Lord Jagannath: ଗଜାନନ ବେଶରେ ମହାପ୍ରଭୁଙ୍କ ଦର୍ଶନ କଲେ ଶ୍ରଦ୍ଧାଳୁ
ଭଟଲି: ପଶ୍ଚିମାଞ୍ଚଳ ଶ୍ରୀକ୍ଷେତ୍ର ବରଗଡ଼ଜିଲ୍ଲା ଭଟଲିର ଶ୍ରୀ ଶ୍ରୀ ଦଧିବାମନ ପୀଠରେ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ସୋମବାର ଅନୁଷ୍ଠିତ ହୋଇଯାଇଛି। ଆଜି ପ୍ରାତଃ ସମୟରେ ମନ୍ଦିର ପୂଜକଙ୍କ ଦ୍ୱାରା ଶୁଭ ଶଙ୍ଖନାଦ କରି ମହାପ୍ରଭୁଙ୍କ ପହଡ଼ଭଙ୍ଗ ନୀତି, ଦ୍ୱାରଫିଟା ନୀତି, ମଙ୍ଗଳ ପ୍ରଦୀପ, ଅଖଣ୍ଡ ଦୀପ ପ୍ରଜ୍ବଳନ, ସୂର୍ଯ୍ୟ ପୂଜା, ଅବକାଶ ନୀତି, ବେଶ ପରିବର୍ତ୍ତନ, ଗୋପାଳ ବଲ୍ଲଭ ଭୋଗ, ଦ୍ୱାରପାଳ ପୂଜା, ରୋଷ ପୂଜା, ସକାଳ ଧୂପ ସମାପନ ହେବାପରେ ଶ୍ରୀଜୀଉଙ୍କୁ ମଙ୍ଗଳାର୍ପଣ କରାଯାଇଥିଲା।
ଏହାପରେ ପ୍ରଭୁ ଦଧିବାମନ ରତ୍ନ ସିଂହାସନ ଛାଡି ମନ୍ଦିରସ୍ଥ ସ୍ନାନମଣ୍ଡପକୁ ବିଜେ କରିଥିଲେ। ସ୍ନାନ ମଣ୍ଡପରେ ମନ୍ଦିର ପୁରୋହିତ, ପଣ୍ଡିତ, ପୂଜକ ଏବଂ ସେବାୟତଙ୍କ ଦ୍ୱାରା ସ୍ନାନପୂଜାର ସମସ୍ତ ନୀତି କରାଯାଇଥିଲା। ପ୍ରଥମେ ଅଭିମନ୍ତ୍ରିତ ହଳଦୀ ଲେପନ କରାଯାଇଥିଲା। ଏହାପରେ ମହାପ୍ରଭୁଙ୍କ ଆବିର୍ଭାବସ୍ଥଳ ପବିତ୍ର ଚକ୍ରତୀର୍ଥ ତଥା ଭାରତର ବିଭିନ୍ନ ତୀର୍ଥକ୍ଷେତ୍ରମାନଙ୍କର ସଂଗୃହୀତ ଜଳକୁ ମିଶ୍ରଣ କରାଯାଇଥିଲା। ଅଧିବାସ ହୋଇରହିଥିବା ୧୦୮ ଗଡୁ ଅଭିମନ୍ତ୍ରିତ ଜଳରେ ସମପରିମାଣରେ ଚୁଆ, ଚନ୍ଦନ, କର୍ପୂର, ଅଗୁରୁ ପକାଇ ସମୁଦ୍ର ଜ୍ୟେଷ୍ଠା ମନ୍ତ୍ରରେ ଶାସ୍ତ୍ରୀୟ ଉପଚାର ବିଧି ଅନୁଯାୟୀ ମନ୍ଦିର ପୁରୋହିତଙ୍କ ଦ୍ବାରା ମହାସ୍ନାନ କରାଯାଇଥିଲା। ପରେ ମହାପ୍ରଭୁଙ୍କ ଗଜାନନ ବେଶ ଅନୁଷ୍ଠିତ ହୋଇଥିଲା।
Lord Jagannath: ଛତିଆ ଜଗନ୍ନାଥ ମନ୍ଦିର ସ୍ନାନବେଦିରେ ଶ୍ରୀଜିଉ
ସମସ୍ତ ଦୈନିକ ନୀତିକାନ୍ତି ସମାପନ ପରେ ମହାପ୍ରଭୁଙ୍କୁ ଦକ୍ଷିଣ ଦିଗକୁ ମୁଖାରବିନ୍ଦ କରି ବିଭୀଷଣ ବନ୍ଦାପନା କରାଯାଇଥିଲା। ଏହାପରେ ସାହାଣମେଳା ଅନୁଷ୍ଠିତ ହୋଇଥିଲା। ମହାପ୍ରଭୁଙ୍କ ବେଶ ଦର୍ଶନ କଲେ ପୁଣ୍ୟଫଳ ପ୍ରାପ୍ତି ହେବା ସହିତ ଚତୁଃବର୍ଗ ଫଳ ପ୍ରାପ୍ତି ହୁଏ ବୋଲି ବିଶ୍ୱାସ ରହିଛି। ଏଥିରେ ମନ୍ଦିର ପୁରୋହିତ ବାଚସ୍ପତି ରଥ ଏବଂ ଅଂଶୁମାନ ରଥ ପୂଜାର୍ଚ୍ଚନା କରିଥିଲେ। ମନ୍ଦିର ପୂଜକ ଗୌରଚନ୍ଦ୍ର ରଥ, ଲଳିତ ରଥ, ରୋହିତ ରଥ, ରାଜେଶ ମିଶ୍ର, ଆୟୁଷ୍ମନ୍ତ ଷଡ଼ଙ୍ଗୀ, ଶ୍ରୀବତ୍ସ ପାଣିଗ୍ରାହୀ, ସଞ୍ଜୀବ ଷଡ଼ଙ୍ଗୀ, ସୁମନ୍ତ ଶତପଥୀ, ସୁଦାମ ଶତପଥୀ, ଗୋକୁଳେଶ୍ବର ରଥ ପ୍ରମୁଖ ସହଯୋଗ କରିଥିଲେ। ପରମ୍ପରାକ୍ରମେ ଗୌନ୍ତିଆ ପରମାନନ୍ଦ ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ବ ତୁଲାଇଥିଲେ। ଏହି ଅବସରରେ ମନ୍ଦିର ଚୂଡ଼ାରେ ନୂତନ ଧ୍ଵଜା ବନ୍ଧାଯାଇଥିଲା। ଏହାକୁ ଦେଖିବାକୁ ଅଞ୍ଚଳର ବହୁ ସଂଖ୍ୟାରେ ଭକ୍ତଙ୍କ ସମାଗମ ହୋଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।