MP: CM: ଥାନା ଅଧିକାରୀଙ୍କୁ କାନ୍ଧ ଦେଇ ଭୋ ଭୋ ହୋଇ କାନ୍ଦିଲେ ଏସ୍ପି, ମଦ ମାଫିଆଙ୍କ ଗାଡ଼ି ଧକ୍କାରେ ହୋଇଥିଲା ମୃତ୍ୟୁ
ଦେୱାସ: ମଧ୍ୟପ୍ରଦେଶର ଦେୱାସ ଜିଲ୍ଲାରେ ଖାତେଗାଓଁ ଥାନା ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା କରାଯାଇଛି। ଏହି ଘଟଣା ପରେ ପୁଲିସ ବିଭାଗରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ବ୍ୟବଚ୍ଛେଦ ପରେ ତାଙ୍କ ମୃତଦେହକୁ ଶେଷକୃତ୍ୟ ପାଇଁ ପୈତୃକ ଗାଁକୁ ନିଆଯାଇଛି। ଏହି ସମୟରେ ଏସ୍ପି ଆଦିତ୍ୟ ମିଶ୍ର ତାଙ୍କ ମରଶରୀରକୁ କାନ୍ଧ ଦେଇଥିଲେ। ନିଜ ସହକର୍ମୀଙ୍କ ମୃତ୍ୟୁରେ ସେ ଭାବବିହ୍ୱଳ ହୋଇ ଭୋ ଭୋ ହୋଇ କାନ୍ଦି ପକାଇଥିଲେ।
ଏସ୍ପିଙ୍କ ସମେତ ସହକର୍ମୀମାନେ ଦେଲେ କାନ୍ଧ
ଖାତେଗାଓଁ ଥାନା ଅଧିକାରୀ ଦିଲୀପ କୁମାର ପୁରୀଙ୍କ ମରଶରୀରକୁ ବ୍ୟବଚ୍ଛେଦ ପରେ ପୁଲିସ ଲାଇନ୍ରେ ଶେଷ ଦର୍ଶନ ପାଇଁ ରଖାଯାଇଥିଲା। ଏଠାରେ ବହୁ ଲୋକ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ପୁରା ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଥିଲା। ଏହାପରେ ତାଙ୍କ ମରଶରୀରକୁ ଶେଷକୃତ୍ୟ ପାଇଁ ଧାର ଜିଲ୍ଲାରେ ଥିବା ପୈତୃକ ଗାଁକୁ ନିଆଯାଇଥିଲା। ଏସ୍ପି ଆଦିତ୍ୟ ମିଶ୍ର ମଧ୍ୟ ତାଙ୍କୁ କାନ୍ଧ ଦେଇଥିଲେ। ଏସ୍ପି ଆଦିତ୍ୟ ମିଶ୍ର ମାତ୍ର ୩ ଦିନ ତଳେ ନିଜ ପଦବୀର ଦାୟିତ୍ୱ ଗ୍ରହଣ କରିଥିଲେ। ଏହାରି ମଧ୍ୟରେ ମଦ ମାଫିଆମାନେ ତାଙ୍କ ପାଇଁ ଏକ ବଡ଼ ଆହ୍ୱାନ ସୃଷ୍ଟି କରିଛନ୍ତି। ସେ ନିଜର ଜଣେ ସାହସୀ ସହକର୍ମୀଙ୍କୁ ହରାଇଛନ୍ତି। ଥାନା ଅଧିକାରୀ ଦିଲୀପ କୁମାର ପୁରୀଙ୍କ ମରଶରୀରକୁ କାନ୍ଧ ଦେବା ସମୟରେ ଏସ୍ପି ଆଦିତ୍ୟ ମିଶ୍ର ନିଜକୁ ସମ୍ଭାଳି ପାରି ନଥିଲେ। ସେ ଭୋ ଭୋ ହୋଇ କାନ୍ଦି ପକାଇଥିଲେ। ଅତ୍ୟନ୍ତ ଦୁଃଖିତ ମନରେ ସେ ଆଗକୁ ବଢ଼ୁଥିବାର ଦୃଶ୍ୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା।
ଘଟଣାର ତଦନ୍ତ ପାଇଁ ସ୍ପେଶାଲ ଡିଜି ଉପେନ୍ଦ୍ର ଜୈନଙ୍କୁ ତୁରନ୍ତ ଘଟଣାସ୍ଥଳକୁ ପଠାଯାଇଛି। ନିରପେକ୍ଷ ତଦନ୍ତ ସହ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଛି।
ତଦନ୍ତ ପାଇଁ ସ୍ପେଶାଲ ଡିଜି
ଏହି ଘଟଣା ପରେ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ସୋସିଆଲ ମିଡିଆ ‘ଏକ୍ସ’ରେ ଲେଖିଛନ୍ତି ଯେ, ଦେୱାସ ଜିଲ୍ଲାର ଖାତେଗାଓଁରେ କର୍ତ୍ତବ୍ୟ ସମ୍ପାଦନ କରୁଥିବା ସମୟରେ ଥାନା ଅଧିକାରୀ ଦିଲୀପ ପୁରୀଙ୍କ ମୃତ୍ୟୁ ଖବର ଅତ୍ୟନ୍ତ ଦୁଃଖଦ ଓ ମର୍ମାହତ କରିଛି। ମୁଁ ତାଙ୍କୁ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଉଛି। ଏହି କଠିନ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ମୋର ଗଭୀର ସମବେଦନା ରହିଛି। ରାଜ୍ୟ ସରକାର ପୀଡ଼ିତ ପରିବାର ସହ ରହିଛନ୍ତି।
ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବୀର ସହିଦ ଦିଲୀପ ପୁରୀଙ୍କ ପତ୍ନୀଙ୍କୁ ଅନୁକମ୍ପା ଭିତ୍ତିରେ ଏସ୍ଆଇ ପଦବିରେ ନିଯୁକ୍ତି ଏବଂ ପରିବାରକୁ ୧ କୋଟି ଟଙ୍କାର ଆର୍ଥିକ ସହାୟତା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ଦିଲୀପ କୁମାର ପୁରୀ ୨୦୦୭ ମସିହାରେ ସବ୍-ଇନ୍ସପେକ୍ଟର ଭାବେ ମଧ୍ୟପ୍ରଦେଶ ପୁଲିସରେ ଯୋଗ ଦେଇଥିଲେ। ସେ ଖଣ୍ଡୱା, ଆଲିରାଜପୁର, ସତନା, ଇନ୍ଦୋର, ବଡ଼ୱାନୀ ଏବଂ ଦେୱାସରେ କାର୍ଯ୍ୟ କରିଥିଲେ। କିଛି ମାସ ପୂର୍ବରୁ ସେ ଦେୱାସକୁ ଆସିଥିଲେ। ତାଙ୍କ ବଡ଼ ଝିଅ ଇନ୍ଦୋରରେ ଏମ୍ବିବିଏସ୍ ପଢ଼ୁଥିବା ବେଳେ ପୁଅ ଏବେ ଛୋଟ ଅଛନ୍ତି।
ସମ୍ଭାବ୍ୟ ବାତ୍ୟା ମୁରାସୁ: ୩ ଓ ୪ ତାରିଖ ଶିକ୍ଷାନୁଷ୍ଠାନକୁ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।