Kotia Border Dispute Intensifies: କୋଟିଆରେ ନିର୍ବାଚନୀ ତାତି, ଆନ୍ଧ୍ର ପ୍ରଚାରକୁ ନେଇ ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ର ପୋଲିସ

Oct 25, 2026 - 20:42
Kotia Border Dispute Intensifies: କୋଟିଆରେ ନିର୍ବାଚନୀ ତାତି, ଆନ୍ଧ୍ର ପ୍ରଚାରକୁ ନେଇ ମୁହାଁମୁହିଁ ଓଡ଼ିଶା-ଆନ୍ଧ୍ର ପୋଲିସ

କୋଟିଆରେ ନିର୍ବାଚନୀ ତାତି।

ସୀମାରେ ଆନ୍ଧ୍ର-ଓଡ଼ିଶା ଟଣା ଓଟରା।

ଟିଡିପି ଓ ୱାଇଏସଆର କଂଗ୍ରେସ ସମେତ ବିଭିନ୍ନ ଦଳର ପ୍ରାର୍ଥୀ କୋଟିଆ ନିର୍ବାଚନୀ ମଇଦାନରେ।

ଆସନ୍ତା ୩ ତାରିଖରେ ଆନ୍ଧ୍ରର ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ।

ଏଥିପାଇଁ କୋଟିଆରେ ଆନ୍ଧ୍ର ରାଜନୈତିକ ଦଳଗୁଡ଼ିକର ପ୍ରଚାର ଜୋରଦାର ଚାଲିଛି।

ତାରି ଭିତରେ ଦେଖାଦେଇଛି ଦୁଇ ରାଜ୍ୟ ପୋଲିସ୍ ଭିତରେ ଉତ୍ତେଜନାମୂଳକ ସ୍ଥିତି।

ଫଗୁଣସିନେରି, ମାଡକାର ଏବଂ ସେମ୍ବି ଗାଁରେ ଆନ୍ଧ୍ର ପୋଲିସ୍ ଗତକାଲି ପାଟ୍ରୋଲିଂ କରୁଥିବା ବେଳେ ଓଡିଶା ପୋଲିସ୍ ଏହାକୁ ଅଟକାଇ ଥିଲା।

Advertisment କୋରାପୁଟ ବିଧାୟକ ଓ କିଛି କର୍ମୀ ଆନ୍ଧ୍ରର ମନମାନିକୁ ବିରୋଧ କରିଥିବାରୁ ସ୍ଥିତି ଉତ୍ତେଜନାମୂଳକ ରହିଥିଲା।

ଓଡ଼ିଶା ପୋଲିସ୍ ପ୍ରଶାସନର ବିରୋଧ ସତ୍ତ୍ୱେ ଆନ୍ଧ୍ର ପୋଲିସ୍ କୋଟିଆରେ କ୍ୟାମ୍ପ କରି ଡେରା ପକାଇଛି।

ଗୋଟିଏ ପଟେ କୋରାପୁଟ ଜିଲ୍ଲାପାଳ ଆନ୍ଧ୍ର ନିର୍ବାଚନ ବିରୁଦ୍ଧରେ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ଗ୍ରାଉଣ୍ଡରେ କିନ୍ତୁ କିଛି ଭିନ୍ନ ଚିତ୍ର ଦେଖିବାକୁ ମିଳୁଛି।

ରାଜନୀତି ପଶାପାଲିରେ ମୁଖ୍ୟ ମୁଦ୍ଦା କୋଟିଆ।

ଯାହାକୁ ନେଇ ରାଜନୀତି ସରଗରମ।

ଓଡ଼ିଶାର ସୀମାନ୍ତ ଅଞ୍ଚଳ କୋଟିଆରେ ଆନ୍ଧ୍ରର ବିକାଶମୂଳକ କାର୍ଯ୍ୟ ଓ ନିର୍ବାଚନୀ ପ୍ରଚାରକୁ ନେଇ ଉଠିଛି ପ୍ରଶ୍ନ।

କୋଟିଆବାସୀଙ୍କୁ ଶିକ୍ଷା, ନିଯୁକ୍ତି, କୃଷି ଓ ମୌଳିକ ସୁବିଧା ଯୋଗାଇବାରେ ଓଡ଼ିଶା ସରକାର ପଛରେ ପଡ଼ିଥିବା ଅଭିଯୋଗ କରିଛନ୍ତି ପିସିସି ସଭାପତି ଭକ୍ତ ଦାସ।

କୋଟିଆ ପ୍ରସଙ୍ଗରେ ସର୍ବଦଳୀୟ ବୈଠକ ଡାକିବାକୁ ଦାବି କରିବା ସହ ୨୭ ତାରିଖରେ କଂଗ୍ରେସ ଟିମ୍ କୋଟିଆ ଗସ୍ତ କରିବ ବୋଲି କହିଛନ୍ତି।

Advertisment ସେପଟେ କୋଟିଆ ପ୍ରସଙ୍ଗରେ ବିଜେପିକୁ ସାମ୍ବାଦିକ ସମ୍ମିଳନୀ କରି ଘେରିଛି ବିଜେଡି।

ନିର୍ବାଚନ ପୂର୍ବରୁ କୋଟିଆର ବିକାଶ ଓ ସମସ୍ୟାର ସ୍ଥାୟୀ ସମାଧାନ ନେଇ ଅନେକ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ତାହା ପୂରଣ ହୋଇନଥିବା ଅଭିଯୋଗ କରିଛନ୍ତି ବିଜେଡି ନେତା ପ୍ରଦୀପ ମାଝୀ ।

ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ମାଧ୍ୟମରେ ସ୍ଥାୟୀ ସମାଧାନର ପ୍ରତିଶ୍ରୁତି କୁଆଡ଼େ ଗଲା ବୋଲି ପ୍ରଶ୍ନ କରିଛନ୍ତି ସେ।

ଅନ୍ୟପଟେ ବିରୋଧୀଙ୍କ ଅଭିଯୋଗର କଡ଼ା ଜବାବ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ।

କୋଟିଆ ପ୍ରସଙ୍ଗ କୌଣସି ରାଜନୈତିକ ଦଳର ନୁହେଁ, ଏହା ଓଡ଼ିଶାର ଅସ୍ମିତାର ପ୍ରତୀକ।

ଆନ୍ଧ୍ରର ଯୋଜନାକୁ ପଣ୍ଡ କରିବା ପାଇଁ ସମସ୍ତେ ଏକାଠି ହେବା ଆବଶ୍ୟକ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

କୋଟିଆରେ ନିର୍ବାଚନୀ ପ୍ରଚାର, ବିକାଶ ଓ ସୀମା ବିବାଦକୁ ନେଇ ଏବେ ରାଜନୈତିକ ଆରୋପ ପ୍ରତ୍ୟାରୋପ ଜୋରଦାର।

ତେବେ ବୟାନବାଜି ଭିତରେ କୋଟିଆବାସୀଙ୍କ ଶିକ୍ଷା, ସ୍ୱାସ୍ଥ୍ୟ, ଜୀବିକା ଓ ମୌଳିକ ସୁବିଧାର ବିକାଶ ସହ ସୀମା ବିବାଦର ସ୍ଥାୟୀ ସମାଧାନ କେବେ ହେବ, ତାହା ଏବେ ବଡ଼ ପ୍ରଶ୍ନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।