Jatra Industry Witnesses New Power Struggle: ଗୋଟିଏ ସଂଘରୁ ଦୁଇଟି ସଂଘ, ଯାତ୍ରା ଇଣ୍ଡଷ୍ଟ୍ରିରେ ଆରମ୍ଭ ହେଲା ଲଢ଼େଇ

Sep 29, 2026 - 20:25
Jatra Industry Witnesses New Power Struggle: ଗୋଟିଏ ସଂଘରୁ ଦୁଇଟି ସଂଘ, ଯାତ୍ରା ଇଣ୍ଡଷ୍ଟ୍ରିରେ ଆରମ୍ଭ ହେଲା ଲଢ଼େଇ

ଯାତ୍ରା ଦୁନିଆରୁ ବିବାଦ ହଟିବାର ନାଁ ନେଉନି। କେତେବେଳେ କଳାକାର ତ କେବେ ମାଲିକଙ୍କୁ ନେଇ ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡୁଥିଲା। ଆଉ ଏବେ ଯାତ୍ରା ଶିଳ୍ପରେ ଆରମ୍ଭ ହୋଇଛି ନୂଆ ଆଉ ପୁରୁଣା ଗୁରୁଙ୍କ ଭିତରେ ଲଢ଼େଇ। ଗୋଟିଏ ପଟେ ବରିଷ୍ଠ ନାଟ୍ୟଗୁରୁ ବିଜୟ ଦାସ, ହର ବାରିକ ଓ ଲକ୍ଷ୍ମୀକାନ୍ତ ପାଲିତଙ୍କ ଭଳି ଭେଟେରାନ।

ଅନ୍ୟପଟେ ଅଛନ୍ତି ଦୀପକ ଜେନା, ଅରୁଣ ନାୟକ, ସାରଦା ରଣା, ଗୁରୁପ୍ରସାଦ ମିଶ୍ର ଓ ମହେଶ ହାଜରାଙ୍କ ଭଳି ନୂଆ ପୀଢ଼ିର ନାଟ୍ୟକାର ଓ ନିର୍ଦ୍ଦେଶକ। ଏବେ ଏହି ଦୁଇ ଗୋଷ୍ଠୀକୁ ନେଇ ଗଠନ ହୋଇଛି ଦୁଇଟି ସଂଘ। ପୁରୁଣା ସଂଘ ଅପେରା ମାଷ୍ଟର୍ସ ଆସୋସିଏସନ ବା ଓମା ଥିବା ବେଳେ ନୂଆ ଭାବରେ ଗଢ଼ି ଉଠିଛି ଓଡିଶା ଅପେରା ମାଷ୍ଟର୍ସ ଆସୋସିଏସନ ବା ଉମା। କୁହାଯାଉଛି, ପଦପଦବୀକୁ ନେଇ ମତଭେଦ ପରେ ପ୍ରାୟ ୨୫ ଜଣ ନାଟ୍ୟଗୁରୁ ଓମାରୁ ଅଲଗା ହୋଇ ନୂଆ ସଂଘ ଗଢ଼ିଛନ୍ତି। ତେବେ ମତଭେଦର ସୂତ୍ରପାତ କେବେଠୁ ହେଲା ? କାହିଁକି ଦରକାର ପଡ଼ିଲା ନୂଆ ସଂଘ ? 

ପୂର୍ବରୁ କଳାକାର ଓ ମାଲିକଙ୍କ ଭିତରେ କଳି ହେଉଥିଲା। ନାଟ୍ୟ ନିର୍ଦ୍ଦେଶକଙ୍କ ଭିତରେ ଏଭଳି ଗୋଷ୍ଠୀକନ୍ଦଳ କେବେ ଦେଖିନଥିଲା ଯାତ୍ରା ଜଗତ। ତେବେ ହଠାତ୍ କାହିଁକି ସୃଷ୍ଟି ହେଲା ଏହି ଫାଟ ? କେବଳ ପଦପଦବୀକୁ ନେଇ ନା ଏହା ପଛରେ ରହିଛି କାମକୁ ନେଇ ପ୍ରତିଯୋଗିତା ? କାରଣ ଏବେ ଯାତ୍ରାରେ ନୂଆ କାହାଣୀର ଡିମାଣ୍ଡ ବଢୁଛି। ଯୁବ ନାଟ୍ୟକାର ଦୀପକ ଜେନାଙ୍କ ବହିକୁ ନେଇ ଯାତ୍ରା ମାଲିକଙ୍କ ଭିତରେ ଚାହିଦା ଅଧିକ। ଗୋଟିଏ ଋତୁରେ ତାଙ୍କର ୧୫ରୁ ୧୮ଟି ନାଟକ ବିଭିନ୍ନ ଯାତ୍ରା ପାର୍ଟିରେ ମଞ୍ଚସ୍ଥ ହେଉଥିବା କୁହାଯାଉଛି।

ସେହିପରି ଯୁବ ନିର୍ଦ୍ଦେଶକ ମହେଶ ହାଜରା ବି ଗୋଟିଏ ଯାତ୍ରା ସିଜିନରେ ପ୍ରାୟ ୮ଟି ନାଟକର ନିର୍ଦ୍ଦେଶନା ଦେଉଛନ୍ତି। ଅର୍ଥାତ୍ ନୂଆ ନାଟ୍ୟଗୁରୁଙ୍କ ଚାହିଦା ବଢୁଛି। ସେପଟେ ଭେଟେରାନଙ୍କ କାହାଣୀ ଓ ନିର୍ଦ୍ଦେଶନାକୁ ଆଉ ସେତେଟା ପସନ୍ଦ କରୁ ନାହାନ୍ତି ପ୍ରଯୋଜକ। ଯେଉଁଥିିପାଇଁ ଓମା ଅସହିଷ୍ଣୁ ହୋଇ ପଡିଥିବା ଚର୍ଚ୍ଚା ହେଉଛି। 

ସେହିପରି ପୁରୁଣା ସଂଘ ଓମା କହିଥିଲା ସବୁ ଲେଖକଙ୍କୁ ସମାନ ଭାବେ କାମ ବାଣ୍ଟିବାକୁ ହେବ। ମାତ୍ର ବେଶି କାମ ପାଉଥିବା ନାଟ୍ୟକାରମାନଙ୍କୁ ଏହି ନିୟମ ପସନ୍ଦ ନଆସିବାରୁ ସେମାନେ ଅଲଗା ହୋଇ ନୂଆ ସଂଘ ଗଢ଼ିଥିବା କୁହାଯାଉଛି। 

ଗୋଟିଏ ପଟେ ବରିଷ୍ଠ ଗୁରୁ, ଅନ୍ୟପଟେ ନୂଆ ପିଢ଼ି। ଗୋଟିଏ ପଟେ ବର୍ଷ ବର୍ଷର ଅଭିଜ୍ଞତା, ଅନ୍ୟପଟେ ଦର୍ଶକଙ୍କ ବଦଳୁଥିବା ପସନ୍ଦ ଓ ନୂଆ କାହାଣୀ। ହେଲେ ଏହି ବଦଳ ଭିତରେ ନାଟ୍ୟଗୁରୁଙ୍କ ଭିତରେ ଫାଟ ଆଉ ପତିଆରା ଲଢ଼େଇ ଯାତ୍ରା ଇଣ୍ଡଷ୍ଟ୍ରି ପାଇଁ ଶୁଭଙ୍କର ନୁହେଁ। 
ଗୋଟିଏ ସଂଘରୁ ଏବେ ଦୁଇଟି ସଂଘ। ଦୁଇ ସଂଘର ଏହି ବିବାଦ ଯାତ୍ରା ମଞ୍ଚ ଉପରେ କେତେ ପ୍ରଭାବ ପକାଇବ ? ଏବେ ନଜର ରହିବ ଆଗାମୀ ଯାତ୍ରା ଋତୁ ଉପରେ। ... 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।