03 SEPTEMBER 2026

Welcome!

Unlock your personalized experience.
Sign Up

Seat: ସିଟ୍‌ ଅଛି, ପିଲା ହେଉନାହାନ୍ତି: ଯୁକ୍ତ ୨ରେ ୨ ଲକ୍ଷ, ଯୁକ୍ତ ୩ରେ ଲକ୍ଷେ ସିଟ୍ ଖାଲି

Sep 03, 2026 - 02:54
Seat: ସିଟ୍‌ ଅଛି, ପିଲା ହେଉନାହାନ୍ତି: ଯୁକ୍ତ ୨ରେ ୨ ଲକ୍ଷ, ଯୁକ୍ତ ୩ରେ ଲକ୍ଷେ ସିଟ୍ ଖାଲି
ଭୁବନେଶ୍ବର: ରାଜ୍ୟରେ ବର୍ଷକୁ ବର୍ଷ ଡିଗ୍ରି କଲେଜ (ଯୁକ୍ତ୩) ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ) ସଂଖ୍ୟା ବଢ଼ିଚାଲିଛି। ମାତ୍ର କେଉଁଠି ପିଲାଙ୍କ ସଂଖ୍ୟା ଏକ ଅଙ୍କ ଡେଉଁ ନାହିଁ ତ ଆଉ କେଉଁଠି ଅଧା ସିଟ୍‌ ଖାଲି ପଡ଼ୁଛି। ବେସରକାରୀ ଶିକ୍ଷାନୁଷ୍ଠାନ କଥା ଦୂରେ ଥାଉ; ସରକାରୀ କଲେଜରେ ସ୍ଥିତି ଆହୁରି ସଙ୍ଗିନ। ଏପରିକି ରାଜ୍ୟର ନାମକରା ସରକାରୀ ଶିକ୍ଷାନୁଷ୍ଠାନଗୁଡ଼ିକରେ ସିଟ୍‌ ଖାଲିପଡ଼ିବା ଚିନ୍ତାର କାରଣ ପାଲଟିଛି। କେବଳ ଯେ ୨୦୨୬-୨୭ ଶିକ୍ଷାବର୍ଷରେ ଏଭଳି ସମସ୍ୟା ହୋଇଛି ତାହା ନୁହେଁ, ଲଗାତାର ୩ ବର୍ଷ ହେଲା ଖାଲିପଡ଼ୁଥିବା ସିଟ୍‌ ସଂଖ୍ୟା ଉପରମୁହାଁ ହୋଇଚାଲିଛି। ୨୦୨୬-୨୭ ଶିକ୍ଷାବର୍ଷରେ ଯୁକ୍ତ ୨ କଲେଜଗୁଡ଼ିକ ପାଇଁ ନାମଲେଖା ପ୍ରାୟତଃ ଶେଷ ହୋଇଛି। ଏକାଧିକ ପର୍ଯ୍ୟାୟ ନାମଲେଖା ପରେ ମଧ୍ୟ ୧ ଲକ୍ଷ ୯୩ ହଜାର ୧୩୯ ସିଟ୍‌ ଖାଲିପଡ଼ିଛି। କଳା ବିଭାଗରେ ୩,୩୭,୪୯୦ ସିଟ୍‌ ମଧ୍ୟରୁ ୨,୭୦,୧୭୦ ସିଟ୍‌ ପୂରଣ ହୋଇଛି। ଆହୁରି ୬୭,୩୨୦ ସିଟ୍‌ ଖାଲିପଡ଼ିଛି। ଅନୁରୂପ ଭାବେ ବିଜ୍ଞାନ ବିଭାଗରେ ୧,୯୩,୦୭୭ ସିଟ୍‌ରୁ ୭୯,୬୪୧, ବାଣିଜ୍ୟରେ ୪୩,୭୬୮ ସିଟ୍‌ରୁ ୨୦,୮୭୩, ସଂସ୍କୃତରେ ୧୩,୭୧୨ ସିଟ୍‌ରୁ ୪,୧୭୯, ଧନ୍ଦାମୂଳକରେ ୧୦,୬୩୭ ସିଟ୍‌ରୁ ୫,୫୫୫ ଖାଲି ରହିଛି। ଯଦି ଦେଖାଯାଏ ୨୦୨୫-୨୬ରେ ୧,୭୭,୧୩୫ ଓ ୨୦୨୪-୨୫ରେ ୧,୭୦,୧୭୯ ସିଟ୍‌ ଖାଲି ରହିଥିଲା। ବିଦ୍ୟାଳୟଗୁଡ଼ିକରେ ସିଟ୍‌ ଖାଲିପଡ଼ୁଥିଲେ ମଧ୍ୟ କଲେଜ ସଂଖ୍ୟା କିନ୍ତୁ ବଢ଼ିଚାଲିଛି। ୨୦୨୪-୨୫ରେ ରାଜ୍ୟରେ ୨,୩୮୫ କଲେଜ ଥିବା ବେଳେ ୨୦୨୫-୨୬ରେ ୨,୫୬୮କୁ ବୃଦ୍ଧି ପାଇଥିଲା। ୨୦୨୬-୨୭ରେ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ସଂଖ୍ୟା ୨,୫୮୨ରେ ପହଞ୍ଚିଲାଣି।
କଲେଜ ଖୋଲିବାକୁ ଅନୁମତି ପୂର୍ବରୁ ଯାଞ୍ଚ ହେଉନି
ବେସରକାରୀ କଲେଜ ମନଇଚ୍ଛା ବଢ଼ାଉଛନ୍ତି ସିଟ୍‌
ଡିଗ୍ରି କଲେଜଗୁଡ଼ିକରେ ମଧ୍ୟ ତଦ୍ରୁପ ପରିସ୍ଥିତି ଉପୁଜିଛି। ଗତ ୩ଟି ଶିକ୍ଷାବର୍ଷର ସ୍ଥିତି ଦେଖିଲେ କେଉଁଭଳି ଭାବେ ସିଟ୍‌ ଖାଲିପଡ଼ୁଛି ତାହା ଜଳଜଳ ହୋଇ ଦେଖାଯାଉଛି। ୨୦୨୬-୨୭ ଶିକ୍ଷାବର୍ଷରେ କଳା, ବିଜ୍ଞାନ, ବାଣିଜ୍ୟ, ସେଲ୍‌ଫ ଫାଇନାନ୍ସ, ସଂସ୍କୃତ ଓ ଆଇନ ବିଭାଗରେ ଥିବା ମୋଟ ୨ ଲକ୍ଷ ୮୮ ହଜାର ୧୨୯ ସିଟ୍‌ ମଧ୍ୟରୁ ୧ ଲକ୍ଷ ୯ ହଜାର ୩୦୩ ଖାଲିପଡ଼ିଛି। କଳା ବିଭାଗରେ ଅନୁମୋଦିତ ହୋଇଥିବା ୧,୬୬,୧୩୨ ସିଟ୍‌ରୁ ୪୬,୬୪୬, ଫିଜିକାଲ ସାଇନ୍ସରେ ୪୬,୨୨୯ ସିଟ୍‌ରୁ ୨୫,୦୧୯, ବାୟୋଲୋଜିକାଲ ସାଇନ୍ସରେ ୨୯,୦୨୪ ସିଟ୍‌ରୁ ୧୧,୪୭୧, ବାଣିଜ୍ୟରେ ୩୨,୦୮୬ ସିଟ୍‌ରୁ ୧୭,୧୭୫, ସେଲ୍‌ଫ ଫାଇନାନ୍ସରେ ୫,୨୩୬ରୁ ୨,୨୪୭, ସଂସ୍କୃତରେ ୯,୨୧୨ ସିଟ୍‌ରୁ ୬,୨୫୨ ଓ ଆଇନରେ ୨୧୦ ସିଟ୍‌ରୁ ୩୨ ସିଟ୍‌ ଖାଲିପଡ଼ିଛି। ୨୦୨୫-୨୬ ଶିକ୍ଷାବର୍ଷରେ ୮୪,୧୭୨ ଓ ୨୦୨୪-୨୫ରେ ୭୬,୩୯୯ ସିଟ୍‌ ଖାଲିପଡ଼ିଥିଲା। ୨୦୨୪-୨୫ ଶିକ୍ଷାବର୍ଷରେ ୧,୦୫୮ ଡିଗ୍ରି କଲେଜ ଥିବା ବେଳେ ୨୦୨୫-୨୬ରେ ତାହା ୧,୦୫୧କୁ ହ୍ରାସ ପାଇଥିଲା। ତେବେ ୨୦୨୬-୨୭ରେ କଲେଜ ସଂଖ୍ୟା ପୁଣିଥରେ ବୃଦ୍ଧି ପାଇ ୧,୦୫୯ରେ ପହଞ୍ଚିଥିଲା।
ଉଭୟ ଯୁକ୍ତ ୨ ଓ ଯୁକ୍ତ ୩ କଲେଜଗୁଡ଼ିକରେ ସିଟ୍ ଖାଲି ପଡ଼ିବା ପଛରେ ଏକାଧିକ କାରଣ ରହିଛି। ଶିକ୍ଷାବିତ୍‌ଙ୍କ ମତରେ ଏବେକାର ଛାତ୍ରଛାତ୍ରୀ ପାରମ୍ପରିକ ବିଏ, ବିଏସ୍‌ସି, ବିକମ୍‌ ପାଠ୍ୟକ୍ରମ ଅପେକ୍ଷା ତୁରନ୍ତ ନିଯୁକ୍ତି ସୁଯୋଗ ମିଳୁଥିବା ପ୍ରଫେସନାଲ୍ ବା ସ୍କିଲ୍‌ ବେସଡ୍ ପାଠ୍ୟକ୍ରମ ପ୍ରତି ଆକର୍ଷିତ ହେଉଛନ୍ତି। ଆଇଟିଆଇ, ଡିପ୍ଲୋମା, କମ୍ପ୍ୟୁଟର ଆପ୍ଲିକେସନ୍‌, ନର୍ସିଂ, ଫାର୍ମାସି ଭଳି ପାଠ୍ୟକ୍ରମ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ପୂର୍ବବର୍ଷଗୁଡ଼ିକ ତୁଳନାରେ ଅଧିକ ରହୁଛି। ଘରୋଇ ଇଂରାଜୀ ମାଧ୍ୟମ ଶିକ୍ଷାନୁଷ୍ଠାନ ସଂଖ୍ୟା ବୃଦ୍ଧିର ଅନ୍ୟତମ କାରଣ। ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଦଶମ ଓ ଦ୍ବାଦଶ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେବା ପରେ ଇଞ୍ଜିନିୟରିଂ ଓ ମେଡିକାଲ ପାଠ୍ୟକ୍ରମରେ ନାମ ଲେଖାଉଛନ୍ତି। ତେଣୁ ସାଧାରଣ ପାଠ୍ୟକ୍ରମରେ ସିଟ୍‌ ବଳକା ରହୁଛି। ଏଥିସହ ନୂତନ କଲେଜ ଖୋଲିବାକୁ ଅନୁମତି ଦେବା ପୂର୍ବରୁ ଠିକ୍‌ ଭାବେ ଯାଞ୍ଚ ହେଉ ନ ଥିବା ଶିକ୍ଷାବିତ୍‌ ସୁକାନ୍ତ ମହାନ୍ତି କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।