅଧିକାରୀ ସୌରଭ ସାହୁ କହିଛନ୍ତି, ଦାଶନାଳୀ ବାଲିଘାଟରୁ ବାଲି ସିଜ୍‌ କରାଯାଇଥିଲା।

କିନ୍ତୁ, ଏବେ ସେଠାରୁ ଭରତପୁର କୋଇଲା ଖଣିକୁ କିଭଳି ଗଲା ତାହାର ଖବର ଆମ ପାଖରେ ନାହିଁ।

ଏହା ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶ୍ରୀ ସାହୁ କହିଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।