Narendra Moid: ପ୍ରଧାନମନ୍ତ୍ରୀଙ୍କ ‘ଭଜନ କ୍ଲବିଂ’କୁ ନେଇ କଂଗ୍ରେସ ନେତାଙ୍କ କଟାକ୍ଷ
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ସନ୍ଧ୍ୟାରେ ଦିଲ୍ଲୀରେ ଏକ "ଭଜନ କ୍ଲବିଂ" କାର୍ଯ୍ୟକ୍ରମରେ ଯୋଗଦେବା ପ୍ରସଙ୍ଗକୁ ନେଇ ରାଜନୈତିକ ଝଡ଼ ସୃଷ୍ଟି ହୋଇଛି।
କର୍ଣ୍ଣାଟକର ମନ୍ତ୍ରୀ ତଥା କଂଗ୍ରେସ ନେତା ପ୍ରିୟଙ୍କ ଖଡ଼ଗେ ଏହାକୁ ନେଇ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରିଥିବା ବେଳେ ବିଜେପି ଏହାର ଦୃଢ଼ ଜବାବ ଦେଇଛି।
କଂଗ୍ରେସ ଭାରତର ପାରମ୍ପରିକ ଐତିହ୍ୟ ଓ ସଂସ୍କୃତିକୁ ଅପମାନିତ କରୁଛି ବୋଲି ବିଜେପି ଅଭିଯୋଗ କରିଛି।
Advertisment ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ଖଡ଼ଗେ ପ୍ରଶ୍ନ କରିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ପାଖରେ ଭଜନ କ୍ଲବିଂ ପାଇଁ ସମୟ ଅଛି, କିନ୍ତୁ ନିର୍ବାଚନ କମିସନଙ୍କ କାର୍ଯ୍ୟକଳାପ ଏବଂ ଗଣତନ୍ତ୍ର ସହ ଜଡ଼ିତ ଗମ୍ଭୀର ପ୍ରଶ୍ନର ଉତ୍ତର ଦେବାକୁ ସମୟ ନାହିଁ।
ସେ କହିଛନ୍ତି ଯେ ଗତ ୧୩ ବର୍ଷ ଧରି ଏକ ନିର୍ଦ୍ଦିଷ୍ଟ ଶୈଳୀ ଦେଖିବାକୁ ମିଳୁଛି, ଯେତେବେଳେ ସରକାରଙ୍କ ସମ୍ମୁଖକୁ କୌଣସି ଜଟିଳ ପ୍ରଶ୍ନ ଆସେ, ସେତେବେଳେ ପ୍ରଧାନମନ୍ତ୍ରୀ ସେଥିରୁ ଦୂରେଇ ରୁହନ୍ତି।
Narendra Modi: ନରେନ୍ଦ୍ର ମୋଦୀ ଓ ନୂତନ ସମ୍ଭାବନାର ପିଢ଼ି ଏହି ମନ୍ତବ୍ୟର କଡ଼ା ଜବାବ ଦେଇ ବିଜେପି ମୁଖପାତ୍ର ସି ଆର୍ କେଶବନ କହିଛନ୍ତି ଯେ କଂଗ୍ରେସ ପୁଣି ଥରେ ଭାରତର ମହାନ ଭଜନ ଓ ଭକ୍ତି ପରମ୍ପରାକୁ ପରିହାସ କରିଛି।
ଜୁନିୟର ଖଡ଼ଗେଙ୍କଠାରୁ ଏହାଠାରୁ ଅଧିକ କିଛି ଆଶା କରାଯାଇନପାରେ, କାରଣ ସେ କେବଳ କଂଗ୍ରେସ ପ୍ରଥମ ପରିବାରର ଗୁଣଗାନ କରିବାରେ ବ୍ୟସ୍ତ ରୁହନ୍ତି।
କେଶବନ ଆହୁରି ମଧ୍ୟ କହିଛନ୍ତି ଯେ ଖଡ଼ଗେଙ୍କର ଯଦି ସାହସ ଅଛି, ତେବେ ସେ କଂଗ୍ରେସର କ୍ରମାଗତ ନିର୍ବାଚନୀ ବିଫଳତା ପାଇଁ ରାହୁଲ ଗାନ୍ଧୀଙ୍କ ଉତ୍ତରଦାୟିତ୍ୱ ଉପରେ ପ୍ରଶ୍ନ କରନ୍ତୁ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସ ଦଳ କ୍ରମାଗତ ଭାବେ ୩ଟି ଲୋକସଭା ନିର୍ବାଚନ ହାରିବା ସହ ପ୍ରାୟ ୧୦୦ଟି ବିଧାନସଭା ନିର୍ବାଚନରେ ପରାଜୟର ସ୍ୱାଦ ଚାଖିଛି।
ସୂଚନାଯୋଗ୍ୟ, ଗତକାଲି ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରଥମ ଧାଡ଼ିରେ ବସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପ୍ରଭୁ ଶ୍ରୀରାମଙ୍କ ଭଜନ ଶୁଣିବା ସହ ଏକ ସଙ୍ଗୀତ ଉପକରଣ ବଜାଉଥିବା ଦେଖିବାକୁ ମିଳିଥିଲା।
ଭଜନ କ୍ଲବିଂ ହେଉଛି ଏକ ଆଧୁନିକ ସାଂସ୍କୃତିକ ଧାରା, ଯେଉଁଠାରେ ଯୁବପିଢ଼ିମାନେ ଏକତ୍ରିତ ହୋଇ କନସର୍ଟ ଶୈଳୀରେ ହିନ୍ଦୁ ଭକ୍ତି ସଙ୍ଗୀତ ଗାନ କରିବା ସହ ନୃତ୍ୟ କରିଥାନ୍ତି।
କ୍ଲବ୍ ଭଳି ପରିବେଶରେ ଆୟୋଜିତ ଏହି ନୂତନ ସାଂସ୍କୃତିକ ଶୈଳୀ ବର୍ତ୍ତମାନ ଭାରତର ପ୍ରମୁଖ ସହର ସମେତ ବିଦେଶରେ ମଧ୍ୟ ବେଶ୍ ଆଦୃତ ହେବାରେ ଲାଗିଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।