Mistaken Police Raid Tragedy: ପୋଲିସ ରେଡ୍ ଭାବି ଦୌଡ଼ିଲେ, କୂଅରେ ପଡ଼ି ୩ ଜଣଙ୍କ ମୃତ୍ୟୁ

Aug 18, 2026 - 19:24
Mistaken Police Raid Tragedy: ପୋଲିସ ରେଡ୍ ଭାବି ଦୌଡ଼ିଲେ, କୂଅରେ ପଡ଼ି ୩ ଜଣଙ୍କ ମୃତ୍ୟୁ

ସୋମବାର ବିଳମ୍ବିତ ରାତିରେ ତାସ ଖେଳୁଥିବା ବେଳେ ପୋଲିସ ରେଡ୍ ହେଉଥିବା ଭାବି ଦୌଡ଼ିବା ସମୟରେ ଏକ ଖୋଲା କୂଅରେ ପଡ଼ି ୩ ଜଣଙ୍କ ମୃତ୍ୟୁ ଘଟିଛି। ପୋଲିସ ଏହି ସୂଚନା ଦେଇଛି।
ମୃତକମାନେ ହେଲେ ରାହୁଲ ପୋପଟଭାଇ ଚୌହାନ (୩୫), ନିଲେଶ ଡାଭି (୩୭) ଏବଂ ଅଜିତସିଂହ (୪୫)। ଏହି ଘଟଣାରେ ଆଉ ଜଣେ ବ୍ୟକ୍ତି କୂଅରେ ପଡ଼ିଥିଲେ ମଧ୍ୟ ସେ ଜୀବିତ ଉଦ୍ଧାର ହୋଇଛନ୍ତି।
ପୋଲିସର ସୂଚନା ଅନୁଯାୟୀ, ଗୁଜରାଟ ଭାବନଗର ଜିଲ୍ଲା ଘୋଘା ତାଲୁକାର ଉଖରଲା ଗାଁରେ ଏହି ଘଟଣା ଘଟିଛି।

ଭାବନଗର ଏସ୍‌ପି ନିତେଶ ପାଣ୍ଡେ କହିଛନ୍ତି ଯେ, ଗାଁର ଏକ ବିଲରେ ପ୍ରାୟ ୧୧ ଜଣ ଲୋକ ତାସ ଖେଳୁଥିଲେ। ଏହି ସମୟରେ ଏକ ଅଜଣା ଗାଡ଼ି ସେଠାରେ ପହଞ୍ଚିଥିଲା। ଗାଡ଼ିଟିକୁ ଦେଖି ତାସ ଖେଳୁଥିବା ଲୋକମାନେ ପୋଲିସ ରେଡ୍ କରିବାକୁ ଆସିଛି ବୋଲି ଭାବି ଅନ୍ଧାରରେ ଦୌଡ଼ିଥିଲେ। ଏହି ସମୟରେ କିଛି ଲୋକ ଏକ ଖୋଲା କୂଅରେ ପଡ଼ିଯାଇଥିଲେ।

ଏସ୍‌ପି ପାଣ୍ଡେ କହିଛନ୍ତି, ସେମାନେ ଏହାକୁ ପୋଲିସ ବୋଲି ଭାବି ଦୌଡ଼ିଥିଲେ। ବିଲରେ ଏକ କୂଅ ଥିଲା ଏବଂ ଅନ୍ଧାର ଯୋଗୁଁ ସେମାନେ ତାହା ଦେଖିପାରିନଥିଲେ। ୩ ଜଣଙ୍କ ମୃତ୍ୟୁ ହୋଇଛି। ସେ ସ୍ପଷ୍ଟ କରିଛନ୍ତି ଯେ ଗାଁରେ ପୋଲିସ ପକ୍ଷରୁ କୌଣସି ରେଡ୍ କରାଯାଇନଥିଲା।

ମଙ୍ଗଳବାର ସକାଳେ କଣ୍ଟ୍ରୋଲ ରୁମକୁ ଜଣେ ବ୍ୟକ୍ତିଙ୍କ ମୃତଦେହ ସମ୍ପର୍କରେ ଫୋନ୍ ଆସିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ କୂଅରେ ଖୋଜାଖୋଜି କରି ୩ଟି ମୃତଦେହ ଉଦ୍ଧାର କରିଥିଲା।

ହସ୍ପିଟାଲରେ ମୃତକଙ୍କ ପରିବାର ସଦସ୍ୟମାନେ ପୋଲିସ ରେଡ୍ ଯୋଗୁଁ ଏହି ମୃତ୍ୟୁ ଘଟିଥିବା କହିଥିଲେ। ତେବେ ଏସ୍‌ପି ନିତେଶ ପାଣ୍ଡେ ପୁଣିଥରେ ସ୍ପଷ୍ଟ କରିଛନ୍ତି ଯେ, ପୋଲିସ ରେଡ୍ ହୋଇଥିବା ନେଇ କୌଣସି ସରକାରୀ ରେକର୍ଡ ନାହିଁ।

ସେ କହିଛନ୍ତି, ଏପର୍ଯ୍ୟନ୍ତ ଜୁଆ ସମ୍ପର୍କିତ କୌଣସି ମାମଲା କିମ୍ବା ରେକର୍ଡ ନାହିଁ। କୌଣସି ଅପରାଧ ମାମଲା ରୁଜୁ ହୋଇନାହିଁ ଏବଂ ପୋଲିସ ରେଡ୍ କରିଥିବା ନେଇ ମଧ୍ୟ କୌଣସି ଉଲ୍ଲେଖ ନାହିଁ।

ଗତ ରାତିରେ ସେଠାରେ କିଏ ଆସିଥିଲା, ତାହା ଚିହ୍ନଟ କରିବାକୁ ତଦନ୍ତ ଚାଲିଥିବା ପୋଲିସ କହିଛି। ଏସ୍‌ପିଙ୍କ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତିମାନେ ତାସ ଖେଳୁଥିବା ଲୋକଙ୍କ ସହ ମୁହାଁମୁହିଁ ହୋଇଥିଲେ, ସେମାନେ ଅଶ୍ଳୀଳ ଭାଷା ବ୍ୟବହାର କରି ଦୌଡ଼ିବାକୁ ବାରଣ କରିଥିଲେ। ଏଭଳି ଚେତାବନୀ ସାଧାରଣତଃ ପୋଲିସ ରେଡ୍ ସମୟରେ ଦିଆଯାଏ ନାହିଁ ବୋଲି ସେ କହିଛନ୍ତି।
ପୋଲିସ ଉପସ୍ଥିତ ଲୋକଙ୍କ ବୟାନ ଆଧାରରେ ଘଟଣାର ତଦନ୍ତ କରୁଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।