Nepal Faces Another Flood Threat: ନେପାଳରେ ପୁଣି ଆସିପାରେ ପ୍ରଳୟ, ଚୀନ୍ର ସତର୍କବାଣୀ
ନେପାଳ-ଚୀନ୍ ସୀମାରେ ବନ୍ୟା ବିପଦ ଏବେ ବି ଟଳିନାହିଁ। ଭୟଙ୍କର ଫ୍ଲାସ୍ ଫ୍ଲଡ୍ ପରେ ଏବେ ଆଉ ଏକ ବଡ଼ ବିପଦର ଚେତାବନୀ ଦେଇଛି ଚୀନ୍। ଉପରମୁଣ୍ଡରେ ଏକ ବ୍ୟାରିଅର୍ ଲେକ୍ ସୃଷ୍ଟି ହୋଇଛି। ଏଥିରେ ପ୍ରାୟ ୨୦ ଲକ୍ଷ ଘନମିଟର ପାଣି ଜମିଥିବା ବେଳେ, ଆଗାମୀ ୩ ଦିନରେ ଆଉ ୩୦ ଲକ୍ଷ ଘନମିଟର ପାଣି ଆସିପାରେ। ଫଳରେ ପ୍ରାକୃତିକ ବନ୍ଧ ଭାଙ୍ଗି ନେପାଳରେ ପୁଣି ବଡ଼ ବନ୍ୟା ଆସିବା ଆଶଙ୍କା ରହିଛି।
ବୁଧବାର ଗ୍ଲେସିୟରର ଏକ ବିଶାଳ ଅଂଶ ଖସିପଡ଼ିବା ପରେ ବୋଟେକୋଶୀ ନଦୀରେ ପ୍ରଳୟଙ୍କରୀ ଜଳ ପ୍ରବାହ ଆସିଥିଲା। ଏହା ବର୍ଷାଜନିତ ବନ୍ୟା ନୁହେଁ ବୋଲି ନେପାଳର ଜଳବିଜ୍ଞାନ ବିଭାଗ କହିଛି। ଏପଟେ ଚୀନ୍ର ଜିରୋଙ୍ଗ ପୋର୍ଟ ନିକଟରେ ମଧ୍ୟ ମାଟିଧସ ହୋଇଛି। ଚୀନ୍ ପକ୍ଷରେ ୩ ଜଣଙ୍କ ମୃତ୍ୟୁ ନିଶ୍ଚିତ ହୋଇଥିବା ବେଳେ ୫୫୮ ଜଣ ନିଖୋଜ ଥିବା ସୂଚନା ମିଳିଛି।
ନେପାଳର ବୋଟେକୋଶୀ, ତ୍ରିଶୂଳୀ ଓ ନାରାୟଣୀ ନଦୀ କୂଳରେ ଲୋକଙ୍କୁ ନଯିବାକୁ ସତର୍କ କରାଯାଇଛି। ଆଗାମୀ ୩ ଦିନ ନେପାଳ ପାଇଁ ବେଶ୍ ଚିନ୍ତାଜନକ। ବିପଦ କେତେ ବଡ଼ ହେବ, ଏବେ ତାହା ଉପରେ ନଜର।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।