04 SEPTEMBER 2026

Welcome!

Unlock your personalized experience.
Sign Up

Murder: ଜାମିନରେ ଆସି ପୈଶାଚିକ କାଣ୍ଡ: ପତ୍ନୀ, ପୀଡ଼ିତାଙ୍କ ସମେତ ୬ ଜଣଙ୍କୁ ହତ୍ୟାକଲା ପୋକ୍‌ସୋ ଅଭିଯୁକ୍ତ

Jul 11, 2026 - 22:33
Murder: ଜାମିନରେ ଆସି ପୈଶାଚିକ କାଣ୍ଡ: ପତ୍ନୀ, ପୀଡ଼ିତାଙ୍କ ସମେତ ୬ ଜଣଙ୍କୁ ହତ୍ୟାକଲା ପୋକ୍‌ସୋ ଅଭିଯୁକ୍ତ

ହାଇଦ୍ରାବାଦ: ତେଲେଙ୍ଗାନାର ରଙ୍ଗାରେଡ୍ଡୀ ଜିଲ୍ଲାରେ ଆଜି ଏକ ବର୍ବର ଓ ଜଘନ୍ୟ ଗଣହତ୍ୟା ମାମଲା ସାମ୍ନାକୁ ଆସିଛି। ଜଣେ ୩୫ ବର୍ଷୀୟ ବ୍ୟକ୍ତି ନାବାଳିକା ନିର୍ଯାତନା ମାମଲାରେ ଅଦାଲତରୁ ଜାମିନରେ ମୁକୁଳିବା ପରେ ନିଜ ପତ୍ନୀ, ଦୁଇ ଶିଶୁ ପୁତ୍ର ଏବଂ ତାଙ୍କ ବିରୋଧରେ ଅଭିଯୋଗ ଆଣିଥିବା ୧୭ ବର୍ଷୀୟା ନାବାଳିକା ସମେତ ତାଙ୍କ ମା’ ଓ ଆଈଙ୍କୁ ନିର୍ମମ ଭାବେ ହତ୍ୟା କରିଛି। ଶାହବାଦ ପୁଲିସ ଥାନା ଅଂଚଳରେ ଗତରାତିରେ ଏହି ବର୍ବରକାଣ୍ଡ ଘଟିଛି। ଅଭିଯୁକ୍ତ ରାଜକୁମାର ଏହି ଛଅ ଜଣଙ୍କୁ ହତ୍ୟା କରିବା ପରେ ନିଜ ପିତାଙ୍କୁ ଫୋନ କରି ସୂଚନା ଦେଇଛି ଏବଂ ବର୍ତ୍ତମାନ ସେ ଫେରାର ଅଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତକୁ ଗିରଫ କରିବା ପାଇଁ ସ୍ବତନ୍ତ୍ର ଟିମ୍ ଗଠନ କରି ତଦନ୍ତ ପ୍ରକ୍ରିୟାକୁ ତ୍ବରାନ୍ବିତ କରିଛି।

ଅଭିଯୁକ୍ତ ରାଜକୁମାର ବିଳମ୍ବିତ ରାତିରେ ଶାହବାଦ ସ୍ଥିତ ନିଜ ବାସଭବନରେ ପ୍ରଥମେ ପତ୍ନୀ ପାର୍ବତୀ ସରିତା (୩୦) ଏବଂ ଦୁଇ ପୁଅ (ବୟସ ୪ ବର୍ଷ ଓ ୧ ବର୍ଷ)ଙ୍କୁ ହତ୍ୟା କରିଥିଲା। ସମ୍ପର୍କୀୟଙ୍କ କହିବା ଅନୁଯାୟୀ, ଦୁଇ ଶିଶୁଙ୍କୁ ଶୋଇଥିବା ଅବସ୍ଥାରେ ଶ୍ବାସରୁଦ୍ଧ କରି ହତ୍ୟା କରାଯାଇଥିବା ବେଳେ ଘରର କବାଟ ଭିତରୁ ବନ୍ଦ ଥିଲା। ସରିତାଙ୍କ ମୃତଦେହ ମିଳିଥିବା କୋଠରୀରେ ବ୍ୟାପକ ଧସ୍ତାଧସ୍ତି ହୋଇଥିବା ସ୍ପଷ୍ଟ ଚିହ୍ନ ମିଳିଛି। ୨୦୧୮ ମସିହାରେ ପ୍ରେମ ବିବାହ କରିଥିବା ଏହି ଦମ୍ପତିଙ୍କ ମଧ୍ୟରେ ପୂର୍ବରୁ କୌଣସି ବଡ଼ ବିବାଦ ନଥିବା ପରିବାର ଲୋକେ ପ୍ରକାଶ କରିଛନ୍ତି। ପରିବାରକୁ ହତ୍ୟା କରିବା ପରେ ଅଭିଯୁକ୍ତ ରାଜକୁମାର ସେହି ଗ୍ରାମରେ ରହୁଥିବା ୧୭ ବର୍ଷୀୟା ନାବାଳିକାର ଘରେ ପହଞ୍ଚିଥିଲା, ଯିଏ ଗତ ମେ ମସିହାରେ ତା’ ବିରୋଧରେ ଶିଶୁ ଯୌନ ଅପରାଧ ନିବାରଣ ଆଇନ (ପୋକ୍ସୋ) ଅଧୀନରେ ମାମଲା ଦାୟର କରିଥିଲେ। ରାଜକୁମାର ନାବାଳିକାକୁ ଏକ କାର୍‌ରେ ଅପହରଣ କରି ନିଛାଟିଆ ସ୍ଥାନକୁ ନେଇ ହତ୍ୟା କରିଥିଲା। ଏହା ପରେ ସେ ପୁଣି ପୀଡ଼ିତାଙ୍କ ଘରକୁ ଫେରି ତାଙ୍କ ମା’ (୪୫) ଏବଂ ଆଈ (୬୫)ଙ୍କୁ ମଧ୍ୟ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲା। ତେବେ ଘର ଭିତରେ ଥିବା ପୀଡ଼ିତାଙ୍କ ଜଣେ ୨୦ ବର୍ଷୀୟା ଦିବ୍ୟାଙ୍ଗ ଭଉଣୀଙ୍କୁ ଅଭିଯୁକ୍ତ କୌଣସି କ୍ଷତି ପହଞ୍ଚାଇ ନାହିଁ।

ଆହୁରି ପଢନ୍ତୁ: Bjp:ବାଙ୍କୀପୁରରେ ବିଜେପି ଅଚାନକ ପ୍ରାର୍ଥୀ ବଦଳାଇବା ଘଟଣାାରେ ଲାଲୁ ଲିଙ୍କ୍‌

ଏହି ସମସ୍ତ ହତ୍ୟାକାଣ୍ଡ ଭିଆଇବା ପରେ ରାଜକୁମାର ନିଜ ପିତାଙ୍କୁ ଫୋନ କରି କହିଥିଲା, ମୁଁ ଏହି ସବୁ କାଣ୍ଡ କରିଛି, ସେମାନଙ୍କୁ ମାରିଦେଇଛି। ଏହା କହିବା ସହ ସେ ନିଜେ ମଧ୍ୟ ଆତ୍ମହତ୍ୟା କରିବାକୁ ଯାଉଛି ବୋଲି ବାପାଙ୍କୁ ଜଣାଇ ମୋବାଇଲ ଫୋନ ସୁଇଚ୍ ଅଫ୍ କରିଦେଇଥିଲା। ସାଇବର ସେଲ୍ ଏବଂ ଫୋରେନସିକ ଦଳ ଘଟଣାସ୍ଥଳରୁ ପ୍ରମାଣ ସଂଗ୍ରହ କରୁଥିବା ବେଳେ ବର୍ତ୍ତମାନ ସୁଦ୍ଧା ଅଭିଯୁକ୍ତର ଆତ୍ମହତ୍ୟା ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ।

ଆହୁରି ପଢନ୍ତୁ: Eng vs Ind T20I: ଭାରତ ଆଗରେ ୨୫୮ ରନ୍‌ର ବିଜୟ ଲକ୍ଷ୍ୟ; ଶତକ ମାରିଲେ ବଟଲର

ସୂଚନାଯୋଗ୍ୟ, ସାଇବରାବାଦର ବରିଷ୍ଠ ପୁଲିସ ଅଧିକାରୀ ତରୁଣ ଯୋଶୀଙ୍କ ସୂଚନା ଅନୁଯାୟୀ, ଗତ ମେ ୧୬ ତାରିଖରେ ଅଭିଯୁକ୍ତ ବିରୋଧରେ ନାବାଳିକାକୁ ପିଛା କରିବା ଏବଂ ମାନସିକ ଓ ଶାରୀରିକ ନିର୍ଯାତନା ଦେବା ଅଭିଯୋଗରେ ମାମଲା ରୁଜୁ ହୋଇଥିଲା। ଏହି ମାମଲାରେ ସାତ ବର୍ଷରୁ କମ୍ ସଜା ଥିବାରୁ, ମାତ୍ର ଏକ ସପ୍ତାହ ପୂର୍ବରୁ ଅଦାଲତ ତାକୁ ୨୦,୦୦୦ ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଜାମିନ ପ୍ରଦାନ କରିଥିଲେ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।