IRDAI Proposes Major Changes: ଭୁଲ ତଥ୍ୟ ଦେଇ ବୀମା ବିକ୍ରି ରୋକିବାକୁ IRDAIର ବଡ଼ ପଦକ୍ଷେପ

Sep 24, 2026 - 19:34
IRDAI Proposes Major Changes: ଭୁଲ ତଥ୍ୟ ଦେଇ ବୀମା ବିକ୍ରି ରୋକିବାକୁ IRDAIର ବଡ଼ ପଦକ୍ଷେପ

ଭାରତୀୟ ବୀମା ନିୟାମକ ଓ ବିକାଶ ପ୍ରାଧିକରଣ (IRDAI) ବୀମା ବଣ୍ଟନ ନିୟମରେ ବ୍ୟାପକ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଛି। ବୀମା କିଣିବା ଓ ଏହାର ସେବା ପାଇବା ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ, ପ୍ରତିଯୋଗିତାମୂଳକ ଓ ଗ୍ରାହକ-ଅନୁକୂଳ କରିବା ଏହି ପ୍ରସ୍ତାବର ମୁଖ୍ୟ ଉଦ୍ଦେଶ୍ୟ।

IRDAI ଏକ ସାର୍ବଜନୀନ ପରାମର୍ଶ ପତ୍ର ଜାରି କରିଛି। ଏଥିରେ ବୀମା ବଣ୍ଟନ ବ୍ୟବସ୍ଥା, ଖର୍ଚ୍ଚ, କମିଶନ୍, ବଜାର ଆଚରଣ, ସ୍ୱଚ୍ଛତା ଏବଂ ଡିଜିଟାଲ୍ ଭିତ୍ତିଭୂମି ସମ୍ପର୍କିତ ବିଭିନ୍ନ ପ୍ରସ୍ତାବ ରହିଛି।

IRDAI କହିଛି, ଏହି ସଂସ୍କାରର ଲକ୍ଷ୍ୟ ହେଉଛି ଏକ ଗ୍ରାହକ-କୈନ୍ଦ୍ରୀକ, ପ୍ରତିଯୋଗିତାମୂଳକ, ଦକ୍ଷ ଓ ସ୍ୱଚ୍ଛ ବୀମା ବଣ୍ଟନ ବ୍ୟବସ୍ଥା ସୃଷ୍ଟି କରିବା।

ଗ୍ରାହକଙ୍କ ପାଇଁ ଏହି ପ୍ରସ୍ତାବଗୁଡ଼ିକ ଲାଗୁ ହେଲେ, ସେମାନଙ୍କୁ କିଏ ବୀମା ପଲିସି ବିକ୍ରି କରୁଛି, ବୀମା ବଣ୍ଟନକାରୀଙ୍କୁ କିପରି ଟଙ୍କା ଦିଆଯାଉଛି ଆଦି ବିଷୟରେ ଅଧିକ ସ୍ପଷ୍ଟତା ମିଳିପାରେ। ଏଥିସହ ବାଧ୍ୟତାମୂଳକ ଭାବେ ଅନ୍ୟ ବୀମା କିମ୍ବା ସେବା ସହ ପଲିସି ଯୋଡ଼ିବାର ଘଟଣା କମିବା ସହ ଭୁଲ ତଥ୍ୟ ଦେଇ ବୀମା ବିକ୍ରି ରୋକିବା ପାଇଁ ଅଧିକ ସୁରକ୍ଷା ବ୍ୟବସ୍ଥା ହୋଇପାରେ। 

ତେବେ ଏଗୁଡ଼ିକ ଏବେ କେବଳ ପ୍ରସ୍ତାବ ପର୍ଯ୍ୟାୟରେ ରହିଛି। IRDAI ବିଭିନ୍ନ ଅଂଶୀଦାରଙ୍କଠାରୁ ଏନେଇ ମତାମତ ଓ ପରାମର୍ଶ ଆହ୍ୱାନ କରିଛି। ଫିଡବ୍ୟାକ୍ ପ୍ରକ୍ରିୟା ୨୦୨୬ ଅକ୍ଟୋବର ୨୫ ଯାଏଁ ଖୋଲା ରହିବ।

ପ୍ରସ୍ତାବିତ ପରିବର୍ତ୍ତନ ମଧ୍ୟରୁ ଗୋଟିଏ ହେଉଛି ବର୍ତ୍ତମାନର ବୀମା ବଣ୍ଟନ ବ୍ୟବସ୍ଥାକୁ ସରଳ କରିବା।

IRDAI ଏଭଳି ଏକ ସରଳ ବ୍ୟବସ୍ଥା ଆଣିବାକୁ ଚାହୁଁଛି, ଯାହା ମାଧ୍ୟମରେ ଗ୍ରାହକମାନେ କାହା ମାଧ୍ୟମରେ ବୀମା କିଣୁଛନ୍ତି, ତାହା ସହଜରେ ବୁଝିପାରିବେ। ନିୟାମକଙ୍କ ଅନୁସାରେ, ପ୍ରସ୍ତାବିତ ବ୍ୟବସ୍ଥା ବୀମା ବଣ୍ଟନ କ୍ଷେତ୍ରରେ ନିୟାମାବଳୀ ସମ୍ୱନ୍ଧୀୟ ଓ ପରିଚାଳନାଗତ ବାଧାକୁ ମଧ୍ୟ କମାଇବା ସହ ଅଧିକ ଅଂଶୀଦାରଙ୍କୁ ଏହି ବ୍ୟବସ୍ଥାରେ ସାମିଲ ହେବାର ସୁଯୋଗ ଦେଇପାରେ।

ପଲିସୀଧାରୀଙ୍କ ପାଇଁ ଏହା ଲାଗୁ ହେଲେ, ବୀମା ବଣ୍ଟନ ବ୍ୟବସ୍ଥାକୁ ବୁଝିବା ଅଧିକ ସହଜ ହୋଇପାରେ। ଏଥିସହ ପଲିସି ବିକ୍ରି କିମ୍ବା ସେବା ଯୋଗାଇବାରେ ଜଡ଼ିତ ମଧ୍ୟସ୍ଥଙ୍କ ଭୂମିକା ସମ୍ପର୍କରେ ମଧ୍ୟ ଗ୍ରାହକଙ୍କୁ ଅଧିକ ସ୍ପଷ୍ଟତା ମିଳିପାରେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।