Measurements: ସତରନଳାର ମାପଚୁପ ଓ ତଦନ୍ତ ଶେଷ: ୧୦୧ ଫୁଟ ଲମ୍ବ ଓ ୧୦ ଫୁଟ ଓସାର
ଭୁବନେଶ୍ୱର: ରାଜ୍ୟ ସଂସ୍କୃତି ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଆଜି ଯୁଗ୍ମ ଦଳ ପୁରାତନ ସତରନଳାର ମାପଚୁପ କରିଛନ୍ତି। ସରଜମିନ୍ ତଦନ୍ତ କରି ଫେରିଛନ୍ତି। ମାପଚୁପ ପରେ ଜାତୀୟ ରାଜପଥଠାରୁ ୨୪ ଫୁଟ ଦୂରରେ ଥିବା ସତରନଳାର ଲମ୍ବ ୧୦୧ ଫୁଟ ଓ ଓସାର ୧୦ ଫୁଟ ବୋଲି ଜଣାପଡ଼ିଛି। ଯେହେତୁ ଏହା ଏକ ପ୍ରାଚୀନ ଓ ପ୍ରସ୍ତର ନିର୍ମିତ ଐତିହ୍ୟ, ଯୁଗ୍ମ ଦଳ ଏହାର ସଂରକ୍ଷଣ ଦିଗରେ ଆବଶ୍ୟକ ପଦକ୍ଷେପ ନେବା ପାଇଁ ରାଜସ୍ବ ବିଭାଗକୁ ପରାମର୍ଶ ଦେଇଛି। ପାଣ୍ଡରା ଛକରେ ଥିବା ସତରନଳା ପୁରୀର ଅଠରନଳା ସମସାମୟିକ। ପୁରୀକୁ ଯେବେ ରାସ୍ତା ନ ଥିଲା, ଏହି ପ୍ରସ୍ତରର ସତରନଳା ଗମନାଗମନର ବାଟ ଖୋଲିଥିଲା।
ଏ ଉପରେ ଅନେକ ପୌରାଣିକ କଥା ବି ରହିଛି ବୋଲି ଅଞ୍ଚଳବାସୀ କହିଛନ୍ତି। ଯେହେତୁ ଏହା ବହୁ ପ୍ରାଚୀନ, ଏହାର ସୁରକ୍ଷା ପାଇଁ ଅଞ୍ଚଳବାସୀ ବହୁଦିନରୁ ଦାବି କରି ଆସୁଛନ୍ତି। ଭୁବନେଶ୍ବର ମହାନଗର ନିଗମର ଚିଠିକ୍ରମେ ଆଜି ଭୁବନେଶ୍ବର ଉତ୍ତରମଣ୍ଡଳର ଅଧିକାରୀ, ଭୁବନେଶ୍ବର ତହସିଲ୍ର ରାଜସ୍ବ ଅଧିକାରୀ, ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗର ଅଧିକାରୀ, ରାଜସ୍ବ ନିରୀକ୍ଷକ, ଅମିନ ପ୍ରମୁଖ ଘଟଣାସ୍ଥଳ ପରିଦର୍ଶନ କରିବା ସହ ସତରନଳାର ସ୍ଥିତାବସ୍ଥା ଯାଞ୍ଚ କରି ଫେରିବା ସହ ଏକ ରିପୋର୍ଟ ବି ପ୍ରସ୍ତୁତ କରିଛନ୍ତି। ଏହି ଅବସରରେ ସ୍ଥାନୀୟ ଅଞ୍ଚଳର ନାରାୟଣ ପୃଷ୍ଟି, ଟିଟୁ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।