Mission Shakti 6.0: : ମହିଳା ଓ ବାଳିକାମାନଙ୍କ ସୁରକ୍ଷା, ସମ୍ମାନ ଏବଂ ଆତ୍ମନିର୍ଭରଶୀଳତାକୁ ମଜବୁତ କରିବ ମିଶନ ଶକ୍ତି ଫେଜ୍-୬.୦
ଲକ୍ଷ୍ନୌ: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱରେ ଉତ୍ତରପ୍ରଦେଶରେ ମହିଳା ଓ ବାଳିକାମାନଙ୍କ ସୁରକ୍ଷା, ସମ୍ମାନ ଏବଂ ଆତ୍ମନିର୍ଭରଶୀଳତାକୁ ମଜବୁତ କରିବା ପାଇଁ ମିଶନ ଶକ୍ତି ଫେଜ୍-୬.୦ ଅଧୀନରେ ଏକ ବ୍ୟାପକ ଅଭିଯାନ ଚାଲିଛି।
ଶାରଦୀୟ ନବରାତ୍ରି ଅବସରରେ ଅକ୍ଟୋବର ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି ଅଭିଯାନରେ ମହିଳା କଲ୍ୟାଣ ବିଭାଗ ପ୍ରମୁଖ ଭୂମିକା ଗ୍ରହଣ କରିଛି। ରାଜ୍ୟର ସମସ୍ତ ୭୫ଟି ଜିଲ୍ଲାରେ ସଚେତନତା କାର୍ଯ୍ୟକ୍ରମ ମାଧ୍ୟମରେ ମହିଳା ଓ ବାଳିକାମାନଙ୍କୁ ସେମାନଙ୍କ ଅଧିକାର, ସୁରକ୍ଷା ବ୍ୟବସ୍ଥା ଏବଂ ସରକାରୀ ଯୋଜନା ସମ୍ପର୍କରେ ସୂଚନା ଦିଆଯାଉଛି।
ମହିଳା କଲ୍ୟାଣଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଲୀନା ଜୌହରୀ କହିଛନ୍ତି ଯେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବାଳିକାମାନଙ୍କୁ ଦିନକ ପାଇଁ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ମୌଳିକ ଶିକ୍ଷା ଅଧିକାରୀ (ବିଏସ୍ଏ) ଭଳି ଦାୟିତ୍ୱ ଦିଆଯାଉଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ବାଳିକାମାନଙ୍କ ମଧ୍ୟରେ ନେତୃତ୍ୱ ନେବାର କ୍ଷମତା ବିକଶିତ କରିବା, ଆତ୍ମବିଶ୍ୱାସ ବଢ଼ାଇବା ଏବଂ ନିଷ୍ପତ୍ତି ନେବାକୁ ପ୍ରୋତ୍ସାହିତ କରିବା। ଏହାଦ୍ୱାରା ସେମାନେ ନିଜ ପ୍ରତିଭାକୁ ଚିହ୍ନିବା ସହ ପ୍ରଶାସନିକ କାର୍ଯ୍ୟପ୍ରଣାଳୀ ବୁଝିପାରୁଛନ୍ତି ଏବଂ ଭବିଷ୍ୟତରେ ଦାୟିତ୍ୱପୂର୍ଣ୍ଣ ପଦବିରେ ପହଞ୍ଚିବାକୁ ପ୍ରେରଣା ପାଉଛନ୍ତି।
ସମସ୍ତ ୭୫ଟି ଜିଲ୍ଲାରେ ପହଞ୍ଚୁଛି ସଚେତନତାର ବାର୍ତ୍ତା
ଲକ୍ଷ୍ନୌ, ସୀତାପୁର, ବାରାବାଙ୍କୀ, ରାୟବରେଲୀ, ଆଲିଗଡ଼, ଭଦୋହୀ, ପ୍ରୟାଗରାଜ, ଗୋରଖପୁର, ବାରାଣସୀ, ଉନ୍ନାଓ ଓ ଇଟାୱା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରାଲି, ପଦଯାତ୍ରା, ପ୍ରଭାତ ଫେରି ଏବଂ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ଏଥିରେ ଜନପ୍ରତିନିଧି, ପୁଲିସ କର୍ମଚାରୀ, ଛାତ୍ରୀ, ଅଙ୍ଗନବାଡ଼ି କର୍ମୀ ଓ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଭାଗ ନେଉଛନ୍ତି। ଅଭିଯାନର ପ୍ରଥମ କିଛି ଦିନରେ ରାଲି ଓ ପଦଯାତ୍ରାରେ ୫୦ ହଜାରରୁ ଅଧିକ ଲୋକ ସାମିଲ ହୋଇଥିଲେ। ଉତ୍କୃଷ୍ଟ କାର୍ଯ୍ୟ କରୁଥିବା ମହିଳା ଓ ମେଧାବୀ ଛାତ୍ରୀମାନଙ୍କୁ ସମ୍ମାନିତ କରାଯିବା ସହ ବାଳିକାମାନଙ୍କୁ ପ୍ରତୀକାତ୍ମକ ଭାବେ ପ୍ରଶାସନିକ ଦାୟିତ୍ୱ ଦେଇ ସେମାନଙ୍କ ନେତୃତ୍ୱ କ୍ଷମତା ବିକାଶ ଉପରେ ଗୁରୁତ୍ୱ ଦିଆଯାଉଛି। ମେଳା, ପ୍ରଦର୍ଶନୀ ଷ୍ଟଲ୍ ଓ ଲୋକସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ମଧ୍ୟ ମହିଳା ସଶକ୍ତୀକରଣର ବାର୍ତ୍ତା ପ୍ରଚାର କରାଯାଉଛି।
ସାଇବର ସୁରକ୍ଷାଠାରୁ ବାଲ୍ୟବିବାହ ଉଚ୍ଛେଦ ପର୍ଯ୍ୟନ୍ତ ୧୫ଟି କାର୍ଯ୍ୟକ୍ରମ
ମହିଳା କଲ୍ୟାଣ ବିଭାଗ ଏହି ଅଭିଯାନ ଅଧୀନରେ ୧୫ଟି ପ୍ରମୁଖ କାର୍ଯ୍ୟକ୍ରମ ଉପରେ କାମ କରୁଛି। ଏଥିରେ ଜନସଚେତନତା ରାଲି, ମହିଳା ସମ୍ମାନ ସମାରୋହ, ବାଳିକା ନେତୃତ୍ୱ ବିକାଶ, ବୃତ୍ତିଗତ ପରାମର୍ଶ ଏବଂ ମୁଖ୍ୟମନ୍ତ୍ରୀ ଅଭ୍ୟୁଦୟ ଯୋଜନା ସମ୍ପର୍କିତ କର୍ମଶାଳା ସାମିଲ ରହିଛି। ସାଇବର ଅପରାଧ, ଡିଜିଟାଲ୍ ଆରେଷ୍ଟ ଓ ଅନଲାଇନ୍ ଠକେଇରୁ ରକ୍ଷା ପାଇବା ପାଇଁ ସଚେତନତା କାର୍ଯ୍ୟକ୍ରମ ହେଉଛି। ଶିଶୁ ସୁରକ୍ଷା, ପୋକ୍ସୋ ଆଇନ ଏବଂ ଶିଶୁଙ୍କ ପ୍ରତି ନିର୍ଯାତନା ଚିହ୍ନଟ କରି ଏହାର ସୂଚନା ଦେବା ସମ୍ପର୍କରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି।
କର୍ମକ୍ଷେତ୍ରରେ ମହିଳାଙ୍କ ପ୍ରତି ଯୌନ ଉତ୍ପୀଡ଼ନ ରୋକିବା ପାଇଁ ପୋଶ୍ ଆଇନ-୨୦୧୩, ଆଇନଗତ ସାକ୍ଷରତା ଶିବିର ଏବଂ ଲୋକ ଅଦାଲତରୁ ମିଳୁଥିବା ସହାୟତା ସମ୍ପର୍କରେ ସଚେତନତା ବୃଦ୍ଧି କରାଯାଉଛି। ଏହାବ୍ୟତୀତ ବୃଦ୍ଧାଶ୍ରମ ଓ ଆଶ୍ରୟଗୃହରେ ସଚେତନତା, କନ୍ୟା ଜନ୍ମୋତ୍ସବ, ନବଜାତ ଶିଶୁଙ୍କ ପାଇଁ କିଟ୍ ଓ ପୁଷ୍ଟିକର ସାମଗ୍ରୀ ବଣ୍ଟନ, କିଶୋରୀଙ୍କ ସ୍ୱାସ୍ଥ୍ୟ, ଋତୁସ୍ରାବ ସ୍ୱଚ୍ଛତା ଏବଂ ସାନିଟାରି ପ୍ୟାଡ୍ ବଣ୍ଟନ ଭଳି କାର୍ଯ୍ୟକ୍ରମ ମଧ୍ୟ ଚାଲିଛି। ବାଲ୍ୟବିବାହ ଓ ଯୌତୁକ ପ୍ରଥା ଉଚ୍ଛେଦ ପାଇଁ ଶପଥ ଗ୍ରହଣ ଓ ଜନସଂଳାପ ଆୟୋଜନ କରାଯାଉଥିବା ବେଳେ ମହିଳାଙ୍କ ନେତୃତ୍ୱରେ ଯାତାୟାତ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଏହି ଅଭିଯାନର ଅଂଶ ରହିଛି।
ସରକାରୀ ଯୋଜନା ସହ ଯୋଡ଼ିବା ଏବଂ ଆର୍ଥିକ ସାକ୍ଷରତା ଉପରେ ଗୁରୁତ୍ୱ
ମହିଳା କଲ୍ୟାଣ ବିଭାଗର ଟିମ୍ଗୁଡ଼ିକ ଗାଁ, ଛୋଟ ସହର ଓ ସହରାଞ୍ଚଳରେ ଜନସମ୍ପର୍କ ସ୍ଥାପନ କରି ମହିଳା ଓ ପରିବାରଗୁଡ଼ିକୁ ବିଭିନ୍ନ ସରକାରୀ ଯୋଜନା ବିଷୟରେ ସୂଚନା ଦେଉଛନ୍ତି। ଏଥିରେ ମୁଖ୍ୟମନ୍ତ୍ରୀ କନ୍ୟା ସୁମଙ୍ଗଳା ଯୋଜନା, ବେଟି ବଚାଓ-ବେଟି ପଢ଼ାଓ, ମୁଖ୍ୟମନ୍ତ୍ରୀ ବାଲ ସେବା ଯୋଜନା ଏବଂ ସ୍ୱାମୀଙ୍କ ମୃତ୍ୟୁ ପରେ ନିରାଶ୍ରୟ ମହିଳାଙ୍କ ପାଇଁ ପେନ୍ସନ୍ ଯୋଜନା ସାମିଲ ରହିଛି। ଏହାର ଉଦ୍ଦେଶ୍ୟ ହେଉଛି ଯୋଗ୍ୟ ହିତାଧିକାରୀଙ୍କୁ ସରକାରୀ ଯୋଜନା ସହ ଯୋଡ଼ି ସେମାନଙ୍କୁ ସହାୟତା ପ୍ରଦାନ କରିବା।
ସୁରକ୍ଷିତ ଆଶ୍ରୟ ଓ ସହାୟତା ସେବା ସମ୍ପର୍କରେ ସୂଚନା
ପାଞ୍ଚଟି ପର୍ଯ୍ୟାୟ ପରେ ମିଶନ ଶକ୍ତି ଏବେ ଷଷ୍ଠ ପର୍ଯ୍ୟାୟରେ ପହଞ୍ଚିଛି। ଏହି ଅଭିଯାନ ଅଧୀନରେ ମହିଳା ଶରଣାଳୟ, ଶକ୍ତି ସଦନ, ସଖୀ ନିବାସ, ନାରୀ ସଂରକ୍ଷଣ ଗୃହ ଏବଂ ଅନ୍ୟାନ୍ୟ ଆଶ୍ରୟସ୍ଥଳ ସମ୍ପର୍କରେ ଆବଶ୍ୟକ କରୁଥିବା ମହିଳାମାନଙ୍କୁ ସୂଚନା ଦିଆଯାଉଛି। ଫଳରେ ଆବଶ୍ୟକ ସମୟରେ ସେମାନେ ସୁରକ୍ଷିତ ଆଶ୍ରୟ ଓ ସହାୟତା ପାଇପାରିବେ। ଜରୁରୀକାଳୀନ ହେଲ୍ପଲାଇନ୍ର ପ୍ରଚାର ମାଧ୍ୟମରେ ମଧ୍ୟ ସଙ୍କଟ ସମୟରେ ଉପଲବ୍ଧ ସହାୟତା ବିଷୟରେ ସଚେତନ କରାଯାଉଛି।
ମହିଳା କଲ୍ୟାଣ ଓ ଶିଶୁ ବିକାଶ ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଲୀନା ଜୌହରୀ କହିଛନ୍ତି ଯେ ମହିଳାମାନଙ୍କୁ ସୁରକ୍ଷା, ସମ୍ମାନ, ସ୍ୱାସ୍ଥ୍ୟ, ଶିକ୍ଷା ଓ ଆର୍ଥିକ ଆତ୍ମନିର୍ଭରଶୀଳତା ସହ ଯୋଡ଼ିବା ବିଭାଗର ପ୍ରାଥମିକତା। ଯୋଗୀ ସରକାର ମିଶନ ଶକ୍ତିର ସଫଳ କାର୍ଯ୍ୟକାରିତା ଏବଂ ମହିଳା ସୁରକ୍ଷା ପ୍ରତି ସମ୍ବେଦନଶୀଳତା ଉପରେ ଗୁରୁତ୍ୱ ଦେଉଛନ୍ତି। ଏହି ଅଭିଯାନରେ ସକ୍ରିୟ ଭାଗୀଦାରି ସୁନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ: ଇଣ୍ଟରନେଟ୍ ବ୍ୟବହାର ପିଲାମାନଙ୍କ ସମେତ ସମସ୍ତଙ୍କ ପାଇଁ ଏକ ମୌଳିକ ଅଧିକାର
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।