Neglect: ପୁରୁଣା ଭଙ୍ଗା ଦଦରା କୁଡ଼ିଆକୁ ଭରସା
"କାଳିଆପାଣି (ରବି ନାରାୟଣ କର): ଘର ଖଣ୍ଡିଏ ପାଇଁ ଦରଖାସ୍ତ ଧରି ପଞ୍ଚାୟତ ଅଫିସ ଓ ବ୍ଲକ ଦୌଡ଼ିଦୌଡ଼ି କାର୍ଯ୍ୟାଦେଶ ପାଇଥିଲେ ସୁକିନ୍ଦା ବ୍ଲକ କଅଁସ ପଞ୍ଚାୟତ ବିଟ୍ସାହି ବସ୍ତିର ଗରିବ ଦିନ ମଜୁରିଆ ମାକି ଓ ମଟାଇ ପୂର୍ତ୍ତି ଦମ୍ପତି।
ନଡ଼ିଆ ବାଡ଼େଇ ନିଅଁ ଖୋଳିଲା ଦିନ କେତେ ଖୁସି ହୋଇଥିଲେ।
ବର୍ଷାଦିନେ ରାତିରେ ଆଉ ବିଷଧର ସାପ କିମ୍ବା ସରୀସୃପ ଡର ରହିବନି।
ଭାଇସାହି ଓ ବନ୍ଧୁବାନ୍ଧବ ଡାକି ପ୍ରତିଷ୍ଠା ଉତ୍ସବ କରାଇ ସେହି କୋଠାଘରେ ଭଲରେ ରହିବେ ବୋଲି ଭାବିଥିଲେ।
ହେଲେ ଘର ନିର୍ମାଣ ପରେ ତାଙ୍କର ସବୁ ଆଶା ଏବେ ପାଣି ଫୋଟକା ଭଳି ମିଳେଇ ଯାଇଛି।Advertisment ଠିକାଦାର କଥାରେ ବ୍ୟାଙ୍କ ଉଠାଣ ଫର୍ମରେ ଟିପଚିହ୍ନ ଦେଇ ତାକୁ ସମସ୍ତ ପ୍ରାପ୍ୟ ଟେକି ଦେବା ପରେ ଏବେ ଏହି ଦମ୍ପତି ଉପାୟଶୂନ୍ୟ।
୩ ବର୍ଷ ତଳୁ ତିଆରି ହୋଇଥିବା ପକ୍କାଘର ଆରମ୍ଭରୁ ବିପଦ ସଂକୁଳ।
ଭିତରେ ପଶିବାକୁ ଡର ଲାଗୁଛି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ନବନିର୍ମିତ କଂକ୍ରିଟ୍ ଛାତ ଓ ସିମେଣ୍ଟ୍ ଇଟା କାନ୍ଥ ଥାଇ ଏହି ପକ୍କାଘର ବ୍ୟବହାର ପୂର୍ବରୁ ଅସୁରକ୍ଷିତ ଅବସ୍ଥାରେ ପଡ଼ିରହିଛି।
୫ ଜଣିଆ ଆଦିବାସୀ ପରିବାର ବାଧ୍ୟହୋଇ ପୁରୁଣା ଭଙ୍ଗାଦଦରା ଘରକୁ ମରାମତି କରି ସେହିଠାରେ ମୁଣ୍ଡ ଗୁଞ୍ଜିବାକୁ ବାଧ୍ୟ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଠକାମିର ଶିକାର ହୋଇଥିବା ଜାଣି ଏବେ ମୁଣ୍ଡରେ ହାତଦେଇ ବସିଛନ୍ତି।
ସଂଘବଦ୍ଧ ଆକ୍ରମଣରେ ଚାଲିଗଲା ଦିନ ମଜୁରିଆଙ୍କ ଜୀବନ, ସ୍ତ୍ରୀ ଓ ଝିଅ ଡାକ୍ତରଖାନାରେ ଭର୍ତ୍ତି ସେହିପରି ଟିକରପଡ଼ା ଗାଁର ୭ ଜଣ ଗରିବ ଜନଜାତି ହିତାଧିକାରୀ ଡରଗେ ବାରି, ୩ ବିଧବା ଦୌପଦୀ ଜୁଆଙ୍ଗ, ସମ୍ବାରୀ ପୂର୍ତ୍ତି ଓ ସମ୍ବାରୀ ଗାଗରାଇ ଏବଂ ଲାଦୁରା ଗଇପାଇ, ବଇଶମ ଜୁଆଙ୍ଗ ଓ ଲିଟା କାଣ୍ଡାଇବୁରୁଙ୍କୁ ସଂପୃକ୍ତ ଠିକାଦାର ସରକାରୀ ଆବାସ ଯୋଜନାରେ ଭୂତେଇ ଦେଇଥିବା ସାଧାରଣରେ ଅଭିଯୋଗ ହୋଇଛି।
ବିଶାଖାପାଟଣାରେ ରହି ଦାଦନ ଖଟୁଥିବା ଡରଗେ ଗାଁକୁ ଫେରି ଘର ମିଳିବ ଜାଣି ସୁକିନ୍ଦା ବ୍ଲକ ଅଫିସ ଯାଇଥିଲେ।
ସଞ୍ଚିତ ଅର୍ଥରୁ ଜଣେ ବାବୁଙ୍କୁ ଲାଞ୍ଚଦେଇ ସେ କାର୍ଯ୍ୟାଦେଶ ପାଇଥିଲେ।
ଏହି ହିତାଧିକାରୀ କାର୍ଯ୍ୟାଦେଶ ପାଉପାଉ ଠିକାଦାର ତାଙ୍କ ଘର ପାଖରେ ଇଟା, ବାଲି ଓ ଚିପ୍ସ କୁଢ଼େଇ ଦେଇଥିଲା।
ଠିକାଦାର ତାଙ୍କୁ ପ୍ରଭାବିତ କରି ଏକାଧିକ କିସ୍ତିରେ ସବୁ ଟଙ୍କା ଉଠାଇନେଲା।
ଘର ତିଆରିରେ ସବୁ ପ୍ରକାର ସହଯୋଗ କରିବ ବୋଲି ଭରସା ଦେଇଥିଲା।
କାନ୍ଥ ସବୁ ଫାଟି ଆଁ କରିଛି।
ଘରେ କବାଟ କି ଝରକା ଲାଗିନାହିଁ।
ବ୍ୟବହାର ଯୋଗ୍ୟ ନଥିବା ଏହି ଘର ପ୍ରବେଶ ପୂର୍ବରୁ ଭୂତକୋଠି ପାଲଟି ଗଲାଣି।
ଅନ୍ୟ ୬ ଜଣଯାକ ପରିବାର ସମାନ ଉପାୟରେ ଠିକାଦାର କଥାରେ ପଡ଼ି କ୍ଷତିଗ୍ରସ୍ତ ହୋଇଥିବା ଅଭିଯୋଗ ହୁଏ।
ଓସ୍ତପାଳ ଗାଁର ସ୍ବର୍ଗତ ହାରୀଶ ଦୁରାଦ୍ ସରକାରୀ ଘର ହାତେଇବାକୁ ଯାଇ ଆରପାରିକୁ ଚାଲିଗଲେ ପଛେ ତାଙ୍କ ଘରକାମ ସରିଲା ନାହିଁ ବୋଲି ତାଙ୍କ ପତ୍ନୀ ଏତୁଆରୀ ହୁରାଦ୍ କ୍ଷୋଭ ପ୍ରକାଶ କରନ୍ତି।
ଏହି ଘର ଦରଖଣ୍ଡିଆ ହୋଇପଡ଼ିରହିବା ସହ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଥିବା ଦର୍ଶାଇଥିଲେ।
କଅଁସ ବିଟ୍ସାହିର ଅନ୍ୟତମ ଦିନ ମଜୁରିଆ ବାବାଜୀ ଦେହୁରୀ ମଧ୍ୟ ଆବାସ ଯୋଜନାରେ ଠକି ଯାଇଥିବା ଅଭିଯୋଗ କରନ୍ତି।
ଏ ସଂପର୍କରେ ସରପଞ୍ଚ ରାଜାରାଣୀ ଦେହୁରୀଙ୍କୁ ପଚାରିବାରେ ଏହା ସବୁ ତାଙ୍କ ସମୟରେ ନିର୍ମାଣ ହୋଇନଥିବା କହି ୨୦୨୨ ଫେବ୍ରୁଆରି ମାସ ପୂର୍ବରୁ ତିଆରି ହୋଇଥିବା କହିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।