03 NOVEMBER 2026

Welcome!

Unlock your personalized experience.
Sign Up

Iran US Conflict: ଆମେରିକା ଚାହିଲେ ଦୁଇ ଦିନ ମଧ୍ୟରେ ଖୋଲିବ ହର୍ମୁଜ୍: ଇରାନ

Nov 02, 2026 - 22:19
Iran US Conflict: ଆମେରିକା ଚାହିଲେ ଦୁଇ ଦିନ ମଧ୍ୟରେ ଖୋଲିବ ହର୍ମୁଜ୍: ଇରାନ

ତେହେରାନ: ଆସନ୍ତା ଦୁଇ ଦିନ ମଧ୍ୟରେ ହର୍ମୁଜ୍ ପ୍ରଣାଳୀକୁ ପୁନର୍ବାର ଖୋଲିବାକୁ ଇରାନ ପ୍ରସ୍ତୁତ ଅଛି। ତେବେ ଏଥିପାଇଁ ଆମେରିକାକୁ ଇରାନର ସର୍ତ୍ତ ମାନିବାକୁ ପଡ଼ିବ। ଉଭୟ ଦେଶ ମଧ୍ୟରେ ମଧ୍ୟସ୍ଥିଙ୍କ ଜରିଆରେ ବାର୍ତ୍ତା ଆଦାନପ୍ରଦାନ ଜାରି ରହିଛି। ଇରାନର ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ଇସ୍ମାଇଲ ବାଘାଇ ସୋମବାର ଏହି ସୂଚନା ଦେଇଛନ୍ତି।

ବାଘାଇ କହିଛନ୍ତି, ଇରାନର ଦାବି ପୂରଣ ହେଲେ ହର୍ମୁଜ୍ ପ୍ରଣାଳୀରେ ସୁରକ୍ଷା ପୁନଃସ୍ଥାପନ ହେବା ସହ ଖୁବ୍‌ କମ୍‌ ସମୟ ମଧ୍ୟରେ ଆଲୋଚନା ଆରମ୍ଭ ହୋଇପାରିବ। ତେଣୁ ଇରାନର ସର୍ତ୍ତକୁ ଆମେରିକା ଗ୍ରହଣ କରିବା ଉପରେ ସବୁକିଛି ନିର୍ଭର କରୁଛି। ଇରାନର ଦାବି ମଧ୍ୟରେ ରହିଛି ସବୁ ଦିନପାଇଁ ଇରାନ ବିରୋଧରେ ଯୁଦ୍ଧ ବନ୍ଦ କରିବା, ବିଦେଶରେ ଜମା ଥିବା ଇରାନର ସମ୍ପତ୍ତି ଉପରୁ କଟକଣା ହଟାଇବା, ଇରାନର ତୈଳ କ୍ଷେତ୍ର ଉପରେ ଆମେରିକାର ଆର୍ଥିକ କଟକଣା ପ୍ରତ୍ୟାହାର କରିବା ଏବଂ ଇରାନର ବନ୍ଦରଗୁଡ଼ିକ ଉପରେ ଲାଗୁ ହୋଇଥିବା ଆମେରିକାର ସାମୁଦ୍ରିକ ଅବରୋଧ ହଟାଇବା। 

ସେହିଭଳି ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଘଚି ମଧ୍ୟ କହିଛନ୍ତି ଯେ ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳ ପାଇଁ ଇରାନ ଓ ଓମାନ ମଧ୍ୟରେ ସହମତି ହୋଇଥିବା ନୂଆ ମାର୍ଗକୁ ଆମେରିକା ଗ୍ରହଣ କରିବା ଆବଶ୍ୟକ। ଏଥିସହ ଏହି ଅଞ୍ଚଳରେ ଆମେରିକୀୟ ସୈନ୍ୟଙ୍କ ସଂଖ୍ୟା ହ୍ରାସ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

Explosion: ହର୍ମୁଜ୍ ପ୍ରଣାଳୀରେ ପୁଣି ମାଇନ୍ ବିସ୍ଫୋରଣ

ଅନ୍ୟପକ୍ଷରେ ଇରାନ ଉପରେ ଆମେରିକା ଓ ଇସ୍ରାଏଲ ପୁନର୍ବାର ଆକ୍ରମଣ କରିବା ନେଇ ଆଶଙ୍କା ବଢ଼ିଛି। ନଭେମ୍ବର ୩ ତାରିଖରେ ଆମେରିକାର ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ହେବା ଆଶଙ୍କା ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଗୋଟିଏ କିମ୍ବା ଦୁଇଟି ଟାର୍ଗେଟ୍‌କୁ ନେଇ ଏବେ ବି ପଦକ୍ଷେପ ନେବା ବାକି ଅଛି ବୋଲି ମଧ୍ୟ କହିଛନ୍ତି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ମଧ୍ୟ ଇରାନ ବିରୋଧରେ ଆକ୍ରମଣ ସପକ୍ଷରେ ଚାପ ପକାଉଥିବା ରିପୋର୍ଟ ପ୍ରକାଶ ପାଇଛି। 

ଉଲ୍ଲେଖଯୋଗ୍ୟ, ପାରସ୍ୟ ଉପସାଗର ଓ ଓମାନ ଉପସାଗରକୁ ସଂଯୋଗ କରୁଥିବା ହର୍ମୁଜ୍ ପ୍ରଣାଳୀ ବିଶ୍ୱର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ତୈଳ ପରିବହନ ମାର୍ଗ। ବିଶ୍ୱର ମୋଟ ତୈଳ ଯୋଗାଣର ପ୍ରାୟ ଏକ ପଞ୍ଚମାଂଶ ଏହି ମାର୍ଗ ଦେଇ ପରିବହନ ହୋଇଥାଏ। ତେଣୁ ଏହି ପ୍ରଣାଳୀ ଖୋଲିବା ନେଇ ଇରାନର ଘୋଷଣା ବିଶ୍ୱ ତୈଳ ବଜାର ଓ ଅନ୍ତର୍ଜାତୀୟ ବାଣିଜ୍ୟ ପାଇଁ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।