Jual Oram Signals Political Comeback: ‘ମୋତେ ଅପଦସ୍ତ କଲେ ଜାଳି ସଫା କରିଦେବି’, ଜୁଏଲଙ୍କ କଡ଼ା ଚେତାବନୀ

Aug 28, 2026 - 21:44
Jual Oram Signals Political Comeback: ‘ମୋତେ ଅପଦସ୍ତ କଲେ ଜାଳି ସଫା କରିଦେବି’, ଜୁଏଲଙ୍କ କଡ଼ା ଚେତାବନୀ

ଦିନ ପାଖାପାଖି ସାଢ଼େ 11ଟା। ରାଜ୍ୟ ବିଜେପି ମୁଖ୍ୟାଳୟରୁ ବାହାରିବା ବେଳେ ଦେଖିବାକୁ ମିଳିଥିବା ଜୁଏଲଙ୍କ ରୁଦ୍ର ଅବତାର। ସିଧାସଳଖ ମିଡିଆ ଆଗକୁ ଆସି ଖୋଲିଥିଲେ ରାଉରକେଲା ପଲିଟିକ୍ସର ଗୁମର। କାହାର ନାଁ ସିଧାସଳଖ ନନେଇ କହିଥିଲେ, ଗତ କିଛି ଦିନ ହେଲା କିଛି ଲୋକ ପଇସା ଖର୍ଚ୍ଚ କରି ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି। ତାଙ୍କୁ କେନ୍ଦ୍ରମନ୍ତ୍ରୀ ପଦରୁ ହଟାଇ ନିଜ ପାଇଁ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସ୍ଥାନ ତିଆରି କରିବାକୁ ଅପଚେଷ୍ଟା କରୁଛନ୍ତି। ହେଲେ ସେ ତାହା କରିବାକୁ ଦେବେନି। ମତେ ଅପଦସ୍ତ କରିବାକୁ ଚେଷ୍ଟା କଲେ ଜାଳି ସଫା କରିଦେବି ବୋଲି କଡ଼ା ଚେତାବନୀ ଦେଇଛନ୍ତି ଜୁଏଲ୍। ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ନିର୍ବାଚନ ଲଢିବିନି ବୋଲି ପୂର୍ବରୁ କହିଥିଲି, କିନ୍ତୁ ଏବେ ପୁଣି ନିର୍ବାଚନ ଲଢିବି। ଜୁଏଲଙ୍କ ଏତେ ସବୁ କଥା କାହା ଉଦ୍ଦେଶ୍ୟରେ କହିଛନ୍ତି ତାହା ସ୍ପଷ୍ଟ କରିନଥିଲେ ବି ତାଙ୍କ କଥାରୁ ଅନେକ ଇସାରା ମିଳିଛି। ଏଥିସହିତ ଏ ସଂପର୍କରେ ସେ ଦଳର ସଂଗଠନ ସଂପାଦକ ମାନସ ମହାନ୍ତିଙ୍କୁ ଭେଟି ସବୁ ଅବଗତ କରିଛନ୍ତି। ଆବଶ୍ୟକ ପଡ଼ିଲେ ସେ କେନ୍ଦ୍ରୀୟ ନେତୃତ୍ବଙ୍କୁ ଭେଟି ଅବଗତ କରିବେ ବୋଲି କହିଛନ୍ତି। 

ବଡ଼ ପ୍ରଶ୍ନ କାହିଁକି ଏଭଳି ବର୍ଷିଲେ ଜୁଏଲ୍ ? କଣ ସତରେ କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପୂର୍ବରୁ ତାଙ୍କୁ ବଦନାମ କରିବାପାଇଁ ଏଭଳି ଷଡ଼ଯନ୍ତ୍ର କରାଯାଇଛି କି ? ଯଦି କରାଯାଇଛି ତେବେ ଏହା ପଛରେ କିଏ ? ଗତ 14 ତାରିଖରେ ରାଉରକେଲା ସର୍କିଟ୍ ହାଉସର 107 ନମ୍ବର ରୁମ୍ ପ୍ରକାଶ ପାୱନାନଙ୍କ ନାଁରେ ବୁକ୍ ହେବା ଏବଂ ସେଠାରୁ ହାର୍ଡକୋର କ୍ରିମିନାଲ୍ ବନ୍ଧୁକ ସହ ଗିରଫ ହେବା ପରେ ବଢ଼ିଥିଲା ଚର୍ଚ୍ଚା। ସେପଟେ ରୁମ୍ ବୁକ୍ କରିଥିବା ପ୍ରକାଶ ପାଶୱାନ, ଜୁଏଲଙ୍କ ରାଉରକେଲା ମହାନଗର ନିଗମର ପ୍ରତିନିଧି ବୋଲି ଜଣାପଡ଼ିବା ପରେ ସରଗରମ ହୋଇଥିଲା ସୁନ୍ଦରଗଡ଼ ରାଜନୀତି।

ଏହି ଘଟଣା ପରେ ପ୍ରକାଶ ପାଶୱାନ ଫେରାର୍ ହେବା, ପରେ ଦଳ ତାଙ୍କୁ ନିଲମ୍ବନ କରିବା, ଗତକାଲି ପାଶୱାନ ବିହାରରୁ ଗିରଫ ହେବା ଏବଂ ଆଜି ଜୁଏଲଙ୍କ ଏଭଳି ବୟାନ ଏହି ଚର୍ଚ୍ଚାକୁ ଆହୁରି ବଢ଼ାଇଛି। ଏହା ପୂର୍ବରୁ ଗତ 22 ତାରିଖରେ ଜୁଏଲ୍ ନିଜ ସୋସିଆଲ୍ ମିଡିଆ ହ୍ୟାଣ୍ଡେଲ୍ ଏକ୍ସରେ ଲେଖିଥିଲେ ଯେ, ପ୍ରକାଶ ପାଶୱାନ ମୋର ଜଣେ ସକ୍ରିୟ କାର୍ଯ୍ୟକର୍ତ୍ତା ଏବଂ ରାଉରକେଲା ମହାନଗର ନିଗମର ପ୍ରତିନିଧି। ସର୍କିଟ୍ ହାଉସ୍ ଘଟଣା ସଂପର୍କରେ ଯଦି ତାଙ୍କ ବିରୋଧରେ କୌଣସି ଅଭିଯୋଗ ରହିଛି, ତେବେ ତାହାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଉ। ଦୋଷ ପ୍ରମାଣିତ ହେଲେ ଆଇନ ଅନୁଯାୟୀ ଦଣ୍ଡ ଦିଆଯାଉ—ଏଥିରେ ମୋର କୌଣସି ଆପତ୍ତି ନାହିଁ। ରାଜନୀତିରେ ବିରୋଧ ରହିବ, ସମାଲୋଚନା ମଧ୍ୟ ହେବ। କିନ୍ତୁ ମିଥ୍ୟା, ଅପପ୍ରଚାର ଓ ଷଡ଼ଯନ୍ତ୍ରକୁ ସହନ କରାଯିବ ନାହିଁ।

ସମୟ ବଡ଼ ବଳବାନ। ମୁଁ ସମୟକୁ ଅପେକ୍ଷା କରୁଛି। ସେପଟେ ପ୍ରକାଶ ପାଶୱାନଙ୍କୁ ଗିରଫ କରି ଗତକାଲି ରାଉରକେଲା ଅଣାଯିବା ପରେ ସେ କହିଥିଲେ, ମୋ ନେତାଙ୍କୁ ବଦନାମ କରାଯାଉଛି।
ତେବେ ଜୁଏଲଙ୍କ ଆଜିର ବୟାନ ନେଇ ରାଉରକେଲାରୁ ଭୁବନେଶ୍ବର ପର୍ଯ୍ୟନ୍ତ କୌଣସି ବିଜେପି ନେତା ମୁହଁ ଖୋଲିନାହାଁନ୍ତି। ଆଗକୁ ଏହି ବିବାଦ କେଉଁ ମୋଡ଼ ନେଉଛି ତା ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।