INDI Alliance Odisha Shutdown Disrupts Transport: ଇଣ୍ଡି ମେଣ୍ଟର ୧୨ ଘଣ୍ଟିଆ ବନ୍ଦରେ ଠପ୍ ଓଡ଼ିଶା, ଜନଜୀବନ ହନ୍ତସନ୍ତ
୪ ଦଫା ଦାବିରେ କଂଗ୍ରେସର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ। ଯାହା ପାଇଁ ସାରା ରାଜ୍ୟରେ ଠପ୍ ହୋଇଯାଇଛି ସାଧାରଣ ଜୀବନଯାତ୍ରା। ଗାଡି ଚଳାଚଳ ବନ୍ଦ, ଖୋଲିଲାନି ଦୋକାନ ବଜାର। ଆନ୍ଦୋଳନକାରୀ ଟ୍ରେନ୍ ବନ୍ଦ କରିଦେଲେ, ଫସିଲା ଆମ୍ବୁଲାନ୍ସ ଓ କ୍ଷୀର ଗାଡିକୁ ବି ଛାଡିଲେନି। ଓଡ଼ିଶା ବନ୍ଦ ପାଳନରେ ଛଟପଟ ହୋଇଛନ୍ତି ଜନତା। ଗାଡି ନପାଇ ହନ୍ତସନ୍ତ ହୋଇଛନ୍ତି ଯାତ୍ରୀ।
ଦୋକାନ ବଜାରରେ ତାଲା.. ଚକ-ଅଖ ବନ୍ଦ। ଟ୍ରେନ୍ ଆଗରେ ଶୋଇଗଲେ, ବିମାନ ବନ୍ଦରରେ ବି ହୋହଲ୍ଲା। ଅଟକିଲା ଅଟୋ.. ବନ୍ଦ ହେଲା ବସ୍। ବିଚ୍ ରାସ୍ତାରେ ଟାୟାର ଜାଳି ଠପ୍ କରିଦେଲେ ଗାଡି ଚଳାଚଳ। ଗୋଟିଏ ହାତରେ ଦଳୀୟ ପତାକା, ଅନ୍ୟ ହାତରେ ଠେଙ୍ଗା। ରାତି ପାହୁ ପାହୁ ରାଜରାସ୍ତାରେ ନାରା ଦେଇ ଆରମ୍ଭ ହୋଇଗଲା ଅବରୋଧ। ବ୍ୟାନର, ପ୍ଲାକାର୍ଡ ସହ ଯାହାକୁ ପାରିଲେ ଘେରିଗଲେ ଆନ୍ଦୋଳନକାରୀ। ବରିଷ୍ଠ ନାଗରିକକୁ ବାଟ ଛାଡିଲେନି.. ଡାକ୍ତର ଓ ମହିଳାଙ୍କୁ ବି ଅଟକାଇଲେ।
କିଏ ପିଲାକୁ ସ୍କୁଲ ଛାଡି ବାହାରିଥିଲା ତ କିଏ ଜରୁରୀ ମେଡିକାଲ ଟେଷ୍ଟ ପାଇଁ। ହେଲେ ଡାକ୍ତରଙ୍କ ଆଗରୁ ରିପୋର୍ଟ ଦେଖାଇବାକୁ ପଡିଥିଲା ଆନ୍ଦୋଳନକାରୀଙ୍କୁ। ରାସ୍ତା ଛାଡିବାକୁ କାକୁତିମିନତି କରିଥିଲେ ରୋଗୀ ଏବଂ ସମ୍ପର୍କୀୟ। ଜରୁରୀ କାମ ପାଇଁ ସକାଳୁ ସକାଳୁ ଯିଏ ବାହାରିଥିଲା, ଫସିଗଲା ବିକ୍ଷୋଭର ଭିଡ ଭିତରେ। ବସ୍ ବନ୍ଦ ହୋଇଯିବାରୁ ଛଟପଟ ହୋଇଗଲେ ଯାତ୍ରୀ। ଘଣ୍ଟା ଘଣ୍ଟା ଧରି ଷ୍ଟାଣ୍ଡରେ ଅପେକ୍ଷା କଲେ, ତଥାପି ଗାଡି ଗଡିଲାନି। ଏୟାରପୋର୍ଟରୁ ବାହାରିଥିବା ଯାତ୍ରୀ ବି ଗାଡି ପାଇଲେନି।
ବନ୍ଦ ପାଇଁ ରାସ୍ତାରେ ଆମ୍ବୁଲାନ୍ସ ବି ଫସିଲା। କନ୍ଧମାଳ ଜିଲ୍ଲା ଫୁଲବାଣୀରେ କଂଗ୍ରେସର ପିକେଟିଂରେ ବଳି ପଡିଛି ଜରୁରୀକାଳୀନ ସେବା। ଆନ୍ଦୋଳନକାରୀ କ୍ଷୀର ଗାଡିକୁ ବି ଛାଡିନଥିଲେ।
ବନ୍ଦ ପାଳନ ବେଳେ କର୍ମୀ ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତିର ଏଚିତ୍ର ଭଦ୍ରକର। ଆନ୍ଦୋଳନକାରୀ ବନ୍ଦରେ ଏମିତି ମାତିଥିଲେ ଯେ, ପୋଲିସର କଲର ଧରି ଘୋଷାଡିବାକୁ ପଛାଇନଥିଲେ। ବନ୍ଦରୁ ବାଦ୍ ପଡିନି ନ୍ୟାୟିକ ବ୍ୟବସ୍ଥା। ବରଗଡ କୋର୍ଟ ପରିସରରେ ପିକେଟିଂ ବେଳେ ବିଚାରପତିଙ୍କୁ ଅଟକାଇଥିଲେ କଂଗ୍ରେସ କର୍ମୀ, କୋର୍ଟ କାର୍ଯ୍ୟ ବନ୍ଦ କରିବାକୁ କରିଥିଲେ ଅନୁରୋଧ। ଜଳପଥରେ ବି ପଡିଲା ତାଲା। ଜହ୍ନିକୁଦାରୁ ସାତପଡା, ଚିଲିକାର ଜଳପଥ ସମ୍ପୁର୍ଣ୍ଣ ବନ୍ଦ କରିଦେଇଥିଲେ ଆନ୍ଦୋଳନକାରୀ। ବନ୍ଦ ରହିଥିଲା ଡଙ୍ଗା ଓ ଫେରି ଚଳାଚଳ।
୪ ଦଫା ଦାବି ନେଇ ସକାଳ ୬ରୁ ସନ୍ଧ୍ୟା ୬ ଯାଏ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଥିଲା ଇଣ୍ଡି ମେଣ୍ଟ। MMDR ଆଇନ୍ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ଇସ୍ତଫା, ରାଜ୍ୟରେ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଏବଂ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଦାବି କରାଯାଇଛି। ତେବେ ଏହି ବନ୍ଦ ପାଳନରେ ସାଧାରଣ ଜୀବନଯାତ୍ରା ସହ ଠପ୍ ହୋଇଯାଇଛି ମାଲ୍ ପରିବହନ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।