IMD Heavy Rainfall Alert: ପ୍ରବଳ ବର୍ଷା ନେଇ ୧୫ ରାଜ୍ୟରେ ଆଲର୍ଟ! ଓଡିଶାକୁ ସତର୍କତା ଜାରି କଲା IMD

Aug 07, 2026 - 14:54
IMD Heavy Rainfall Alert: ପ୍ରବଳ ବର୍ଷା ନେଇ ୧୫ ରାଜ୍ୟରେ ଆଲର୍ଟ! ଓଡିଶାକୁ ସତର୍କତା ଜାରି କଲା IMD

ଦେଶର ଅନେକ ରାଜ୍ୟରେ ମୌସୁମୀ ବର୍ଷା ଏବେ ବିପଦର ରୂପ ନେଇଛି। ଲଗାତାର ବର୍ଷା ଯୋଗୁଁ ବହୁ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଛି। ଏହି ସମୟରେ ଭାରତୀୟ ପାଣିପାଗ ବିଭାଗ (IMD) ୧୫ଟି ରାଜ୍ୟ ପାଇଁ ପ୍ରବଳ ବର୍ଷା, ଝଡ଼ ଓ ବଜ୍ରପାତ ନେଇ ସତର୍କତା ଜାରି କରିଛି।

ପାଣିପାଗ ବିଭାଗ ଅନୁଯାୟୀ, କେତେକ ଅଞ୍ଚଳରେ ଅତି ପ୍ରବଳ ବର୍ଷା ସହ ଘଣ୍ଟାପ୍ରତି ୬୦ କିଲୋମିଟର ବେଗରେ ପବନ ବହିପାରେ। ଲୋକଙ୍କୁ ସତର୍କ ରହିବା ସହ ଆବଶ୍ୟକ ନଥିଲେ ଘରୁ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି।

ବର୍ଷା ନେଇ କେଉଁ ରାଜ୍ୟକୁ ଜାରି କରାଯାଇଛି ଆଲର୍ଟ?

IMD ଅନୁଯାୟୀ ଉତ୍ତର ପ୍ରଦେଶ, ବିହାର, ଦିଲ୍ଲୀ, ରାଜସ୍ଥାନ, ଉତ୍ତରାଖଣ୍ଡ, ହରିୟାଣା, ପଞ୍ଜାବ, ହିମାଚଳ ପ୍ରଦେଶ, ଜମ୍ମୁ-କାଶ୍ମୀର, ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା, ଆସାମ, ଗୁଜରାଟ ଓ ମହାରାଷ୍ଟ୍ରରେ ଭାରି ବର୍ଷା ସହ ଝଡ଼ର ସମ୍ଭାବନା ରହିଛି।

ଦିଲ୍ଲୀ-ଏନସିଆର, ଗୁରୁଗ୍ରାମ ଓ ଉତ୍ତର ପ୍ରଦେଶର ଅନେକ ଜିଲ୍ଲା ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। କେତେକ ସ୍ଥାନରେ କୁଆପଥର ବର୍ଷା ହେବାର ମଧ୍ୟ ଆଶଙ୍କା ରହିଛି।

ଆସାମରେ ବନ୍ୟାରେ ଗଲା ୯୭ ଜୀବନ

ବନ୍ୟାରେ ସବୁଠାରୁ ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ ଆସାମ ଅନ୍ୟତମ। ଏଠାରେ ବନ୍ୟା ଯୋଗୁଁ ଏପର୍ଯ୍ୟନ୍ତ ୯୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୫ଟି ଜିଲ୍ଲାର ୧.୬୮ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି। ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ଜାରି ରହିଛି। ଆସାମ ବନ୍ୟା ପୀଡ଼ିତଙ୍କ ସହାୟତା ପାଇଁ ଝାଡ଼ଖଣ୍ଡ ସରକାର ୩ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି।

ଗୁରୁଗ୍ରାମରେ ଜଳବନ୍ଦୀ, ଲୋକଙ୍କୁ ୱର୍କ ଫ୍ରମ୍ ହୋମ୍ ପରାମର୍ଶ

ପ୍ରବଳ ବର୍ଷା ପରେ ଗୁରୁଗ୍ରାମର ଅନେକ ଅଞ୍ଚଳ ଜଳମଗ୍ନ ହୋଇଛି। ରାସ୍ତାଘାଟ ପାଣିରେ ବୁଡ଼ିଯାଇଥିବାରୁ ପ୍ରଶାସନ ଲୋକଙ୍କୁ ସମ୍ଭବ ହେଲେ ଘରୁ କାମ କରିବାକୁ ପରାମର୍ଶ ଦେଇଛି। ଜଳବନ୍ଦୀ ରାସ୍ତା ଏଡ଼ାଇବାକୁ ମଧ୍ୟ କୁହାଯାଇଛି।

ଦିଲ୍ଲୀ-ଏନସିଆରରେ ବର୍ଷା ସହ ଝଡ଼ ଆଶଙ୍କା

ଦିଲ୍ଲୀର ଅନେକ ଅଞ୍ଚଳରେ ବର୍ଷା ଯୋଗୁଁ ଜଳବନ୍ଦୀ ସମସ୍ୟା ଦେଖାଦେଇଛି। ଆଜି ମଧ୍ୟ ଦିଲ୍ଲୀ-ଏନସିଆର ପାଇଁ ଆଲର୍ଟ ଜାରି ରହିଛି। ଏଠାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବର୍ଷା ହେବାର ସମ୍ଭାବନା ରହିଛି।

ପାହାଡ଼ିଆ ଅଞ୍ଚଳରେ ବଢ଼ିଲା ଚିନ୍ତା

ଜମ୍ମୁ-କାଶ୍ମୀର, ଉତ୍ତରାଖଣ୍ଡ ଓ ହିମାଚଳ ପ୍ରଦେଶରେ ମଧ୍ୟ ପାଗର ପ୍ରଭାବ ଦେଖାଦେଇଛି। ଜମ୍ମୁ-କାଶ୍ମୀରର ଶୋପିଆନରେ ବାଦଲ ଫାଟିବା ଘଟଣା ପରେ ଚିନ୍ତା ବଢ଼ିଛି। ଉତ୍ତରାଖଣ୍ଡର କେଦାରନାଥ ରାଜପଥରେ ଭୂସ୍ଖଳନ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି।

ହିମାଚଳ ପ୍ରଦେଶର କୁଲ୍ଲୁ, ଶିମଲା, କାଙ୍ଗଡ଼ା, ମାଣ୍ଡି ସମେତ ଅନେକ ଜିଲ୍ଲାରେ ଭାରି ବର୍ଷା ଓ ଝଡ଼ର ସତର୍କତା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।