21 SEPTEMBER 2026

Welcome!

Unlock your personalized experience.
Sign Up

Lost life over: ୧୭ ଲକ୍ଷ ସୁଧ ଟଙ୍କା ପାଇଁ ଜୀବନ ହାରିଲେ: ନିଆଁ ଲଗାଇ ଜଳିଗଲେ ଯୁବକ, ଶଳା ଗିରଫ, ଭିଣୋଇକୁ ଖୋଜୁଛି ପୁଲିସ

Sep 21, 2026 - 07:00
Lost life over: ୧୭ ଲକ୍ଷ ସୁଧ ଟଙ୍କା ପାଇଁ ଜୀବନ ହାରିଲେ: ନିଆଁ ଲଗାଇ ଜଳିଗଲେ ଯୁବକ, ଶଳା ଗିରଫ, ଭିଣୋଇକୁ ଖୋଜୁଛି ପୁଲିସ

ଭୁବନେଶ୍ବର: ଅଧିକ ସୁଧ ଦେବାର ଲୋଭ ଦେଖାଇ ଶଳା ଓ ଭିଣୋଇ ମିଶି କେୟାରଟେକର୍‌ଙ୍କଠାରୁ ଲକ୍ଷାଧିକ ଟଙ୍କା ନେଲେ। ହେଲେ ବର୍ଷ ବର୍ଷ ଧରି ନା ସୁଧ ଦେଲେ ନା ଟଙ୍କା ଫେରାଇଲେ। ଶେଷରେ ଟଙ୍କା ଦେଇଥିବା ଯୁବକ ମାନସିକ ଚାପ ଓ ହତାଶା ମଧ୍ୟରେ ରହି ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଜୀବନ ହାରିଲେ। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଚନ୍ଦ୍ରଶେଖରପୁର ଥାନା କମଳାପ୍ଲାଜା ଆପାର୍ଟମେଣ୍ଟ ସମ୍ମୁଖରେ। ମୃତ ଯୁବକ ହେଲେ ଚନ୍ଦ୍ରଶେଖରପୁର ଥାନା ମହାବୀର ବସ୍ତିର ଅଶ୍ୱିନୀ କୁମାର ତାଣ୍ଡିଆ (୪୦)। ଏ ସଂପର୍କରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ନଂ-୯୪୨ରେ ବିଏନ୍‌ଏସ୍‌ ଦଫା ୧୦୮, ୩୧୮ (୪), ୩(୫)ରେ ମାମଲା ରୁଜୁ କରି ଶଳା ବାଲେଶ୍ବର ସଦର ଥାନା ରସାଳପୁର ଅଞ୍ଚଳର ପ୍ରଭାସ ପଣ୍ଡା ଓରଫ ଜୁବ୍‌ଲି (୪୧)କୁ ଗିରଫ କରିଛି। ଭିଣୋଇ ଆଶିଷ ଦାସ ଫେରାର ଥିବାରୁ ତାକୁ ଗିରଫ ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ଉ ଜାରି ରଖିଛି।

S Jaishankar: ୟୁଏନ୍‌ଜିଏରେ ଭାରତୀୟ ଦଳର ନେତୃତ୍ୱ ନେବେ ଜୟଶଙ୍କର

ସୂଚନା ମୁତାବକ ପାଖାପାଖି ୨ବର୍ଷ ତଳେ ଅଶ୍ୱିନୀ କମଳାପ୍ଲାଜା ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ କେୟାରଟେକର୍‌ ଭାବେ କାର୍ଯ୍ୟ କରୁଥିଲେ। ଏହି ସମୟରେ ନିକଟ ଆପାର୍ଟମେଣ୍ଟରେ ରହୁଥିବା ଆଶିଷଙ୍କ ସହ ତାଙ୍କର ସାକ୍ଷାତ ହୋଇଥିଲା। ଆଶିଷ ନିଜକୁ ଏକ ମାଇନିଂ ସଂସ୍ଥାର ପ୍ରଭାବଶାଳୀ ବ୍ୟକ୍ତି ଭାବେ ପରିଚୟ ଦେବା ସହ ଟଙ୍କା ନିବେଶ କଲେ ଉଚ୍ଚ ସୁଧହାରରେ ଅର୍ଥ ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ପାଖରେ ରହୁଥିବା ଶଳା ପ୍ରଭାସ ବି ଭିଣୋଇକୁ ପ୍ରଶଂସାରେ ପୋତି ପକାଇଥିଲା। ଶଳା-ଭିଣୋଇଙ୍କ ଚକ୍ରବ୍ୟୂହରେ ଫସି ଅଶ୍ବିନୀ ବିଭିନ୍ନ ଲୋଙ୍କଠାରୁ ଟଙ୍କା ଆଣି ଉଭୟଙ୍କୁ ଦେଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ପାଖାପାଖି ୧୭ ଲକ୍ଷ ଟଙ୍କା ଦେଇଥିଲେ। କିଛିଦିନ ସେ ସୁଧ ପାଇଥିଲେ। ପରେ ଶଳା-ଭିଣୋଇ ଆଉ ଟଙ୍କା ଦେଇନଥିଲେ। ଯାହାକୁ ନେଇ ଚିନ୍ତାରେ 
ପଡ଼ିଥିଲେ ଅଶ୍ବିନୀ। ବାରମ୍ବାର ଦୌଡ଼ିଥିଲେ ବି ସେମାନେ ଟଙ୍କା ଫେରସ୍ତ କରିବେ କଣ, ଓଲଟା ଧମକଚମକ ଦେଇଥିଲେ।

FIR: ଥେରୁବାଲି ଫାଣ୍ଡିରେ ନିର୍ବାହୀ ଯନ୍ତ୍ରୀଙ୍କ ବିରୋଧରେ ଏତଲା

ଶୁକ୍ରବାର ବିଳମ୍ବିତ ରାତି ପାଖାପାଖି ୪ଟା ସମୟରେ ଆଶିଷଙ୍କ ଆପାର୍ଟମେଣ୍ଟକୁ ଯାଇ ଅଶ୍ବିନୀ ଟଙ୍କା ଫେରସ୍ତ ପାଇଁ କହିଥିଲେ, ନଚେତ୍‌ ନିଆଁ ଲଗାଇ ଆତ୍ମହତ୍ୟା କରିବେ ବୋଲି ଚେତାବନୀ ଦେଇଥିଲେ। ଏ କଥାକୁ ବି ଶଳା-ଭିଣୋଇ ଅତି ହାଲୁକା ଭାବେ ନେଇଥିଲେ। ପ୍ରବଳ ମାନସିକ ଚାପରେ ଥିବା ଅଶ୍ବିନୀ ଶେଷରେ ନିରୁପାୟ ହୋଇ ନିଜ ଦେହରେ ନିଆଁ ଲଗାଇ ଦେଇଥିଲେ। ତାଙ୍କ ଆର୍ତ୍ତନାଦ ଶୁଣି ଆଖପାଖରେ ଥିବା ଲୋକେ ଧାଇଁ ଆସିଥିଲେ। ଖବର ପାଇ ପୁଲିସ ମଧ୍ୟ ସେଠାରେ ପହଞ୍ଚିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ଓ ପରେ ଏମ୍‌ସରେ ଭର୍ତ୍ତି କରାଯାଇଥିଲା। ଏମ୍‌ସରେ ଚିକିତ୍ସାଧୀନ ଥିବା ସମୟରେ ଶନିବାର ବିଳମ୍ବିତ ରାତି ସାଢ଼େ ଗୋଟାଏ ସମୟରେ ଅଶ୍ବିନୀ ଆଖି ବୁଜିଥିଲେ। ଏ ନେଇ ଅଶ୍ବିନୀଙ୍କ ଭାଇ ମନୋଜ କୁମାର ତାଣ୍ଡିଆ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଥିଲା। ଆଜି ପୁଲିସ ପ୍ରଭାସକୁ ଗିରଫ କରି କୋର୍ଟଚାଲାଣ କରିଛି। ତେବେ ଶଳା-ଭିଣୋଇ ଅନ୍ୟମାନଙ୍କଠାରୁ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ଜଣାପଡ଼ିଛି। ପୁଲିସ ସେ ଦିଗରେ ଖୋଳତାଡ଼ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।