31 OCTOBER 2026

Welcome!

Unlock your personalized experience.
Sign Up

Jio: ଜିଓ ପ୍ଲାଟଫର୍ମସର ମୋଟ ରାଜସ୍ୱ ୪୭,୪୮୫ କୋଟି, ଫିକ୍ସଡ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୩ କୋଟି

Oct 30, 2026 - 22:33
Jio: ଜିଓ ପ୍ଲାଟଫର୍ମସର ମୋଟ ରାଜସ୍ୱ ୪୭,୪୮୫ କୋଟି, ଫିକ୍ସଡ୍ ବ୍ରଡବ୍ୟାଣ୍ଡ ଗ୍ରାହକଙ୍କ ସଂଖ୍ୟା ୩ କୋଟି

ମୁମ୍ବାଇ: ରିଲାଏନ୍ସ ଜିଓର ୫ଜି ଗ୍ରାହକଙ୍କ ସଂଖ୍ୟା ୩୦ କୋଟିରେ ପହଞ୍ଚିଛି। ଜିଓ ପ୍ଲାଟଫର୍ମସର ତ୍ରୈମାସିକ ଆର୍ଥିକ ଫଳାଫଳ ଅନୁଯାୟୀ, ଗତ ୧୨ ମାସ ଅର୍ଥାତ୍ ୨୦୨୫ ଅକ୍ଟୋବରରୁ ୨୦୨୬ ସେପ୍ଟେମ୍ବର ମଧ୍ୟରେ ଜିଓର ୫ଜି ଗ୍ରାହକ ସଂଖ୍ୟା ୬.୬ କୋଟି ବଢ଼ିଛି। ଫିକ୍ସଡ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ମଧ୍ୟ କମ୍ପାନି ୩ କୋଟି ଗ୍ରାହକ ହାସଲର ମାଇଲଖୁଣ୍ଟ ଅତିକ୍ରମ କରିଛି। ଜିଓର ମୋଟ ଗ୍ରାହକ ସଂଖ୍ୟା ୫୪.୨ କୋଟି ଟପିଛି।

ଜିଓ ନେଟୱର୍କରେ ଡାଟା ବ୍ୟବହାର ମଧ୍ୟ ଦ୍ରୁତଗତିରେ ବଢ଼ିଛି। ପ୍ରତ୍ୟେକ ଗ୍ରାହକଙ୍କ ମାସିକ ହାରାହାରି ଡାଟା ବ୍ୟବହାର ୪୪.୨ ଜିବିରେ ପହଞ୍ଚିଛି। କମ୍ପାନିର ମୋଟ ଓୟାରଲେସ୍ ଡାଟା ଟ୍ରାଫିକ୍‌ରେ ୫ଜିର ଭାଗ ଏବେ ପ୍ରାୟ ୫୬% ହୋଇଛି। ସେପ୍ଟେମ୍ବର ତ୍ରୈମାସିକରେ ଜିଓର ମୋଟ ଡାଟା ଟ୍ରାଫିକ୍ ବାର୍ଷିକ ଭିତ୍ତିରେ ୨୨.୧ ପ୍ରତିଶତ ବୃଦ୍ଧି ପାଇ ୭୧ ଏକ୍ସାବାଇଟ୍‌ରେ ପହଞ୍ଚିଛି। ଫିକ୍ସଡ୍ ବ୍ରଡବ୍ୟାଣ୍ଡ କ୍ଷେତ୍ରରେ ଜିଓ ଏୟାରଫାଇବରର ଭୂମିକା ମଧ୍ୟ କ୍ରମାଗତ ଭାବେ ବଢ଼ୁଛି। ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୧ କୋଟି ୫୧ ଲକ୍ଷରେ ପହଞ୍ଚିଛି।

ଗ୍ରାହକ ସଂଖ୍ୟା ବୃଦ୍ଧି ଏବଂ ଡିଜିଟାଲ୍ ସେବାର ସମ୍ପ୍ରସାରଣ କମ୍ପାନିର ଆର୍ଥିକ ପ୍ରଦର୍ଶନରେ ମଧ୍ୟ ପ୍ରତିଫଳିତ ହୋଇଛି। ଜିଓ ପ୍ଲାଟଫର୍ମସର ତ୍ରୈମାସିକ ମୋଟ ରାଜସ୍ୱ ୧୧.୩% ବୃଦ୍ଧି ପାଇ ୪୭,୪୮୫ କୋଟି ଟଙ୍କା ହୋଇଥିବା ବେଳେ ଇବିଆଇଟିଡିଏ ୧୬.୬% ବୃଦ୍ଧି ପାଇ ୨୧,୮୭୯ କୋଟି ଟଙ୍କାରେ ପହଞ୍ଚିଛି। ପ୍ରତି ଗ୍ରାହକ ପିଛା ହାରାହାରି ମାସିକ ଆୟ (ଏଆର୍‌ପିୟୁ) ମଧ୍ୟ ବୃଦ୍ଧି ପାଇ ୨୧୮.୮ ଟଙ୍କା ହୋଇଛି।

ଏହା ପୂର୍ବରୁ ଚଳିତମାସ ୨୮ ତାରିଖରେ ସେୟାର ବଜାରରେ ଜିଓ ପ୍ଲାଟଫର୍ମସର ଚମତ୍କାର ଲିଷ୍ଟିଂ ହୋଇଥିଲା। କମ୍ପାନିର ୩୦,୧୮୮ କୋଟି ଟଙ୍କାର ଆଇପିଓ ଭାରତୀୟ ଇତିହାସର ସବୁଠାରୁ ବଡ଼ ଆଇପିଓ ହୋଇଥିବା ବେଳେ ଏହା ୨୨ ଗୁଣରୁ ଅଧିକ ସବ୍‌ସ୍କ୍ରାଇବ୍ ହୋଇଥିଲା। ଲିଷ୍ଟିଂ ପରେ ବଜାର ପୁଞ୍ଜୀକରଣ ଦୃଷ୍ଟିରୁ ଜିଓ ପ୍ଲାଟଫର୍ମସ ଦେଶର ଦ୍ୱିତୀୟ ସର୍ବାଧିକ ମୂଲ୍ୟବାନ ତାଲିକାଭୁକ୍ତ କମ୍ପାନିର ମାନ୍ୟତା ହାସଲ କରିଛି। 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।